Unknown

 

 

 

 

 

 

 

 

 

୧୩୯ତମ ସଂଖ୍ୟା କୋଣାର୍କ ୨୦୦୬

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ଡକ୍ଟର ଗଣେଶ୍ୱର ମିଶ୍ର

ଉପଦେଷ୍ଟା

 

ଡକ୍ଟର ହୁସେନ୍ ରବିଗାନ୍ଧୀ

ମୁଖ୍ୟ ସମ୍ପାଦକ

 

ଡକ୍ଟର ବିଜୟାନନ୍ଦ ସିଂହ

ଇଂ. ପ୍ରଭାକର ସ୍ୱାଇଁ

ଶ୍ରୀ ରବୀନ୍ଦ୍ରନାଥ ଦାସ

ସମ୍ପାଦକ

 

ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା

ପରିଚାଳନା ସମ୍ପାଦକ :

ଓଡ଼ିଶା ସାହିତ୍ୟ ଏକାଡେମୀ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ମତ ।

 

 

ସମ୍ପାଦକୀୟ

ବିଷୟ ସୂଚୀ

୧.

ଆଇନଜୀବୀ ଜଗବନ୍ଧୁ ସିଂହ

 

ହରିହର ବାହିନୀପତି

୨.

ଉତ୍କଳ ସମ୍ମିଳନୀରେ ଜଗବନ୍ଧୁ ସିଂହଙ୍କ ଭୂମିକା

 

ପୂର୍ଣ୍ଣଚନ୍ଦ୍ର ମିଶ୍ର

୩.

ପ୍ରାବନ୍ଧିକ ଜଗବନ୍ଧୁ ସିଂହ

 

ବାଉରୀବନ୍ଧୁ କର

୪.

ସାରସ୍ଵତ ସାଧକ ଜଗବନ୍ଧୁ ସିଂହଙ୍କ ଜୀବନାଲୋକ-ଏକ ପରିଚିତି

 

ପଠାଣି ପଟ୍ଟନାୟକ

୫.

ଜଗବନ୍ଧୁ ସିଂହଙ୍କ ପ୍ରାଚୀନ ଉତ୍କଳ’ରେ ଜାତୀୟବାଦୀ ଚେତନା

 

ବିଷ୍ଣୁମୋହନ ଦାସ

୬.

ଜଗବନ୍ଧୁ ସିଂହ ଓ ଗୃହଲକ୍ଷ୍ମୀ

 

ମଧୁସ୍ମିତା ମିଶ୍ର

୭.

ଜ୍ୟୋତିଷାର୍ଣ୍ଣବ ପୁସ୍ତକ ଜ୍ୟୋତିଷ ଶାସ୍ତ୍ର କ୍ଷେତ୍ରରେ ଧ୍ରୁବ

 

ଅନାମ ଚନ୍ଦ୍ର ସାହୁ

୮.

ବାଳଗଙ୍ଗାଧର ତିଳକଙ୍କ ଗୀତା ରହସ୍ୟର ଓଡ଼ିଆ ଅନୁବାଦକ ଜଗବନ୍ଧୁ ସିଂହ

 

ଉପେନ୍ଦ୍ର ମିଶ୍ର

୯.

ପ୍ରାବନ୍ଧିକ ଜଗବନ୍ଧୁ ସିଂହ ଓ ‘ପ୍ରବନ୍ଧ ସାର’ର ଅନ୍ତର୍ଲିୋକ

 

ନିରଞ୍ଜନ ସାହୁ

୧୦.

ଅମ୍ଲାନ ଉଦ୍‍ବୋଧନର ସ୍ଵରକାର ଜଗବନ୍ଧୁ

 

ଅପୂର୍ବ ରଞ୍ଜନ ରାୟ

୧୧.

ପ୍ରାଚୀନ ଭାରତର ସାହିତ୍ୟସମ୍ପତ୍ତି

(ସୌଜନ୍ୟ: ପ୍ରଫେସର ବାଉରୀବନ୍ଧୁ କର)

ଜଗବନ୍ଧୁ ସିଂହ ୮୧

 

 

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅନିୟମର ୧୯-ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ ନାମକ ସାରସ୍ୱତ ପତ୍ରିକାର ସୂତ୍ର ଆଦି ସମ୍ବନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ବିଶେଷ ସଂଖ୍ୟା ବ୍ୟତୀତ)

୬.

ପ୍ରକାଶକଙ୍କ ନାମ

ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଗିରିଜା କୁମାର ବଳୀୟାରସିଂହ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଟେକ୍‌ନୋ ଆର୍ଟସ୍ ଅଫସେଟ୍ କଲ୍ୟାଣୀନଗର, କଟକ-୧୩

୮.

ସମ୍ପାଦକଙ୍କ ନାମ

ଡକ୍ଟର ହୁସେନ୍ ରବି ଗାନ୍ଧୀ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଉପ-ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଟେକ୍‌ନୋ ଆର୍ଟସ୍ ଅଫସେଟ୍ କଲ୍ୟାଣୀନଗର, କଟକ-୧୩

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ଚନ୍ଦ୍ର ଶେଖର ଦାସବର୍ମା, ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ଵାସମତେ ସତ୍ୟ ଅଟେ ।

 

 

ଚନ୍ଦ୍ର ଶେଖର ଦାସବର୍ମା

ସମ୍ପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସମ୍ପାଦକୀୟ

କୋଣାର୍କର ମନକଥା

 

ଓଡ଼ିଶାର ରାଜନୈତିକ ସ୍ୱାଧିନତା ଆଫ୍‍ଗାନ୍‍, ମୋଗଲ ଓ ମରହଟ୍ଟାମାନଙ୍କ ଦ୍ୱାରା ଅପହୃତ ହେବାପରେ ମଧ୍ୟ ଏହାର ଭାଷା-ସଂସ୍କୃତି ରହିଥିଲା ଅମ୍ଳାନ । ସାମୟିକ ଭାବେ କିଛି ଦେବାଦେବୀ ମନ୍ଦିରମାନଙ୍କ ଉପରେ ଆକ୍ରମଣ ହୋଇଥିଲେ ବି ଓଡ଼ିଆ ଜାତି ନିଜର ପରିଚୟ ହରାଇନଥିଲା । ଖୋର୍ଦ୍ଧାର ଭୋଇବଂଶୀୟ ଗଜପତିମାନଙ୍କ ନେତୃତ୍ୱରେ ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ପରମ୍ପରା ବଞ୍ଚିରହିଥିଲା । ମାତ୍ର ୧୮୦୩ ମସିହାରେ ଓଡ଼ିଶାକୁ ଇଂରେଜମାନେ କବଳିତ କରି ରାଜନୈତିକ ଓଡ଼ିଶାକୁ କେବଳ ଖଣ୍ଡବିଖଣ୍ଡିତ କରି ନ ଥିଲେ, ଅପିତୁ ଏହାର ଭାଷା-ସଂସ୍କୃତି ଉପରେ ମଧ୍ୟ ପ୍ରଚଣ୍ଡ ପ୍ରହାର ଆରମ୍ଭ କରିଥିଲେ । ଇଂରେଜମାନଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ପାଇ ତତ୍‌କାଳୀନ ଇଷ୍ଟଇଣ୍ଡିଆ କମ୍ପାନୀର ବଙ୍ଗାଳୀ କର୍ମଚାରୀମାନେ ଉପକୂଳବର୍ତ୍ତୀ ଓଡ଼ିଶାରେ ଓଡ଼ିଆ ଭାଷା ବିଲୋପ କରି, ଲିପି ବିଲୋପ କରି ବଙ୍ଗ ଭାଷା ଓ ଲିପିର ପ୍ରଚଳନ ପାଇଁ ପ୍ରୟାସ ଆରମ୍ଭ କରି ଦେଲେ । ମଡ୍ରାସ୍ ପ୍ରେସିଡେନ୍ସି ଅଧିନରେ ରହିଥିବା ଦକ୍ଷିଣ ଓଡ଼ିଶାରେ ଓଡ଼ିଆ ଭାଷା ପରିବର୍ତ୍ତେ ତେଲୁଗୁ ଭାଷା ପ୍ରଚଳନ କରି ଓଡ଼ିଆ ଭାଷା-ସଂସ୍କୃତିକୁ ଲୋପ କରି ଦେବା ପାଇଁ ଉଦ୍ୟମ ହେଲା । ଠିକ୍ ସେହିପରି ପଶ୍ଚିମ ଓଡ଼ିଶାରେ ହିନ୍ଦୀ ଭାଷା ପ୍ରଚଳନ ପାଇଁ ଉଦ୍ୟମ ହେଲା ।

 

ଇଂରେଜ ଶାସନ ସମୟରେ କେବଳ ଓଡ଼ିଆ ଭାଷା ଲୋପ କରିବା ପାଇଁ ଉଦ୍ୟମ କରି ସାମ୍ରାଜ୍ୟବାଦୀ ଇଂରେଜ ଓ ସେମାନଙ୍କର ବୋଲକରା ବଙ୍ଗୀୟ, ତୈଲଙ୍ଗ ବା ଉତ୍ତର ଭାରତୀୟ ଅମଲାମାନେ ଚୁପ୍ ବସି ନଥିଲେ । ଓଡ଼ିଆ ଜାତିର ସ୍ୱାଭିମାନ ଉପରେ ଆକ୍ରମଣ ଆରମ୍ଭ ହୋଇଗଲା । ଇଂରେଜ ଐତିହାସିକମାନେ ଓଡ଼ିଆ ଜାତିକୁ ‘Dosile’ବା ଘୁମଂତ ଜାତି ତଥା ଭାରତୀୟ ସଭ୍ୟତାର ବିକାଶରେ ଏମାନଙ୍କର ଅବଦାନ ନଗଣ୍ୟ ବୋଲି ଚିତ୍ରିତ କରି ପୁସ୍ତକ ରଚନା କରିବା ବେଳେ ବଙ୍ଗଭାଷୀ ଐତିହାସିକ ଓ ଲେଖକମାନେ ଓଡ଼ିଆମାନଙ୍କୁ ଅତି ହୀନଭାବେ ଚିତ୍ରିତ କରି ଲେଖିବାକୁ ଲାଗିଲେ ।

 

ଦୀର୍ଘଦିନରୁ ରାଜନୈତିକ ସ୍ୱାଧିନତା ହରାଇ ବସିଥିବା ଓଡ଼ିଆ ଜାତି, ଯାହାର ଆର୍ଥିକ ମେରୁଦଣ୍ଡ ଶହ ଶହ ବର୍ଷ ହେଲା ପରାଧିନତାର ଶୃଖଳରେ ଭାଙ୍ଗି ଚୁରମାର, ତା ପରେ ବେଡ଼ି ଉପରେ କୋରଡା ମାଡ଼ ସଦୃଶ, ତା’ର ଭାଷା-ସଂସ୍କୃତି ଐତିହ୍ୟକୁ ନ୍ୟୂନ କରି କଦର୍ଥ ଭାବେ ଜଗତଜନଙ୍କ ସାମ୍ନାରେ ଉପସ୍ଥାପନା କରିବାର ପ୍ରୟାସ ଓଡ଼ିଆ ଜାତିର ଅନେକ ବୁଦ୍ଧିଜୀବି, ଲେଖକ ଓ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ଆନ୍ଦୋଳିତ କରିଥିଲା । ସେମାନଙ୍କର ଅସ୍ମିତାର ହିମାଳୟ ଭୂସ୍ମଳନପରି କମ୍ପି ଉଠିଥିଲା । ଏହି କମ୍ପମାନ ଅବସ୍ଥାରୁ ଆରମ୍ଭ ହେଲା ଓଡ଼ିଆ ଆତ୍ମ ପରିଚୟ ଅନ୍ୱେଷଣର ଆଦିପର୍ବ । ଏହାହିଁ ଓଡ଼ିଆ ‘ରେନେସାଁ’ ବା ପୁନର୍ଜାଗରଣର ସମୟଥିଲା ।

 

ନଅଙ୍କ ଦୁର୍ଭିକ୍ଷର କରାଳଗ୍ରାସରୁ ତଥାପି ନିସ୍ତାର ପାଇନଥିବା ଏକ ଲହୁ ଲୁହାଣ କ୍ଷତାକ୍ତ ଜାତିକୁ ଏକତ୍ରିତ କରି ଦମ୍ଭର ଆଶା ବାଣୀ ପ୍ରଦାନ କରିବା ପାଇଁ ବହୁ ମନିଷୀ ଆଗେଇ ଆସିଲେ । କିଏ କାବ୍ୟକବିତା ମାଧ୍ୟମରେ ତ କିଏ କଥା ସାହିତ୍ୟ ମାଧ୍ୟମରେ, କିଏ ଇତିହାସ ମାଧ୍ୟମରେ ତ କିଏ ସାମ୍ୱାଦିକତା ମାଧ୍ୟମରେ ଏ ଜାତିର ତ୍ରାଣ ପାଇଁ ତ୍ରାଣକର୍ତ୍ତାର ଭୂମିକା ଗ୍ରହଣ କରିଥିଲେ ।

 

ଐତିହାସିକ ଜଗବନ୍ଧୁ ସିଂହ ଥିଲେ ଏହି ଜାତିସ୍ମର ମନିଷୀମାନଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ପୁରୁଷ । ଇଂରେଜ ଓ ବଙ୍ଗଭାଷୀ । ଐତିହାସିକମାନଙ୍କ ବିଭ୍ରାନ୍ତିକର ଐତିହାସିକ ବିବରଣୀମାନଙ୍କୁ ନିଜର ବିଜ୍ଞାନସମ୍ମତ ଗବେଷଣା ଓ ଅକାଟ୍ୟ ଯୁକ୍ତି ଯୁକ୍ତି ତଥ୍ୟ ସମ୍ୱଳିତ ମୌଳିକ ରଚନା ମାନଙ୍କଦ୍ଵାରା ଜଗବନ୍ଧୁ ସିଂହ ଭୁଲ୍ ବୋଲି ପ୍ରମାଣିତ କରି ଦେଇ ଉତ୍କଳର ଇତିହାସକୁ ରଚନା କରିଥିଲେ । ତାଙ୍କ ପୂର୍ବରୁ ଆଉ କେହି ଉତ୍କଳର ପୂର୍ଣ୍ଣାଙ୍ଗ ଇତିହାସ ତ୍ରୁଟିଶୂନ୍ୟ ଭାବେ ରଚନା କରିନଥିଲେ । ଆଚାର୍ଯ୍ୟ ପ୍ୟାରୀମୋହନଙ୍କ ଦ୍ୱାରା ଯଦିଓ ଓଡ଼ିଆ ଭାଷାରେ ଓଡ଼ିଶାର ଇତିହାସ ପ୍ରଥମେ ରଚିତ ହୋଇଥିଲା, କିନ୍ତୁ ତାହା ମୁଖ୍ୟତଃ ପାଠ୍ୟପୁସ୍ତକ ପାଇଁ ଉଦ୍ଧିଷ୍ଟ ଥିଲା । କିନ୍ତୁ ଜଗବନ୍ଧୁ ସିଂହଙ୍କର ‘ପ୍ରାଚୀନ ଉତ୍କଳ’ ହିଁ ଓଡ଼ିଆ ଭାଷାରେ ଜଣେ ଓଡ଼ିଆଙ୍କ ଦ୍ୱାରା ରଚିତ ସର୍ବ ପ୍ରଥମ ପ୍ରାମାଣିକ ଇତିହାସ ପୁସ୍ତକ ଥିଲା ।

 

‘ପ୍ରାଚୀନ ଉତ୍କଳ' ପୁସ୍ତକ ମାଧ୍ୟମରେ ବ୍ରିଟିଶ ପ୍ରଶାସନ ଓଡ଼ିଶାକୁ ସଠିକ୍ ଭାବେ ଚିହ୍ନିବା ପାଇଁ ସମର୍ଥ ହୋଇଥିଲା । ଫଳ ସ୍ଵରୂପ ଓଡ଼ିଆ ଭାଷା ସଂସ୍କୃତିର ପ୍ରାଚୀନତାକୁ ଇଂରେଜମାନେ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ ।

 

ଐତିହାସିକ ଜଗବନ୍ଧୁ ସିଂହ କେବଳ ଇତିହାସ ରଚନା ପାଇଁ ଇତିହାସ ଲେଖୁ ନ ଥିଲେ, ବରଂ ତାଙ୍କର ଇତିହାସ ରଚନାର ଶୈଳୀ ଓଡ଼ିଆ ଗଦ୍ୟ ସାହିତ୍ୟକୁ ଏକ ଅମୂଲ୍ୟ ଅବଦାନ ଥିଲା ।

 

୧୫ ଫେବୃୟାରୀ ୧୮୬୬ସାଲରେ ପୁରୀ ଜିଲ୍ଲାର ନିମାପଡ଼ା ନିକଟବର୍ତ୍ତୀ ଭୁବନ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଜଗବନ୍ଧୁ ବୃତ୍ତିରେ ଓକିଲ ହୋଇଥିଲେ ବି ସେ ଆଜନ୍ମ ଥିଲେ ସାରସ୍ୱତ ସାଧକ । ‘ପ୍ରାଚୀନ ଉତ୍କଳ’ ତାଙ୍କର ଶ୍ରେଷ୍ଠ ସାହିତ୍ୟିକ କୃତି ହୋଇଥିଲେ ହେଁ, ପ୍ରବନ୍ଧସାର, ଶ୍ରୀକୃଷ୍ଣ, ଭାରତ ଚରିତାମୃତ, କର୍ମଯୋଗ ବା ଗୀତା ରହସ୍ୟ, ଜ୍ୟୋତିଷାଣବ, ବୁକାରଚି, ୱାସିଂଟନ୍ ଇତ୍ୟାଦି ବହୁବିଧ ଗଦ୍ୟ ସାହିତ୍ୟର ପ୍ରଣେତା ଭାବେ ସେ ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ଅମୂଲ୍ୟ ଅବଦାନ ଦେଇ ଯାଇଛନ୍ତି ।

 

ସେ ତତ୍‌କାଳୀନ ସମାଜ ପାଇଁ ଅନେକ ଉପାଦେୟ ପୁସ୍ତକମାନ ମଧ୍ୟ ରଚନା କରିଥିଲେ-। ତନ୍ମଧ୍ୟରୁ ଗୃହଲକ୍ଷ୍ମୀ (ଚାରିଖଣ୍ଡ), ସଙ୍ଗୀତ ରସନିଧି, ପଞ୍ଚାୟତ, ପଞ୍ଚାୟତ ଦର୍ପଣ, କର୍ମଫଳ, ଧର୍ମବଳ, କପାଚାଷ ଇତ୍ୟାଦି ପୁସ୍ତକମାନ ଉଲ୍ଲେଖଯୋଗ୍ୟ । ତାଙ୍କର ସମସ୍ତ ରଚନାବଳୀ ଏ ଯାଏଁ ପ୍ରକାଶିତ ହୋଇ ପାରିନାହିଁ । ଅପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ ଛାତ୍ରସଖା, ହରିଶ୍ଚନ୍ଦ୍ର, ପ୍ରବୀର, ବିଲ୍ଵମଙ୍ଗଳ, ଇନ୍ଦୁମତୀ, ପ୍ରୟାସ ଯଜ୍ଞ, ନନ୍ଦିକେଶରୀ, କର୍ଣ୍ଣାର୍ଜୁନ, ପାଣ୍ଡବ ଗୌରବ ଉଲ୍ଲେଖଯୋଗ୍ୟ-

 

୧୬ମଇ ୧୯୪୮ ସାଲରେ ପରିଣତ ବୟସରେ ଇହଧାମ ତ୍ୟାଗ କରିଥିବା ଏହି ମହାନ୍ ସାରସ୍ୱତ ସାଧକ ଓ ଐତିହାସିକ ଓଡ଼ିଆ ଜାତିର ଚିର ନମସ୍ୟ ।

 

ତାଙ୍କ ସ୍ମୃତିକୁ ନୂଆ ପିଢ଼ିଙ୍କ ସାମନାରେ ପରିବେଷଣ କରିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ଏହା ଏକ କ୍ଷୁଦ୍ର ପ୍ରୟାସ । ଆଶା କରୁଁ, ଅଗଣିତ ପାଠକପାଠିକା ଓ ଗବେଷକମାନଙ୍କ ନିକଟରେ ଜଗବନ୍ଧୁ ସିଂହଙ୍କ କୃତି ଓ ସ୍ମୃତି ପୁନରୁଜ୍ଜୀବିତ ହେବାରେ ଏକାଡେମୀର ଏହି ଉଦ୍ୟମ ସଫଳ ହେବ ।

 

ଆଇନ୍‌ଜୀବୀ ଜଗବନ୍ଧୁ ସିଂହ

ହରିହର ବାହିନୀପତି

 

ମହାତ୍ମା ଗାନ୍ଧି, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭାଇ ପଟେଲ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରମୁଖଙ୍କ ଭଳି ଶ୍ରୀ ଜଗବନ୍ଧୁ ସିଂହ ଅନ୍ୟତମ ବ୍ୟକ୍ତିତ୍ଵ ଯେଉଁମାନେ କି ଦେଶ ଓ ଦଶର ସେବାପାଇଁ ଜୀବନକୁ ତିଳ ତିଳ କରି ଉତ୍ସର୍ଗ କରିଥିଲେ ହେଁ, ଜୀବନର ପ୍ରଥମ ଭୂମିକାରେ ଆଇନଜୀବୀର ଭୂମିକା ଗ୍ରହଣ କରିଥିଲେ । ଅବଶ୍ୟ ସେମାନଙ୍କର ନିଷ୍ଠା, ସାଧନା, ଚରିତ୍ରବତ୍ତା ଓ ପରାକାଷ୍ଠା ମଧ୍ୟ ଏହି ଆଇନ୍‌ଜୀବୀ ବୃତ୍ତିରେ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରକାଶ ପାଇଥିଲା । ଦକ୍ଷିଣ ଆଫ୍ରିକାରେ ଓକିଲାତି କରୁଥିବା ବେଳେ, କରମଚାଁନ୍ଦ ଗାନ୍ଧିଙ୍କର ନୈତିକତା, ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ଭାରତୀୟ ଜାତୀୟ ସେନାର ଯୁଦ୍ଧ ବନ୍ଦୀମାନଙ୍କର ବିଚାରରେ ନେହୁରୁଜୀଙ୍କ ସଫଳତା, ଏକ ହତ୍ୟା ମକଦ୍ଦମାରେ ଜବାବ ସୁଆଲ କରୁଥିବାବେଳେ ପତ୍ନୀଙ୍କର ବିୟୋଗବାର୍ତ୍ତା ପାଇବା ସତ୍ତ୍ୱେ, ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲ, ଓକିଲ ହିସାବରେ ଅବିଚଳିତ ଭାବରେ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିବା, ସତ୍ୟନ୍ୟାୟ ଉପରେ ପ୍ରତିଷ୍ଠିତ ଥିବା ମକଦ୍ଦମାକୁ କେବଳ ଗ୍ରହଣ କରିବା ସଙ୍ଗେ ସଙ୍ଗେ ମକଦ୍ଦମାଗୁଡ଼ିକୁ ରଫା ନିଷ୍ପତ୍ତିରେ ପହଞ୍ଚାଇବାକୁ ଗୋପବନ୍ଧୁଙ୍କର ଅଦମ୍ୟ ଉଦ୍ୟମ ସାଙ୍ଗକୁ, ମଧୁସୂଦନଙ୍କର ଶ୍ରୀ ଶ୍ରୀ ଜଗନ୍ନାଥ ଓ ତାଙ୍କ ମନ୍ଦିରର ଐତିହ, ପରମ୍ପରା ଓ ସ୍ୱାଭିମାନ ଅତୁଟ ରଖିବାକୁ ଜଣେ ଆଇନ୍-ଜୀବୀ ହିସାବରେ ଯେଉଁ ସାଫଲ୍ୟ ଅର୍ଜନ କରିଥିଲେ, ସେସବୁ ସେମାନଙ୍କର ଓକିଲାତି-ବୃତ୍ତିର ସାମାନ୍ୟ ସୂଚନା ହୋଇପାରେ । କିନ୍ତୁ ଏହି ସମସ୍ତ ପ୍ରଥିତ ଯଶା ବ୍ୟକ୍ତିମାନଙ୍କର ଦେଶ-ସେବା ଓ ସାହିତ୍ୟ ସାଧନାଦି ଯେଭଳି ଅନ୍ୟାନ୍ୟ କୃତିତ୍ଵ, ଜଗବନ୍ଧୁ ସେହିଭଳି ତାଙ୍କୁ ଆଇନଜୀବୀ ବୃତ୍ତିର ଗୁରୁଦେବ, ପ୍ରଥମ ପ୍ରଖ୍ୟାତ ଓଡ଼ିଆ ଆଇନଜୀବୀ ମଧୁସୂଦନଙ୍କ ଭଳି ମହାନ୍ ଦେଶସେବୀ, ସାହିତ୍ୟ ସାଧକ ଥିଲେ ।

 

ଜଗବନ୍ଧୁଙ୍କର ଜନ୍ମ ୧୮୭୬ ମସିହା ଫେବୃୟାରୀ ତା ୧୫ରିଖରେ ପୁରୀ ଜିଲ୍ଲାର ନିମାପଡ଼ା ନିକଟବର୍ତ୍ତୀ ଭୁବନପୁର ଗ୍ରାମରେ ଖଣ୍ଡାୟତ ବଂଶରେ । ପିତାଙ୍କର ନାମ ଗୌରଚନ୍ଦ୍ର ବିଧାର ଓ ମାତା ଚନ୍ଦ୍ରମଣି ଯେ କି ଗୌରଚନ୍ଦ୍ରଙ୍କର ଉପପତ୍ନୀ ଥିଲେ । ଗୌରହରି ଗ୍ରାମନିକଟସ୍ଥ ବେନୁପଡ଼ା ଆର୍ତ୍ତତ୍ରାଣ ଗାଦିର ଶିଷ୍ୟତ୍ଵ ଗ୍ରହଣ କରି ମଠାଧୀଶଙ୍କ ପ୍ରଦତ୍ତ ନଡ଼ିଆଟି ଚନ୍ଦ୍ରମଣିଙ୍କୁ ଖାଇବାକୁ ଦେବାରେ ଚନ୍ଦ୍ରମଣି ଗର୍ଭବତୀ ହେଲେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଅନୁକମ୍ପାରୁ ଏହା ସମ୍ଭବ ହେଲାବୋଲି, ଗୌରଚନ୍ଦ୍ର ପୁତ୍ରଙ୍କର ନାମ ‘ଜଗବନ୍ଧୁ’ ରଖିଲେ ବୋଲି କୁହାଯାଏ ।

 

ଜଗବନ୍ଧୁ ପ୍ରଥମେ ତତ୍‍କାଳୀନ ମାଟିବଂଶ ଅବଧାନଙ୍କ ପାଖରେ ଚାଟଶାଳୀ ଶିକ୍ଷା ପରେ, ନିମାପଡ଼ାରେ ଉଚ୍ଚ ପ୍ରାଥମିକ ଶିକ୍ଷା ଶେଷ କରି, ଗୋପରେ ଥିବା ମଧ୍ୟଇଂରାଜୀ ବିଦ୍ୟାଳୟରେ କୃତିତ୍ୱର ସହ ଶିକ୍ଷା ସମାପ୍ତ କରିଥିଲେ । ୧୮୯୧ ମସିହାରେ । ପିତାଙ୍କର ରକ୍ଷଣଶୀଳ ମନୋଭାବ ଯୋଗୁଁ ଜଗବନ୍ଧୁଙ୍କର ଶିକ୍ଷା ହୁଏତ, ସେତିକିରେ ଶେଷ ହୋଇଥାଆନ୍ତା । କିନ୍ତୁ ଉଚ୍ଚ ଶିକ୍ଷା ଲାଭ କରିବାର ପ୍ରବଳ ପିପାସା ଏବଂ ଭକ୍ତକବି ମଧୁସୂଦନ ରାଓଙ୍କ ପରାମର୍ଶ ତାଙ୍କୁ ଟାଣି ଆଣିଲା ପୁରୀକୁ ପ୍ରବେଶିକା ଶ୍ରେଣୀରେ ଯୋଗଦେବାକୁ । ପିତାଙ୍କର ଆର୍ଥିକ ସାହାଯ୍ୟର ଅସହଯୋଗ ସତ୍ତ୍ୱେ, ଛୋଟପିଲାଙ୍କୁ ପାଠ ପଢ଼ାଇ, ୧୮୯୬ ମସିହାରେ ପ୍ରଥମ ଶ୍ରେଣୀରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ପରେ ପରେ ଜଗବନ୍ଧୁ ନାମ ଲେଖାଇଲେ କଟକ ରେଭେନ୍ସା ମହାବିଦ୍ୟାଳୟର ତଦାନୀନ୍ତନ ଏଫ୍ ଏ ଶ୍ରେଣୀରେ । ଏହି ସମୟରେ ଦିନେ ପିତା, ତାଙ୍କର ଉଚ୍ଚଶିକ୍ଷା ପ୍ରତି ଆକର୍ଷଣରେ ମୁଗ୍ଧ ହୋଇ ଆର୍ଥିକ ସହାୟତା ପ୍ରଦାନ କଲେ । କିନ୍ତୁ ଏହା ଥିଲା କ୍ଷଣସ୍ଥାୟୀ । ଜଗବନ୍ଧୁ ବି.ଏ. ପଢ଼ୁଥିଲାବେଳେ ତାଙ୍କ ପିତାଙ୍କର ଦେହାନ୍ତ ହେଲା ଏବଂ ପରିବାରର ଏକମାତ୍ର ଉତ୍ତରାଧିକାରୀ ଭାବରେ, ପରିଚାଳନାର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହେଲା । କିନ୍ତୁ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ, ସେ କୌଣସି ଚାକିରୀ ନକରି, ସ୍ଵାଧୀନ ବୃତ୍ତି କରିବାକୁ ଆଇନଶିକ୍ଷା କରିବାକୁ ମନସ୍ଥ କଲେ । ଯୋଗକୁ ସେତେବେଳେ ରେଭେନ୍ସା ମହାବିଦ୍ୟାଳୟରେ ଓକିଲାତି ଶିକ୍ଷା ଦିଆଯାଉଥିଲା, ଯଦିବା ପରୀକ୍ଷାର୍ଥୀମାନେ କଲିକତା ଯାଉଥିଲେ ଏହି ପରୀକ୍ଷା ଦେବାକୁ । ଜଗବନ୍ଧୁ କଲିକତା ଯାଇ ୧୯୦୧ ମସିହାରେ ଓକିଲାତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ସେତେବେଳକୁ ଉତ୍କଳ ଗୌରବ ମଧୁସୂଦନ, ସ୍ୱନାମଧନ୍ୟ ମଧୁ ବାରିଷ୍ଟର ଭାବରେ କଲିକତାରୁ ଆସି କଟକରେ ଓକିଲାତି ଆରମ୍ଭ କରି ଦେଇଥାଆନ୍ତି । ଜଗବନ୍ଧୁ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ମଧୁସୂଦନଙ୍କର ଓକିଲାତିରେ ଦକ୍ଷତା ସାଙ୍ଗକୁ ଦେଶାତ୍ମବୋଧ, ବିଶେଷକରି ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ର କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାର ସଂକଳ୍ପ ଜନିତ ଦିଗଦର୍ଶନ ତାଙ୍କୁ ଉଦ୍‍ବୁଦ୍ଧ କଲା । ଥରେ ଦିନବେଳା ଶୋଇଥିବା ଜଗବନ୍ଧୁଙ୍କୁ ଦେଖି, ମଧୁସୂଦନ ପରାମର୍ଶ ଦେଲେ । ଦିନରେ ଶୋଇ ତୁମେ ଜଣେ ଓକିଲ ହୋଇ ଯାଇ ପାର, କିନ୍ତୁ ଜୀବନର ଯେଉଁ ପ୍ରତିଷ୍ଠା ବା ସାର୍ଥକତା ଆବଶ୍ୟକ, ତାହା ଏହି ଦିନରେ ଶୋଇବା ଯୋଗୁ ସମ୍ଭବ ହେବ ନାହିଁ । ମଧୁସୂଦନଙ୍କର ଏହି ବାଣୀ ତାଙ୍କ ପାଇଁ ଅଲଙ୍ଘ୍ୟର ହୋଇ ଉଠିଥିଲା ସାରା ଜୀବନ ତମାମ ।

 

୧୯୦୨ ରେ କଟକରେ ଜଗବନ୍ଧୁ ଓକିଲାତି କରୁଥିବା ବେଳେ ତାଙ୍କ ବଡ଼ମାଆଙ୍କର ବିୟୋଗ ହେଲା । ଓକିଲାତି ସହ ନିଜର ଜମିବାଡ଼ି ରକ୍ଷଣାବେକ୍ଷଣ କରିବାକୁ ସୁବିଧା ହେବ ଭାବି ଜଗବନ୍ଧୁ, ପୁରୀରେ ଓକିଲାତି କରିବାକୁ ସ୍ଥିର କଲେ । ୧୯୦୩ରେ ସେ ପୁରୀରେ ଓକିଲାତି ଆରମ୍ଭ କଲେ । ୧୯୦୪ରେ ତାଙ୍କ ଗ୍ରାମ ନିକଟବର୍ତ୍ତୀ ଗଡଅଣ୍ଡିଆ ନିବାସୀ ଚିନ୍ତାମଣି ତୁଙ୍ଗଙ୍କ ବଡ଼ଝିଅ ଚଞ୍ଚଳାବାଳାଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ପୁରୀରେ ତାଙ୍କ ଓକିଲାତି ବୃତ୍ତି ଏପରି ସଫଳ ହେଲା ଯେ, ହେରା ଗୋହିରୀ ସାହିରେ ଥିବା ବ୍ରାହ୍ମ ସମିତି ନିକଟରେ ଥିବା ତାଙ୍କ ଭଡ଼ାଗୃହକୁ ଛାଡ଼ି ୧୯୦୬ ମସିହା ବେଳକୁ କୁଣ୍ଡାଇବେଣ୍ଟ ସାହିରେ ତାଙ୍କ ଦ୍ଵାରା ନିର୍ମିତ ଗୋଟିଏ ଦ୍ୱିତଳ ଅଟ୍ଟାଳିକାରେ ସେ ରହିବାକୁ ଆରମ୍ଭ କଲେ ।

 

ଓକିଲାତି ଜୀବନରେ ଗୋପବନ୍ଧୁଙ୍କ ସହିତ ଜଗବନ୍ଧୁଙ୍କର ଥିଲା ନିବିଡ଼ତମ ସମ୍ପର୍କ । ଯଦିବା ବୟସରେ ଜଗବନ୍ଧୁ ଥିଲେ ଗୋପବନ୍ଧୁଙ୍କ ଠାରୁ ପ୍ରାୟ ଏକବର୍ଷ ବଡ଼ । ଦୁହେଁ ରହୁଥିଲେ ମଧ୍ୟ ପାଖାପାଖି । ଏହି ସମୟରେ ଗୋପବନ୍ଧୁଙ୍କର ପତ୍ନୀ ବିୟୋଗ ହେଲା । ଗୋପବନ୍ଧୁ ତାଙ୍କର କନ୍ୟା ଦୁଇଟିକୁ କଚେରୀକୁ ଯିବାବେଳେ, ଜଗବନ୍ଧୁଙ୍କ ଘରେ ତାଙ୍କ ପତ୍ନୀଙ୍କ ଜିମା ଛାଡ଼ି ଦେଇ ଯାଆନ୍ତି ଏବଂ କଚେରୀରୁ ଫେରିଲାବେଳେ ଝିଅ ଦୁଇଟିଙ୍କୁ ନେଇ ଘରକୁ ଆସନ୍ତି । ଏହିଭଳି ଘନିଷ୍ଟ ବନ୍ଧୁତା ଥିଲା । ଜଗବନ୍ଧୁ ଆଉ ଗୋପବନ୍ଧୁଙ୍କ ଭିତରେ । ଏହି ଓକିଲାତି ସମୟରେ ୧୯୧୮-୧୯ ରେ ଓଡ଼ିଶାରେ ଦେଖା ଦେଇଥିଲା ଭୟଙ୍କର ଦୁର୍ଭିକ୍ଷ । ଏହି ଦୁର୍ଭିକ୍ଷର କାରଣ ଓ ପ୍ରତିକାର ପାଇଁ ଗୋଟିଏ ଅନୁସନ୍ଧାନ କମିଟୀ ଗଠିତ ହୋଇଥିଲା । ଯେଉଁଥିରେ କି ଜଗବନ୍ଧୁ ସିଂହ ସଭାପତି ଏବଂ ଗୋପବନ୍ଧୁ ଦାସ, ଲକ୍ଷ୍ମୀନାରାୟଣ ସାହୁ ଓ ଶଶୀଭୂଷଣ ରଥ ସଭ୍ୟଥଲେ । ଧାନ ବେପାରୀମାନେ ଅତ୍ୟଧିକ ଲାଭ ଆଶାରେ ଲୋଭ ବଶବର୍ତ୍ତୀ ହୋଇ ଏହି ଦୁର୍ଭିକ୍ଷ ସୃଷ୍ଟି କରିଛନ୍ତି । ତେଣୁ ସରକାର ସେମାନଙ୍କ ପାଖରେ ମହଯୁଦ ଥିବା ଧାନକୁ ଜବତ କରି ତେର ସେର ଦରରେ ବିକ୍ରି କରିବାକୁ କମିଟୀ ସୁପାରିଶ କରିଥିଲେ । ଏସବୁ କାମ ଜଗବନ୍ଧୁଙ୍କ ଓକିଲାତି ସମୟରେ ହିଁ ହୋଇଥିଲା, ସେ ବୃତ୍ତିରେ ଜଣେ ଆଇନଜୀବୀ ଥିଲେ ହେଁ, ପ୍ରବୃତ୍ତିରେ ଜଣେ ଯଥାର୍ଥରେ ଜନ-ସେବୀ ଓ ସାରସ୍ୱତ ସାଧକ ଥିଲେ ।

 

୧୯୨୦ ଖ୍ରୀଷ୍ଟାବ୍ଦରେ ତାଙ୍କର ଓକିଲାତି ବୃତ୍ତିର ଚରମ ସାର୍ଥକତା ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ଆଦର୍ଶରେ ଉଦ୍‍ବୁଦ୍ଧ ହୋଇ, ନିଜକୁ କଂଗ୍ରେସର ସଭ୍ୟଭୁକ୍ତ କରାଇଥିଲେ ଏବଂ ମହାତ୍ମାଗାନ୍ଧିଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଦୀର୍ଘ ତିନିବର୍ଷ ଧରି ଓକିଲାତି ଛାଡ଼ି ଦେଇଥିଲେ । ଏହି ସମୟରେ ସ୍ୱାଭାବିକ ଭାବରେ ତାଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇ ପଡ଼ିବାରୁ ସେ ଓକିଲ ଭାବରେ, କଚେରୀକୁ ଆସିବାକୁ ଯେଉଁ ଘୋଡ଼ା ଓ ଗାଡ଼ି ରଖିଥିଲେ, ସେ ସବୁକୁ ତଦାନୀନ୍ତନ ଶ୍ରୀ ଜଗନ୍ନାଥ ମନ୍ଦିରର ସଞ୍ଚାଳକ ସଖୀଚାଁନ୍ଦଙ୍କ ଜିମା ଦେଇଥିଲେ ଓ ଏହି ସମୟରେ ପ୍ରାୟ ଦୁଇବର୍ଷ ପାଇଁ ସେ ଜଗନ୍ନାଥ ମହାପ୍ରଭୁଙ୍କ ଜମିଦାରୀ ଏକରାଜାତ୍ ମାହାଲର ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ । ବେଳେବେଳେ ଏହାର ପରିଦର୍ଶନ କାର୍ଯ୍ୟରେ ସେ ଗଜପତି ମହାରାଜାଙ୍କର ହାତୀ ମଧ୍ୟ ବ୍ୟବହାର କରୁଥିଲେ ।

 

ତଦାନୀନ୍ତନ ପୁରୀ ଜିଲ୍ଲା କଂଗ୍ରେସ କମିଟୀର ଜଗବନ୍ଧୁ ଥିଲେ ସଭାପତି । ନାଗପୁର କଂଗ୍ରେସ ଅଧିବେଶନରେ ଯୋଗଦେଇ ଫେରିବା ପରେ ଓକିଲାତି ଛାଡ଼ିଦେଇ ଥିଲେ ହେଁ ଯେତେବେଳେ ୧୯୨୪ ନିଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି ହେଲା ଯେ, କଂଗ୍ରେସ ସଭ୍ୟମାନେ ଓକିଲାତି କରି ପାରିବେ, କଂଗ୍ରେସର ଜଣେ ଶୃଙ୍ଖଳିତ ସଭ୍ୟ ଭାବରେ ସେ ପୁର୍ନବାର ଓକିଲାତି ଆରମ୍ଭ କରିଥିଲେ । ଜଗବନ୍ଧୁ ପୂରାପୂରି ଜଣେ ଦେୱାନୀ ମକଦ୍ଦମାର ଓକିଲ ଥିଲେ । ଫୌଜଦାରୀ ମକଦ୍ଦମାରେ ନାନାଦି ମିଥ୍ୟ ବା ପ୍ରବଞ୍ଚନାର ଆଶ୍ରୟ ନେବାକୁ ପଡ଼ୁଥିବାରୁ, ସେ ଏହାକୁ ସ୍ପର୍ଶ କରୁନଥିଲେ । ସେ ସମୟରେ କେବଳ ପୁରୀ କାହିଁକି, ଓଡ଼ିଶାରେ ପ୍ରାଧାନ୍ୟଥିବା ବଙ୍ଗାଳି ଓକିଲଙ୍କର ପ୍ରଭାବ ପ୍ରତିହତ କରିବାକୁ କଟକରେ ଯେପରି ମଧୁସୂଦନ ନେତୃତ୍ୱ ନେଇଥିଲେ ସେହିପରି ପୁରୀରେ ନେତୃତ୍ୱ ନେଇଥିଲେ ଜଗବନ୍ଧୁ ସିଂହ । ଓକିଲ ଭାବରେ ଜଗବନ୍ଧୁଙ୍କର ନୈତିକତା, ହୃଦୟବତ୍ତା ଓ ଆଦର୍ଶ ଅନନ୍ୟ ସାଧାରଣ କହିଲେ ଆଦୌ ଅତ୍ୟୁକ୍ତି ହେବ ନାହିଁ । ସମ୍ପୃକ୍ତ ଦରିଦ୍ର ପକ୍ଷମାନଙ୍କର, ଯେଉଁମାନଙ୍କର କି, ଓକିଲଙ୍କୁ ତାର ପାରିଶ୍ରମିକ ବାବଦରେ ଦେୟ ଦେବାକୁ ସମ୍ବଳ ନାହିଁ, ସେମାନଙ୍କର ମକଦ୍ଦମା ସେ ବିନା ପାରିଶ୍ରମିକରେ ଲଢ଼ୁଥିଲେ । ସ୍ଥଳ ବିଶେଷରେ କୌଣସି କୌଣସି ଦୁଃସ୍ଥ ବ୍ୟକ୍ତିଙ୍କ ପାଇଁ ସେ ନିଜ ହାତରୁ ବ୍ୟୟ ବହନ କରୁଥିଲେ । ପ୍ରତ୍ୟେକ ମକଦ୍ଦମା ଯେଉଁଥିରେ କି ସେ ନିଯୁକ୍ତ ହେଉଥିଲେ, ତାହାର ଆପୋଷ ମିଳାମିଶା ବା ନ୍ୟାୟପୂର୍ଣ୍ଣ ସମାଧାନ କରିବାକୁ ସେ ଉଦ୍ୟମ କରୁଥିଲେ । ସମୟେ ସମୟେ କୌଣସି ମକଦ୍ଦମାରେ ବିଫଳ ହେଲେ, ସଂପୃକ୍ତ ପକ୍ଷଠାରୁ ନେଇଥିବା ପାରିଶ୍ରମିକ ମଧ୍ୟ ଫେରାଇ ଦେଉଥିଲେ । ତାଙ୍କର କେତେକ କନିଷ୍ଠ ସହଯୋଗୀ ଓକିଲ ରହିବା ସ୍ଵାଭାବିକ । କିନ୍ତୁ ଜଗବନ୍ଧୁ ସେମାନଙ୍କର ପ୍ରାପ୍ୟ ଉପରେ ଅଧିକତର ନିଘା ରଖୁଥଲେ, ଯାହା କି, ଏ କାଳରେ ସ୍ଵପ୍ନ ବୋଲି କୁହାଯାଇପାରେ ।

 

ଓକିଲାତି ଜୀବନ ଭିତରେ ହିଁ ଦେଶ ମିଶ୍ରଣ- ସ୍ଵାଧୀନତା ସଂଗ୍ରାମ ସହ ତାଙ୍କର ଅତୁଳନୀୟ ସାହିତ୍ୟ-ସାଧନା, ବିଶେଷତଃ ନୈତିକ ମୂଲ୍ୟବୋଧ ଭିତ୍ତିକ ଆଧ୍ୟାତ୍ମିକ ପ୍ରସାର ଓ ପ୍ରଚାର ପାଇଁ ଦୃଷ୍ଟିଭଙ୍ଗୀ, ଅବିସ୍ମରଣୀୟ । ତାଙ୍କ ରଚିତ ‘ପ୍ରାଚୀନ ଉତ୍କଳ’ ଭାରତ ଚରିତାମୃତ, ବାଳଗଙ୍ଗାଧର ତିଳକଙ୍କର ଗୀତାର ଅନୁବାଦ, ଆଧ୍ୟାତ୍ମ ରାମାୟଣ ଇତ୍ୟାଦି ଅନବଦ୍ୟ ସଙ୍କଳନଗୁଡ଼ିକ ଉପରେ ଆଲୋଚନା କରିବାର ପ୍ରାସଙ୍ଗିକତା ନାହିଁ । କିନ୍ତୁ ଜଣେ ଆଇନଜୀବୀ ଭାବରେ ସମାଜରେ ନ୍ୟାୟ ସ୍ଥାପନା, ସଂହତି ଓ ସମୁନ୍ନତି ପାଇଁ ‘ସାକ୍ଷୀ’ ପ୍ରବନ୍ଧରେ ସେ ଯାହା ଉଲ୍ଲେଖ କରିଛନ୍ତି, ତାହାର ଉଦ୍ଧୃତି, ତାଙ୍କ ଆଇନଜୀବୀ ଦୃଷ୍ଟିଭଙ୍ଗୀର ସୃଷ୍ଟ ସୂଚନା ଦିଏ । ସତ୍ୟବାଦୀ ସାକ୍ଷୀ ସଂଖ୍ୟା କ୍ରମେ ଉଣା ହୋଇ ଆସୁଛି । ଏହି ଉଣା ହେତୁ ନ୍ୟାୟ ବିଚାର ପକ୍ଷେ ବାଧା ଘଟୁଅଛି । ନ୍ୟାୟ ବିଚାରର ଉଣାହେତୁ ସମାଜରେ ପାପ ବୃଦ୍ଧି ହେଉଅଛି । ପାପ ବୃଦ୍ଧି ହେଲେ, ସମାଜର ମଙ୍ଗଳ ନହୋଇ ଅମଙ୍ଗଳ ସଙ୍ଘଟିତ ହେଉଅଛି । ଯେଉଁ ସମାଜରେ ଧର୍ମର ଯେତେ ହାନି ହୁଏ, ସେ ସମାଜ ସେତେ ଅବନତ ହୁଏ । କେବଳ ପାଶବିକ ବା ଆସୁରିକ ଚରିତ୍ର ଦ୍ୱାରା ସମାଜର ଉନ୍ନତି ହୁଏ ନାହିଁ । ଧର୍ମବଳ ବୃଦ୍ଧି ହେଲେ ସମାଜ ଉତ୍ତରୋତ୍ତର ଉନ୍ନତି ଲାଭ କରେ । ସୁତରାଂ ଯେଉଁମାନେ ସାକ୍ଷୀଦେବାକୁ ଯାନ୍ତି, ସେମାନେ ଭାବିବା ଉଚିତ ଯେ ସେ ଅର୍ଥ ଲୋଭରୁ ହେଉ ବା କୌଣସି ଈର୍ଷା ପରବଶ ହୋଇ ମିଥ୍ୟ ସାକ୍ଷ୍ୟ ଦେବା ଦ୍ୱାରା ଯେ କେବଳ ବିପକ୍ଷ ପକ୍ଷର ଅନିଷ୍ଟ ସାଧନ କରନ୍ତି ତାହା ନୁହେଁ ସେମାନେ ଆପଣା ସମାଜ ବା ଜାତିର ତଦ୍ୱାରା ଘୋର ଅନିଷ୍ଟ କରନ୍ତି । ମୁକୁର ୧୦/୭ ପୃଷ୍ଠା ୧୯୭ । ତେଣୁ ନ୍ୟାୟପାଳିକା ସଂସ୍ଥା, ଯାହାକି ଆମ ରାଷ୍ଟ୍ରୀୟ ସାମ୍ୱିଧାନିକ ସ୍ଥିତିର ଅନ୍ୟତମ ବିଶିଷ୍ଟ ଅଙ୍ଗ, ସେଥିପ୍ରତି ଜଣେ ସାକ୍ଷୀଙ୍କର ଦୃଷ୍ଟିଭଙ୍ଗୀ କଣ ହେବା ଆବଶ୍ୟକ, ତାହାର ସୂଚନା ଦେଇଛନ୍ତି ସେ ଏଥିରେ ।

 

ମୁକ୍ତାର ରାମଚନ୍ଦ୍ର ଦାସ, ଯେ କି ପୁରୀରେ ବ୍ରାହ୍ମଣ ସମିତି ପ୍ରତିଷ୍ଠା କରିଥିଲେ, ତାଙ୍କର ପ୍ରଭାବ ମଧ୍ୟ ଗୋପବନ୍ଧୁ କି ଜଗବନ୍ଧୁଙ୍କ ଉପରେ କମ ନଥିଲା । ଏହି ଓକିଲାତି ଅବସରରେ ୧୯୨୦ରେ ବିଛିନ୍ନାଞ୍ଚଳ ସିଂହଭୂମିର ଚକ୍ରଧରପୁରଠାରେ ହୋଇଥିବା ଉତ୍କଳ ସମ୍ମିଳନୀର ଗୁରୁତ୍ଵପୂର୍ଣ୍ଣ ଅଧିବେଶନରେ ସେ ସଭାପତିତ୍ୱ କରିଥିଲେ । ୧୯୨୪ରେ ବିହାର ଓଡ଼ିଶା ବ୍ୟବସ୍ଥା ସଭାକୁ ଓ ୧୯୩୬ରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ୧୯୩୭ରେ ଓଡ଼ିଶା ବିଧାନସଭାକୁ ସେ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ, ଏହି ଓକିଲାତି ସମୟରେ ମଧ୍ୟ ଜଣେ ସାର୍ଥକ ବ୍ୟବସ୍ଥାପକ ଭାବରେ ନିଜକୁ ପ୍ରତିଷ୍ଠା କରି ପାରିଥିଲେ ।

 

ଅବଶ୍ୟ ଗୋପବନ୍ଧୁ ଓ ଜଗବନ୍ଧୁଙ୍କ ମଧ୍ୟରେ ଏକଦା କିଛିଟା ମତାନ୍ତର ନିର୍ବାଚନରେ ପ୍ରାର୍ଥୀତ୍ୱକୁ ନେଇ ଘଟିଥିଲା ବୋଲି କେହି କେହି କହନ୍ତି । କିନ୍ତୁ ଏହା ଏହି ଦୁଇ ଆଦର୍ଶ ବ୍ୟକ୍ତିତ୍ୱ ମଧ୍ୟରେ କୌଣସି ମନାନ୍ତରର କାରଣ ହୋଇ ନଥିଲା । କାରଣ ଗୋପବନ୍ଧୁ ତାଙ୍କ ମୃତ୍ୟୁ ଶଯ୍ୟାରେ, ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଯେଉଁ ଉଇଲନାମା ସମ୍ପାଦନ କରିଥିଲେ, ତହିଁର ଅଷ୍ଟମ ପରିଚ୍ଛେଦରେ ଯେଉଁ ପାଞ୍ଚଜଣଙ୍କୁ ଉଇଲର କାର୍ଯ୍ୟକାରୀ ବ୍ୟକ୍ତିତ୍ୱ ଭାବରେ ନାମିତ କରାଇଥିଲେ, ସେମାନଙ୍କ ଭିତରେ ଅଗ୍ରଗଣ୍ୟ ଥିଲେ, ବାବୁ ଜଗବନ୍ଧୁ ସିଂହ, ଅନ୍ୟ ଚାରିଜଣ ଥିଲେ ଆଇଜୀବୀ ବନମାଳୀ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ ଓ ପଣ୍ଡିତ ଲିଙ୍ଗରାଜ ମିଶ୍ର । ସେ ସମୟରେ ପାଖରେ ଉପସ୍ଥିତ ଥିବା ଜଗବନ୍ଧୁ ସିଂହଙ୍କ ପ୍ରତି ଗୋପବନ୍ଧୁଙ୍କ ବକ୍ତବ୍ୟ ଅତୀବ ହୃଦୟସ୍ପର୍ଶୀ ଓ ମହାନୁଭବତାର ପରିଚାୟକ । ଗୋପବନ୍ଧୁ କହିଲେ ନାନା ଘଟଣାରେ କିଏ କାହାକୁ ଭୁଲ ବୁଝିଥାଇ ପାରେ ମୋ ମନରେ ଆପଣଙ୍କ ବିରୁଦ୍ଧରେ କିଛି ନଥିଲା । ମୋର ଶେଷ କଥା Forgive and forget (କ୍ଷମାକର, ଭୁଲିଯାଅ) ।

 

ସ୍ଵାଧୀନତା ପରେ, ଏପରିକି ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବା ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ୍ ୧୯୫୧ ମସିହାରେ ଶ୍ରୀ ଜଗନ୍ନାଥ ମନ୍ଦିରର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟବୋଧ ଭୂମିକାରେ ଯେଉଁସବୁ ଆଇନ୍‍ମାନ ଓଡ଼ିଶା ବିଧାନ ସଭାରେ ପ୍ରଣୀତ ହେଲା, ଜଣେ ଆଇନଜୀବୀ ତଥା ଜଗନ୍ନାଥ ପ୍ରେମୀ ଭାବରେ ୧୯୩୭ ମସିହାରେ ମାନଧାତା ଗୋରାଚାନ୍ଦ ପଟ୍ଟନାୟକଙ୍କ ଦ୍ୱାରା ଆଗତ ଚିଠା ଆଇନ୍‌କୁ ଜଗବନ୍ଧୁ ବିରୋଧୀ ଦଳର ଜଣେ ଦକ୍ଷ ବ୍ୟବସ୍ଥାପକ ଭାବରେ ଦୃଢ଼ ସମର୍ଥନ କରିଥିଲେ । ୧୯୩୮ରେ ମଧ୍ୟ ଦିବଙ୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଦ୍ୱାରା ଆଗତ ଶ୍ରୀମନ୍ଦିରର ସୁପରିଚାଳନା ଉଦ୍ଦେଶ୍ୟରେ ଆସିଥିବା ଚିଠା ଆଇନ୍‌କୁ ସ୍ୱାଗତ କରିଥିଲେ । ଅବଶ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ୧୯୩୯ ନଭେମ୍ବରରେ ବିଶ୍ଵନାଥ ଦାଶଙ୍କ ପ୍ରଧାନମନ୍ତ୍ରୀତ୍ୱରେ ହୋଇଥିବା କଂଗ୍ରେସ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେବାପରେ ଏହି ଚିଠା ଆଇନ୍‌ଗୁଡ଼ିକ କାର୍ଯ୍ୟକାରୀ ହୋଇ ପାରି ନଥିଲା ।

 

ଜଗବନ୍ଧୁ ପ୍ରକୃତରେ ଥିଲେ କର୍ମଯୋଗୀ । ଅନେକ ପ୍ରତିଭାର ସେ ଅଧିକାରୀ । ଓକିଲ ହିସାବରେ କେବଳ ପ୍ରାସଙ୍ଗିକ ବକ୍ତବ୍ୟର ସୂଚନା ଦେବା ସଙ୍ଗେ ସଙ୍ଗେ ପୁରୀର ପ୍ରଥମ ଓଡ଼ିଆ ଓକିଲ । ଭାବରେ ପ୍ରତିଷ୍ଠା ଅର୍ଜନ କରିଥିବା ଜଗବନ୍ଧୁ ସର୍ବଗୁଣସମ୍ପର୍ଣ୍ଣ ଥିଲେ । ନାଟ, ସଙ୍ଗୀତ, ଯାତ୍ରା ଅଭିନେତା ସାଙ୍ଗକୁ ତାଙ୍କର ସାହିତ୍ୟ-ସାଧନା ଓ ଜଣେ ନିର୍ଭିକ ସୁଦକ୍ଷ ବିଧାୟକ ଭାବରେ ତତ୍‌କାଳୀନ ବ୍ରିଟିଶ ଶାସନକୁ ଅସୁବିଧାରେ ପକାଇବାରେ ତାଙ୍କର ପାରଙ୍ଗମତା, ଅନସ୍ୱୀକାର୍ଯ୍ୟ । ଶ୍ରୀ ଜଗନ୍ନାଥଙ୍କର ସେ ଯେ ଜଣେ ଭକ୍ତ ଶିରୋମଣି ଏହା ନିଃସନ୍ଦେହ । ଜଗନ୍ନାଥ ବଲ୍ଲଭ ମଠର ନ୍ୟାସ ସଂସ୍ଥାର ସେ ଅନ୍ୟତମ ବିଶିଷ୍ଟ ସଭ୍ୟ, ଯେ କି ପ୍ରତ୍ୟହ ତୈଳ ମାଲିସ ପରେ ପ୍ରତ୍ୟୁଷରୁ ସେହି ମଠର ପୁଷ୍କରିଣୀରେ ସ୍ନାନ କରନ୍ତି । ୧୯୪୮ ମସିହା ମେ ମାସ ତା ୧୭ରିଖ ପର୍ଯ୍ୟନ୍ତ ସେ ସଂପୂର୍ଣ୍ଣ ସୁସ୍ଥ ଥାଇ ସବୁଦିନ ଭଳି ମଠକୁ ସ୍ନାନ କରିବାକୁ ଯାଇଥିଲେ । ସ୍ନାନ ସାରି, ପୋଖରୀ ତୁଠରେ ସେ ସୂର୍ଯ୍ୟଙ୍କୁ ଦର୍ଶନ କଲାବେଳେ ତାଙ୍କର ପ୍ରାଣବାୟୁ ହଠାତ୍ ଉଡ଼ି ଯାଇଥିଲା, କଥାରେ ଅଛି, “ଅନାୟାସେନ ମରଣୀ’ ବିନା ଦୈନ୍ୟନ ଜୀବନମ୍’ ତାଙ୍କ ଜୀବନରେ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହେଲା । ଯୋଗକୁ ସେହି ଦିନକୁ ବିଛିନ୍ନାଞ୍ଚଳ ମିଶ୍ରଣ ପାଇଁ ଯିଏ ତାଙ୍କ ଜୀବନକୁ ତିଳ ତିଳ କରି ଅର୍ପଣ କରିଥିଲେ, ଓଡ଼ିଶାରେ ମିଶିଥିବା ଦୁଇଗୋଟି ଗଡ଼ଜାତ, ଖରସୁଆଁ ଷଢ଼େଇକଳାକୁ ଭାରତ ସରକାର ବିହାର ସହିତ ସାମିଲ କରିଥିଲେ । ଯାହାକି ହୁଏତ ତାଙ୍କ ପ୍ରାଣକୁ ଦାରୁଣ ଆଘାତ ଦେଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କ ସମ୍ବନ୍ଧରେ ଏହି ସଂକଳନଟି ପ୍ରକାଶ ପାଉଛି । ୧୯୩୦ ମସିହାରେ ଏହି ସମାଜର ପଞ୍ଚବିଂଶ ଅଧବେଶନରେ ସଭାପତିତ୍ୱ କରି, ସେ ମନ୍ତବ୍ୟ ଦେଇଥିଲେ “ସାହିତ୍ୟ ଜାତୀୟ ଜୀବନର ଜୀବନ୍ତ ପ୍ରତିମୂର୍ତ୍ତି । ଜାତିର ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ଜୀବନର ଆଲୋକ ସ୍ତମ୍ଭ...” ଏହି ଦିଗ୍‌ଦର୍ଶନକୁ ଆମ୍ଭେମାନେ ଯଥାର୍ଥରେ କେତେଦୂର କାର୍ଯ୍ୟକାରୀ କରୁଛି, ତାହା ପ୍ରକୃତରେ ଆମ ସମସ୍ତଙ୍କ ପାଇଁ ଆଜିର ପ୍ରଶ୍ନବାଚୀ ।

 

ପୂର୍ବତନ ଉପବାଚସ୍ପତି, ଓଡ଼ିଶା ବିଧାନସଭା ପୁରୀ

 

(“କୋଣାର୍କ” ର ଏହି ସଂଖ୍ୟାଟି ଯନ୍ତ୍ରସ୍ଥ ଥିବା ସମୟରେ ଶ୍ରୀଯୁକ୍ତ ବାହିନୀପତିଙ୍କର ପରଲୋକ ପ୍ରାପ୍ତିହୁଏ । ଏହି ବରେଣ୍ୟ ସାରସ୍ୱତ ସାଧକଂକର ଅମର ଆତ୍ମାର ସଦ୍‌ଗତି ପାଇଁ । “କୋଣାର୍କ’’ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି । ମୁଖ୍ୟ ସମ୍ପାଦକ)

 

ଉତ୍କଳ ସମ୍ମିଳନୀରେ ଜଗବନ୍ଧୁ ସିଂହଙ୍କ ଭୂମିକା

ପୂର୍ଣ୍ଣଚନ୍ଦ୍ର ମିଶ୍ର

 

ସ୍ୱଦେଶ ପ୍ରାଣ, ବିଶିଷ୍ଟ ଆଇନଜୀବୀ, ସୁସଂଗଠକ, ସଂସ୍କାରକ ତଥା ସାରସ୍ଵତ ସ୍ରଷ୍ଟା ଜଗବନ୍ଧୁ ସିଂହ ପୁରୀ ଜିଲ୍ଲାର ନିମାପଡ଼ା ନିକଟସ୍ଥ ଭୁବନ ଗ୍ରାମରେ ୧୮୭୬ ମସିହା ଫେବୃଆରୀ ମାସ ୧୫ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ପିତା ଗୌରଚନ୍ଦ୍ର ବିଧାନର ବନମାଳୀପୁର ନିକଟବର୍ତ୍ତୀ ଯୁବଗଡ଼ର ଜମିଦାର ଥିଲେ ହେଁ ଦାରିଦ୍ର୍ୟର କଷାଘାତ ମଧ୍ୟରେ ଜଗବନ୍ଧୁଙ୍କ ବିଦ୍ୟାଧ୍ୟୟନ ନିମନ୍ତେ ସେ ବିଶେଷ ଯତ୍ନବାନ ଥିଲେ । ଏଥିପାଇଁ ମାତା ଚନ୍ଦ୍ରମଣି ଦେବୀଙ୍କ ଅବଦାନ ମଧ୍ୟ ନଗଣ୍ୟ ନଥିଲା । ମାତା ପିତାଙ୍କର ପ୍ରେରଣା ତଥା ନିଜର ଅଧ୍ୟୟନ ପିପାସା ଲାଗି ଜଗବନ୍ଧୁ ଓକିଲାତି ପାଶ୍ କରିବା ସହ ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରେରଣା ଓ ତାଲିମ ଦ୍ଵାରା ସେ ୧୯୦୪ ମସିହାରୁ ପୁରୀରେ ସ୍ୱାଧୀନ ଭାବରେ ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ । ପୁରୀରେ ଥିବା ତତ୍କାଳୀନ ଅଣ ଓଡ଼ିଆ ଓକିଲଙ୍କ ଅସହଯୋଗ ସତ୍ତ୍ୱେ ସେ ନିଜର ପ୍ରଚଣ୍ଡ ନିଷ୍ଠା ଓ ପ୍ରଗାଢ଼ ଅନୁରକ୍ତି ଦ୍ଵାରା ଏହି ବ୍ୟବସାୟରେ ଯଥେଷ୍ଟ ସୁନାମ ଅର୍ଜନ କରିପାରିଥିଲେ । କେବଳ ଓକିଲାତି ନୁହେଁ ବିଭିନ୍ନ ସଂଗଠନ କାର୍ଯ୍ୟ ଓ ସାରସ୍ୱତ ସାଧନାରେ ମଧ୍ୟ ସେ ନିମ୍ନଜମାନ ରହୁଥିଲେ-

 

ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହିବା ସହିତ ଓଡ଼ିଶାର ଇତିହାସ, ପ୍ରତ୍ନତତ୍ତ୍ୱ, ଧର୍ମ, ସଂସ୍କୃତି, ଭାଷା ଓ ସାହିତ୍ୟ ସମ୍ପର୍କିତ ତାଙ୍କର ବିଭିନ୍ନ ଲେଖା ଉତ୍କଳ ସାହିତ୍ୟ, ମୁକୁର, ସମ୍ବାଦବାହିକା, ସତ୍ୟବାଦୀ ଓ ନବଭାରତ ଆଦି ସେ ସମୟର ପତ୍ରପତ୍ରିକାରେ ଆତ୍ମପ୍ରକାଶ କରିଥିଲା । ଏତଦ୍‍ବ୍ୟତୀତ ତାଙ୍କର ପ୍ରାଚୀନ ଉତ୍କଳ, ଭାରତ ଚରିତାମୃତ, ଶ୍ରୀକୃଷ୍ଣ, ପ୍ରବନ୍ଧସାର, କର୍ମଯୋଗ ବା ଗୀତା ରହସ୍ୟ, ଯୋଗତତ୍ତ୍ୱ ଗୀତା, ଗୃହଲକ୍ଷ୍ମୀ, ନବାକ୍ଷରୀ ସରଳ ଗୀତା, ଓଡ଼ିଶୀ ସଂଗୀତ, ସଙ୍ଗୀତ ରସନିଧି, ପଞ୍ଚାମୃତ, ସୁବର୍ଣ୍ଣ ଦୃଷ୍ଟାନ୍ତ, ଗାନ୍ଧୀମହାତ୍ମ୍ୟ ଓ କପାଚାଷ ଆଦି ପୁସ୍ତକମାନ ପ୍ରକାଶ ପାଇବା ବେଳେ କେତେଗୁଡ଼ିଏ ଗୀତିନାଟ୍ୟ ଓ ଛାତ୍ରସଖା ପୁସ୍ତକ ବର୍ତ୍ତମାନ ସୁଦ୍ଧା ଅପ୍ରକାଶିତ ଅବସ୍ଥାରେ ଲୋକଲୋଚନ ଅଗୋଚରରେ ରହିଯାଇଛି ।

 

ସାରସ୍ୱତ ସାଧନାକୁ ବାଦ୍ ଦେଲେ ଜଗବନ୍ଧୁ ସିଂହ ଥିଲେ ଜଣେ ସତ୍ୟନିଷ୍ଠ ସ୍ୱଦେଶ ବତ୍ସଳ ବ୍ୟକ୍ତି । ଏଥିପାଇଁ ସେ ନିଜର ଆଦର୍ଶ ରୂପେ ପ୍ରହଣ କରି ନେଇଥିଲେ ଉତ୍କଳ ଗୌରବ ମଧୁସୂଦନ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ । ମଧୁବାବୁଙ୍କ ପ୍ରେରଣାରେ ସେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

 

ଉତ୍କଳ ସମ୍ମିଳନୀ ସୃଷ୍ଟି ହେବାର ବହୁ ପୂର୍ବରୁ ଅର୍ଥାତ୍ ଓଡ଼ିଶାର ସ୍ୱାଧୀନତା ଲୋପ ପାଇବା ପରେ ପରେ ଓଡ଼ିଶା ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ମୁସଲ୍‍ମାନ, ମରହଟ୍ଟା, ପର୍ତ୍ତୁଗୀଜ, ଡଟ୍ ଓ ଶେଷରେ ଇଂରେଜମାନଙ୍କ ଶାସନାଧୀନ ହୋଇରହିଥିଲା । ୧୮୦୩ ମସିହା ଡିସେମ୍ବର ମାସ ୩ ତାରିଖ ଦିନ ମରହଟ୍ଟାମାନେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଓଡ଼ିଶାର ଅଧିକାର ପ୍ରଦାନ କରିଥିଲେ । ଇଂରେଜ ରାଜତ୍ଵର ଆରମ୍ଭରେ ଦକ୍ଷିଣ ଓଡ଼ିଶା ମାନ୍ଦ୍ରାଜ ସରକାରଙ୍କ ଅଧୀନରେ, ସମ୍ବଲପୁର ଆଦି ରାଜ୍ୟ ମଧ୍ୟପ୍ରଦେଶର ଚିଫ୍ କମିଶନରଙ୍କ ଅଧୀନରେ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ବଙ୍ଗ ସରକାରଙ୍କ ନିୟନ୍ତ୍ରଣରେ ଶାସିତ ହେଉଥିଲା ।

 

ଓଡ଼ିଶାର ଏହି ତିନୋଟି ଖଣ୍ଡିତ ଅଂଶ ତିନି ସରକାରଙ୍କ ଅଧୀନରେ ପୁଚ୍ଛ ସଦୃଶ ରହିଥିଲା । ଅନ୍ୟାନ୍ୟ ପ୍ରଦେଶ ଇଂରେଜ ସରକାରଙ୍କ ଶାସନାଧୀନ ତଥା ଶାସନ କେନ୍ଦ୍ରର ନିକଟରେ ରହି ଯେଭଳି ସୁଫଳ ଲାଭ କରୁଥିଲେ, ତାହା ତୁଳନାରେ ଓଡ଼ିଶା ଥିଲା ବହୁ ପଛରେ । ଶାସନ କେନ୍ଦ୍ରଠାରୁ ଦୂରରେ ପୁଚ୍ଛସଦୃଶ ରହିବା ଫଳରେ ଏହାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହେବା ସହିତ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବିଶେଷ ବୃଦ୍ଧି ପାଇବାରେ ଲାଗିଲା । ଓଡ଼ିଆମାନେ ସର୍ବତ୍ର ଲାଞ୍ଚିତ, ଅପମାନିତ ସାଙ୍ଗକୁ ଅବହେଳିତ ଭାବରେ କାଳାତିପାତ କରିବାକୁ ବାଧ୍ୟ ହେଉଥିଲେ । ଏ ସମସ୍ତ ଅଞ୍ଚଳ ଶାସନକେନ୍ଦ୍ର ତଥା ଉଚ୍ଚ ପଦାଧିକାରୀଙ୍କ ନଜରଠାରୁ ଦୂରରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଥିବାରୁ ଏଠାର ବାସିନ୍ଦାମାନେ କୌଣସି ପ୍ରକାର ଦୃଢ଼ ସ୍ୱର ଉତ୍ତୋଳନ କରିପାରୁ ନଥିଲେ । ତେଣୁ ଏ ସମସ୍ତ ଦୁଃଖ ଦୁର୍ଦ୍ଦଶାର ଦୂରୀକରଣ କେବଳ ଏକ ଶାସନାଧୀନରେ ରହିଲେ ସମ୍ଭବପର ବୋଲି ସମସ୍ତେ ହୃଦୟଙ୍ଗମ କରୁଥିଲେ । କେବଳ ଅବହେଳିତ ଓଡ଼ିଆମାନେ ନୁହନ୍ତି, କେତେକ ଇଂରେଜ ଶାସକ ମଧ୍ୟ ଏହାକୁ ଅନୁଭବରେ ଆଣିଥିଲେ । ଫଳରେ ଅସହାୟ, ଅବହେଳିତ ଖଣ୍ଡବିଖଣ୍ଡିତ ଓଡ଼ିଆ ଜାତିର ପ୍ରାଣରେ ଜାତୀୟତାର ଭାବକୁ ପୁନର୍ଜୀବିତ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ଯେଉଁ କେତେକ ପଦକ୍ଷେପ ଗ୍ରହଣ କରାଯାଇ ଥିଲା, ତନ୍ମଧ୍ୟରେ ମଧୁବାବୁଙ୍କ ଆବାହକତ୍ୱରେ ୧୮୮୨ ମସିହାରେ ଓଡ଼ିଶା ଏସୋସିଏସନ୍ ବା ଉତ୍କଳ ସଭା ସ୍ଥାପନ, ୧୯୦୧ରେ ଗଞ୍ଜାମ ଜାତୀୟ ସମିତିର ପରିକଳ୍ପନା ଓ ଶେଷରେ ୧୯୦୩ରେ ଗଠିତ ଉତ୍କଳ ସମ୍ମିଳନୀର ଭୂମିକା ଅନସ୍ୱୀକାର୍ଯ୍ୟ ।

 

ଓଡ଼ିଶା ଏସୋସିଏସନ୍ ବା ଉତ୍କଳ ସଭା ସ୍ଥାପନର ୯ ବର୍ଷ ପୂର୍ବରୁ ତା ୧୬.୭.୧୮୭୩ ଉତ୍କଳପୁତ୍ର ପତ୍ରିକାରେ ‘ଗଞ୍ଜାମ, ସମ୍ବଲପୁର ଓ ଉତ୍କଳ ପୁସ୍ତକ’ ଶିରୋନାମାରେ ପ୍ରକାଶ ପାଇଥିବା ଲେଖାଟି ପ୍ରଣିଧାନ ଯୋଗ୍ୟ । ସେଥିରେ ଉଲ୍ଲେଖଥିଲା, “ସୁଖର ବିଷୟ ଯେ ନ୍ୟାୟବାନ୍ ଗଭର୍ଣ୍ଣମେଣ୍ଟ ସେ କଳହ ଶୀଘ୍ର ନିଷ୍ପତ୍ତି କରିଦେଲେ । ଓଡ଼ିଆ ଭାଷା ରହିବାର ସ୍ଥିର ହେଲା; ଏବେ ବଙ୍ଗାଳୀମାନେ ସେ ଆଶାରୁ ନିରାଶ ହେଲେଣି, ଯଦିଚ ମନରୁ କ୍ରୋଧାଗ୍ନି ସମ୍ପୂର୍ଣ୍ଣ ରୂପେ ନିର୍ବାପିତ ହୋଇନାହିଁ । ବଙ୍ଗାଳୀମାନେ ତାଙ୍କର କି ଆମ୍ଭର ମଙ୍ଗଳ ନିମନ୍ତେ ଏପରି ଯତ୍ନ କରୁଥିଲେ ଏବଂ ଗଭର୍ଣ୍ଣମେଣ୍ଟ ଯେ କି ଉଦ୍ଦେଶ୍ୟରେ ସେମାନଙ୍କୁ ସେ ଆଶାରୁ ବଞ୍ଚିତ କଲେ, ତାହା ଆମ୍ଭେମାନେ କହି ନ ପାରୁଁ, ଅଥବା କହିବାକୁ ଆମ୍ଭମାନଙ୍କର ଇଚ୍ଛା ନାହିଁ । ମାତ୍ର ଆପାତତଃ ଯେ ଓଡ଼ିଶାର ମଙ୍ଗଳ ହୋଇଅଛି ଓ ଉତ୍କଳୀୟମାନେ ଗଭର୍ଣ୍ଣମେଣ୍ଟଙ୍କ ନ୍ୟାୟରେ ସନ୍ତୁଷ୍ଟ ଅଛନ୍ତି, ତହିରେ କିଛି ସନ୍ଦେହ ନାହିଁ । ବଙ୍ଗଳା ଉଠିଗଲା ଭଲ ହେଲା । ଭଲ ହେଲା ସତ, ମାତ୍ର ଓଡ଼ିୟାର ଭାବୀ ଉନ୍ନତି ଓ ସ୍ଥାୟୀତ୍ୱ ସାଧନାରେ ଯେ ସେ ଉପାୟ ଅବଲମ୍ବନ କରିବାର ବିହିତ ଓ ସେ ଉପାୟରେ ଇଷ୍ଟସିଦ୍ଧି ହେବାର ସମ୍ଭାବନା ତାହା ଯାହା ଗଭର୍ଣ୍ଣମେଣ୍ଟ କରୁନାହାନ୍ତି ଏଥିରେ ଆମ୍ଭେମାନେ ତାଙ୍କୁ ପ୍ରଶଂସା କରି ନ ପାରୁଁ, ବରଂ ନ କଲେ ଗଭର୍ଣ୍ଣମେଣ୍ଟ ଦୋଷୀ ହେବେ ।’’

 

ଏହାପରେ ବଳରାମ ମହାରଣା ନାମକ ଜଣେ ସ୍ଵଦେଶ ବତ୍ସଳ ବ୍ୟକ୍ତି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ସମ୍ବାଦ ପାଇ ଗୌରୀଶଙ୍କର ରାୟଙ୍କ ଦ୍ୱାରା ସମ୍ପାଦିତ ଉତ୍କଳଦୀପିକାକୁ ତା ୧୩.୯.୧୮୭୩ ମସିହାରେ ଗୋଟିଏ ପତ୍ର ଲେଖିଥିଲେ । ଉକ୍ତ ପତ୍ରଟିରେ ଉଲ୍ଲେଖ ଥିଲା, “ଗତ ଜୁଲାଇ ତା ୧୬ରିଖ ପ୍ରେରିତ ଉତ୍କଳପୁତ୍ର ପତ୍ରିକାରେ ଗଞ୍ଜାମ, ସମ୍ବଲପୁର ଓ କଟକ ଏହି ଜିଲ୍ଲାମାନଙ୍କୁ ଏକତ୍ର କରଣେ ଯାହା ସମ୍ପାଦକ ମହାଶୟ ପତ୍ରସ୍ଥ କରିଅଛନ୍ତି, ତାହା ଶ୍ରବଣ କରିବାରୁ ମୃତବ୍ୟକ୍ତିର ଜୀବନଦାନ ପ୍ରାୟ ବୋଧ ହେଲା । କାରଣ ଏହି ଯେ ଏତେ ଦିନକୁ ପରମେଶ୍ୱର ଉତ୍କଳୀୟମାନଙ୍କର କର୍ଣ୍ଣଗୋଚର କରାଇଲେ ମାତ୍ର ବୋଧହୁଏ ଶ୍ରୀଯୁକ୍ତ ଗଭର୍ଣ୍ଣମେଣ୍ଟ ଉତ୍କଳୀୟମାନଙ୍କ ବିଷୟ ଶୁଣି ଏମାନଙ୍କ ସୀମା କେଉଁ ପର୍ଯ୍ୟନ୍ତ ଅଛି ଏବଂ ଏହି ତିନି ଜିଲ୍ଲା ଏକତ୍ରିତ କଲେ କେତେ ପର୍ଯ୍ୟନ୍ତ ହେବ ତାହା ବିବେଚନା କରିନାହାନ୍ତି । ଯେବେ କରିଥାନ୍ତେ, ତେବେ ଶ୍ରୀଯୁକ୍ତ ଗଭର୍ଣ୍ଣମେଣ୍ଟ ଯଶୀ ବହୁମୂଲ୍ୟ କରାଯାଇଥାନ୍ତା । ଏଥିରେ ଉତ୍କଳୀୟ ରାଜାମାନେ ଓ ପ୍ରଜାମାନେ ସମସ୍ତେ ସୁଖୀ ହୁଅନ୍ତେ । ଯଦ୍ୟପି ବୋଲିବା ଗଞ୍ଜାମ ଜିଲ୍ଲାରେ ଯାବତ୍ ଲେଖାପଢ଼ା ବିଷୟ ତେଲଙ୍ଗାରେ ଚଳୁଅଛି ତେବେ ଦୁଃଖର ବିଷୟ ଏହି ଯେ, ରାଜାପ୍ରଜା ସମସ୍ତେ ଓଡ଼ିଆ, ପୁଣି ଓଡ଼ିୟା ଜିଲ୍ଲାରେ ଯେବେ ଅନ୍ୟ ଭାଷା ପ୍ରଚଳିତ କଲେ ତେବେ ବନ୍ଦର ଇତ୍ୟାଦି ଜିଲ୍ଲାମାନଙ୍କରେ ଓଡ଼ିୟା ଭାଷା ପ୍ରଚଳିତ କରିବାକୁ ଆଜ୍ଞା ଦେଉଛୁ ।”

 

ଏ ସବୁ ସତ୍ତ୍ୱେ ଓଡ଼ିଆ ଭାଷା ପ୍ରଚଳନ ନିମନ୍ତେ ବିଶେଷ ଆନ୍ତରିକତା ପ୍ରଦର୍ଶନ କରାଯାଇ ନ ଥିବାରୁ ତା ୧୮.୪ ୧୯୭୪ ଉତ୍କଳ ଦୀପିକାରେ ‘ଗଞ୍ଜାମରେ ଓଡ଼ିୟା ଭାଷା’ ଶିରୋନାମାରେ ମତଟିଏ ପ୍ରକାଶ ପାଇଥିଲା । କାରଣ ସେତେବେଳେ ଓଡ଼ିଶାରେ ଯେଉଁ ପଦସ୍ଥ କର୍ମଚାରୀମାନେ ଥିଲେ ସେମାନେ ଓଡ଼ିଆ ଜାଣି ନଥିଲେ ବା ଜାଣିବା ପାଇଁ ବିଶେଷ ଆଗ୍ରହୀ ନ ଥିଲେ । ଓଡ଼ିଆ ଭାଷାକୁ ଦୁର୍ବଳ କରିଦେବା ସହିତ ଉଠାଇ ଦେବା ନିମନ୍ତେ ଚକ୍ରାନ୍ତ କଥାଟି ମଧ୍ୟ ଅନୁମାନ କରାଯାଇପାରେ । ତେଣୁ ଏହି ଦୁଃଖଦ ସମୟରେ ଗୌରୀଶଙ୍କରଙ୍କ ଉଦ୍ୟମ ଓ ମଧୁସୂଦନଙ୍କ ଆବାହକତ୍ୱରେ ୧୮୮୨ ଅଗଷ୍ଟ ମାସରେ ଉତ୍କଳ ସଭାର ସ୍ଥାପନ ଓଡ଼ିଆ ପ୍ରାଣରେ ଜାତୀୟତାର ବୀଜବପନ କରିଥିଲା ।

 

ଏହି ଉତ୍କଳ ସଭା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରିବା ପାଇଁ ଉତ୍କଳଗୌରବ ମଧୁସୂଦନଙ୍କ ନେତୃତ୍ୱରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ବେଳେ କେନ୍ଦ୍ର ଓ ପ୍ରାଦେଶିକ ସରକାରଙ୍କ କେତେକ ଉଚ୍ଚ ପଦସ୍ଥ କର୍ମଚାରୀ ଉପାନ୍ତଅଞ୍ଚଳବାସୀ ଓଡ଼ିଶା ସହିତ ମିଶିବାକୁ ଚାହାନ୍ତି କି ନାହିଁ ଜାଣିବା ପୂର୍ବରୁ ଓଡ଼ିଆ ଅଞ୍ଚଳ ମିଶ୍ରଣ ଦାବି କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ତାଙ୍କୁ କହିଥିଲେ । ଫଳରେ ୧୯୦୧ ମସିହା ଏପ୍ରିଲ ମାସରେ ମଧୁବାବୁ ଖଲିକୋଟର ଜମିଦାର ହରିହର ମର୍ଦ୍ଦରାଜଙ୍କ ମତାମତ ଜାଣିବା ପାଇଁ ପତ୍ରଟିଏ ଦେଇଥିଲେ ଓ ସେହି ବର୍ଷ ଜୁଲାଇ ମାସରେ ଚିଲିକା କୂଳସ୍ଥ ନବନିର୍ମିତ ରମ୍ଭାରାଜବାଟୀରେ ମଧୁବାବୁଙ୍କ ସଭାପତିତ୍ୱରେ ଏକ ପ୍ରାରମ୍ଭିକ ସଭା କରାଯାଇଥିଲା । ଏହିଠାରେ ଜନ୍ମ ନେଇଥିଲା ଗଞ୍ଜାମ ଜାତୀୟ ସମିତି ।

 

ତା’ ପରବର୍ଷ ଅର୍ଥାତ୍ ୧୯୦୨ ମସିହା ଜାନୁଆରୀ ୧୩ ତାରିଖରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଦ୍ୱିତୀୟ ଜନ୍ମ ଉତ୍ସବ ଅବସରରେ ହରିହର ମର୍ଦ୍ଦରାଜ ରମ୍ଭାରାଜବାଟୀରେ ଏକ ବନ୍ଧୁମିଳନର ଆୟୋଜନ କରିଥିଲେ । ଏଥିରେ ଗଞ୍ଜାମର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ମଧୁବାବୁ, ଫକୀରମୋହନ ଓ ରାଧାନାଥ ରାୟ ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହିଠାରେ ଖଣ୍ଡବିଖଣ୍ଡିତ ଉତ୍କଳ ଜନନୀର ଏକତ୍ରୀକରଣ ନିମନ୍ତେ ସହମତି ପ୍ରକାଶ ପାଇବା ସହିତ ୧୯୦୩ ମସିହା ଏପ୍ରିଲ ମାସ ୧୧ ଓ ୧୨ ତାରିଖରେ ବ୍ରହ୍ମପୁରସ୍ଥ ପଞ୍ଚଦୋଳ ପଡ଼ିଆରେ ପଞ୍ଚମ ଜାତୀୟ ସମିତିର ପ୍ରଥମ ଅଧିବେଶନ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।

 

ଏହି ଅଧିବେଶନ ଅବସରରେ ସ୍ଵଦେଶପ୍ରେମୀ ମଧୁବାବୁ ଆଞ୍ଚଳିକତାର ମୋହଭଙ୍ଗ କରି ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଗୋଟିଏ ସୂତ୍ରରେ ବାନ୍ଧିରଖିବା ନିମନ୍ତେ ଏହି ସମ୍ମିଳନୀର ନାମ ‘ଉତ୍କଳ ସମ୍ମିଳନୀ’ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ପ୍ରସ୍ତାବଟି ସର୍ବସମ୍ମତି କ୍ରମେ ସ୍ୱୀକୃତି ଲାଭ କରିଥିଲା । କେବଳ ସେତିକି ନୁହେଁ ଏହି ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗଞ୍ଜାମର ଓଡ଼ିଆମାନଙ୍କୁ ଇଂରେଜୀ ଓ ଓଡ଼ିଆ ଭାଷାରେ ଶିକ୍ଷା ଦିଆଯିବାର ବ୍ୟବସ୍ଥା ନିମନ୍ତେ କମିଟି ଗଠନ, ଓଡ଼ିଆ ସାହିତ୍ୟର ଉନ୍ନତି, ଲାଇବ୍ରେରୀ ସ୍ଥାପନ, ଓଡ଼ିଆ ପାଠ୍ୟ ପୁସ୍ତକ ରଚନା, ଜାତୀୟ ସମିତିର ବାର୍ଷିକ ଅଧିବେଶନ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ଆୟୋଜନ, ପ୍ରାଚୀନ ଓ ଆଧୁନିକ ଲେଖକଙ୍କୁ ସମାଦର, ଶୁଭାଶୁଭ କାର୍ଯ୍ୟରେ ବ୍ୟୟ ସଙ୍କୋଚନ ଆଦି ପ୍ରସ୍ତାବମାନ ଗୃହୀତ ହୋଇଥିଲା । ଏହା ସହିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ସେହିବର୍ଷ ଡିସେମ୍ବର ମାସ ୩୦ ଓ ୩୧ ତାରିଖରେ କଟକରେ କରାଯିବା ପାଇଁ ଘୋଷଣା କରାଯାଇଥିଲା । ଉତ୍କଳ ସମ୍ମିଳନୀର ୨ୟ ଅଧବେଶନ ୧୯୦୪ ମସିହାରେ କଟକରେ, ୩ୟ ଅଧିବେଶନ ୧୯୦୬ରେ ବାଲେଶ୍ୱରରେ ୪ର୍ଥ ଅଧିବେଶନ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲା ।

 

୧୯୦୬ ମସିହା ଡିସେମ୍ବର ମାସ ୨୬ ଓ ୨୭ ତାରିଖରେ ବ୍ରହ୍ମପୁରର ବାରାକ୍‍ସ ପଡ଼ିଆରେ । ଉତ୍କଳ ସମ୍ମିଳନୀର ୪ର୍ଥ ଅଧିବେଶନ ମହାସମାରୋହରେ ପାଳନ କରାଯାଇଥିଲା । ଏହି ସମାରୋହରେ ଜଗବନ୍ଧୁ ସିଂହ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ୩୦ ବର୍ଷ ବୟସ୍କ ଜଗବନ୍ଧୁ ମଧୁବାବୁଙ୍କ ପ୍ରେରଣାରେ ଉତ୍କଳମାତାର ସୁନାମ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ବ୍ରହ୍ମପୁର ଉତ୍କଳ ସମ୍ମିଳନୀ ଅଧିବେଶନରେ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରସ୍ତାବ ମଧ୍ୟରେ ସପ୍ତମ ପ୍ରସ୍ତାବଟି ଥିଲା ‘ସ୍ତ୍ରୀ ଶିକ୍ଷାର ସମୁନ୍ନତି ନିମନ୍ତେ ଉତ୍କଳର ଜିଲ୍ଲାମାନଙ୍କର ନାନା ସ୍ଥାନରେ ବାଳିକା ବିଦ୍ୟାଳୟ ସ୍ଥାପନ କରିବା ।’’

 

ଉକ୍ତ ପ୍ରସ୍ତାବଟିକୁ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଆଗତ କରିବା ଅବସରରେ ଶିକ୍ଷାର ମହତ୍ତ୍ୱ ଓ ଆବଶ୍ୟକତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ପ୍ରସ୍ତାବଟିର ଅନୁମୋଦନ କରିବାକୁ ଯାଇ ଶ୍ରୀ ଗଦାଧର ବିଦ୍ୟାଭୂଷଣ ଜାତୀୟ ଜୀବନରେ ସ୍ତ୍ରୀ ଓ ପୁରୁଷଙ୍କ ସମ୍ପର୍କ ବିଷୟ ବୁଝାଇଥିଲେ । ଏହି ପ୍ରସ୍ତାବଟିକୁ ଯେଉଁମାନେ ଦୃଢ଼ଭାବରେ ସମର୍ଥନ ଜଣାଇଥିଲେ ସେମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଜଗବନ୍ଧୁ ସିଂହ, ରାଜା ସାହେବ ବଡ଼ଖେମୁଣ୍ଡି, ଦାମୋଦର ଦାସ ବାବାଜୀ ଓ ମିସ୍ ଡାଓସନ ଆଦିଙ୍କ ନାମ ଉଲ୍ଲେଖଯୋଗ୍ୟ । ବଡ଼ ଖେମୁଣ୍ଡିର ରାଜାସାହେବ ସ୍ତ୍ରୀ ଶିକ୍ଷାର ସମୁନ୍ନତିକୁ ଦେଶୀୟ ଉନ୍ନତିର ଅନ୍ୟତମ ଅଙ୍ଗ କହିବା ବେଳେ, ଦାମୋଦର ଦାସ ବାବାଜୀ ଓ ମିସ୍ ଡାଓସନ୍ ସ୍ତ୍ରୀ ଶିକ୍ଷାର ଅନୁକୂଳରେ ମତ ବ୍ୟକ୍ତ କରିଥିଲେ ।

 

ଜଗବନ୍ଧୁ ସିଂହ ଏହି ସଭାରେ ସ୍ତ୍ରୀ-ଶିକ୍ଷା କିଭଳି ହେବା ଦରକାର ତାହା ଦର୍ଶାଇଥିଲେ । ସେ ସ୍ତ୍ରୀ ଶିକ୍ଷାର ସମୁନ୍ନତି ପ୍ରସ୍ତାବକୁ ଦୃଢ଼ ଭାବରେ ସମର୍ଥନ କରି କହିଥିଲେ-

 

‘‘...... ସ୍ତ୍ରୀମାନେ ଶିକ୍ଷିତା ହେଲେ ସଂସାରର ତଥା ଉତ୍କଳ ସମାଜର ଯେ ଅସୀମ ମଙ୍ଗଳ ସାଧିତ ହେବ ସେଥିରେ ଲେଶମାତ୍ର ସନ୍ଦେହ ନାହିଁ, ମାତ୍ର ଗୋଟିଏ କଥା ଏ ସ୍ଥଳରେ ମୋ ମନରେ ଉଦିତ ହେଉଅଛି ଯେ ସ୍ତ୍ରୀମାନଙ୍କୁ ଯେବେ ଶିକ୍ଷିତ କରାଇବାକୁ ହୁଏ ତେବେ କି ଧରଣରେ ସେମାନଙ୍କୁ ଶିକ୍ଷିତ କରାଇବାକୁ ହେବ ତାହା ପ୍ରଧାନ ଆଲୋଚ୍ୟ ବିଷୟ । ସ୍ତ୍ରୀମାନଙ୍କୁ ଅର୍ଦ୍ଧଶିକ୍ଷିତା କରି ସେମାନଙ୍କର ବର୍ଣ୍ଣ ପରିଚୟ ଉତ୍ତାରୁ ଶିକ୍ଷା ବନ୍ଦ କରିବା ଅପେକ୍ଷା ବରଂ ସ୍ତ୍ରୀମାନେ ଅଶିକ୍ଷିତା ରହିବା ଭଲ । ତେବେ ସ୍ତ୍ରୀଶିକ୍ଷା ଉପଯୋଗୀ କୌଣସି ପୁସ୍ତକ ଉତ୍କଳ ସାହିତ୍ୟ କ୍ଷେତ୍ରରେ ଥିବା ପରି ମୋର ବିଶ୍ୱାସ ହେଉନାହିଁ, ଯେଉଁ ପୁସ୍ତକ ପାଠ କଲେ ସ୍ତ୍ରୀ ଜାତି କିପରି ଉକୃଷ୍ଟ ଗୃହିଣୀ ହୋଇ ସଂସାରର କାର୍ଯ୍ୟ ସୂଚାରୁ ରୂପେ ନିର୍ବାହ କରିବାରେ ସମର୍ଥ ହେବ, ଉତ୍ତମ ମାତା ହୋଇ ଶିଶୁ ସନ୍ତାନମାନଙ୍କର କୋମଳମତିକୁ ଉପଯୁକ୍ତ ରୀତିରେ ଗଠନ କରିପାରିବ, ତାହାର ପରିବାରର ଅନ୍ୟାନ୍ୟ ଲୋକ ଯଥା ଶାଶୁ, ଶଶୁର, ଦେବର, ଝିଅ, ପୁଅ, ଝିଆରୀ, ପୁତୁରା ଓ ବୋହୁ ପ୍ରଭୃତିଙ୍କ ପ୍ରତି ଏବଂ ତାହାର ଶିଶୁ ସନ୍ତାନମାନଙ୍କର ନିଜ ମାତୃଭୂମି ପ୍ରତି ଆପଣାର କର୍ତ୍ତବ୍ୟ କ’ଣ ତାହା ଉପଯୁକ୍ତ ମତେ ଶିକ୍ଷା କରିପାରିବ, ସତୀ ସ୍ତ୍ରୀ ହୋଇ ଧର୍ମପତ୍ନୀ ନାମର ସାର୍ଥକତା କରି ପ୍ରକୃତରେ ଗୁହରେ ଲକ୍ଷ୍ମୀସ୍ୱରୂପା ହେବ ଏପରି ଶିକ୍ଷା ଲାଭ କରିପାରିବା ଭଳି କୌଣସି ପୁସ୍ତକ ଉତ୍କଳ ସାହିତ୍ୟରେ ଅଛି କି ?

 

ଏହି ବକ୍ତବ୍ୟ ମାଧ୍ୟମରେ ଜଗବନ୍ଧୁ ସିଂହ ସ୍ତ୍ରୀଶିକ୍ଷା ନିମନ୍ତେ ଉପଯୁକ୍ତ ପୁସ୍ତକ ରଚନା ନିମନ୍ତେ ଆହ୍ଵାନ ଜଣାଇଥିଲେ । କେବଳ ସେତିକି ନୁହେଁ, ଏଭଳି ପୁସ୍ତକ ପଠନ ଦ୍ୱାରା ସ୍ୱୀଜାତି ନିଜକୁ ଉନ୍ନତ ତଥା ସୁଶିକ୍ଷିତା କରି ପାରିବେ । ଫଳରେ ଉତ୍କଳସମିଳନୀର ମତକୁ ଘରେ ଘରେ ପ୍ରଚାର କରି ଜାତୀୟ ଭାବ ଜାଗ୍ରତ ନିମନ୍ତେ ସମର୍ଥ ହୋଇପାରିବେ । ଜାତୀୟ ଭାବ ପ୍ରଚାର ନିମନ୍ତେ ସେମାନେ ପ୍ରଚାରକର କାର୍ଯ୍ୟ ଅନେକ ପରିମାଣରେ ସାଧନ କରିବା ନିମନ୍ତେ ସମର୍ଥ ହେବେ । ଏହାର କାରଣ ଦର୍ଶାଇବାକୁ ଯାଇ ଯୁକ୍ତିଛଳରେ ଜଗବନ୍ଧୁ ସିଂହ ଦର୍ଶାଇଥିଲେ–

 

‘‘ଭାଇମାନେ, ଆପଣମାନଙ୍କୁ ଅବିଦିତ ନାହିଁ ଯେ ଶିଶୁ ସନ୍ତାନମାନେ ମାତାର କଥାକୁ ଯେତେ ବିଶ୍ଵାସ କରନ୍ତି ଏବଂ ମାତାର ଚରିତ୍ରକୁ ଯେତେ ଅନୁସରଣ କରନ୍ତି ଅନ୍ୟ କୌଣସି ଲୋକକୁ ତେତେ ବିଶ୍ୱାସ କରନ୍ତି ନାହିଁ ବା ଅନୁକରଣ କରନ୍ତି ନାହିଁ । ଭାଇମାନେ ଦେଖନ୍ତୁ ମାତା ଯେଉଁ ଭୂତ ଗଳ୍ପ ପିଲାଦିନେ ତୁମ୍ଭମାନଙ୍କୁ କହିଥିଲେ ଆପଣ ତହିଁରେ ଅଟଳ ବିଶ୍ୱାସ କରି ଆଜୀବନ ଆପଣଙ୍କ ହୃଦପଟରେ ତାହା ଚିତ୍ରିତ କରି ରଖିଛନ୍ତି । ସେହିପରି କୋମଳମତି ବାଳକର ହୃଦୟରେ ମାତା ଯେତେବେଳେ ଗଚ୍ଛ ଛଳରେ ଉତ୍କଳ ସମ୍ମିଳନୀ ବିଷୟ କହି ତହିଁ ପ୍ରତି ତା’ର ଅନୁରାଗ ଜନ୍ମାଇବ ଏବଂ ଉକ୍ତ ଶିଶୁ ଯେତେବେଳେ ମାତାଠାରୁ ସମ୍ମିଳନୀ ପ୍ରତି ତାହାର କର୍ତ୍ତବ୍ୟ ଶିକ୍ଷା କରିବ ତେତେ ବେଳେ ମୋର ଦୃଢ଼ ବିଶ୍ୱାସ ଯେ ସହସ୍ର ସହସ୍ର ପ୍ରଚାରକଙ୍କ ଦ୍ୱାରା ଯେ କାର୍ଯ୍ୟ ସାଧିତ ହେବା କଷ୍ଟକର ତାହା ସହଜରେ ସୁସମ୍ପନ୍ନ ହେବ । ତେଣୁ ସ୍ତ୍ରୀ ଜାତି ଶିକ୍ଷିତା ହେଲେ ଦେଶର ଅଶେଷ ମଙ୍ଗଳ ସାତ ହୋଇପାରିବ । କିନ୍ତୁ ସ୍ତ୍ରୀମାନେ ଅର୍ଦ୍ଧଶିକ୍ଷିତା ହୋଇ କେବଳ କେତେକ ବହି ପଢ଼ି ପ୍ରେମପତ୍ର ଲେଖିବାକୁ ଶିକ୍ଷାକରି ସମାଜରେ କଳଙ୍କ କାଳିମା ବିଶଦ ଭାବରେ ଲଗାଇବା ଅପେକ୍ଷା ବରଂ ସ୍ତ୍ରୀ ଅଶିକ୍ଷିତା ରହିବା ଭଲ ।’’ ବୋଲି ସେ ମତବ୍ୟକ୍ତ କରିଥିଲେ ।

 

ମୋଟ ଉପରେ ଜଗବନ୍ଧୁ ସିଂହଙ୍କର ସ୍ତ୍ରୀ ଜାତିର ଶିକ୍ଷା ପ୍ରତି ଦୃଷ୍ଟିଭଙ୍ଗୀ ଥିଲା ଅତି ବ୍ୟାପକ ତଥା ଗାମ୍ଭୀର୍ଯ୍ୟପୂର୍ଣ୍ଣ । ଏହାକୁ ବାଦ୍ ଦେଲେ ବ୍ରହ୍ମପୁର ଉତ୍କଳ ସମ୍ମିଳନୀରେ ପୁରୀରେ ସମ୍ମିଳନୀର ୫ମ ଅଧିବେଶନ ହେବା ନିମନ୍ତେ ସେ ମଧ୍ୟ ପ୍ରସ୍ତାବ ଆଣିଥିଲେ । ଏହା ପରେ ସେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଉତ୍କଳ ସମ୍ମିଳନୀରେ ସକ୍ରୀୟ ଭାଗ ନେବା ସହିତ କାର୍ଯ୍ୟନିର୍ବାହ ସମିତିର ସଭ୍ୟ ହୋଇଥିଲେ । ୧୯୦୮, ୧୯୧୩, ୧୯୧୯ ମସିହାରେ ପୁରୀଠାରେ ହୋଇଥିବା ଉତ୍କଳ ସମ୍ମିଳନୀର ଅଭ୍ୟର୍ଥନା ସମିତିର ସଭାପତି ରୂପେ କାର୍ଯ୍ୟଭାର ସୂଚାରୁ ରୂପେ ତୁଲାଇଥିଲେ ଓ ଏହାକୁ ଏକ ଗଣଆନ୍ଦୋଳନରେ ପରିଣତ କରିବା ପାଇଁ ସେ ପ୍ରଚଣ୍ଡ ଉଦ୍ୟମ କରିଥିଲେ ।

 

୧୯୧୨ ମସିହାରେ ବ୍ରହ୍ମପୁରରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ୮ମ ଅଧିବେଶନରେ ଯୋଗ ଦେଇ ଅନ୍ନପୂର୍ଣ୍ଣାଙ୍କ ସଙ୍ଗୀତଗାନ ନିମନ୍ତେ ସ୍ୱର୍ଣ୍ଣପଦକ ପ୍ରଦାନ ପ୍ରସ୍ତାବର ଅନୁମୋଦନ କରି ସେ କହିଥିଲେ, ‘‘ବାଳିକାଟି ସ୍ତ୍ରୀ ଶିକ୍ଷାର ଆଦର୍ଶ ଯାହା ଦେଖାଇଲା, ସ୍ୱର୍ଣ୍ଣପଦକ ତହିଁର ପୁରସ୍କାର ନୁହେଁ । ନିଜ ଜୀବନରେ କନ୍ୟାମାନଙ୍କୁ ଶିକ୍ଷାଦାନ କରିବା ହିଁ ତାହାଙ୍କର ପ୍ରକୃତ ପୁରସ୍କାର ।

 

ଜଗବନ୍ଧୁ ସିଂହଙ୍କ ଜୀବନର ସବୁଠାରୁ ଗୌରବମୟ ଘଟଣା ହେଉଛି ୧୯୨୦ ମସିହା ଡିସେମ୍ବର ମାସ ୩୦ ତାରିଖଠାରୁ ୧୯୨୧ ମସିହା ଜାନୁଆରୀ ମାସ ୧ ତାରିଖ ଯାଏଁ ହୋଇଥିବା ଉତ୍କଳ ସମ୍ମିଳନୀର ୧୬ଶ ଅଧିବେଶନରେ ସଭାପତିତ୍ୱ କରିବା । ଏହି ଅଧିବେଶନରେ ସଭାପତିତ୍ୱ କରି ଜଗବନ୍ଧୁ ସିଂହ କହିଥିଲେ, “ଭାଇମାନେ, ଆପଣମାନେ ଆଜି ମତେ ଯେ ସମ୍ମାନ ପ୍ରଦର୍ଶନ କରିଛନ୍ତି ସେଥିଲାଗି ମୁଁ ଆପଣମାନଙ୍କଠାରେ କୃତଜ୍ଞ ଏବଂ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ଧନ୍ୟବାଦ ଦେଉଅଛି । ଉତ୍କଳମାତାଙ୍କ ଶ୍ରୀଚରଣ ପୂଜା କରିବା କାର୍ଯ୍ୟରେ ଆପଣମାନେ ମତେ ଆଦେଶ ଦେଇ ଯେ ସମ୍ମାନ ପ୍ରଦର୍ଶନ କରିଛନ୍ତି ସେଥିଲାଗି ମୁଁ ଆପଣା ଜୀବନକୁ ଧନ୍ୟ ମନେକରୁଅଛି ସତ; ମାତ୍ର ମନେହୁଏ ମୋଠାରୁ ଜ୍ଞାନଜ୍ୟୋଷ୍ଠ ଓ ବୟୋଜ୍ୟେଷ୍ଠ ଅନେକ ଭାଇ ଥିବା ସତ୍ୱେ ଆପଣମାନେ ମତେ ଏ କାର୍ଯ୍ୟ କରିବାକୁ ଆହ୍ୱାନ କଲେ କାହିଁକି ? ଆମ ଦେଶ ପ୍ରଥାମତେ ଜ୍ୟେଷ୍ଠ ଭାଇ ଘରର ମୁରବୀ । ଜ୍ୟେଷ୍ଠ ଭାଇ ଦାଣ୍ଡ ମାମଲତକାର, ଆପଦ ବିପଦ ପଡ଼ିଲେ ସେମାନେ ଆଗରେ ଠିଆ ହୁଅନ୍ତି । ଶୁଭକାର୍ଯ୍ୟ ବେଳେ ସେମାନେ । ଅଗ୍ରେ ଆସନ ପାଇ କାର୍ଯ୍ୟ ଚଳାନ୍ତି । ସେମାନେ ଆଇନ ଅନୁସାରେ ଘରର ମୋକ୍ଷକର୍ତ୍ତା । ସେମାନଙ୍କ ଆଦେଶ ଶିରୋଧାର୍ଯ୍ୟ । ମାତ୍ର ଏ ଚିରନ୍ତନ ପ୍ରଥା ରହିତ କରି ଆପଣମାନେ ମତେ ଏ ଗୁରୁ ଦାୟିତ୍ଵପୂର୍ଣ୍ଣ କାର୍ଯ୍ୟର ଭାର ଦେବାର ଅଭିପ୍ରାୟ ମୁଁ ବୁଝି ପାରୁ ନାହିଁ । ବୋଧହୁଏ ଏଣିକି ଜ୍ୟେଷ୍ଠମାନେ କନିଷ୍ଠମାନଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଆଗକୁ ପଠାଇ ପରୀକ୍ଷା କରୁଛନ୍ତି ଯେ କନିଷ୍ଠମାନେ କ୍ରମେ ଏ ପ୍ରକାର କାର୍ଯ୍ୟରେ ଅଭ୍ୟସ୍ତ ହୋଇ କାର୍ଯ୍ୟ ଶିଖିବେ-। ଏହା ବ୍ୟତୀତ ଏ ନିର୍ବାଚନର ଅର୍ଥ ମୁଁ ଆଉ କିଛି । ମାତ୍ର ବୁଝିପାରୁନାହିଁ ।

 

ଏ ଆସନରେ ବସିବା ଲାଗି ମୋର ଯେ କି ଦାବୀ ଅଛି ତାହା ମୁଁ ବୁଝି ପାରୁ ନାହିଁ । ମୋର ଅଯୋଗ୍ୟତା, ମୋର ଅନଭିଜ୍ଞତା, ମୋର ଅପରିପକ୍ୱ ବୟସ ବିଷୟ ଅନୁଭବ କରି ମୁଁ ଲଜ୍ଜିତ । ଆପଣମାନେ ଯେ ସ୍ନେହ, ସୌହାର୍ଘ୍ୟ ଓ ଭାତୃପ୍ରେମ ଦେଖାଇ ମତେ ଗୁରୁଭାର ଦେଇଛନ୍ତି ଆଶା କରେ ଏ କାର୍ଯ୍ୟ ସୁପରିଚାଳନା କରିବା ଲାଗି ସେହି ମମତା ରଖି ମୋର ସହାୟ ହେବେ । ଆପଣମାନଙ୍କ ସାହାଯ୍ୟ ବ୍ୟତୀତ ଏ କାର୍ଯ୍ୟ ସମାଧାନ କରିବା ମୋ ପକ୍ଷେ କଷ୍ଟକର ବ୍ୟାପାର ହେବ । ତେଣୁ ଆପଣମାନଙ୍କଠାରେ ବିନୀତ ପ୍ରାର୍ଥନା ଯେ ଆପଣମାନେ ଏ କାର୍ଯ୍ୟ ଚଳାଇବାକୁ ମୋର ସହାୟ ହେବେ ।”

 

ନମ୍ରତାର ସହ ଏଭଳି ସମ୍ବୋଧନ କରିବା ପରେ ସେ ଅଭିଭାଷଣ ମଧ୍ୟରେ ବାଳଗଙ୍ଗାଧର ତିଳକଙ୍କ ମୃତ୍ୟୁରେ ଦୁଃଖପ୍ରକାଶ ଅବସରରେ ତାଙ୍କର ଗୁଣକୀର୍ତ୍ତନ, ପୁରୀ ଜିଲ୍ଲାର ଦୁର୍ଭିକ୍ଷ ପ୍ରସଙ୍ଗ ଓ ମହାତ୍ମାଗାନ୍ଧୀଙ୍କର ଏଥିପାଇଁ ଆବେଦନପତ୍ର ପ୍ରକାଶ ସମ୍ମିଳନୀର ପ୍ରକୃତି, ଦେଶମିଶ୍ରଣ, ଶିକ୍ଷାପ୍ରଣାଳୀ, କପାଚାଷ, ସମବାୟ ସମିତି ଋଣ ଆଦି ବିଷୟରେ ଆଲୋଚନା କରିଥିଲେ ।

 

ଦେଶ ମିଶ୍ରଣ ସମ୍ପର୍କରେ ତାଙ୍କର ବକ୍ତବ୍ୟରେ ସେ ସୂଚାଇଥିଲେ, “ସରକାର ଯେ ଓଡ଼ିଆମାନଙ୍କର ଏହି ଦାବୀ ହୃଦୟଙ୍ଗମ କରିପାରୁ ନାହାନ୍ତି ତାହା ନୁହେଁ । ଦେଶ ମିଶ୍ରଣ ସପକ୍ଷ ବିପକ୍ଷରେ ସରକାର ଅନେକ କଥା ବୁଝିସାରିଲେଣି । ସରକାରଙ୍କ ମହାଫିସ ଖାନାରେ ଏ ପ୍ରକାର କାଗଜପତ୍ରର ଅଭାବ ନାହିଁ । ଇଚ୍ଛାକଲେ ଗାରେ ମାରିଦେଲେ ହେଲା । କିନ୍ତୁ ଇଚ୍ଛା ନଥିଲେ ହଜାରେ ଯୁକ୍ତି ଦେଖାଇଲେ ହେବ ନାହିଁ । ମୂଳକଥା ଅନ୍ୟାନ୍ୟ ଜାତିର ଆନ୍ଦୋଳନକୁ ସରକାର ଏଡ଼ିପାରୁ ନାହାନ୍ତି । ଅନ୍ୟାନ୍ୟ ଜାତିର ମୁଖିଆ ଲୋକମାନେ ଯାହା କହୁଛନ୍ତି ତାହା ଏଡ଼ି ସେମାନଙ୍କ ଅସନ୍ତୋଷ ଭାଜନ ହେବାକୁ ସରକାର ପଶ୍ଚାତ୍‌ପଦ । ଓଡ଼ିଶା ବିହାର ସଙ୍ଗେ ଯୋଗ ହେଲାବେଳେ ସରକାର ଆଶା ଦେଇଥିଲେ ଯେ ଓଡ଼ିଶାର ସବୁ କଥାରେ ଆପଣ ଭାଗ । କିନ୍ତୁ ଫଳରେ ତା ହେଉଛି କି ? ଅନେକ କଥାରେ ସରକାରଙ୍କର ଓଡ଼ିଆମାନଙ୍କ ପ୍ରତି ଏହି ଅନବଧାନତା ପରିଲକ୍ଷିତ ହୁଏ । ତାହାର କାରଣ ଆଉ କିଛି ନୁହେଁ, ଓଡ଼ିଆମାନେ ନିରୀହ; ମାଡ଼ଖାଇ ମଲେ ମଧ୍ୟ କହିବେ ନାହିଁ, ମାଡ଼ ଖାଇଲେ ପାଟି ଫିଟାଇବେ ନାହିଁ, ଚୁମୁଟିଲେ ବି ଚେଇଁବେ ନାହିଁ, ତାଙ୍କ କଥା ନ ଶୁଣିଲେ କିଛି କ୍ଷତି ନାହିଁ । ବ୍ରିଟିଶ ଜାତିର ନୀତି ଦୁର୍ବଳ ଜାତିକୁ ଅନ୍ୟାୟ ଅତ୍ୟାଚାରରୁ ରକ୍ଷା କରିବା । ଏହି ନ୍ୟାୟବାନ ଧରି ବ୍ରିଟିଶ ଜାତି ୟୁରୋପ ମହାସମରରେ ଯୋଗ ଦେଇଥିଲେ ବୋଲି ଡିଣ୍ଡିମ ବାଜୁଛି । ମାତ୍ର ତାଙ୍କ ଶାସନରେ ଏହି ଦୁବର୍ପଳ ଓଡ଼ିଆ ଜାତିକ୍ରମେ ଯେ ଦୁର୍ବଳତର ହେଉଛି ଏହା କି ସରକାରଙ୍କ ନୀତି ବିରୁଦ୍ଧ ନୁହେଁ । ମାତ୍ର ବଡ଼ଲୋକକୁ ଉତ୍ତର ନାହିଁ କି ସ୍ୱର୍ଗକୁ ନିଶୁଣି ନାହିଁ । ତେଣୁକରି ଆମେ ଯେତେଦିନ ଆପଣା ଗୋଡ଼ରେ ଠିଆ ନ ହେବା, ଆତ୍ମମର୍ଯ୍ୟାଦା ଜ୍ଞାନ ଯେତେଦିନ ଆମ୍ଭମାନଙ୍କର ନ ହେବ ଯେତେଦିନ ଆମ୍ଭେମାନେ ଏହି ଦୁର୍ଦ୍ଦଶା ଭୋଗ କରୁଥିବା ।”

 

କେବଳ ଏତିକି ନୁହେଁ, ଓଡ଼ିଶାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଆପଣାର ଭରଣପୋଷଣ ଆଶାରେ କେତେକ ଲୋକ ସକୁଟୁମ୍ବ ଦେଶତ୍ୟାଗ କରୁଛନ୍ତି । ତନ୍ତୀକୁଳ ଲୋପ ପାଇବାକୁ ବସିଲାଣି, ଚାଷିମାନେ କ୍ରମେ ଜମିବାଡ଼ି ପରହାତରେ ଦେଲେଣି, ପରସ୍ପର ମଧ୍ୟରୁ ବିଶ୍ଵାସ ଭାବ ଉଠିଗଲାଣି । ଗ୍ରାମବାସୀଙ୍କ ମଧ୍ୟରେ ଏକତା ନାହିଁ । ଭାଗବତ ଘର ଲୋପ ପାଇଲାଣି ଆଦି ପ୍ରସଙ୍ଗାନୁରୋଧରେ ଉପସ୍ଥାପନ କରି ସେ କହିଥିଲେ, “ସ୍ୱରାଜ ଲାଭ ଭାରତର ବର୍ତ୍ତମାନ ଜାତୀୟ ଆକାଂକ୍ଷା । ସ୍ଵରାଜ୍ୟ ଲାଭ ନ ହେଲେ ଆହୁରି ଅନେକ ଡାୟାର ସାହେବ ଆସି ପଞ୍ଜାବ ପରି ନାନା ସ୍ଥାନରେ ଅତ୍ୟାଚାର କରିବେ, ତୋପ ବସାଇ ମାରିଦେବେ । ସ୍ତ୍ରୀ ଲୋକମାନଙ୍କର ଇଜ୍ଜତ ନେବେ, ଇତ୍ୟାଦି ନାନା ପ୍ରକାର ବିଭତ୍ସକାଣ୍ଡ ଅଭିନୀତ ହେବ । ସ୍ଵରାଜ୍ୟ ପାଇଲେ ଏ କାଣ୍ଡ କାରଖାନାରୁ ରକ୍ଷା ମିଳିବ । ବିଲାତର ପ୍ରଜାମାନଙ୍କ ପରି ଭାରତୀୟ ପ୍ରଜାମାନେ ସମାନ ଅଧିକାର ପାଇ ଆପଣା ରାଜ୍ୟ ଆପେ ଚଳାଇବେ ।”

 

ଜଗବନ୍ଧୁ ସିଂହ ସ୍ୱରାଜ୍ୟ ଉପରେ ବିଶେଷ ଗୁରୁତ୍ୱ ଦେବା ସହିତ ଶିକ୍ଷାଦାନ ସମ୍ପର୍କରେ ଯେଉଁ ମନ୍ତବ୍ୟ ପ୍ରଦାନ କରିଥିଲେ ତାହା ବାସ୍ତବିକ୍ ପ୍ରଣିଧାନଯୋଗ୍ୟ । ଶିକ୍ଷାଦାନ ସମ୍ପର୍କରେ ତାଙ୍କର ବକ୍ତବ୍ୟ ଥିଲା, “ଯେଉଁ ପ୍ରଣାଳୀରେ ଶିକ୍ଷା ଦିଆଯାଉଛି, ତାହା ଯେ ସମୟୋପଯୋଗୀ ନୁହେଁ, ଏକଥା ସର୍ବବାଦୀ ସମ୍ମତ । ଶିକ୍ଷାର ମୂଳ ଉଦ୍ଦେଶ୍ୟ ମନୁଷ୍ୟ ତିଆରି କରିବା । ମାତ୍ର ବିଶିଷ୍ଟ ଶିକ୍ଷିତ ଲୋକମାନଙ୍କ ମତରେ ବର୍ତ୍ତମାନ ଶିକ୍ଷା ଦ୍ୱାରା ସେ ଉଦ୍ଦେଶ୍ୟ ସାଧିତ ହେଉ ନାହିଁ । ଯେଉଁମାନେ ସ୍କୁଲ କଲେଜରେ ପଢ଼ି ଉତ୍ତୀର୍ଣ୍ଣ ହେଲେ ସେମାନେ ଚାକିରି ବ୍ୟତୀତ ଅନ୍ୟ କୌଣସି ଉପାୟରେ ଜୀବନ ସଂସ୍ଥାନ କରି ପାରିବାକୁ ଅକ୍ଷମ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କୃଷିମୂଳକ ଶିକ୍ଷା ଦିଆ ନ ଗଲେ ଏମାନେ ଚାକିରି ନ ପାଇ ଅସନ୍ତୁଷ୍ଟ ହେବା ବ୍ୟତୀତ ଅନ୍ୟ କ’ଣ କରିବେ ? ସୁତରାଂ ଅଭିଭାବକମାନେ ଏଣିକି ହଷ୍ଟିନ ଫେରାଇଲେ କଣ କରିବେ ? ଚାକିରି ଦ୍ଵାରା । କୌଣସି ଜାତି କେବେ ଉନ୍ମତ ହୋଇନାହିଁ, କି ହେବ ନାହିଁ । + + + ରାଜନୀତି ଶିକ୍ଷା ତ ସ୍କୁଲ କଲେଜରେ ପଢ଼ିବାର ମନା । ସାଧାରଣ ଲୋକଙ୍କ ମଧ୍ୟରେ ଶିକ୍ଷା ବିସ୍ତାରର କିଛି ମାତ୍ର ବିଧାନ ନାହିଁ, ଯେଉଁମାନେ ସରକାରୀ ଚାକିରିରେ ପଶିଲେ ସେମାନେ ତ ଗୋଟିଏ ସ୍ୱତନ୍ତ୍ର ଜାତି ହେଲେ, ସେମାନେ ତ ପୁଣି ଦେଶର ରାଜନୀତିଠାରୁ ଦୂରରେ ରହିବେ, ତେବେ ସଂସ୍କାର ଆଇନ ବିଧାନମତେ ରାମା ସାମା ଯାଇ କ’ଣ କରିବେ ? ରାଜନୀତି କ’ଣ ଏମାନେ ଜାଣନ୍ତି କି ? ରାଜନୀତି ପୁସ୍ତକ ତ ପୁଣି ଦେଶୀୟ ଭାଷାରେ ନାହିଁ । ପ୍ରାଥମିକ ଶିକ୍ଷାର ଅବସ୍ଥା ଅତି ଶୋଚନୀୟ-। ସୁତରାଂ ଦେଶରେ ଶିକ୍ଷା ପ୍ରଣାଳୀ ବଦଳିବା ନିତାନ୍ତ ଆବଶ୍ୟକ ।

 

ପ୍ରଚଳିତ ଶିକ୍ଷା ବିଧାନରେ ଚରିତ୍ରଗଠନ ଓ ଧର୍ମଶିକ୍ଷାର କୌଣସି ବ୍ୟବସ୍ଥା ନ ଥିବାରୁ ତାହା ବହୁ ସ୍ଥଳରେ ଆନ୍ତରିକତା, ଶ୍ରଦ୍ଧା ଓ ବିଶ୍ୱାସ ସୃଷ୍ଟିରେ ଅନ୍ତରାୟ ସୃଷ୍ଟି କରୁଥିବାରୁ ଜଗବନ୍ଧୁ ସିଂହ କହିଥିଲେ, “ବର୍ତ୍ତମାନ ଯେପରି ରୀତିରେ ଶିକ୍ଷା ଦିଆଯାଉଛି ତଦ୍ୱାରା ଚରିତ୍ର ଗଠନ ହେଉ ନାହିଁ ଏବଂ ଧର୍ମ ଶିକ୍ଷାର କିଛି ବ୍ୟବସ୍ଥା ନାହିଁ । କ୍ରମେ ଧର୍ମ ପ୍ରତି ଲୋକମାନଙ୍କର ଆସ୍ଥା ଊଣା ହୋଇଯାଉଛି । ଫଳରେ ପରସ୍ପର ମଧ୍ୟରେ ବିଶ୍ୱାସ ନାହିଁ, ପରସ୍ପର ମଧ୍ୟରେ ସ୍ନେହ ସହାନୁଭୂତି ନାହିଁ । ବ୍ୟକ୍ତିଗତ ସ୍ୱାତନ୍ତ୍ର୍ୟ ବୃଦ୍ଧି ହେଉଥିବାରୁ ଜାତୀୟ ଜୀବନର ବିକାଶ ହେଉ ନାହିଁ । ସ୍ୱଦେଶ ମମତା, ସୃଜାତି ମମତା ଜନ୍ମିବା ଭଳି ଶିକ୍ଷା ଏକାବେଳକେ ବିରଳ । ସ୍କୁଲ ଶିକ୍ଷା ଅପେକ୍ଷା ଜାତୀୟ ଶିକ୍ଷା ପ୍ରଚାର ନିତାନ୍ତ ଆବଶ୍ୟକ । ଗ୍ରାମେ ଗ୍ରାମେ ନୈଶ ବିଦ୍ୟାଳୟ ବସାଇ ଲୋକମାନଙ୍କୁ ସାଧାରଣ ଶିକ୍ଷା ଦିଆଯିବା ଆବଶ୍ୟକ । + + + ଛାତ୍ରମାନେ ଦିନରେ ମଜୁରି ଲାଗି କାର୍ଯ୍ୟ କରନ୍ତି, ସନ୍ଧ୍ୟାବେଳେ ଆସି ଏ ବିଦ୍ୟାଳୟରେ ପଢ଼ନ୍ତି । ଏ ପ୍ରକାର ବିଦ୍ୟାଳୟ ପ୍ରତି ଗ୍ରାମରେ ବସିଲେ ଜନସାଧାରଣଙ୍କର ବିଶେଷ ଉପକାର ହେବ ।”

 

ଜଗବନ୍ଧୁ ସିଂହ ତାଙ୍କର ସଭାପତିତ୍ୱ ଭାଷଣରେ ଏପରି ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଦେଶମିଶ୍ରଣ ଆନ୍ଦୋଳନର ଜଣେ ସୁଯୋଗ୍ୟ ସେନାପତିର ଦାୟିତ୍ୱ ନିର୍ବାହ ନିମନ୍ତେ ଆଗେଇ ଆସିଥିଲେ । ଦେଶମିଶ୍ରଣ ପାଇଁ ତାଙ୍କର ହୃଦୟ ଥିଲା ଆକୁଳିତ ତଥା ବ୍ୟାକୁଳିତ । ସେ ବୁଝିଥିଲେ “ସମଗ୍ର ଜାତି ହୃଦୟରୁ ଜାତୀୟ ଜୀବନ ସ୍ରୋତ ପ୍ରବାହିତ ନ ହେଲେ କିଛି କାର୍ଯ୍ୟ ହେବ ନାହିଁ । ସେଥିପାଇଁ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ ନିଜର ସାରସ୍ୱତ ସୃଷ୍ଟି ମଧ୍ୟରେ ଜାତୀୟତାଭାବ ଓ ସ୍ୱଦେଶ ପ୍ରାଣତାର ଅଲିଭା ମୁଦ୍ରାଙ୍କ ଛାଡ଼ି ସେ ୧୯୪୮ ମସିହା ମେ ମାସ ୧୭ ତାରିଖ ଦିନ ଇହଲୀଳା ସମ୍ବରଣ କରିବା ଦ୍ଵାରା ଉତ୍କଳ ଜନନୀ ତାର ଜଣେ କୃତବିଦ୍ୟା ସନ୍ତାନକୁ ସବୁଦିନ ପାଇଁ ହରାଇଲା ।

 

ଏହି କୃତବିଦ୍ୟା ଜାତୀୟ ପ୍ରାଣ ସନ୍ତାନ ଆଜି ପର୍ଯ୍ୟନ୍ତ ଲୋକଲୋଚନର ଅନ୍ତରାଳରେ ରହିବା ଓ ତାଙ୍କର ସମସ୍ତ ସାରସ୍ଵତ କୃତି ସଙ୍କଳିତ ନ ହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ-। ଏଥିପାଇଁ ଓଡ଼ିଶାବାସୀ ସତତ ସଚେତନ ହେଲେ ତାହା ସେହି ଅମର ଆତ୍ମା ପ୍ରତି ହେବ ବିନମ୍ର ଶ୍ରଦ୍ଧାଞ୍ଜଳି ।

 

ପ୍ରାଧ୍ୟାପକ, ଓଡ଼ିଆ ବିଭାଗ, ବ୍ରହ୍ମପୁର

ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର-୭୬୦୦୦୭

***

 

Unknown

ପ୍ରାବନ୍ଧିକ ଜଗବନ୍ଧୁ ସିଂହ

ବାଉରୀବନ୍ଧୁ କର

 

ବିଂଶ ଶତକରେ ଯେଉଁ କେତେଜଣ ବରେଣ୍ୟ ସାଧକ ନିଷ୍ଠାପର ଭାବରେ ପ୍ରବନ୍ଧ ରଚନା କରି ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଶ୍ରୀ ଓ ସୌଭାଗ୍ୟ ବୃଦ୍ଧିରେ ସହାୟତା କରିଥିଲେ, ସେମାନଙ୍କ ମଧ୍ୟରେ ଜଗବନ୍ଧୁ ସିଂହ ସ୍ମରଣୀୟ । ଭାରତର ପ୍ରାଚୀନ ପରମ୍ପରା, ମୂଲ୍ୟବୋଧ, ସଂସ୍କୃତି ଓ ଜାତୀୟ ଜୀବନକୁ ଭିତ୍ତି କରି ପ୍ରବନ୍ଧ ରଚନା କରିବାରେ ତାହାଙ୍କ ସ୍ୱାତନ୍ତ୍ର୍ୟ ବାରି ହୋଇପଡ଼େ । ଭାରତର ଅତୀତ ବିଭବ କାହାଣୀ ଗାନ କରି ପାଠକ ପ୍ରାଣରେ ଜନ୍ମଭୂମି ପ୍ରତି ଶ୍ରଦ୍ଧା ଓ ଆନ୍ତରିକତା ସୃଷ୍ଟି କରିବା ଥିଲା ତାଙ୍କ ପ୍ରବନ୍ଧ ରଚନାର ଲକ୍ଷ୍ୟ । ଇତିହାସ ଓ କିମ୍ବଦନ୍ତୀରୁ ଉଦାହରଣ ଦେଇ ପୂର୍ବପୁରୁଷଙ୍କ କୀର୍ତ୍ତି-ଭାସ୍କର ଆଲେଖ୍ୟ ବର୍ଣ୍ଣନା କରିବାରେ ସେ ଥିଲେ ପାରଙ୍ଗମ । ଯାହା ପ୍ରାଚୀନ ତାହା ଗ୍ରହଣୀୟ ଓ ଯାହା ପାଶ୍ଚାତ୍ୟ ଆମଦାନୀ ତାହା ପରିହାର ଯୋଗ୍ୟ– ଏଭଳି ଚିନ୍ତାଧାରାରେ ତାଙ୍କର ଥିଲା ଗଭୀର ବିଶ୍ୱାସ । ପୁଣ୍ୟ ଜନ୍ମଭୂମି ଭାରତର ଗୌରବମୟ ଅତୀତ ସହ ପାଠକକୁ ସୁପରିଚିତ କରାଇବାରେ ତାହାଙ୍କ ପ୍ରବନ୍ଧଗୁଡ଼ିକର ଭୂମିକା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ପୁନଶ୍ଚ ସ୍ୱଦେଶ ପ୍ରେମ ସହିତ ମାନବିକ ଆଦର୍ଶକୁ ସମନ୍ୱିତ କରି ଜୀବନର ମୂଲ୍ୟବୋଧ ସନ୍ଧାନରେ ତାଙ୍କର ପ୍ରବନ୍ଧଗୁଡ଼ିକୁ ପ୍ରଶଂସା ନ କରି ରହିହୁଏ ନାହିଁ ।

 

ଜଗବନ୍ଧୁ ସିଂହ (୧୮୭୬-୧୯୪୮) ବୃତ୍ତରେ ଥିଲେ ଜଣେ ଆଇନଜୀବୀ, ମାତ୍ର ସାରସ୍ୱତ ସେବା ଥିଲା ତାଙ୍କର ଜୀବନର ପବିତ୍ର ବ୍ରତ । ସେ ଯେଉଁ ସମୟରେ ଆଇନ ବ୍ୟବସାୟରେ ପ୍ରବେଶ କରିଥିଲେ ସେତେବେଳେ ଭାରତବର୍ଷ ଥିଲା ବ୍ରିଟିଶ ଶାସନାଧୀନ ଓ ସେତେବେଳେ ଓଡ଼ିଶା ପ୍ରଦେଶର ସ୍ୱତନ୍ତ୍ର ଅସ୍ତିତ୍ୱ ନଥିଲା । ଛିନ୍ନ ବିଚ୍ଛିନ୍ନ ହୋଇ ଓଡ଼ିଶାର କେତେକ ଅଞ୍ଚଳ ମାନ୍ଦ୍ରାଜରେ ଓ କେତେକ ବଙ୍ଗ ବିହାର ପ୍ରଦେଶାଧୀନ ଥିଲା । ବିଟିଶ ଶାସନକାଳୀନ ଭାରତବର୍ଷରେ ଆଇନଜୀବୀମାନେ ଜାତୀୟ ରାଜନୀତି, ସ୍ଵାଧୀନତା ସଂଗ୍ରାମ, ସାହିତ୍ୟ, ସଂସ୍କୃତି, ସମାଜସେବା ପ୍ରଭୃତି କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ କରିଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଉତ୍କଳଗୌରବ ମଧୁସୂଦନ, ପୁଣ୍ୟତ୍ମା ଉତ୍କଳମଣି ଗୋପବନ୍ଧୁ ଦାସ ସମସ୍ତେ ଥିଲେ ଆଇନଜୀବୀ ଯେଉଁମାନେ ଭାରତ ତଥା ଓଡ଼ିଶାର ନବଜାଗରଣରେ ବେଶ୍ ସହାୟତା କରିଥିଲେ । ଏମାନଙ୍କ ସହିତ ଜଗବନ୍ଧୁ ସିଂହ, ରାମଶଙ୍କର ରାୟ, ଗୋପାଳ ଚନ୍ଦ୍ର ପ୍ରହରାଜ, ଭିକାରୀ ଚରଣ ପଟ୍ଟନାୟକ, ତାରିଣୀ ଚରଣ ରଥ, ପଦ୍ମଚରଣ ପଟ୍ଟନାୟକ, ଚିନ୍ତାମଣି ଆଚାର୍ଯ୍ୟ, ବିରୂପାକ୍ଷ କର ପ୍ରମୁଖ ଏ ଜାତିର ସାମାଜିକ ଓ ସାଂସ୍କୃତିକ ପ୍ରଗତିରେ ଆପଣାର ସାଧ୍ୟମତେ ସହଯୋଗ କରିଥିଲେ ।

 

ଜଗବନ୍ଧୁ ସିଂହଙ୍କର ତତ୍କାଳୀନ ପ୍ରସଦ୍ଧ ପତ୍ରିକା ‘ଉତ୍କଳ ସାହିତ୍ୟ’, ‘ମୁକୁର’, ‘ସତ୍ୟବାଦୀ’ରେ ନିୟମିତ ଲେଖାମାନ ପ୍ରକାଶିତ ହେଉଥିଲା । ତାଙ୍କର ବେଦ, ଉପନିଷଦ, ସଂସ୍କୃତ ପୁରାଣ, ସ୍ମୃତିଶାସ୍ତ୍ର, ଭାରତୀୟ ଦର୍ଶନ, ଇତିହାସ ପ୍ରଭୃତିରେ ଗଭୀର ପ୍ରବେଶ ଥିଲା । ସେ ଥିଲେ ପ୍ରାଚୀବିଦ୍ୟାରେ ଧୂରୀଣ । ସେ ତାଙ୍କ ପ୍ରବନ୍ଧମାନଙ୍କରେ ଅତି ସରଳ ଭାବରେ ଏଇ ପ୍ରାଚ୍ୟବିଦ୍ୟାର ପ୍ରସାର କରିଛନ୍ତି । ସେ ଭଲ ଭାବରେ ବୁଝିଲେ ଯେ ଏକ ପରାଧୀନ ଜାତି ପ୍ରାଣରେ ଜାତୀୟ ଭାବଚେତନା ଜାଗ୍ରତ କରିବା ପାଇଁ ଆମର ଅତୀତ କୀର୍ତ୍ତିରାଜିକୁ ଭଲଭାବେ ଜାଣିବା ଅପରିହାର୍ଯ୍ୟ-। ସୁତରାଂ; ସେ ଅତୀତର ସ୍ମରଣୀୟ କବି, ବୀର, ରାଷ୍ଟ୍ରନାୟକମାନଙ୍କଠାରୁ ଆରମ୍ଭ କରି ପ୍ରାଚୀନ ଭାରତର ପରମ୍ପରା, ସଂସ୍କୃତି, ସାହିତ୍ୟ ଓ ସାମାଜିକ ଜୀବନର ଉପାଦେୟ ପ୍ରସଙ୍ଗମାନଙ୍କୁ ତାଙ୍କ ପ୍ରବନ୍ଧଗୁଡ଼ିକର ଭାବବସ୍ତୁ ରୂପେ ଗ୍ରହଣ କରିଛନ୍ତି ।

 

ଏକ ବୃହତ୍ତର ପଟ୍ଟଭୂମିରେ ଅନୁଶୀଳନ କଲେ ତାଙ୍କ ପ୍ରବନ୍ଧର ଭାବବସ୍ତୁକୁ ପାଞ୍ଚଭାଗରେ ବିଭାଜନ କରାଯାଇପାରିବ ।

 

(କ) ଜୀବନଚରିତ ମୂଳକ ପ୍ରବନ୍ଧ :

ପ୍ରାବନ୍ଧିକ ଜଗବନ୍ଧୁ ସିଂହ ଆମର ପ୍ରଥିତଯଶା କବି, ରାଜପୁରୁଷଙ୍କ ଜୀବନ ଚରିତକୁ ନେଇ ଯେଉଁସବୁ ଜୀବନ ଚରିତ ମୂଳକ ପ୍ରବନ୍ଧ ରଚନା କରିଛନ୍ତି ସେଗୁଡ଼ିକ ମଧ୍ୟରେ ‘ଜୟଦେବ’ (ସତ୍ୟବାଦୀ-୨/୫-୭), ‘ପ୍ରତାପରୁଦ୍ର’ (ସତ୍ୟବାଦୀ- ୪୪) ଦୁଇଟି ଉଚ୍ଚକୋଟୀର ପ୍ରବନ୍ଧ । ‘ଜୟଦେବ’ ପ୍ରବନ୍ଧଟି ୧୯୧୬ ମସିହାରେ ପ୍ରକାଶ ପାଇବା ପରେ ତାହାଙ୍କ ସାରସ୍ୱତ ଜୀବନୀ ନେଇ ପରବର୍ତ୍ତୀ ସମୟରେ ନାନା ଆଲୋଚନାର ସୂତ୍ରପାତ ହୋଇଥିଲା । ଏହା ପ୍ରକାଶ ପାଇବା ଅବସରରେ ସତ୍ୟବାଦୀ ପତ୍ରିକାର ସମ୍ପାଦକ ଗୋପବନ୍ଧୁ ଦାସ ଲେଖିଥିଲେ, “ଗୀତଗୋବିନ୍ଦର କବି ଜୟଦେବ ଉତ୍କଳବାସୀଙ୍କର ପରମ ପ୍ରିୟ ଏବଂ ପୂଜନୀୟ । ଉତ୍କଳର ଜନ ସାଧାରଣ ଜୟଦେବଙ୍କୁ ତାଙ୍କ ନିଜର ବୋଲି ଭାବନ୍ତି । ଜୟଦେବ ଓ ଗୀତଗୋବିନ୍ଦ ସମ୍ବନ୍ଧ ଯେ ସମସ୍ତ ପ୍ରବାଦ ଏ ଦେଶରେ ପ୍ରଚଳିତ ଅଛି ସେଥିରୁ ଜୟଦେବଙ୍କୁ ଓଡ଼ିଶାର ବୋଲି ଧରିବା ଅସଙ୍ଗତ ନୁହେଁ । ବଙ୍ଗାଳୀମାନେ ଜୟଦେବଙ୍କୁ ବଙ୍ଗବାସୀ ବୋଲି ସାବ୍ୟସ୍ତ କରିଅଛନ୍ତି । ଯାହା ବଡ଼, ଯାହା ସୁନ୍ଦର, ଯାହାର କିଛି ବିଶେଷତ୍ଵ ଅଛି ତାହାକୁ ନିଜର ବୋଲି ଦାବି କରିବା ମାନବର ଏକ ପ୍ରକାର ସହଜ ଧର୍ମ, ବଙ୍ଗାଳୀମାନଙ୍କଠାରେ ଟିକେ ଏ ଭାବଟା ଅତିମାତ୍ରାରେ ଘଟନା ବିଶେଷରେ ଦେଖାଦେଇଥାଏ । ତାହା ନ ହେଲେ କୋଣାର୍କ ମନ୍ଦିର ବଙ୍ଗାଳୀମାନଙ୍କ ଶିଳ୍ପକୌଶଳର ପରାକାଷ୍ଠା ବୋଲି ତତ୍କାଳୀନ ପ୍ରତ୍ନତତ୍ତ୍ୱବିତ୍ କନ୍ତେ କି ? ଓଡ଼ିଶାର ପ୍ରତ୍ନତତ୍ତ୍ୱ ଉଦ୍ଧାର ହୋଇନାହିଁ, ଓଡ଼ିଶାର ଇତିହାସ ଲେଖା ହୋଇନାହିଁ, ଓଡ଼ିଶାର ବିକ୍ଷିପ୍ତ ସାହିତ୍ୟ ସମ୍ପଦ ସଂଗୃହୀତ ହୋଇନାହିଁ, ଓଡ଼ିଶାର କଳାତତ୍ତ୍ୱ ପ୍ରକାଶ ପାଇ ନାହିଁ । ଯେଉଁଦିନ ଓଡ଼ିଶାର ଏସବୁ ଗୌରବ ପ୍ରକଟ ହେବ, ଅନେକ ନଷ୍ଟ ଧନର ପୁନରୁଦ୍ଧାର ହେବ, ଇତିହାସର ବହୁ ସମସ୍ୟା ସମାଧାନ ହେବ । ‘ଜୟଦେବ’ ପ୍ରବନ୍ଧର ଲେଖକ ତାଙ୍କ ସଂଗୃହୀତ କେତେଗୁଡ଼ିଏ ଉପାଦାନ ପାଠକମାନଙ୍କ ଆଲୋଚନା ନିମନ୍ତେ ପ୍ରବନ୍ଧରେ ସନ୍ନିବେଶ କରିଛନ୍ତି ମାତ୍ର । ଅନୁସନ୍ଧିତ୍ସୁ ପାଠକମାନେ ଏ ବିଷୟରେ ଉତ୍ତରୋତ୍ତର ଆଲୋଚନା କରିବେ ବୋଲି ମନେହୁଏ ।” (ସତ୍ୟବାଦୀ- ଦ୍ୱିତୀୟ ଖଣ୍ଡ- ୫ମ, ୬ଷ୍ଠ ଓ ୭ମ ସଂଖ୍ୟା- ପୃଷ୍ଠା-୧୫୭) ଏହି ପ୍ରବନ୍ଧରେ ପ୍ରାବନ୍ଧିକ ଜୟଦେବଙ୍କ ସମୟ, ପରିବାରର ପରିଚୟ, ଜୟଦେବ ଓ ଗୀତଗୋବିନ୍ଦ ସମ୍ପର୍କରେ କେତେକ ପ୍ରବାଦ ପ୍ରସଙ୍ଗରେ ଗଭୀର ଅନୁଶୀଳନ କରିଛନ୍ତି-। ଜୟଦେବଙ୍କୁ ଓଡ଼ିଶାର କବି ଭାବେ ଏଥିରେ ସେ ପ୍ରତିପାଦନ କରିଛନ୍ତି । ଯେଉଁ ସମୟରେ ଜୟଦେବଙ୍କ ଜୀବନଚରିତ ସମ୍ପର୍କରେ ବିଶେଷ କିଛି ଉପାଦାନ ନଥିଲା, ସେତିକିବେଳେ ବିଭିନ୍ନ ସୂତ୍ରରୁ ପ୍ରମାଣ ସଂଗ୍ରହ କରି ଏପରି ପ୍ରବନ୍ଧ ରଚନା ତାହାଙ୍କ ଗଭୀର ଅଧ୍ୟୟନର ସାର୍ଥକ ନିଦର୍ଶନ । ଜୟଦେବଙ୍କୁ ନେଇ ବଙ୍ଗୀୟ ଗବେଷକଗଣ ସେକାଳରେ ଯେଉଁ ବିଚାର ବିଭ୍ରାଟ ଚଳାଇଥିଲେ, ଏଥିରେ ପ୍ରାବନ୍ଧିକ ସେଗୁଡ଼ିକୁ ଦୃଢ଼ତାର ସହ ଖଣ୍ଡନ କରିଛନ୍ତି । ସେ ବଙ୍ଗଳାରେ ପ୍ରକାଶିତ ‘ନୀଳାଚଳ ଜଗନ୍ନାଥ ଓ ଚୈତନ୍ୟ’, ‘ଜୟଦେବ’ ନାଟକରେ ଜୟଦେବଙ୍କୁ ବଙ୍ଗୀୟ କବି ରୂପେ ପ୍ରମାଣ କରିବାର ଅପଚେଷ୍ଟାକୁ ତାଙ୍କ ପ୍ରବନ୍ଧରେ ଢେର ସମାଲୋଚନା କରିଛନ୍ତି । ପ୍ରାବନ୍ଧିକଙ୍କ ‘ଜୟଦେବ’ ପ୍ରବନ୍ଧର କିୟଦଂଶ ଏଠାରେ ତାଙ୍କ ଜୀବନଚରିତ ମୂଳକ ପ୍ରବନ୍ଧର ସ୍ୱରୂପ ଜାଣିବା ପାଇଁ ଦିଆଗଲା । ତାହା ଏହିପରି; “ଜୟଦେବ ନାମକ ଖଣ୍ଡିଏ ବଙ୍ଗଳା ନାଟକ ପ୍ରକାଶିତ ହୋଇଛି-। ଜୟଦେବଙ୍କୁ ବଙ୍ଗାଳୀ ପ୍ରମାଣ କରାଇବା ଲାଗି -ସେଥିରେ ଅଯଥା ଅନୈତିହାସିକ ମିଥ୍ୟା କଥାଗୁଡ଼ିଏ ସ୍ଥାନ ପାଇଥିବାର ଦେଖୁଛୁ । ପ୍ରଥମ ମିଥ୍ୟା ଲକ୍ଷ୍ମଣସେନଙ୍କ ପୁତ୍ର ହେମନ୍ତ । ଲକ୍ଷ୍ମଣସେନଙ୍କର ହେମନ୍ତ ବୋଲି କେହି ପୁଅ ନଥିଲେ । ଲକ୍ଷ୍ମଣସେନଙ୍କ ପୁଅ ବିଶ୍ଵରୂପ, କେଶବ, ମାଧବ । ହେମନ୍ତ ସେନ୍ ଥଲେ ସାମନ୍ତ ସେନ୍‌ଙ୍କର ପୁତ୍ର ଏବଂ ୧୦୨୬ ଖ୍ରୀଷ୍ଟାବ୍ଦରେ ରାଜତ୍ୱ କରିଥିଲେ । ଜୟଦେବଙ୍କୁ ଦ୍ଵାଦଶ ଶତାବ୍ଦୀର ଲୋକ ବୋଲି ଦତ୍ତ ମହାଶୟ ସ୍ଥିର କରିଛନ୍ତି । ତେବେ ସେ ହେମନ୍ତଙ୍କୁ କିପରି ବଞ୍ଚାଇ ଦେଲେ ବୋଲି ନାଟକ ରଚୟିତା ଲେଖିଛନ୍ତି ?” (ସତ୍ୟବାଦୀ- ଦ୍ୱିତୀୟ ଖଣ୍ଡ, ୫ମ, ୬ଷ୍ଠ ଓ ୭ମ ସଂଖ୍ୟା- ପୃଷ୍ଠା- ୧୬୧) ଏଥିରେ ସେ ରମେଶ ଚନ୍ଦ୍ର ଦତ୍ତଙ୍କ ମତ ଖଣ୍ଡନ ସହିତ ଜୟଦେବଙ୍କ ଓଡ଼ିଆତ୍ୱ ସମ୍ପର୍କରେ ଦୃଢ଼ ଯୁକ୍ତି ବାଢ଼ିଛନ୍ତି । ବିଂଶ ଶତକ ଆଦି ପର୍ଯ୍ୟାୟରେ ପ୍ରାବନ୍ଧିକ ଯେପରି ନିଷ୍ଠାର ସହିତ ଜୟଦେବଙ୍କ ଜୀବନୀ ସମ୍ପର୍କରେ ବହୁ ଅଜ୍ଞାତ ତଥ୍ୟ ଯୋଗାଇ ଦେଇଛନ୍ତି, ତାହା ତାଙ୍କର ସତ୍ୟ ନିଷ୍ଠା ମନର ସାର୍ଥକ ଅଭିବ୍ୟକ୍ତି ।

 

ଓଡ଼ିଶାର ଗଜପତି ପ୍ରତାପରୁଦ୍ରଙ୍କ ସମ୍ପର୍କରେ ତାହାଙ୍କ ‘ପ୍ରତାପରୁଦ୍ର ପ୍ରବନ୍ଧ ଏକ ଉଚ୍ଚକୋଟୀର ପ୍ରବନ୍ଧ । ଗଜପତି ପ୍ରତାପରୁଦ୍ରଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ସହିତ ସେ କିପରି ବୈଷ୍ଣବ ଧର୍ମର ପୋଷକତା କରିଥିଲେ ତାହା ଏଥିରେ ବର୍ଣ୍ଣିତ । ପ୍ରାବନ୍ଧିକଙ୍କ ମତରେ ଗଜପତି ପ୍ରତାପରୁଦ୍ର-। ବୈଷ୍ଣବଧର୍ମରେ ଦୀକ୍ଷିତ ହେବା ଦ୍ୱାରା ଓଡ଼ିଶାର ରାଜସିଂହାସନ ଗୈରିକ ବସନାବୃତ ହୋଇଥିଲା । ଏହି ପ୍ରବନ୍ଧରୁ ଶ୍ରୀଚୈତନ୍ୟ ପ୍ରବର୍ତ୍ତିତ ବୈଷ୍ଣବଧର୍ମ ସମ୍ପର୍କରେ କେତେକ ଉପାଦେୟ ତଥ୍ୟ ମିଳେ । - ଗଜପତି ପ୍ରତାପରୁଦ୍ରଙ୍କ ଜୀବନର ଅନେକ ଉଜ୍ଜ୍ୱଳ ଦିଗ ଏଥିରେ ହୋଇଛି ଉଦ୍‌ଘାଟିତ । ରାଜକର୍ମ ସହିତ ଦେଶପ୍ରେମର ଯେଉଁ ମଧୁର ସମ୍ବନ୍ଧ ପରିଲକ୍ଷିତ ତାହାକୁ ପ୍ରାବନ୍ଧିକ ଆମକୁ ଏଇ ପ୍ରବନ୍ଧରେ ଅବଗତ କରାଇଛନ୍ତି ।

 

ଜୀବନଚରିତ ମୂଳକ ପ୍ରବନ୍ଧଗୁଡ଼ିକରେ ସେ ଯଶସ୍ୱୀ ପୁରୁଷମାନଙ୍କ ଗୁଣ କୀର୍ତ୍ତନ କରିଛନ୍ତି-। ସେ ଭଲ ଭାବରେ ବୁଝିଥିଲେ ଯେ ଜାତିପ୍ରାଣରେ ନୂତନ ଶକ୍ତି ସଞ୍ଚାର ପାଇଁ ଅତୀତର ସୃତିଚାରଣ ଅପରିହାର୍ଯ୍ୟ ଓ ବୀରପୂଜା ଏକାନ୍ତ ଜରୁରୀ । ପୂର୍ବପୁରୁଷଙ୍କ ଯଶ ପୌରୁଷରୁ ଏ ଜାତି ଶିକ୍ଷାଲାଭ କରି ନୂତନ ପଥ ଅନୁସରଣ କରୁ ଓ ତା’ର ଜୀବନ ବୃହତ୍ତର ଚିନ୍ତା ସରିତରେ ଗତି କରୁ-। ଏପରି ଫଳାକାଂକ୍ଷା ନେଇ ସେ ଜୀବନଚରିତ ମୂଳକ ପ୍ରବନ୍ଧ ରଚନା କରିଥିଲେ ।

 

(ଖ) ଜାତୀୟ ଭାବ ଚେତନାଧର୍ମୀ ପ୍ରବନ୍ଧ :

ଜଗବନ୍ଧୁ ସିଂହ ଥିଲେ ଜାତୀୟତାର ପୂଜାରୀ । ବିଂଶଶତକର ଆଦିପାଦରେ ଜାତୀୟତା କହିଲେ ସ୍ୱଭୂମି ପ୍ରତି ଶ୍ରଦ୍ଧା, ଜାତୀୟ ଜୀବନ ପ୍ରତି ମମତା ଓ ଐତିହ୍ୟଚେତନାକୁ ବୁଝାଉଥିଲା । ତାଙ୍କର ଏହି ଧରଣର ଗ୍ରନ୍ଥ ଭାବେ ‘ପ୍ରାଚୀନ ଉତ୍କଳ’ ( ୧୯୨୯) ଗ୍ରହଣୀୟ । ଦେଶୀୟ ଇତିହାସ ମାଧ୍ୟମରେ ପାଠକ ପ୍ରାଣରେ ଜାତୀୟ ଜାଗରଣ ସୃଷ୍ଟି ଏହି ଗ୍ରନ୍ଥର ଲକ୍ଷ୍ୟ । ଏହି ପୁସ୍ତକର କିୟଦଂଶ ‘ସତ୍ୟବାଦୀ’ ପତ୍ରିକାରେ ଓ ପରେ ‘ମୁକୁର’ରେ ପ୍ରକାଶ ପାଇଥିବା ବେଳେ ବିଶିଷ୍ଟ ଲେଖକ ଫକୀରମୋହନ ସେନାପତି ତାଙ୍କୁ ଚିଠି ଲେଖି ଯଥେଷ୍ଟ ଉତ୍ସାହିତ କରିଥିଲେ । ଏ ସମ୍ପର୍କରେ ସେତେବେଳେ ଫକୀରମୋହନ ଯାହା ଲେଖିଥିଲେ ତାହା ଥିଲା ଏହିପରି, ଉତ୍କଳର ପ୍ରାଚୀନତ୍ୱରେ ପବିତ୍ରତାରେ, ବିଜ୍ଞାନ ଗୌରବରେ ମହିମାନ୍ୱିତ ହେଲେ ମଧ୍ୟ ବର୍ତ୍ତମାନ ଭାରତ ଅନ୍ୟଦେଶ ସମ୍ମୁଖରେ ଅବଜ୍ଞାତ । ଉତ୍କଳର ସେହି ପ୍ରାଚୀନ ଚିତ୍ର ଲୋକନେତ୍ର ସମ୍ମୁଖରେ ଉପସ୍ଥାପିତ କରାଇବା ପ୍ରତ୍ୟେକ ଯୋଗ୍ୟ ସନ୍ତାନ ପକ୍ଷରେ ନିତାନ୍ତ କର୍ତ୍ତବ୍ୟ । ମୋହର ପ୍ରକୃତ ବିଶ୍ୱାସ ଜନନୀ ଜନ୍ମଭୂମିର ଗୌରବ ସାଧାରଣରେ ପରିଚିତ କରାଇବା ସକାଶେ ଆପଣ ଗୋଟିଏ ଯୋଗ୍ୟ ସନ୍ତାନ ।” (ପ୍ରାଚୀନ ଉତ୍କଳଭୂମିକା ପୃଷ୍ଠା- ୨) ସେତେବେଳେ ଶଶିଭୂଷଣ ରାୟ, ଗୋପବନ୍ଧୁ ଦାସ, ବ୍ରଜସୁନ୍ଦର ଦାସ, କାମପାଳ ମିଶ୍ର, ନୀଳମଣି ବିଦ୍ୟାର, ଗୋପାଳ ଚନ୍ଦ୍ର ପ୍ରହରାଜ ପ୍ରମୁଖ ତାଙ୍କର ଏ ଧରଣର ଲେଖା ସକାଶେ ଉତ୍ସାହିତ କରିଥିଲେ । ଏହି ପୁସ୍ତକରେ ପ୍ରାବନ୍ଧିକ କେବଳ ଆମର ଅତୀତ ଇତିହାସର ଚର୍ଚ୍ଚା କରିନାହାନ୍ତି, ଅଧିକନ୍ତୁ ସେ ଜାତିର ଜୀବନନାଟକରେ ଘଟିଥିବା ଉତ୍ଥାନ-ପତନର ଚିତ୍ର ଆଙ୍କିଛନ୍ତି । ଏହି ଗ୍ରନ୍ଥରେ ସାହିତ୍ୟ ଇତିହାସ ସ୍ତରରେ ବିଚରଣ କରିଥିଲେ ସୁଦ୍ଧା ଏଥିରେ ତଦାନୀନ୍ତନ ସମାଜର ମାନବିକ ଆଦର୍ଶ ଓ ମୂଲ୍ୟବୋଧ ରହିଛି ।

 

‘ପ୍ରାଚୀନ ଉତ୍କଳ’ ପୁସ୍ତକରେ ସେ ଇତିହାସ ପରି କେବଳ ରାଜବଂଶର କ୍ରମ ଲିପିବଦ୍ଧ କରିନାହାନ୍ତି । ଏଥିରେ ଓଡ଼ିଆ ଜାତି ଓ ସମାଜର ଆଧ୍ୟାତ୍ମିକ ଅବବୋଧ, ବାଣିଜ୍ୟ କାରବାର, ବୀରତ୍ଵ, ସାମରିକ ଶକ୍ତି, ସାମାଜିକ ଚଳଣି, ଆଚାରଗତ ପବିତ୍ରତା, ଦାର୍ଶନିକ ଚିନ୍ତନ, ଶିଳ୍ପଶାସ୍ତ୍ର ଇତ୍ୟାଦି ସମ୍ପର୍କରେ ବହୁବିଧ ପ୍ରସଙ୍ଗର ଅବତାରଣା କରିଛନ୍ତି । ଇତିହାସ ତାଙ୍କ ପାଇଁ ନିର୍ଜୀବ ବସ୍ତୁ କିମ୍ବା ଅତୀତର ମୂକ ବିଗ୍ରହ ନୁହେଁ, ଏହା ମାନବିକ ଚିନ୍ତା ଓ ଶକ୍ତିର ଉତ୍ସ । ସେଥିସକାଶେ କାର୍ଲାଇଲ. କହନ୍ତି, ‘‘History is the first distinct product of man’s spiritual nature, his earliest expression of what can be called thought: ‘ପ୍ରାଚୀନ ଉତ୍କଳ’ ଗ୍ରନ୍ଥଟି ପାଠ କଲେ ନାଟକର ଦୃଶ୍ୟ ଦେଖିବା ପରି ଅତୀତ ଉତ୍କଳର କୀର୍ତ୍ତିରାଜି ଆମ ଆଗରେ ନାଚିଉଠେ । ଏଥିରେ ସେ ବିଭିନ୍ନ ସ୍ଥାନର ସାଂସ୍କୃତିକ ମହତ୍ତ୍ୱ ଓ ଐତିହାସିକ ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସୂଚନା । ଦେଇଛନ୍ତି ।

 

ପ୍ରାବନ୍ଧିକ ଯେଉଁ ସମୟରେ ଏଭଳି ଜାତିର ଇତିବୃତ୍ତ ଲେଖିଥିଲେ ସେତେବେଳେ ଉତ୍କଳ ଥିଲା ପରାଧୀନ । ଏ ଜାତିର ତରୁଣମାନଙ୍କୁ ଉଦ୍‍ବୋଧନ ଦେବା ସକାଶେ ଏ ପ୍ରକାର ରଚନାର ଥିଲା ଯଥେଷ୍ଟ ଆବଶ୍ୟକତା । ଜାତିର ଘଟଣାବହୁଳ ଅତୀତରୁ ଶିକ୍ଷାଲାଭ କରି ଆମର ଯୁବକମାନେ କର୍ମନିଷ୍ଠ ହୁଅନ୍ତୁ, ଏହାହିଁ ଥିଲା ତାହାଙ୍କ ‘ପ୍ରାଚୀନ ଉତ୍କଳ’ ଗ୍ରନ୍ଥର ଆଭିମୁଖ୍ୟ । ସେତେବେଳେ ବଙ୍ଗଳା ସାହିତ୍ୟରେ ଏପରି ଲେଖା ମଧ୍ୟ ଲେଖାଯାଉଥିଲା । ରବୀନ୍ଦ୍ରନାଥ ଠାକୁରଙ୍କ ‘ଭାରତବର୍ଷର ଇତିହାସ ଧାରା’ (୧୯୧୧) ପୁସ୍ତକକୁ ଏହି ଧରଣର ଉଚ୍ଚକୋଟୀର ପୁସ୍ତକ ରୂପେ ଗ୍ରହଣ କରାଯାଇପାରେ । ‘ସାଧନା’ (୧୮୯୧) ପତ୍ରିକାରେ ଏହି ଧରଣର ଲେଖା ଅକ୍ଷୟକୁମାର ମୈତ୍ରେୟ (୧୮୬୧-୧୯୩୦) ଲେଖି ତତ୍କାଳରେ ବଙ୍ଗଳା ପାଠକମାନଙ୍କର ଅଶେଷ ପ୍ରୀତିଭାଜନ ହୋଇଥିଲେ । ସୁତରା; ସମୟର ଆହ୍ୱାନରେ ଆମର ପ୍ରାବନ୍ଧିକ ଜଗବନ୍ଧୁ ସିଂହ ଏପରି ପ୍ରବନ୍ଧ ରଚନାରୁ ବିରତ ହୁଅନ୍ତେ କିପରି ?

 

(ଗ) ଦାର୍ଶନିକ ପ୍ରବନ୍ଧ:

ପ୍ରାବନ୍ଧିକ ଜଗବନ୍ଧୁ ସିଂହଙ୍କର ଦର୍ଶନ ଶାସ୍ତ୍ରରେ ଗଭୀର ବ୍ୟୁପ୍ତତ୍ତି ଥିଲା । ସେ ଭାରତୀୟ ଦର୍ଶନ ଶାସ୍ତ୍ରକୁ ଭଲ ରୂପେ ଅଧ୍ୟୟନ କରିଥିଲେ । ବିଶେଷ କରି ଭାରତୀୟ ଦର୍ଶନର କର୍ମବାଦ ସମ୍ପର୍କରେ ସେ ବହୁ ପ୍ରସଙ୍ଗ କରିଥିଲେ ଅନୁଶୀଳନ । ସେ ଦର୍ଶନକୁ ଆତ୍ମଜିଜ୍ଞାସା ଓ ଜୀବନର ନୈତିକ କ୍ରମ ଭାବରେ ଗ୍ରହଣ କରିଥିଲେ । ପୁଣି ସେ ଶ୍ରୀମଦ୍ ଭଗବଦ୍ ଗୀତାର ଦର୍ଶନକୁ ବେଶ୍ ଶ୍ରଦ୍ଧାର ସହ ଜୀବନରେ ଅଭ୍ୟାସ କରିବା ବାଞ୍ଛନୀୟ ବୋଲି କହୁଥିଲେ । ସେ ‘କର୍ମଫଳ’ ( ୧୫ଶ ଭାଗ- ୬ଷ୍ଠ ଓ ୭ମ ସଂଖ୍ୟାରେ ପ୍ରକାଶିତ), ‘ଧର୍ମବଳ’ (ମୁକୁର-ନବମ ବର୍ଷ ତୃତୀୟ ସଂଖ୍ୟାରେ ଆରମ୍ଭ ହୋଇ ଧାରାବାହିକ ପ୍ରକାଶିତ) ନାମରେ ଦୁଇଟି ଦୀର୍ଘ ଦାର୍ଶନିକ ପ୍ରବନ୍ଧ ଲେଖିଥିଲେ । ଏହି ପ୍ରବନ୍ଧ ଦ୍ଵାୟରେ ସେ ଭାରତୀୟ ଦାର୍ଶନିକ ପରମ୍ପରାରେ ମଣିଷର କର୍ମ ଓ ଧର୍ମକୁ ବିଚାର-ଆଲୋଚନା କରିଛନ୍ତି । କର୍ମସଂସ୍କୃତି ମଣିଷକୁ କିପରି ନୀତିନିଷ୍ଠ କରେ ଓ ସୁସ୍ଥ ଜୀବନଯାପନରେ ସହାୟତା କରେ ସେ ସମ୍ପର୍କରେ ଲେଖକ ଗୀତାର ‘କର୍ମଯୋଗ’କୁ ଅନୁସରଣ କରି ଲେଖିଛନ୍ତି, ‘କର୍ମଫଳ’ ପ୍ରବନ୍ଧ । ସେହିପରି ଗୀତର ‘ଭକ୍ତିଯୋଗ’ ହେଉଛି ‘ଧର୍ମବଳ’ ପ୍ରବନ୍ଧର ମୂଳ ପ୍ରେରଣା । ଭାରତୀୟ ଦର୍ଶନର ଗୁଢ଼ ରହସ୍ୟକୁ ଆଧାର କରି ଏହି ପ୍ରବନ୍ଧ ଦ୍ୱୟ ରଚିତ ହୋଇଥିଲେ ସୁଦ୍ଧା ଏଥିରେ ପ୍ରାବନ୍ଧିକ ଅତି ସରଳ ଓ ସାବଲୀଳ ଭାଷାରେ ଜୀବନରେ କର୍ମର ଉପାଦେୟତା ଓ ଧର୍ମର ବ୍ୟାପକତା ଏଥିରେ ପ୍ରକାଶ କରିଛନ୍ତି ।

 

ଜଗବନ୍ଧୁ ସିଂହ ଓଡ଼ିଆରେ ଦାର୍ଶନିକ ଚିନ୍ତା ଆଧାରିତ ପ୍ରବନ୍ଧ ଲେଖିବା ପୂର୍ବରୁ କେବଳ ଫକୀରମୋହନ ସେନାପତି ‘ଯୋଗଶାସ୍ତ୍ର’ ଶୀର୍ଷକ ଦୀର୍ଘ ଦାର୍ଶନିକ ପ୍ରବନ୍ଧ ଲେଖୁଥିଲେ । ଏ ସମୟକୁ ମୋହିନୀ ମୋହନ ବିପିନବିହାରୀ ରାୟ, ରତ୍ନାକର ପ୍ରତି କେହି ପ୍ରବନ୍ଧ ରଚନାରେ ମନୋନିବେଶ କରିନଥିଲେ । ସେତେବେଳେ ବଙ୍ଗଳାରେ କତିପୟ ଲେଖକ ଦାର୍ଶନିକ ପ୍ରବନ୍ଧ ରଚନା କରିଥିଲେ । ତତ୍କାଳରେ ବଙ୍ଗଳା ପ୍ରବନ୍ଧ ସାହିତ୍ୟରେ ଏପରି ଦାର୍ଶନିକ ପ୍ରବନ୍ଧ ପ୍ରତି ପାଠକମାନଙ୍କର ଯଥେଷ୍ଟ ଶ୍ରଦ୍ଧା ଥିଲା । ବଙ୍ଗଳା ସାହିତ୍ୟରେ ଉମେଶଚନ୍ଦ୍ର ବଟବ୍ୟାଲ (୧୮୫୨ -୧୮୯୮)ଙ୍କ ‘ସାଂଖ୍ୟ ଦର୍ଶନ’, ରାମେନ୍ଦ୍ର ସୁନ୍ଦର ତ୍ରିବେଦୀ ( ୧୮୬୪-୧୯୧୯)ଙ୍କ ‘ଜିଜ୍ଞାସା’ (୧୯୦୩), ‘କର୍ମକଥା’ (୧୯୧୩) ଏ ଧରଣର ପ୍ରସିଦ୍ଧ ରଚନା । ଜଗବନ୍ଧୁ ସିଂହଙ୍କ ‘କର୍ମଫଳ’ ପ୍ରବନ୍ଧଟି ରାମେନ୍ଦ୍ର ସୁନ୍ଦର ତ୍ରିବେଦୀଙ୍କ ‘କର୍ମକଥା’ ପ୍ରବନ୍ଧର ଅନୁରୂପ । ଭାରତୀୟ ଦର୍ଶନର କର୍ମବାଦ (Law of Karma) ଉପରେ ଏହା ଆଧାରିତ । ସେ କର୍ମର ସ୍ୱରୂପ, କର୍ମର ପରିସର, ପୁରୁଷକାର ସହ କର୍ମର ସମ୍ପର୍କ ଏଥିରେ ନିରୂପଣ କରିବା ସହିତ ଭାରତର କେତେକ ବିଶିଷ୍ଟ ମନୀଷୀଙ୍କ କର୍ମମୟ ଜୀବନରୁ ଏ ପ୍ରସଙ୍ଗରେ ଦୃଷ୍ଟାନ୍ତ ଦେଇଛନ୍ତି । ଏ ପ୍ରବନ୍ଧଟି ପାଠକଲେ ମଣିଷ ଭଲକର୍ମ କଲେ ଭଲ ଫଳ ଭୋଗ କରିବ ଓ ଖରାପ କର୍ମକଲେ ଅବଶ୍ୟ ଖରାପ ଫଳ ପାଇବ ଏକଥାଟି ବୁଝାପଡ଼େ । ଏକ ଶିକ୍ଷାପ୍ରଦ ଜୀବନ ଉପଯୋଗୀ ପ୍ରବନ୍ଧ ରୂପେ ଏହାର ଉପାଦେୟତା ଅନସ୍ୱୀକାର୍ଯ୍ୟ ।

 

‘ଧର୍ମବଳ ପ୍ରବନ୍ଧଟିର ‘କର୍ମଫଳ ପ୍ରବନ୍ଧ ସହିତ ଘନିଷ୍ଠ ସମ୍ପର୍କ ରହିଛି । ସେ ପବିତ୍ର କର୍ମଭାବନା ଓ ସତକର୍ମକୁ ଧର୍ମରୂପେ ବିବେଚନା କରୁଥିଲେ । ମଣିଷ ଯେଉଁ ପରିମାଣରେ ସତ୍‍କର୍ମରେ ମନୋନିବେଶ କରିବ, ତା’ର ସେହି ଅନୁପାତରେ ଧର୍ମବଳ ବୃଦ୍ଧି ପାଇବ । ସେ ଧର୍ମୀୟ ସହାବସ୍ଥାନ ଉପରେ ଏହି ପ୍ରବନ୍ଧରେ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ଧର୍ମ ସମ୍ପ୍ରଦାୟ ମଧ୍ୟରେ ଯେଉଁ ସାମ୍ୟ ବିଦ୍ୟମାନ, ତା’ର ସୂଚନା ଏହି ପ୍ରବନ୍ଧରେ ପ୍ରଦତ୍ତ । ବାହ୍ୟ ଦୃଷ୍ଟିରୁ ଗୋଟିଏ ଧର୍ମ ଅନ୍ୟଧର୍ମଠାରୁ ଭିନ୍ନ ମନେ ହେଲେ ସୁଦ୍ଧା ସବୁଧର୍ମର ଲକ୍ଷ୍ୟ ହେଉଛି ମାନବକଲ୍ୟାଣ । ସମାଜରୁ ଭେଦଭାବ ଓ ଜାତିଗତ ସଂକୀର୍ଣ୍ଣତା ଦୂର କରିବାରେ ଧର୍ମ ସହାୟକ ହୁଏ ବୋଲି ପ୍ରାବନ୍ଧିକଙ୍କର ବିଶ୍ୱାସ ଥିଲା । ସେ ତାହାଙ୍କ ‘ଧର୍ମବଳ’ ପ୍ରବନ୍ଧରେ ଧର୍ମକୁ ମାନବିକ କରୁଣା, ମୈତ୍ରୀବନ୍ଧନର ପ୍ରକୃଷ୍ଟ ପରିଚାୟକ ରୂପେ ଗ୍ରହଣ କରିଥିଲେ ।

 

ପ୍ରାବନ୍ଧିକ ତାଙ୍କର ଦାର୍ଶନିକ ପ୍ରବନ୍ଧ ଦ୍ଵୟରେ ଦର୍ଶନ ତାତ୍ତ୍ୱିକ ତର୍ଜମା କରିନାହାନ୍ତି । ସେ କେବଳ ଏଥିରେ ଦର୍ଶନର ଆଚରଣ ଗତ ସ୍ଵାତନ୍ତ୍ର୍ୟ ସମ୍ପର୍କରେ ଆମକୁ ବୁଝାଇ ଦେଇଛନ୍ତି । ମଣିଷର କର୍ମନିଷ୍ଠା, ଶୁଭ ଆଚରଣ ତାକୁ ଜୀବନର ପ୍ରକୃତ ମୂଲ୍ୟବୋଧକୁ ବୁଝିବାରେ ସାହାଯ୍ୟ କରେ । ତେଣୁ ଦର୍ଶନ ଜାଗତିକ ଜୀବନର ଅଜ୍ଞାନତା ଦୂର କରିବାରେ ସହଯୋଗ କରିବା ସହିତ ମଣିଷକୁ ନୈତିକ ଓ ଆଦର୍ଶମାର୍ଗରେ ଧାବମାନ ହେବା ପାଇଁ ପ୍ରେରଣା ପ୍ରଦାନ କରେ ।

 

(ଘ) ପ୍ରାଚୀନ ଭାରତର ସାହିତ୍ୟ ଓ ସଂସ୍କୃତି ବିଷୟକ ପ୍ରବନ୍ଧ :

ପ୍ରାବନ୍ଧିକ ଜଗବନ୍ଧୁ ସିଂହଙ୍କର ପ୍ରାଚୀନ ଭାରତର ସାହିତ୍ୟ ଓ ସଂସ୍କୃତି ପ୍ରତି ସ୍ୱତନ୍ତ୍ର ଅନୁରାଗ ଥିଲା । ଅତୀତର ଦର୍ପଣରେ ଜୀବନକୁ ଦେଖିବା ପାଇଁ ଓ ଆମ ସନାତନ ସଂସ୍କୃତିର ସ୍ଵରୂପ ସମ୍ପକରେ ଅବଗତ ହେବାପାଇଁ ତାଙ୍କର ଥିଲା ଅସୀମ ଆଗ୍ରହ । ତାଙ୍କର ପ୍ରାଚୀନ ସଂସ୍କୃତି, ସାହିତ୍ୟ, ଆଦର୍ଶ, ପରମ୍ପରା ପ୍ରତି ଏକ ଆବେଗିକ ସମ୍ପର୍କ ଥିଲା । ଏ ସମ୍ପର୍କରେ ପୂର୍ବରୁ କୁହାଯାଇଛି ଯେ ଯାହା ପ୍ରାଚୀନ, ତାହା ପ୍ରତି ତାଙ୍କର ଥିଲା ଅହେତୁକ ଆନ୍ତରିକତା । ଏଥିସହିତ ପ୍ରାଚୀନ ଭାରତର ସାହିତ୍ୟ ମଧ୍ୟରେ ସେ ସକଳ ମୂଲ୍ୟବୋଧ ଓ ଆଦର୍ଶର ସନ୍ଧାନ କରିଥିଲେ । ଏହାକୁ ସେ ଭାରତର ସ୍ଥିତିବାନ ସମ୍ପତ୍ତି ରୂପେ ବିବେଚନା କରୁଥିଲେ । ଏହାର ସାହିତ୍ୟ ଏକଦା ବିଶ୍ୱରେ ପ୍ରସିଦ୍ଧି ଅର୍ଜିଥିଲା ଓ ଏହାଥିଲା ଭାରତୀୟ ସଭ୍ୟତାର ସାର୍ଥକ ପ୍ରତିନିଧି । ଏ ସମ୍ପର୍କରେ ସୂଚନା ପ୍ରଦାନ ପୂର୍ବକ ସେ କହନ୍ତି; ‘ଦିନେ ଭାରତ ଯେ ସଭ୍ୟତାର ଅତ୍ୟୁଚ୍ଚ ସୋପାନରେ ଆସୀନ ଥିଲା, ଏହା କେହି ଅସ୍ୱୀକାର କରି ପାରିବେ ନାହିଁ । କି ପ୍ରାଚ୍ୟ, କି ପାଶ୍ଚାତ୍ୟ ଉଭୟ ଶ୍ରେଣୀର ପଣ୍ଡିତଗଣ ଏକଥା ମୁକ୍ତ କଣ୍ଡରେ ବାରମ୍ବାର କହିଅଛନ୍ତି । ଭାରତର ଅନ୍ୟାନ୍ୟ ପ୍ରାଚୀନ ବିଭବ ମଧ୍ୟରେ ସାହିତ୍ୟ ଗୋଟିଏ ଉକୃଷ୍ଟ ବିଭବ । ଏହି ସାହିତ୍ୟ ସମ୍ପତ୍ତି ପ୍ରାଚୀନ ଭାରତର ପ୍ରତିଷ୍ଠା ବିଷୟରେ ପ୍ରଧାନ ନିଦର୍ଶନ । ଭାରତ ଦିନେ ପୃଥିବୀରେ ଅତ୍ୟୁଚ୍ଚ ସ୍ଥାନ ଅଧିକାର କରିଥିଲା, ମାତ୍ର ତାହାର ପ୍ରମାଣ କେଉଁଠାରେ ? ତହିଁରେ ପ୍ରଚୁର ପ୍ରମାଣ ସାହିତ୍ୟ ଗର୍ଭରେ ନିହିତ ଅଛି । ସେଦିନ ଗଲାଣି, କେତେକେତେ କାଳ ବାତ୍ୟା ଭାରତ ବକ୍ଷେପରି ପ୍ରବାହିତ ହୋଇ ଗଲାଣି । କଂଗା ଗଢ଼ା ପ୍ରକୃତିର ନିୟମ । ଭାରତ ଏ ନିୟମର ବହିର୍ଭୂତ ନୁହେଁ । ଭାରତର ସମସ୍ତ ସମ୍ପଦ ଲୁପ୍ତ ହୋଇଅଛି-। ତଥାପି ଯାହାକିଛି ଅବଶିଷ୍ଟ ଅଛି, ତାହା ମଧ୍ୟ ଅତୀତ ଗୌରବର ସାକ୍ଷୀ । ଭାରତୀୟ ସାହିତ୍ୟ ନିକଟରେ ପୃଥିବୀର ଅନ୍ୟାନ୍ୟ ସମସ୍ତ ସଭ୍ୟ ଜଗତ ନତମସ୍ତକ ।’’ (ଉତ୍କଳ ସାହିତ୍ୟ ୨ ୧/୪-ପୃଷ୍ଠା-୧୬୫) ପ୍ରାବନ୍ଧିକ ଭାରତର ପ୍ରାଚୀନ ସାହିତ୍ୟ ଭିତରେ ଜୀବନର ଯେଉଁ ସନାତନ ସ୍ରୋତ ପ୍ରବାହିତ ତାହାକୁ ଏଥିରେ ଦେଖାଇବାକୁ ଭୁଲି ନାହାନ୍ତି । ଜୀବେଦୟା ମାନବିକ କରୁଣା, ସତ୍ୟ-ଶିବ-ସୁନ୍ଦରର ଉପାସନା ଓ ବିଶ୍ୱ ମୈତ୍ରୀବୋଧ ଏହି ସନାତନ ସ୍ରୋତର ବୈଶିଷ୍ଟ୍ୟ ।

 

‘ପ୍ରାଚୀନ ଭାରତର ସାହିତ୍ୟ ସମ୍ପତ୍ତି’ ଏକ ଦୀର୍ଘ ପ୍ରବନ୍ଧ । ଏହା ବର୍ଷାଧିକ ସମୟ ଧରି ‘ଉତ୍କଳ ସାହିତ୍ୟ’ ପୃଷ୍ଠାରେ ହୋଇଥିଲା ପ୍ରକାଶିତ । ଏଥିରେ ପ୍ରାବନ୍ଧିକ ଭାରତର ପ୍ରସିଦ୍ଧ ଲେଖକ ଓ ସେମାନଙ୍କ ରଚନାବଳୀ ସମ୍ପର୍କରେ କେତେକ ଉପାଦେୟ ପ୍ରସଙ୍ଗ ଅବତାରଣା କରିଛନ୍ତି । ସେ ସାହିତ୍ୟିକମାନଙ୍କ ସମ୍ପର୍କରେ ଆଲୋଚନା ବେଳେ ସାହିତ୍ୟ-ପୃଷ୍ଠପୋଷକମାନଙ୍କୁ ସମୁଚିତ ସମ୍ମାନ ପ୍ରଦର୍ଶନ କରିବାକୁ ଭୁଲି ନାହାନ୍ତି । ସେ କବିମାନଙ୍କ ପ୍ରସଙ୍ଗ ଅବତାରଣା କାଳିଦାସଙ୍କଠାରୁ ଆରମ୍ଭ କରିଛନ୍ତି । କାଳିଦାସ ପ୍ରସଙ୍ଗ ଆଲୋଚନା କଲାବେଳେ ସେ ଭୁଲିନାହାନ୍ତି ରାଜଚକ୍ରବର୍ତ୍ତୀ ବିକ୍ରମାଦିତ୍ୟଙ୍କୁ । ସେ କାଳିଦାସ ଓ ବିକ୍ରମାଦିତ୍ୟ ଉଭୟ ନାମର ଚମତ୍କାର ବିଶ୍ଳେଷଣ କରିଛନ୍ତି ଏହି ପ୍ରବନ୍ଧରେ । ପ୍ରାବନ୍ଧିକ କବିମାନଙ୍କୁ ପୃଷ୍ଠପୋଷକତା କରୁଥିବା ରାଜାମାନଙ୍କୁ ‘ବିକ୍ରମାଦିତ୍ୟ’ ଓ କବି ଅର୍ଥରେ ‘କାଳିଦାସ’ଙ୍କୁ ଗ୍ରହଣ କରିଥିଲେ । ସେ କହନ୍ତି; ପ୍ରାଚୀନ ଭାରତବର୍ଷରେ ଅନେକ କାଳିଦାସ ଓ ଅନେକ ବିକ୍ରମାଦିତ୍ୟ ଥିଲେ । ଟିକିଏ ଅନୁସନ୍ଧାନ କଲେ ଜଣାଯାଏ ଯେ ବିକ୍ରମାଦିତ୍ୟ ଅର୍ଥ ‘କ୍ଷମତାଶାଳୀ ରାଜ ଚକ୍ରବର୍ତ୍ତୀ’ ଓ କାଳିଦାସ ଅର୍ଥ କବି । ରାଜାମାନଙ୍କ ମଧ୍ୟରେ ଯେ ଗୋଟାଏ କ୍ଷମତାଶାଳୀ ହେଲା, ସେ ଆପଣାକୁ ବିକ୍ରମାଦିତ୍ୟ ବୋଲି ପରିଚୟ ଦେଉଥିଲା । ଆଜିକାଲି ମଧ୍ୟ ସ୍ତାବକମାନେ ରାଜା ମହାରାଜାଙ୍କ ଗୁଣ କୀର୍ତ୍ତନ କରିବାକୁ ଯାଇ ସେମାନଙ୍କୁ ବିକ୍ରମାଦିତ୍ୟ ବୋଲି ସମ୍ବୋଧନ କରନ୍ତି ଏବଂ କଥାକଥାକେ ଲୋକମାନେ କବିମାନଙ୍କୁ ‘କବି କାଳିଦାସ’ ଆଖ୍ୟା ଦେଇଥାନ୍ତି । ସୁତରାଂ ଏହିପରି ଅନେକ ବିକ୍ରମାଦିତ୍ୟ ଓ ଅନେକ କାଳିଦାସ ଥାଇ ପାରନ୍ତି । (ଉତ୍କଳ ସାହିତ୍ୟ ୨୧/୫ ପୃଷ୍ଠା- ୨ ୨ ୨) ଏଥିରୁ କବି ଓ କାବ୍ୟ ରସିକ ରାଜାମାନେ ପ୍ରାଚୀନ କାଳରେ କେତେ ସମ୍ମାନର ଅଧିକାରୀ ଥିଲେ ସହଜରେ ଅବଧାରଣା କରିହୁଏ । ପ୍ରାବନ୍ଧିକ ଏହି ପ୍ରବନ୍ଧରେ ଆମର ସମୃଦ୍ଧ ସଂସ୍କୃତ ସାହିତ୍ୟ ସମ୍ପର୍କରେ ଗଭୀର ଅନୁଶୀଳନ କରିଛନ୍ତି । ପ୍ରବନ୍ଧରେ ଆମର ସମୃଦ୍ଧ ସଂସ୍କୃତ ସାହିତ୍ୟ ସମ୍ପର୍କରେ ଗଭୀର ଅନୁଶୀଳନ କରିଛନ୍ତି । ପ୍ରବନ୍ଧଟିରୁ ପ୍ରାବନ୍ଧିକଙ୍କ ସାହିତ୍ୟାନୁରାଗ, ଭାରତୀୟ ସଂସ୍କୃତି ପ୍ରତି ଶ୍ରଦ୍ଧା, ବହୁଶାସ୍ତ୍ର ଦର୍ଶିତା ଓ ଉନ୍ନତ ରୁଚିବୋଧର ପରିଚୟ ମିଳେ । ସେ ଏହି ପ୍ରବନ୍ଧରେ ବିଶିଷ୍ଟ ପ୍ରାଚୀ ବିଦ୍ୟା ବିଶାରଦ ମାକ୍ସମୁଲାରଙ୍କ ମତକୁ କେତେକ ସ୍ଥଳରେ ଖଣ୍ଡନ କରିବାରୁ ବିରତ ହୋଇନାହାନ୍ତି । ଏହି ପ୍ରବନ୍ଧଟି ପାଠକଲେ ପ୍ରାବନ୍ଧିକଙ୍କ ସଂସ୍କୃତ ଜ୍ଞାନକୁ ପ୍ରଶଂସା ନକରି ରହିହୁଏ ନାହିଁ ।

 

(ଙ) ବିଭିନ୍ନ ବିଷୟକ ପ୍ରବନ୍ଧ : -

ପ୍ରାବନ୍ଧିକ ଜଗବନ୍ଧୁ ସିଂହ ଥିଲେ ଜଣେ ଅନର୍ଗଳ ପ୍ରବନ୍ଧ ଲେଖକ । ସେ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ପ୍ରବନ୍ଧ ଲେଖିଛନ୍ତି ଯାହା ପତ୍ର ପତ୍ରିକା ପୃଷ୍ଠାରେ ଦେଖିବାକୁ ମିଳେ । ତାଙ୍କର ବାକ୍ତୃତାମାନ ମଧ୍ୟ ପ୍ରବନ୍ଧ ଆକାରରେ ପ୍ରକାଶିତ । ଏସବୁ ପ୍ରବନ୍ଧମାନଙ୍କ ମଧ୍ୟରେ ‘ସାକ୍ଷୀ’ (ମୁକୁର୧୦/୭), ‘ସମବାୟ ପତ୍ୟାରା ସମିତି (ମୁକୁର-୧୦/୧୧-୧୨), ‘ଉତ୍କଳର ଗୃହ ଲକ୍ଷ୍ମୀ’ ପୁସ୍ତକ, ‘ପ୍ରବନ୍ଧ ସାର’ ପୁସ୍ତକକୁ ଆଲୋଚନା ପରିସରଭୁକ୍ତ କରାଯାଇପାରେ । ତାଙ୍କ ଉଦ୍‍ବୋଧନ ଧର୍ମୀ ବସ୍ତୃତା ପାଠକକୁ ଆକୃଷ୍ଟ କରେ । ତାଙ୍କର ଏ ଧରଣର ବକୃତା ଭାବରେ ଉତ୍କଳ ସାହିତ୍ୟ ସମାଜରେ ୩/୧୨/୧୯୩୦ ରେ ଦେଇଥିବା ସଭାପତି ଅଭିଭାଷଣ ଉଲ୍ଲେଖଯୋଗ୍ୟ । (ଏହାର ଲିଖିତ ରୂପ ଉତ୍କଳ ସାହିତ୍ୟ-୩୪ଶ ଭାଗ / ୮ ସଂଖ୍ୟାରେ ପ୍ରକାଶିତ)

 

ପ୍ରାବନ୍ଧିକ ଜଗବନ୍ଧୁ ସିଂହ ସମସାମୟିକ ସାମାଜିକ ଓ ସାଂସ୍କୃତିକ ଭାବ ପ୍ରବାହକୁ ଭିତ୍ତି କରି ପ୍ରବନ୍ଧ ରଚନାରେ ଧୂରନ୍ଧର ଥିଲେ । ସେ ଉତ୍କଳ ସମ୍ମିଳନୀ, ଉତ୍କଳ ସାହିତ୍ୟ ସମାଜ, ସମବାୟ ସମିତି ପ୍ରଭୃତି ଅନୁଷ୍ଠାନମାନଙ୍କରେ ସାମୟିକ ଭାବେ ବସ୍ତୁତାମାନ ଦେଉଥିଲେ । ଏହି ବସ୍ତୁତାଗୁଡ଼ିକ ମୁଦ୍ରିତ ଆକାରରେ ତଦାନୀନ୍ତନ ପତ୍ରିକାରେ ପ୍ରକାଶ ପାଉଥିଲା । ଏହି ଶ୍ରେଣୀର ପ୍ରବନ୍ଧମାନଙ୍କ ମଧ୍ୟରେ ଉତ୍କଳ ସାହିତ୍ୟ ସମାଜରେ ଦେଇଥିବା ସଭାପତି-ଅଭିଭାଷଣ ଏକ ଉଚ୍ଚକୋଟୀର ରଚନା । ଏଥିରେ ଆମ ସାହିତ୍ୟ ପ୍ରତି ତାଙ୍କର ଶ୍ରଦ୍ଧା, ସାହିତ୍ୟିକ ଉନ୍ନତି ପାଇଁ ତାଙ୍କର ନିଷ୍ଠା, ଲେଖକମାନଙ୍କ ପ୍ରତି ସମ୍ମାନବୋଧ ଓ ଆମ ସାହିତ୍ୟର ପ୍ରସାର ପାଇଁ ତଙ୍କର ଗଭୀର ଆନ୍ତରିକତା ପରିଲକ୍ଷିତ । ଏହି ଧରଣର ପ୍ରବନ୍ଧକୁ ଉଦ୍‍ବୋଧନ ଧର୍ମୀ ପ୍ରବନ୍ଧ କୁହାଯାଇପାରେ ।

 

ନାରୀଶିକ୍ଷା ସପକ୍ଷରେ ପ୍ରାବନ୍ଧିକ ତାଙ୍କର ମତ ପୋଷଣ କରିଥିଲେ । ‘ସ୍ତ୍ରୀଶିକ୍ଷା’ ପ୍ରବନ୍ଧରେ ସେ ନାରୀ ଜାତିର ଉନ୍ନତି ପାଇଁ ଦେଇଛନ୍ତି କେତେକ ସୁଚିନ୍ତିତ ପରାମର୍ଶ । ବିବାହରେ ଯୌତୁକର ବିଲୋପ ପାଇଁ ସେ ଏହି ପ୍ରବନ୍ଧରେ ଯୁକ୍ତି ବାଢ଼ିଛନ୍ତି । ତାଙ୍କ ମତରେ ସ୍ତ୍ରୀ ଶିକ୍ଷା ଦ୍ୱାରା ଯୌତୁକ ପ୍ରଥାକୁ ଅନେକାଂଶରେ ଏଡ଼ାଇ ଦିଆଯାଇ ପାରିବ । ପ୍ରାବନ୍ଧିକଙ୍କ ଭାଷାରେ, ନବ୍ୟ ଶିକ୍ଷିତ ଯୁବକମାନେ ବାହାଘରରେ ଟଙ୍କା ନେବାର ପ୍ରଥା ଛାଡ଼ି ତତ୍‍ପରିବର୍ତ୍ତେ ଶିକ୍ଷିତ ଯୁବକମାନେ ବାହାଘରରେ ଟଙ୍କା ନେବାର ପ୍ରଥା ଛାଡ଼ି ତତ୍‍ପରିବର୍ତ୍ତେ ଶିକ୍ଷିତ କନ୍ୟା ବିଭା ହେବା ପାଇଁ ପଣ କଲେ ବରଂ ସ୍ତ୍ରୀ ଶିକ୍ଷା କ୍ରମେ ବୃଦ୍ଧି ଲାଭ କରିପାରିବ ।’’ (ମୁକୁର-୧୦/୩ ପୃଷ୍ଠା ୯୩) ଏବେ ଅବଶ୍ୟ ସ୍ତ୍ରୀମାନେ ଶିକ୍ଷିତା ହୋଇଛନ୍ତି, ପୁରୁଷମାନେ ଶିକ୍ଷିତା ସ୍ତ୍ରୀ ବିବାହ କରିଛନ୍ତି । ଏ ସତ୍ତ୍ୱେ ଯୌତୁକ ଜନିତ ନିର୍ଯ୍ୟାତନାର ଅନ୍ତ ନାହିଁ । ଏବେ ଶିକ୍ଷିତା ନାରୀମାନେ ସବୁଠାରୁ ଅଧିକ ନିର୍ଯ୍ୟାତନା ଭୋଗୁଛନ୍ତି ।

 

ପ୍ରାବନ୍ଧିକ ତାଙ୍କର ଅନୁଭୂତିବହୁଳ ଜୀବନର ସମସ୍ୟାକୁ ନେଇ ଲେଖୁଛନ୍ତି ‘ସାକ୍ଷୀ’ ପ୍ରବନ୍ଧ-। ଜଣେ ଓକିଲ ଭାବରେ କଚେରୀରେ ସାକ୍ଷୀର ଭୂମିକା କ’ଣ ଏହି ପ୍ରବନ୍ଧଟି ପଢ଼ିଲେ ବୁଝାପଡ଼େ । ପ୍ରାବନ୍ଧିକ ଆମ ସମାଜରେ ମିଥ୍ୟାବାଦୀ ସାକ୍ଷୀଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ଗଭୀର ଉଦ୍‍ବେଗ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପ୍ରାବନ୍ଧିକ କହନ୍ତି, ଏ ସମସ୍ତ ଅବସ୍ଥା ଆଲୋଚନା କଲେ ଜଣାଯାଏ ଯେ ସତ୍ୟବାଦୀ ସାକ୍ଷୀ ସଂଖ୍ୟା କ୍ରମେ ଊଣା ହୋଇ ଆସୁଛି । ଏହି ଉଣା ହେତୁ ନ୍ୟାୟ ବିଚାର ପ୍ରତି ବାଧା ଘଟୁଅଛି । ନ୍ୟାୟ ବିଚାରର ଊଣା ହେଲାରୁ ସମାଜରେ ପାପ ବୃଦ୍ଧି ହେଉଅଛି । ପାପ ବୃଦ୍ଧି ହେଲେ ସାମାଜିକ ମଙ୍ଗଳ ନ ହୋଇ ଅମଙ୍ଗଳ ସଂଘଟିତ ହେଉଅଛି । ଯେଉଁ ସମାଜରେ ଧର୍ମର ଯେତେ ହାନି ହୁଏ ସେ ସମାଜ ତେତେ ଅବନତ ହୁଏ । କେବଳ ପାଶବିକ ବା ଆସୁରିକ ଚରିତ୍ର ଦ୍ୱାରା ସମାଜର ଉନ୍ନତି ହୁଏ ନାହିଁ । ଧର୍ମବଳ ବୃଦ୍ଧି ହେଲେ ସମାଜ ଉତ୍ତରୋତ୍ତର ଉନ୍ନତି ଲାଭ କରେ । ସୁତରାଂ ଯେଉଁମାନେ ସାକ୍ଷୀ ଦେବାକୁ ଯାନ୍ତି ସେମାନେ ଭାବିବା ଉଚିତ ଯେ ସେ ଅର୍ଥ ଲୋଭରୁ ହେଉ ବା କୌଣସି ଈର୍ଷା ପରବଶ ହୋଇ ମିଥ୍ୟା ସାକ୍ଷ୍ୟଦେବା ଦ୍ୱାରା ଯେ କେବଳ ବିପକ୍ଷର ଅନିଷ୍ଟ ସାଧନ କରନ୍ତି ତାହା ନୁହେଁ, ସେମାନେ ଆପଣା ସମାଜ ବା ଜାତିର ତଦ୍ଵାରା ଘୋର ଅନିଷ୍ଟ କରନ୍ତି । (ମୁକୁର- ୧୦/୭- ପୃଷ୍ଠା-୯୭) ଏହି ପ୍ରବନ୍ଧଟି ପାଠକଲେ ମଣିଷର ନ୍ୟାୟପାଳିକା ପ୍ରତି ଯେ ଏକ କର୍ତ୍ତବ୍ୟବୋଧ ଅଛି, ତାହା ଭଲରୂପେ ଜାଣିହୁଏ ।
 

ପ୍ରାବନ୍ଧିକ ସମବାୟ ଆନ୍ଦୋଳନରେ ଗଭୀର ଆସ୍ଥା ପୋଷଣ କରିଥିଲେ । ଭାରତରେ ସମବାୟ ଋଣ ସମିତିର କାର୍ଯ୍ୟକାରିତା ସମ୍ପର୍କରେ ‘ସମବାୟ ପତ୍ୟାରା ସମିତି’ ତାଙ୍କର ଏକ ଉକୃଷ୍ଟ ପ୍ରବନ୍ଧ । ସେ Co-operative credit societyର ଓଡ଼ିଆ ଅନୁବାଦ କରିଛନ୍ତି ‘ସମବାୟ ପତ୍ୟାରା ସମିତି” । ଏହି ସମିତି ଆମ ସମାଜର ଯେଉଁ ମଙ୍ଗଳ ବିଧାନ କରୁଛି, ତାହାକୁ ସେ ଏଥିରେ ଲିପିବଦ୍ଧ କରିଛନ୍ତି । ବିଂଶ ଶତକ ଆଦି ପାଦରେ ଜଗବନ୍ଧୁ ସିଂହକୁ ଛାଡ଼ି ଦେଲେ ବୋଧହୁଏ ଆଉ କେହି ଏପରି ପ୍ରବନ୍ଧ ଲେଖିନାହାନ୍ତି ।

 

ପ୍ରାବନ୍ଧୁକ ଆମ ସମାଜର ଯାବତୀୟ ପ୍ରସଙ୍ଗକୁ ଆଧାର କରି ପ୍ରବନ୍ଧ ରଚନାରେ ଥିଲେ ସିଦ୍ଧହସ୍ତ । ଆନ୍ତର୍ଜାତିକ ସମସ୍ୟାଠାରୁ ପଲ୍ଲୀ ଜୀବନ ପର୍ଯ୍ୟନ୍ତ ସବୁ ବିଷୟରେ ତାଙ୍କର ପ୍ରବନ୍ଧ ରହିଛି । ତାଙ୍କର ‘ଭାଗବତ ଘର’ (ମୁକୁର-୧୦/୪), ‘ପୁରାତନ ଭାରତର ବୈଦେଶିକ ବାଣିଜ୍ୟ’ (ମୁକୁର-୧୦/୯), ‘ଜାତୀୟ ଜୀବନ', ‘ଆୟୁବେର୍ଦ’ ପ୍ରଭୃତି ପ୍ରବନ୍ଧ ସେକାଳରେ ପାଠକ ମହଲରେ ଲୋକପ୍ରିୟତା ଅର୍ଜିଥିଲା । ସରଳ ଭାଷାରେ ଜ୍ଞାନ ବିଜ୍ଞାନକୁ ବୁଝାଇବାରେ ସେ ଥିଲେ ପାରଙ୍ଗମ । ତାଙ୍କ ପ୍ରବନ୍ଧ ଗୁଡ଼ିକ ଶିକ୍ଷାପ୍ରଦ । ଲୋକଶିକ୍ଷା ଦ୍ୱାରା ଏକ ସୁସ୍ଥ ସମାଜ ଗଠନ ଥିଲା ତାଙ୍କ ପ୍ରବନ୍ଧର ଲକ୍ଷ୍ୟ ।

 

ଭାଷା ଓ ରଚନା ଶୈଳୀ : ପ୍ରାବନ୍ଧିକ ଜଗବନ୍ଧୁ ସିଂହଙ୍କ ପ୍ରବନ୍ଧର ଭାଷା ଓ ରଚନା ଶୈଳୀ ଏହାକୁ କରିଛି ପାଠକର ନିକଟବର୍ତ୍ତୀ । ସେ ଅତି କ୍ଲିଷ୍ଟ ଜଟିଳ ପ୍ରସଙ୍ଗକୁ ସରଳ ସାବଲୀଳ ଓ ଯୁକ୍ତିନିଷ୍ଠ ଭାବରେ ବୁଝାଇ ପାରୁଥିଲେ । ଏଥିସହିତ ଅତି ଅନ୍ତରଙ୍ଗ ଭାଷାରେ ତାହାଙ୍କ ବକ୍ତବ୍ୟକୁ ପାଠକଠାରେ ଉପସ୍ଥାପନ କରୁଥିଲେ । ଅନେକତ୍ର ପ୍ରତ୍ୟକ୍ଷ ଭାଷଣ ସଂଳାପଧର୍ମୀ ଭାଷା ତାଙ୍କ ପ୍ରବନ୍ଧକୁ କରିଥିଲା ସୁଖପାଠ୍ୟ । ଏଠାରେ ପାଠକଙ୍କ ଅବଗତି ନିମନ୍ତେ ସେଇ ଧରଣର ଗଦ୍ୟର ନମୁନା ନିମ୍ନରେ ଉଦ୍ଧାର କରାଗଲା । ତାହା ଏହିପରି; ସାହିତ୍ୟ ଅର୍ଥ କେବଳ କେତେଖଣ୍ଡ ଗୁପ୍ତ ପୁସ୍ତକ ନୁହେଁ ବା କେତେଖଣ୍ଡ କାବ୍ୟ ନାଟକ ଅଳଙ୍କାର ନୁହେଁ । ସାହିତ୍ୟ ଜୀବନର ଜୀବନ୍ତ ପ୍ରତିମୂର୍ତ୍ତି । ସାହିତ୍ୟ ଜାତିର ଭୂତ ଭବିଷ୍ୟତ ବର୍ତ୍ତମାନ ଜୀବନର ଆଲୋକ ସ୍ତମ୍ଭ । ସାହିତ୍ୟ ଶକ୍ତି ଦ୍ଵାରା ଏ ଜଗତ୍ ପରିଚାଳିତ ହେଉଅଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ମାନବ ଜାତିର ଚିନ୍ତା, କଳ୍ପନା, ଭାବ, କର୍ମପନ୍ଥା, ଧର୍ମପନ୍ଥା, ରାଜନୀତି, ସମାଜନୀତି, ଇତିହାସ ପ୍ରଭୃତି ଯାବତୀୟ ବିଷୟ ସାହିତ୍ୟରେ ପ୍ରକଟିତ ହୁଏ । ସାହିତ୍ୟ ଏକଧାରିରେ ମସ୍ତିଷ୍କ, ମୁଖ ଓ ହୃଦୟ । ସାହିତ୍ୟର ଉନ୍ନତି ଓ ପରିପୁଷ୍ଟି ଜାତିର ଉନ୍ନତିର ଓ ପରିପୁଷ୍ଟିର ପରିଚାୟକ । ସାହିତ୍ୟ ଜାତିର ଧର୍ମ ଓ କର୍ମପନ୍ଥାର ନିୟାମକ । ସାହିତ୍ୟର ଶାଖା ବହୁତ ଏବଂ ଶକ୍ତି ଅସୀମ । ସାହିତ୍ୟର ବିଶାଳ ଶକ୍ତି ଅବଧାରଣ କରିପାରିଲେ ସାହିତ୍ୟ ମାନବ ଜାତି ପକ୍ଷରେ କି ପ୍ରକାର ଅମୂଲ୍ୟ ଉପାଦେୟ ବସ୍ତୁ, ତାହା ସହଜରେ ଜଣାଯିବ ।” (ଉତ୍କଳ ସାହିତ୍ୟ-୩୪/୮-ପୃଷ୍ଠା - ୨୯୯) ସରଳ ଅଥଚ ଭାବଗର୍ଭକ ଭାବରେ ଯେକୌଣସି ପ୍ରସଙ୍ଗ ବୁଝାଇବାର କୌଶଳ ତାଙ୍କୁ ଜଣା ଥିଲା । ତାଙ୍କ ଲେଖାରେ ବେଳେ ବେଳେ ସଂସ୍କୃତିର ପ୍ରସିଦ୍ଧ ଉକ୍ତି ଦୃଷ୍ଟାନ୍ତ ସ୍ଵରୂପ ଦିଆଯିବାର ଦେଖିବାକୁ ମିଳେ-। ଯେମିତି ତାଙ୍କର ‘ସାକ୍ଷୀ’ ପ୍ରବନ୍ଧରେ ‘ବୁଭୁକ୍ଷିତ କିଂ ନ କରୋତି ପାପଂ’, ନ ମିଥ୍ୟା ପାତକଂ ପରଂ,’’ ‘‘ବିଷସ୍ୟ ବିଷ ମହୌଷଧଂ’’ ପରି ଏକାଧିକ ସଂସ୍କୃତର ଲୋକ ପ୍ରଚଳିତ ଉକ୍ତି ପରିଲକ୍ଷିତ । ସେ ମଧ୍ୟ ଆବଶ୍ୟକ ସ୍ଥଳେ ଇଂରାଜୀ ଉଦ୍ଧୃତି ଦେଇ ଆପଣା ଯୁକ୍ତି ବାଢ଼ିବାକୁ ଭୁଲ ନାହାନ୍ତି । ସାଧାରଣ ଜନତା ବୁଝିବା ପରି କଥ୍ୟ ଭାଷା ସହିତ ତାଙ୍କ ପ୍ରବନ୍ଧରେ ସାଧୁ ଭାଷାର ଅଭୁତ ସମୟ ଦେଖିବାକୁ ମିଳେ । ଯେଉଁଠି ଯେତିକି ଦରକାର ସେତିକି ବକ୍ତବ୍ୟ ବାଢ଼ିବା ତାହାଙ୍କ ରଚନା ଶୈଳୀର ବୈଶିଷ୍ଟ୍ୟ ।

 

ଉପସଂହାର : ଜଣେ ସଂସ୍କୃତି ସଚେତନ ସ୍ୱଦେଶ ପ୍ରେମୀ ପ୍ରାବନ୍ଧିକ ରୂପେ ଜଗବନ୍ଧୁ ସିଂହ ଆପଣାର ସ୍ପଷ୍ଟ ପଦଚିହ୍ନ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଅଙ୍କନ କରିଛନ୍ତି । ସେ ଥିଲେ ଆମ ସମାଜର ଶୁଭବିଳାସୀ ଜଣେ କୃତବିଦ୍ୟ ପ୍ରାବନ୍ଧିକ । ଜାତୀୟ ଜୀବନର ମଙ୍ଗଳ କାମନା ପାଇଁ ସେ ତାଙ୍କ ପାଠକମାନଙ୍କୁ ସବୁବେଳେ ସଚେତନ କରି ଦେଉଥିଲେ । ତାଙ୍କ ଲେଖା ଭିତରୁ ନୈତିକ ଜୀବନାଦର୍ଶର ମହବାଣୀ ଶୁଣିବାକୁ ମିଳେ । ସେ ସାହିତ୍ୟକୁ ମଣିଷର ସାଂସ୍କୃତିକ ବିକାଶର ପ୍ରକୃଷ୍ଟ ମାଧ୍ୟମ ରୂପେ ବିବେଚନା କରୁଥିଲେ । ସେ ପରିଚ୍ଛନ୍ନ ଭାବରେ ଯାହା ମଣିଷ ପାଇଁ ଓ ଜାତି ପାଇଁ ଉପାଦେୟ ତାହାକୁ ତାଙ୍କ ପ୍ରବନ୍ଧରେ ପ୍ରକାଶ କରୁଥିଲେ । ପୁଣି ସେ ସବୁବେଳେ ଆମର ପାରମ୍ପରିକ ମୂଲ୍ୟବୋଧ ଓ ଐତିହ୍ୟ ସଚେତନ ଥିଲେ । ସୁତରାଂ ତାଙ୍କୁ ଆମ ପ୍ରାଚୀନ ପରମ୍ପରା, ସଂସ୍କୃତି ଓ ଜାତୀୟ ଜୀବନର ଜଣେ ସାର୍ଥକ ପ୍ରାବନ୍ଧିକ କହିଲେ ଯଥାର୍ଥ ହେବ । ଏ ସକାଶେ ତାଙ୍କ ପ୍ରବନ୍ଧଗୁଡ଼ିକ ଆମ ପାଇଁ ପ୍ରେରଣାର ଅସରନ୍ତି ଉତ୍ସ ।

 

ପ୍ରଫେସର, ଓଡ଼ିଆ ବିଭାଗ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ଭଞ୍ଜବିହାର, ବ୍ରହ୍ମପୁର-୭୬୦୦୦୭

ଓଡ଼ିଶା

***

 

ସାରସ୍ୱତ ସାଧକ ଜଗବନ୍ଧୁ ସିଂହଙ୍କ ଜୀବନାଲୋକ-ଏକ ପରିଚିତି

ପଠାଣି ପଟ୍ଟନାୟକ

 

ଏ ଯୁଗର ନବୀନ ସାହିତ୍ୟସେବୀମାନଙ୍କ ନିକଟରେ ମହାନ୍ ସାରସ୍ୱତ ସାଧକ ଶ୍ରୀ ଜଗବନ୍ଧୁ ସିଂହ ଏକ ବିସ୍ତୃତପ୍ରାୟ ପ୍ରତିଭା କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଆଧୁନିକ ଓଡ଼ିଆ ସାହିତ୍ୟର ବିସ୍ତୃତ ଆଲୋଚନା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ସାଧାରଣଙ୍କ କ୍ଷେତ୍ରରେ ଜଗବନ୍ଧୁ ‘‘ପ୍ରାଚୀନ ଉତ୍କଳ’’ ଓ ‘‘ଉତ୍କଳ ଗୃହଲକ୍ଷ୍ମୀ’’ର ଲେଖକ ଭାବରେ ବିଶେଷ ପରିଚିତ ହେଲେ ହେଁ ତହିଁରେ ତାଙ୍କର ଯଥାର୍ଥ ପରିଚୟ ମିଳେ ନାହିଁ । ସେ ଥିଲେ ମହାନ ସାଧକ ଓ କର୍ମଯୋଗୀ । ତାଙ୍କର କର୍ମକ୍ଷେତ୍ର ଥିଲା ସୁଦୂର ପ୍ରସାରି ।

 

ସେ ଥିଲେ ଏକାଧାରରେ ସ୍ୱାଧୀନତା ସଂଗ୍ରାମର ଅଗ୍ରଗାମୀ ନେତା, ଦେଶମିଶ୍ରଣ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର, ବିଧାନ ସଭାର ସଭ୍ୟ, ପୁରୀ ଜିଲ୍ଲା ଲୋକପ୍ରତିନିଧି ସଭାର କର୍ମକର୍ତ୍ତା, ଜଣେ ପ୍ରତିଭାଶାଳୀ ଆଇନଜୀବୀ, ନିଷ୍ଠାପର ସମାଜସେବୀ ଏବଂ ସର୍ବୋପରି ଆଜୀବନ ସାରସ୍ୱତ ସାଧକ ।

 

ସଂଘର୍ଷମୟ ଆଦ୍ୟଜୀବନ :

ପୁରୀଜିଲ୍ଲା ନିମାପଡ଼ା ଅଞ୍ଚଳର ଭୁବନପୁର ଗ୍ରାମରେ ଜଗବନ୍ଧୁ ୧୮୭୬ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କର ନାମ ଗୌରହରି ବିଦ୍ୟାଧର ଏବଂ ମାତାଙ୍କ ନାମ ଚନ୍ଦ୍ରମଣି ଦେବୀ । ବାପାଙ୍କର ଛୋଟ ମକଦ୍ଦମି ଥିଲା । ତାଙ୍କର ପୂର୍ବପୁରୁଷ ଗଞ୍ଜାମ ଅଞ୍ଚଳର ଆଠଗଡ଼ରେ ବସବାସ କରୁଥିଲେ । ଇଂରେଜମାନେ ଗଞ୍ଜାମ ଅଞ୍ଚଳରେ ଅଭିଯାନ ଆରମ୍ଭ କରିବା ସମୟରେ ତାଙ୍କର ପୂର୍ବଜ ସେମାନଙ୍କ ବିରୁଦ୍ଧରେ ଅସ୍ତ୍ରଧାରଣ କରିଥିଲେ । ବିଦେଶୀ ଶକ୍ତିଙ୍କର ବିଷଦୃଷ୍ଟିକୁ ଏଡ଼ାଇ ସେ ପଳାଇ ଆସିଲେ ପୁରୀଜିଲାର ନିମାପଡ଼ା ଅଞ୍ଚଳକୁ ଏବଂ ସେଠାରେ କୋଠଦେଶ ଷ୍ଟେଟର ଜମିଦାର ରାଟସିଂହଙ୍କର ଆଶ୍ରୟ ଗ୍ରହଣ କଲେ । ଏହି ବିଦ୍ରୋହୀ ଥିଲେ ସଦାନନ୍ଦ ପାଇଛା । ଅନ୍ୟ ଏକ ମତ ହେଲା ଏହି ବିଦ୍ରୋହୀ ଥିଲେ ଭାଗିରଥୀ ପାଇଛା । ଭାଗିରଥୀଙ୍କ ପୁତ୍ର ହେଉଛନ୍ତି ଫକୀର ଏବଂ ତାଙ୍କ ପୁତ୍ର ହେଲେ ଜଗବନ୍ଧୁଙ୍କର ପିତା ଗୌରହରି ବିଦ୍ୟାଧର ।

 

ଜମିଦାର ରାଟସିଂହ ଅପୁତ୍ରିକ ଥିବାରୁ ଜଗବନ୍ଧୁଙ୍କ ପିତାମହ ଫକୀର ପାଇଛାଙ୍କୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିଥିଲେ । ସେ ବିବାହ କରିଥିଲେ ଆଠଗଡ଼ରେ । ମାତ୍ର ବିବାହ କରିବାର ଅଳ୍ପଦିନ ପରେ ସେ ମୃତ୍ୟୁବରଣ କରିବାରୁ ବିଧବା ସ୍ତ୍ରୀଙ୍କ ଅସହାୟତାର ସୁଯୋଗ ଦେଖି ଜମିଦାର ରାଟସିଂହ ପୋଷ୍ୟପୁତ୍ରଙ୍କୁ ଦାନ କରିଥିବା ସମସ୍ତ ସମ୍ପତ୍ତି ଦଖଲ କରିନେଲେ ।

 

ବହୁକାଳଯାଏ ଗୌରହରି ପୁତ୍ରମୁଖ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିନଥିଲେ । ତେଣୁ ସେ ଆଧାତ୍ମିକ ସିଦ୍ଧପୁରୁଷ ବେନୁଗାଦିର ମହନ୍ତ ଆର୍ତ୍ତତ୍ରାଣ ଦାସଙ୍କ ଶରଣାପନ୍ନ ହେଲେ । ତାଙ୍କର କରୁଣାରେ ପୁତ୍ରସନ୍ତାନ ପ୍ରାପ୍ତ ହେବାରୁ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ପୁତ୍ରର ନାମ ରଖିଲେ ଜଗବନ୍ଧୁ ।

 

ଜଗବନ୍ଧୁଙ୍କର ବାଲ୍ୟକାଳ ଥିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ । ପିତା ଥିଲେ ଦରିଦ୍ର । ସେତେବେଳେ ଓଡ଼ିଶାରେ ବିଶେଷ ଶିକ୍ଷାନୁଷ୍ଠାନ ନଥିଲା । ଜନସାଧାରଣ ଶିକ୍ଷାଗ୍ରହଣ ପ୍ରତି ବିଶେଷ ଆଗ୍ରହୀ ହେଉନଥିଲେ ତେଣୁ ଜଗବନ୍ଧୁଙ୍କ ପିତା ମଧ୍ୟ ପୁତ୍ରର ଶିକ୍ଷାଦିଗରେ ବିଶେଷ ଯତ୍ନବାନ ବା ହୁଅନ୍ତେ କାହିଁକି ? ମାତ୍ର ସୌଭାଗ୍ୟକ୍ରମେ ବାଳକ ଜଗବନ୍ଧୁଙ୍କର ପ୍ରଧାନ ପ୍ରେରଣାଦାତା ଥିଲେ ତାଙ୍କର ଶିକ୍ଷକ ମଧୁସୂଦନ ଦାସ । ନିମାପଡ଼ା ମାଇନର ସ୍କୁଲରୁ ଉତ୍ତୀର୍ଣ୍ଣ ହେବାପରେ ପାଠପଢ଼ାରେ ଡୋରୀ ବନ୍ଧା ହୋଇଥାଆନ୍ତା । ମାତ୍ର ଜଗବନ୍ଧୁ ଥିଲେ ଉଚ୍ଚାଭିଳାଷୀ । ଅଳ୍ପରେ ସନ୍ତୁଷ୍ଟ ହେବା ବ୍ୟକ୍ତିତ୍ୱ ସେ ନଥିଲେ । ଟିଉସନ କରି ପୁରୀରେ ମାଟ୍ରିକ କ୍ଲାସରେ ଅଧ୍ୟୟନ କଲେ ଏବଂ ୧୮୯୬ ଖ୍ରୀଷ୍ଟାବ୍ଦରେ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ୍ କଲେ । ସେ ଥିଲେ ଗଭୀର ଭାବରେ ଆତ୍ମବିଶ୍ଵାସୀ । ଯାବତୀୟ ପ୍ରତିବନ୍ଧକକୁ ଅତିକ୍ରମ କରି କଟକ ସହରକୁ ଆସିଲେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ । କଲେଜ ଅଧ୍ୟୟନ କାଳରେ ପିତାଙ୍କର ଦେହାନ୍ତ ହୋଇଗଲା । ତଥାପି ସେ ନିରୁତ୍ସାହିତ ହେଲେ ନାହିଁ । ୧୯୦୧ ସାଲରେ ଗୌରବର ସହିତ ଓକିଲାତି ପରୀକ୍ଷାରେ ପାସ୍ କଲେ । ବୋଧହୁଏ ୧୯୦୩/୦୪ ସାଲରେ ସେ ପୁରୀରେ ଆରମ୍ଭ କଲେ ଆଇନ ବ୍ୟବସାୟ । ଏଥିରେ ମଧ୍ୟ ରହିଥିଲା ଅନେକ ପ୍ରତିବନ୍ଧକ ।

 

ସେକାଳରେ ଓକିଲାତି ବ୍ୟବସାୟରେ ବଙ୍ଗୀୟମାନେ ପ୍ରାଧାନ୍ୟ ବିସ୍ତାର କରି ରହିଥିଲେ । ଏମାନେ ଥିଲେ କଲିକତା ଆଗତ ଉଚ୍ଚଶିକ୍ଷାପ୍ରାପ୍ତ ବଙ୍ଗାଳୀ । ସେତେବେଳେ ପୁରୀ କଚେରୀରେ ପ୍ରଭାବଶାଳୀ ଆଇନଜୀବୀମାନେ ଥିଲେ ଧନପତି ବାନର୍ଜୀ, ବିଧୂଭୁଷଣ ବାନର୍ଜୀ, ସୁରେନ୍ଦ୍ରନାଥ ମିତ୍ର ଓ ପୀତବାସ ପଟ୍ଟନାୟକ । ତେବେ ନିଜର ନିଷ୍ଠା ଓ ସାଧନାଯୋଗୁଁ ଜଗବନ୍ଧୁ ଜଣେ ପ୍ରଥମ ଶ୍ରେଣୀର ଆଇନଜୀବୀ ଭାବରେ ସ୍ଵୀକୃତିଲାଭ କଲେ । ଏହି ସମୟରେ ସେ ବିବାହ କଲେ ନିଜ ଗ୍ରାମ ସନ୍ନିକଟ ଗଡ଼ିଅଣ୍ଡିଆ ନିବାସୀ ଚିନ୍ତାମଣି ତୁଙ୍ଗଙ୍କ କନ୍ୟା ଚଞ୍ଚଳା ଦେବୀଙ୍କୁ ।

 

ଯୁବକ ଆଇନଜୀବୀ ଜଗବନ୍ଧୁ ପ୍ରଚୁର ଅର୍ଥ ଆୟ କରିବାଯୋଗୁ ଅତ୍ୟନ୍ତ ସୌଖୀନଜୀବନ ଯାପନ କରିବାକୁ ଲାଗିଲେ । କେବଳ ବିଳାସ ବ୍ୟସନରେ ଜୀବନ ଅତିବାହିତ କରି ସନ୍ତୁଷ୍ଟ ହେଲେ ନାହିଁ, ଅବସର ସମୟତକ ଯାତ୍ରା, ଲୀଳା, ସୁଆଙ୍ଗ, ବାଇନାଚ, ଗୋଟିପୁଅନାଚର ପୃଷ୍ଠପୋଷକତା କରି ଆନନ୍ଦ ବିଭୋର ହେଉଥିଲେ । ତାଙ୍କର ନିଜର ଏକ କୀର୍ତ୍ତନ ଦଳ ଓ ଯାତ୍ରାଦଳ ମଧ୍ୟ ଥିଲା । ଓଡ଼ିଶାରେ କୀର୍ତ୍ତନଦଳରେ ବଙ୍ଗଳାମିଶା ଓଡ଼ିଆଗୀତର ପ୍ରଚାର ଜଗବନ୍ଧୁଙ୍କ ମନରେ ଆଘାତ ସୃଷ୍ଟି କଲା । ଏଥିପାଇଁ ସେ ନିଜେ ଅନେକ ଓଡ଼ିଆ କୀର୍ତ୍ତନଗୀତ ରଚନା କରି ପ୍ରଚାର କଲେ । ବେଳେ ବେଳେ ଯାତ୍ରାଦଳରେ ନିଜେ ମଧ୍ୟ ଅଭିନୟ କରିବାକୁ ସୁଖ ପାଉଥିଲେ । ଯାତ୍ରାଦଳ ପାଇଁ ସେ ରଚନା କରିଥିଲେ ଅନେକ ଗୀତିନାଟ୍ୟ । ସେଗୁଡ଼ିକ ହେଲା- ପ୍ରବୀର ପତନ, କର୍ଣ୍ଣାର୍ଜୁନ, ଇନ୍ଦୁମତୀ, ହରିଶ୍ଚନ୍ଦ୍ର, ନନ୍ଦିକେଶ୍ଵରୀ । ଗୀତିନାଟ୍ୟ ଅଭିନୀତ ହେବା ସମୟରେ ସେ ନିର୍ଦ୍ଦେଶକର ଭୂମିକା ମଧ୍ୟ ଗ୍ରହଣ କରୁଥିଲେ ।

 

ହୁଏତ ଏହିପରି ବିଳାସବ୍ୟସନ ମଧ୍ୟରେ ତାଙ୍କର ଜୀବନର ପରିସମାପ୍ତି ହୋଇଯାଇଥାଆନ୍ତା । ମାତ୍ର ବିଧିର ବିଧାନ ବଡ଼ ବିଚିତ୍ର । ସେକାଳରେ ଓଡ଼ିଶାର ତରୁଣ ସମାଜର ଆଲୋକବର୍ତ୍ତିକା ଥିଲେ ମି. ମଧୁସୂଦନ ଦାସ । ସେ ଥିଲେ କଟକର ବିଖ୍ୟାତ ଓକୀଲ । ତାଙ୍କର ଏପରି ଖ୍ୟାତି ବ୍ୟାପ୍ତ ହୋଇଥିଲା ଯେ ଜନସାଧାରଣ ଆଦରରେ ତାଙ୍କୁ ଡାକୁଥିଲେ ମଧୁବାରିଷ୍ଟର-। ହଠାତ୍ ଦିନେ ମଧୁସୂଦନ ଦାସ ପୁରୀରେ ଜଗବନ୍ଧୁଙ୍କ ବାସଭବନରେ ଉପସ୍ଥିତ ହେଲେ । ସେହି ସମୟରେ ମଧ୍ୟାହ୍ନକାଳ । ଯୁବକ ଗୋପବନ୍ଧୁ ଆଳସ୍ୟବଶତଃ ଶୋଇଯାଇଥିଲେ । ଭୟଙ୍କର ଭାବରେ ଉତ୍‌କ୍ଷିପ୍ତ ହୋଇ ମଧୁବାବୁ ଜଗବନ୍ଧୁଙ୍କୁ ତିରସ୍କାର କଲେ । ସେ କହିଲେ- “ଯେଉଁ ଜାତିର ଯୁବକ ଆଳସ୍ୟ ବଶତଃ କର୍ମବିମୁଖ ହୋଇ ଶୋଇଯାଏ, ସେ ଜାତି ମଧ୍ୟ କିଛିକାଳ ପାଇଁ ମୃତ୍ୟୁବରଣ କରେ ।

 

ଉତ୍କଳ ସମ୍ମିଳନୀରେ ନେତୃତ୍ୱ :

ଏଭଳି ଚେତାବନୀ ଜଗବନ୍ଧୁଙ୍କ ପାଇଁ ହେଲା ପରମ ହିତବାଣୀ ସ୍ଵରୂପ । ତାଙ୍କର ଜୀବନର ଗତିଧାରାରେ ଆସିଲା ଅଭାବନୀୟ ପରିବର୍ତ୍ତନ । ସେହିଦିନଠାରୁ ଆଉ ଦିବାନିଦ୍ରା କଅଣ ଜଗବନ୍ଧୁ ଜାଣନ୍ତି ନାହିଁ । ଆରମ୍ଭ ହେଲା କର୍ମଯୋଗୀର ଜୀବନ, ସାଧକର ତପସ୍ୟା । ସମାଜର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧିପାଇଁ ଜଗବନ୍ଧୁ ହେଲେ ଅଙ୍ଗୀକାରବଦ୍ଧ । ସେ ସମୟରେ ଓଡ଼ିଶା ବୋଲି ପ୍ରଦେଶଟିଏ ନଥିଲା । ଓଡ଼ିଆ ଭାଷୀ ଜନସାଧାରଣ ବିଭିନ୍ନ ପ୍ରଦେଶରେ ବିଛାଡ଼ି ହୋଇ ଅବହେଳିତ ଅବସ୍ଥାରେ ରହିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟ ଥିଲା ଅତ୍ୟନ୍ତ ସଙ୍କଟଜନକ ଅବସ୍ଥାରେ । ମୋଟାମୋଟି ଦେଖିବାକୁ ଗଲେ ଓଡ଼ିଆମାନେ ଥିଲେ ଏକ ଆତ୍ମବିସ୍ମୃତ ଜାତି । ଏହି ବିପର୍ଯ୍ୟୟ ମଧ୍ୟରୁ ଓଡ଼ିଆ ଭାଷାଭାଷୀ ଜନସାଧାରଣଙ୍କୁ ଉଦ୍ଧାର କରିବା ପାଇଁ ଉତ୍କଳଗୌରବ ମଧୁସୂଦନ ଦାସ ଅଣ୍ଟାଭିଡ଼ି ବାହାରିଥିଲେ । ତାଙ୍କରି ପ୍ରେରଣାରେ ଜଗବନ୍ଧୁ ଉତ୍କଳସମିଳନୀ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ପୁରୀ ସହରରେ ଉତ୍କଳ ସମ୍ମିଳନୀର ଏକାଧିକ ଅବେଶନ କାଳରେ ଅଭ୍ୟର୍ଥନା ସମିତିର ସମ୍ପାଦକ ଦାୟିତ୍ୱ ଅତ୍ୟନ୍ତ ସଫଳତାର ସହିତ ତୁଲାଇଥିଲେ ଜନସେବକ ଜଗବନ୍ଧୁ । ୧୯୧୯ ଖ୍ରୀଷ୍ଟାବ୍ଦରେ ପୁରୀସହର ଉତ୍କଳ ସମ୍ମିଳନୀ ଅଧିବେଶନରେ ସମ୍ବଲପୁରର ବିଖ୍ୟାତ ଦେଶ ମିଶ୍ରଣ ନେତା ଚନ୍ଦ୍ରଶେଖର ବେହେରା ହୋଇଥିଲେ ସଭାପତି । ସେତେବେଳେ ଓଡ଼ିଶାର କେତେଅଞ୍ଚଳରେ ଦୁର୍ଭିକ୍ଷଯୋଗୁ ଅନେକ ଲୋକ ହାଅନ୍ନ ହାଅନ୍ନ ହୋଇ ମୃତ୍ୟୁବରଣ କରିଥାଆନ୍ତି । ଏଥିପାଇଁ ଉତ୍କଳ ସମ୍ମିଳନୀ ଆନୁକୁଲ୍ୟରେ ଏକ ଦୁର୍ଭିକ୍ଷ ଅନୁସନ୍ଧାନ କମିଟି ଗଠିତ ହୁଏ । ଏହି କମିଟିରେ ଉତ୍କଳମଣି ଗୋପବନ୍ଧୁ, ଭାରତ ସେବକ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ସାହୁ, ସାମ୍ବାଦିକ ଓ ଦେଶମିଶ୍ରଣ ନେତା ଶଶିଭୂଷଣ ରଥଙ୍କ ସହିତ ଜଗବନ୍ଧୁ ଥିଲେ ଅନ୍ୟତମ ସଭ୍ୟ ।

 

୧୯୦୬ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହରରେ ଉତ୍କଳ ସମ୍ମିଳନୀର ଚତୁର୍ଥ ଅଧିବେଶନ ଅନୁଷ୍ଠିତ ହୁଏ । ଏହି ଅଧିବେଶନରେ ଯୁବକ ଜଗବନ୍ଧୁ କେବଳ ସକ୍ରିୟ ଅଂଶ ଗ୍ରହଣ କରିନଥିଲେ । ସମ୍ମିଳନୀ ନାରୀମାନଙ୍କ ଶିକ୍ଷାପାଇଁ ଗ୍ରହଣ କରିଥିବା ପ୍ରସ୍ତାବକୁ ସମର୍ଥନ କରି ଭାଷଣ ଦେଇଥିଲେ ଏହିପରି- “ସ୍ତ୍ରୀମାନେ ଶିକ୍ଷିତା ହେଲେ ସଂସାରର ତଥା ଉତ୍କଳସମାଜର ଯେ ଅସୀମ ମଙ୍ଗଳ ସାଧିତ ହେବ ସେଥିରେ ଲେଶମାତ୍ର ସନ୍ଦେହ ନାହିଁ ।

.... ତେବେ ସ୍ତ୍ରୀ-ଶିକ୍ଷା ଉପଯୋଗୀ କୌଣସି ପୁସ୍ତକ ଉତ୍କଳ ସାହିତ୍ୟ କ୍ଷେତ୍ରରେ ଥିବାପରି ମୋର ବିଶ୍ୱାସ ହେଉନାହିଁ ଯେଉଁ ପୁସ୍ତକ ପାଠ କଲେ ସ୍ତ୍ରୀ ଜାତି କିପରି ଉକୃଷ୍ଟ ଗୃହିଣୀ ହୋଇ ସଂସାରର କାର୍ଯ୍ୟ ସୂଚାରୁରୂପେ ନିର୍ବାହ କରିବାରେ ସମର୍ଥ ହେବ, ଉତ୍ତମ ମାତା ହୋଇ ଶିଶୁ ସନ୍ତାନମାନଙ୍କର କୋମଳ ମତିକୁ ଉପଯୁକ୍ତ ରୀତିରେ ଗଠନ କରିପାରିବ, ତାହାର ପରିବାରର ଅନ୍ୟାନ୍ୟ ଲୋକ ଯଥା ଶାଶୁ, ଶଶୁର, ଦେବର, ଝିଅ, ପୁଅ, ଝିଆରୀ, ପୁତୁରା ଓ ବୋହୁ ପ୍ରଭୃତିଙ୍କ ପ୍ରତି ଏବଂ ତାହାର ଶିଶୁସନ୍ତାନମାନଙ୍କର ନିଜର ମାତୃଭୂମି ପ୍ରତି ଆପଣାର କର୍ତ୍ତବ୍ୟ କଣ ତାହା ଉପଯୁକ୍ତ ମତେ ଶିକ୍ଷା କରିପାରିବ, ସତୀ ସ୍ତ୍ରୀ ହୋଇ ଧର୍ମପତ୍ନୀ ନାମର ସାର୍ଥକତା କରି ପ୍ରକୃତରେ ଗୃହରେ ଲକ୍ଷ୍ମୀସ୍ୱରୂପା ହେବ ଏପରି ଶିକ୍ଷାଲାଭ କରି ପାରିବା ଭଳି କୌଣସି ପୁସ୍ତକ ଉତ୍କଳ ସାହିତ୍ୟରେ ଅଛି କି ?’’ ।

 

କେବଳ ଭାଷଣ ଦେଇ ସେ ସନ୍ତୁଷ୍ଟ ହୋଇ ନଥିଲେ । ନାରୀମାନଙ୍କ ଶିକ୍ଷା ଉଦ୍ଦେଶ୍ୟରେ ଲେଖିଲେ ଚାରିଖଣ୍ଡରେ ବିଭକ୍ତ ‘ଗୃହଲକ୍ଷ୍ମୀ’ ପୁସ୍ତକ । ସେକାଳରେ ଏହି ପୁସ୍ତକ ଯଥେଷ୍ଟ ପାଠକୀୟ ମର୍ଯ୍ୟାଦା ଲାଭକରି ଅନେକ ଗୁଡ଼ିଏ ସଂସ୍କରଣ ପ୍ରଚାର ଲାଭ କରିଥିଲା ।

 

ଉତ୍କଳ ଗୌରବ ମଧୁସୂଦନ କଂଗ୍ରେସ ଆନ୍ଦୋଳନରୁ ଦୂରେଇଯାଇ ଉତ୍କଳ ସମ୍ମିଳନୀ ନେତୃତ୍ୱରେ ଦେଶମିଶ୍ରଣ ଆନ୍ଦୋଳନ ଚଳାଇଥିଲେ । କିନ୍ତୁ ଗୋପବନ୍ଧୁ ଦାସ, ଜଗବନ୍ଧୁ ସିଂହ ପ୍ରଭୃତି ଯୁବକ ନେତୃବୃନ୍ଦ ଦେଶମିଶ୍ରଣ ସହିତ ସର୍ବଭାରତୀୟ ଆନ୍ଦୋଳନରେ ସାମିଲ ହେବାପାଇଁ ଇଛା ପ୍ରକାଶ କରୁଥିଲେ । ତେଣୁ ୧୯୨୦ ଖ୍ରୀଷ୍ଟାବ୍ଦରେ ସିଂହଭୂମିଜିଲ୍ଲାର ଚକ୍ରଧରପୁର ଠାରେ ଉତ୍କଳ ସମ୍ମିଳନୀର ବାର୍ଷିକ ଅଧିବେଶନରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା ଦେଶମିଶ୍ରଣ ଆନ୍ଦୋଳନ ସହିତ କଂଗ୍ରେସ ନେତୃତ୍ୱରେ ଜାତୀୟ ଜାଗରଣରେ ଅଂଶଗ୍ରହଣ କରିବାପାଇଁ । ଏହି ସମ୍ମିଳନୀର ସଭାପତି ଆସନ ଅଳଙ୍କୃତ କରି ଜଗବନ୍ଧୁ ଏକ ମର୍ମସ୍ପର୍ଶୀ ଉଦ୍‍ବୋଧନ ପ୍ରଦାନ କରିଥିଲେ । ତାହାର କିୟଦଂଶ ଏହିପରି ।

 

୧୫୯୦ ଖ୍ରୀଷ୍ଟାବ୍ଦରୁ ଉତ୍କଳର ଅଙ୍ଗଚ୍ଛେଦ ଆରମ୍ଭ ହୋଇ ଆଜି ୧୯୨୦ ଖ୍ରୀଷ୍ଟାବ୍ଦ ଶେଷ ହେଲା । ପୂର୍ଣ୍ଣ ୩ଶତାବ୍ଦୀ ଶେଷ ହୋଇ ୪ର୍ଥ ଶତାବ୍ଦୀରୁ ୩୦ ବର୍ଷ ଗତ ହେଲା, ତଥାପି ଓଡ଼ିଆ ଭାଷା ପ୍ରଦେଶ ଏକତ୍ର ହୋଇ ପାରିଲା ନାହିଁ । ଆମ୍ଭମାନଙ୍କ ରକ୍ତରେ ସେପରି ଜାତୀୟତା ନାହିଁ । ମନରେ ସେପରି ଜାତୀୟ ଗର୍ବ ଅହଙ୍କାର ନାହିଁ । ପ୍ରାଣରେ ସେପରି ବ୍ୟାକୁଳତା ନାହିଁ । ଅନ୍ୟକୌଣସି ଜାତି ଏପରି ଜାତୀୟ ଦାରୁଣ ଆଘାତକୁ ଏତେକାଳ ଅମ୍ଲାନବଦନରେ ସହ୍ୟ କରି ନଥାନ୍ତା ! ସୀମା ପରିବର୍ତ୍ତନର ଅସୀମ ଦୁଃଖ ଅନୁଭବ କରି ସୁଦ୍ଧା ଆମ୍ଭେମାନେ ନୀରବ ନିଶ୍ଚଳ ଭାବରେ କାଳ । କାଟୁଥାଉଁ । ରକ୍ତ ନିସ୍ତେଜ ହୋଇଗଲାଣି । ଜାତୀୟମାନ ଅପମାନର ଜ୍ଞାନ ନାହିଁ-। ଉତ୍କଳ ସମ୍ମିଳନୀ ଜାତୀୟଭାବର ବୀଜ ବୁଣିଛି ସତ, ମାତ୍ର ଉପଯୁକ୍ତ ଜଳବାୟୁ ନପାଇ ସେ କେବଳ ଅଙ୍କୁରୋଦ୍ରଙ୍ଗ ହୋଇ ରହିଛି । ଆଜିପର୍ଯ୍ୟନ୍ତ ତାହା ଯେ ବୃକ୍ଷାକାର ଧାରଣ କରିନାହିଁ, ସେଥିଲାଗି ଉତ୍କଳର ଶିକ୍ଷିତ ସମାଜ ଦାୟୀ । ଉତ୍କଳର ଅଙ୍ଗଚ୍ଛେଦ ହେଲା, ଉତ୍କଳ ବିକଳାଙ୍ଗ ହେଲା, ଉତ୍କଳ ଦ୍ଵିଧା, ତ୍ରିଧା, ଚତୁର୍ଦ୍ଧା ହେଲା, ମାତ୍ର ଏ ଘଟନା ଦେଖି ଉତ୍କଳୀୟମାନଙ୍କ ପ୍ରାଣ ଆକୁଳ ବ୍ୟାକୁଳ ହୋଇଥିବାର ପ୍ରକାଶ ପ୍ରମାଣ ଦେଖାଦେଇନାହିଁ । ସମଗ୍ର ଓଡ଼ିଆ ଭାଷା ପ୍ରଦେଶକୁ ଏକତ୍ର କରିବାଲାଗି ଉତ୍କଳୀୟମାନଙ୍କ ମନରେ ସେପରି ଉନ୍ମତ୍ତତା ସ୍ଥାନ ପାଇନାହିଁ । ସେପରି ଜୀବନ୍ତ ଆନ୍ଦୋଳନ ନ ହେବା ପର୍ଯ୍ୟନ୍ତ ଏ ପ୍ରଶ୍ନ ସହଜରେ ମୀମାଂସା ହେବନାହିଁ ।

 

ଉତ୍କଳର ସର୍ବାଙ୍ଗୀନ ଉନ୍ନତି ଲାଗି ଉତ୍କଳ ପ୍ରାଚୀନ ସୀମା ରକ୍ଷିତ ହେବା ନିତାନ୍ତ ଆବଶ୍ୟକ । ସମଗ୍ର ଓଡ଼ିଆ ଭାଷା ପ୍ରଦେଶ ଏକତ୍ର ନ ହେଲେ ଓଡ଼ିଆମାନେ ଗୋଟିଏ ଜାତି ବୋଲି ମସ୍ତକ ଉତ୍ତୋଳନ କରିପାରିବେ ନାହିଁ । ଜାତିର ସମସ୍ତ ଲୋକେ ଏକତ୍ର ନ ହେଲେ ଜାତୀୟଭାବ ସେମାନଙ୍କ ମଧ୍ୟରେ ଜାଗ୍ରତ ହେବ ନାହିଁ । ଜାତୀୟଭାବ ଜାଗ୍ରତ ନ ହେବା ପର୍ଯ୍ୟନ୍ତ ଜାତୀୟ ଉନ୍ନତି ସୁଦୂରପରାହତ । ପ୍ରାଚୀନ ଜାତୀୟତା, ପ୍ରାଚୀନ କୀର୍ତ୍ତି, ପ୍ରାଚୀନ ଗୌରବ, ପ୍ରାଚୀନ ଶିଳ୍ପ ସାହିତ୍ୟ, ପ୍ରାଚୀନ ଶୌର୍ଯ୍ୟବୀର୍ଯ୍ୟ, ପ୍ରାଚୀନ ରାଜ୍ୟସମ୍ପତ୍ତି ବିଷୟ ଆଲୋଚନା କରି ଉତ୍କଳ ଯୁବକମାନଙ୍କ ହୃଦୟତନ୍ତ୍ର ନାଚି ନ ଉଠିବା ପର୍ଯ୍ୟନ୍ତ ଉତ୍କଳର ଭବିଷ୍ୟତ ଅନ୍ଧକାରମୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।’’

 

ଉତ୍କଳ ଗୌରବ ମଧୁସୂଦନଙ୍କ ଅନେକ ପ୍ରଭାବଶାଳୀ ଅନୁଗାମୀଙ୍କର ପ୍ରବଳ ବିରୋଧ ସତ୍ତ୍ୱେ ଚକ୍ରଧରପୁର ସମ୍ମିଳନୀରେ ଗୋପବନ୍ଧୁ ଓ ଜଗବନ୍ଧୁଙ୍କର ନେତୃତ୍ୱ ଜୟଲାଭ କଲା ଏବଂ ଉତ୍କଳ ସମ୍ମିଳନୀକୁ କଂଗ୍ରେସ ସହିତ ମିଶାଇ ଦିଆଗଲା ।

 

କଂଗ୍ରେସ ଆନ୍ଦୋଳନରେ ଭୂମିକା ଓ ସମାଜସେବା

ଜଗବନ୍ଧୁ ଥିଲେ ଉତ୍କଳମଣି ଗୋପବନ୍ଧୁଙ୍କର ପରମ ବନ୍ଧୁ ଓ ଆଜୀବନ ସମର୍ଥକ । ୧୯୨୦ ମସିହାରେ ଓଡ଼ିଶାରେ ଗୋପବନ୍ଧୁଙ୍କ ନେତୃତ୍ୱରେ ପ୍ରଥମେ କଂଗ୍ରେସ ସଂଗଠନ ଆରମ୍ଭ ହେଲା । ଜଗବନ୍ଧୁ ଓ କୃପାସିନ୍ଧୁ ହୋତା ପୁରୀଜିଲ୍ଲା କଂଗ୍ରେସ ସଂଗଠନର ଦାୟିତ୍ଵଗ୍ରହଣ କରିଥିଲେ-। ୧୯୨୧ ମସିହାରେ ଗାନ୍ଧିଜୀ ଆହ୍ୱାନ ଦେଲେ ଦେଶବ୍ୟାପି ଅସହଯୋଗ ଆନ୍ଦୋଳନ କରିବାପାଇଁ । ସମଗ୍ର ଦେଶରେ ଅନେକ ଶିକ୍ଷିତ ବ୍ୟକ୍ତି ସରକାରୀ ଚାକିରୀ ପରିତ୍ୟାଗ କରି ଚାଲି ଆସିଲେ କଂଗ୍ରେସ ଆନ୍ଦୋଳନରେ ଝାସ ଦେବାପାଇଁ । ଅନେକ ବୁଦ୍ଧିଜୀବୀ ଓକୀଲ ମୋଟା ଅଙ୍କର ଅର୍ଥରୋଜଗାର ପ୍ରତ୍ୟାଖ୍ୟାନ କରି ଓକିଲାତି ପେଷାରୁ ଓହରି ଆସିଲେ । ଓଡ଼ିଶାରେ ଗୋପବନ୍ଧୁ ଚୌଧୁରୀ, ବୀରକିଶୋର ଦାସ, ପ୍ରାଣକୃଷ୍ଣ ପଢ଼ିଆରୀ ପ୍ରଭୃତି ସରକାରୀ ଚାକିରୀକୁ ପ୍ରତ୍ୟାଖାନ କରିବାରୁ ଚହଳ ପଡ଼ିଗଲା । ସେହିପରି କଟକର ଆଇନଜୀବୀ ଭାଗିରଥୀ ମହାପାତ୍ର ଓ ପୁରୀର ଜଗବନ୍ଧୁ ସିଂହ ଓକିଲାତି ପେଷାକୁ ବର୍ଜନ କରି ଚାଲିଆସିଲେ । ଜଗବନ୍ଧୁ ୧୯୨୧ଠାରୁ ୧୯୨୩ ସାଲ ପର୍ଯ୍ୟନ୍ତ ୩ବର୍ଷକାଳ ଅସହଯୋଗୀ ଭାବରେ ଓକିଲାତି କଲେ ନାହିଁ । ୧୯୨୪ ସାଲରେ ପୁନର୍ବର ଓକିଲାତି ଆରମ୍ଭ କରିଥିଲେ ହେଁ ସେ ଆଜୀବନ କଂଗ୍ରେସ ଅନୁଷ୍ଠାନରେ ସକ୍ରୀୟ ସଭ୍ୟ ଥାଇ ବିଧାନସଭା ଓ ଜିଲ୍ଲାବୋର୍ଡ ପ୍ରଭୃତିର ସଭ୍ୟଭାବରେ ନିର୍ବାଚିତ ହୋଇ ଦେଶସେବା କରିଯାଇଛନ୍ତି ।

 

୧୯୨୧ – ୨୨ ସାଲରେ ଜଗବନ୍ଧୁ ପ୍ରାଦେଶିକ କଂଗ୍ରେସ କମିଟିର ଉପସଭାପତି ଆସନ ଅଳଙ୍କୃତ କରିଥିଲେ । ଏହି ଅବସରରେ ନିଖିଳ ଭାରତ କଂଗ୍ରେସ କମିଟିର ସଭ୍ୟ ମଧ୍ୟ ହୋଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଜନ୍ମଗ୍ରହଣ କରିନଥିଲା । ତେଣୁ ଜଗବନ୍ଧୁ ବିହାର ଓଡ଼ିଶା ବିଧାନ ସଭାର ଦୁଇଥର ସଭ୍ୟ ଥାଇ କାର୍ଯ୍ୟ ନିର୍ବାହ କରିଛନ୍ତି ।

 

୧୯୩୬ ଏପ୍ରିଲ ପହିଲା ଦିନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଜନ୍ମଗ୍ରହଣ କରେ । ତେଣୁ ନୂତନ ବିଧାନସଭା ପାଇଁ ନିର୍ବାଚନ ହୁଏ । ଜଗବନ୍ଧୁ ପୁରୀର ବିଧାନସଭା ସଭ୍ୟଭାବରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ବିହାର ଓଡ଼ିଶା ବିଧାନସଭାର ସଭ୍ୟ ରହିଥିଲେ ୧୯୨୪ଠାରୁ ୧୯୨୮ ମସିହା ପର୍ଯ୍ୟନ୍ତ । ପୁନର୍ବାର ଓଡ଼ିଶା ବିଧାନସଭାର ସଭ୍ୟ ଭାବରେ କାର୍ଯ୍ୟକରିଥିଲେ ୧୯୩୭ ମସିହାଠାରୁ ୧୯୩୯ ମସିହା ପର୍ଯ୍ୟନ୍ତ । ସେ ଥିଲେ ଜଣେ ପ୍ରତିଷ୍ଠିତ ବ୍ୟବସ୍ଥାପକ ଏବଂ ବିଭିନ୍ନ ଆଇନ ପ୍ରଣୟନରେ ସକ୍ରୀୟ ଅଂଶ ଗ୍ରହଣ କରି ଖ୍ୟାତି ଅର୍ଜନ କରିଥିଲେ ।

 

ସେ ଥିଲେ ଗାନ୍ଧିଜୀଙ୍କ କଂଗ୍ରେସର ଜଣେ ନିଷ୍ଠାପର କର୍ମୀ । ଆଜୀବନ କେବଳ ଖଦଡ଼ ବସ୍ତ୍ର ପରିଧାନ କରୁଥିଲେ । ପୁରୀରେ ସ୍ୱତନ୍ତ୍ର ଭାବରେ ଖଦଡ଼ ବସ୍ତ୍ରାଳୟ ଆରମ୍ଭ ନହେଲା ପର୍ଯ୍ୟନ୍ତ ଜଗବନ୍ଧୁଙ୍କ କୁଣ୍ଢାଇବେଣ୍ଟ ସାହି ବାସଭବନରେ ଖଦିବସ୍ତ୍ର ଓ ଚରଖା ପ୍ରଭୃତି ବିକ୍ରୀ ହେବାର ବ୍ୟବସ୍ଥା କରାଯାଇଥିଲା ।

 

ଅନେକ ଲୋକହିତକର ଅନୁଷ୍ଠାନରେ ଜଗବନ୍ଧୁଙ୍କର ଅନ୍ତରଙ୍ଗ ଭୂମିକା ବାରି ହୋଇପଡୁଥିଲା । ପୁରୀ ଜିଲାବୋର୍ଡର ଚେଆରମ୍ୟାନ ଭାବରେ ଦୀର୍ଘ ୧୦ ବର୍ଷ କାଳ କାର୍ଯ୍ୟ କରିଥିଲେ । ସେହିପରି ପୁରୀ ସହର ମୁନ୍ସିପାଲ୍ଟିରେ ମଧ୍ୟ ଦଶବର୍ଷକାଳ ଉପସଭାପତିର ଆସନ ଅଳଙ୍କୃତ କରିଥିବା ଜଣାଯାଏ । ପୁରୀର ପ୍ରସିଦ୍ଧ ମଠ ଭାବରେ ସମ୍ମାନ ଲାଭ କରିଥାଏ ଜଗନ୍ନାଥବଲ୍ଲଭ ମଠ । କାରଣ ପରମବୈଷ୍ଣବ, ବିଶିଷ୍ଟ ରାଜନୀତିଜ୍ଞ, ନାଟ୍ୟକାର, ଶ୍ରୀ ଚୈତନ୍ୟଙ୍କର ପରମ ସଖା ଏବଂ ସର୍ବୋପରି ଗଜପତି ପ୍ରତାପରୁଦ୍ରଦେବଙ୍କ ସାମ୍ରାଜ୍ୟର ପ୍ରଧାନ ସେନାପତି ରାମାନନ୍ଦ ପଟ୍ଟନାୟକ ଓରଫ ରାୟରାମାନନ୍ଦ ଏହି ମଠରେ ଅନ୍ତିମ ଜୀବନରେ ଅବସ୍ଥାନ କରିଥିଲେ । ଜଗବନ୍ଧୁ ଏହି ପ୍ରସିଦ୍ଧ ଐତିହାସିକ ମଠର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଥିଲେ ଶେଷ ନିଃଶ୍ୱାସ ଗ୍ରହଣ କରୁଥିଲା ପର୍ଯ୍ୟନ୍ତ । ଏହି ମଠ ଅନ୍ତର୍ଗତ ସରୋବରରେ ସ୍ନାନ କରିବା ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ୧୯୪୮ ମସିହା ମେ’ ମାସ ସତର ତାରିଖରେ ।

 

ଜୀବଦଶାରେ ପୁରୀର ନାନା ଲୋକହିତକର କାର୍ଯ୍ୟରେ ତାଙ୍କୁ ଲୋଡ଼ାଯାଉଥିଲା । ପୁରୀ ଅନାଥାଶ୍ରମ, ପୁରୀ ବାଳିକାବିଦ୍ୟାଳୟ, ସତ୍ୟବାଦୀ ଜାତୀୟବିଦ୍ୟାଳୟ ଓ ସଂସ୍କୃତ ଶିକ୍ଷାବୋର୍ଡର ପରିଚାଳନା ସମିତିରେ ସେ ଥିଲେ ଅନ୍ୟତମ ପ୍ରଭାବଶାଳୀ ସଭ୍ୟ ।

 

ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଗୋପବନ୍ଧୁ ଦାସ ଯେଉଁ ଉଇଲ କରିଯାଇଥିଲେ ତାର ଅନ୍ୟତମ କର୍ମକର୍ତ୍ତା ଥିଲେ ଜଗବନ୍ଧୁ । ସେହି ଉଇଲର ଅଷ୍ଟମ ଅନୁଚ୍ଛେଦରେ ଅଛି – “ବାବୁ ଜଗବନ୍ଧୁ ସିଂହ, ବାବୁ ବନମାଳୀ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ବାବୁ ହରିହର ଦାସ ଓ ବାବୁ ଲିଙ୍ଗରାଜ ମିଶ୍ର ଏତଦ୍ୱାରା ଏହି ଉଇଲର ଏକଜିକ୍ୟୁଟର ବା କର୍ମକର୍ତ୍ତା ରୂପେ ନିଯୁକ୍ତ ହେଲେ । ସେମାନଙ୍କୁ କ୍ଷମତା ଦିଆଗଲା ଯେ, ମୋର ଦ୍ୱିତୀୟ କନ୍ୟା କୀର୍ତ୍ତିମୟୀ ପାଇଁ ପାଞ୍ଚଶହ ଟଙ୍କା ଅନୁଦାନ ଦେବେ ଏବଂ ଏହି ଅଭାବଗ୍ରସ୍ତା ଦ୍ୱିତୀୟାକନ୍ୟାର ସନ୍ତାନମାନଙ୍କର ଶିକ୍ଷାର ସମସ୍ତ ଭାର ଏହି ସମ୍ପତ୍ତି ବହନ କରିବ ।’

 

ଜଗବନ୍ଧୁ ଜୀବଦଶାରେ ଅନେକ ଶିକ୍ଷାନୁଷ୍ଠାନ ସହିତ ସଂପୃକ୍ତ ଥାଇ ଛାତ୍ରସମାଜର ଉନ୍ନତି କଳ୍ପେ ଅନେକ ଧ୍ୟାନ ଦେଇଥିଲେ । ୧୯୧୯ ଖ୍ରୀଷ୍ଟାବ୍ଦରେ କଟକରେ ଅନୁଷ୍ଠିତ ନିଖିଳ ଉତ୍କଳ ଛାତ୍ର-। ସମ୍ମିଳନୀରେ ତାଙ୍କର ସଭାପତି ଭାଷଣ ଥିଲା ବିଶେଷ ଉଲ୍ଲେଖଯୋଗ୍ୟ ।

 

ସାରସ୍ୱତ ସାଧକ ଜଗବନ୍ଧୁ

ଜଗବନ୍ଧୁ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ସେ ଏକାଧାରରେ ଥିଲେ ଜଣେ କବି, ନାଟ୍ୟକାର, ପ୍ରାବନ୍ଧିକ, ଗବେଷକ ଓ ଐତିହାସିକ ଏବଂ ସର୍ବୋପରି ଜଣେ ପ୍ରତୀଭାଦୀପ୍ତ ବ୍ୟକ୍ତିତ୍ଵ । ଲେଖାରେ ଓ ଭାବନାରେ ସର୍ବଦା ସ୍ଵଦେଶଭାବନା ଓ ଜାତୀୟତାପ୍ରୀତି ପ୍ରତିଫଳିତ ହେଉଥିଲା । ସେ ମଧ୍ୟ ଥିଲେ ଜଣେ ଶକ୍ତିଶାଳୀ ଅନୁବାଦକ, ସଙ୍ଗୀତକାର ଓ ଅଭିନେତା ।

 

ସେବାଧର୍ମ ଥିଲା ତାଙ୍କ ଜୀବନର ପ୍ରଧାନବ୍ରତ । ସେଥପାଇଁ ଗୋଟିଏ ଆଧ୍ୟାତ୍ମିକଧର୍ମୀ କବିତାରେ ସେ ଲେଖିଥିଲେ-

 

‘‘ପରପାଇଁ ମନ, ପରପାଇଁ ଧନ, ପରପାଇଁ ନିଜପ୍ରାଣ

ପରହିତେ ସବୁ ଯେବେ ଲଗାଇବୁ ହରିସେବା ତାକୁ ଜାଣ ।"

 

ମୋଟ ଉପରେ ତାଙ୍କର ବକ୍ତବ୍ୟ ଥିଲା- “ ମାନବ ସେବାହିଁ ମାଧବ ସେବା ।’’

 

ଶ୍ରୀ ଜଗନ୍ନାଥଙ୍କ ସାମ୍ୟବାଦୀ ସମନ୍ୱୟ ସଂସ୍କୃତିର ସେ ଥିଲେ ପ୍ରଧାନ ପ୍ରବକ୍ତା । ଧର୍ମଭାବନାଗତ ସଂକୀର୍ଣ୍ଣତାଠାରୁ ସେ ଥିଲେ ବହୁତ ଦୂରରେ । ଜଗନ୍ନାଥଙ୍କ ପୀଠରେ ଭାରତର ପ୍ରତ୍ୟେକ ଧର୍ମ ସଂପ୍ରଦାୟର ସମନ୍ୱୟ ସାଧନା ସମ୍ଭବ ହୋଇପାରିଛି ବୋଲି ତାଙ୍କର ଅନୁଭବରେ ଆଣିଥିଲେ । ତେଣୁ ଗୋଟିଏ କବିତାରେ ଲେଖିଥିଲେ–

 

“ସଉର, ଶାକ୍ତ, ବୈଷ୍ଣବ ଗାଣପତ୍ୟ ଯେ ଶଇବ

କବୀର ନାନକପନ୍ଥୀ ଭକ୍ତ

ନୀଳାଚଳ ଛାଇତଳେ ଏ ପୁଣ୍ୟଧାମ ଉତ୍କଳେ

ଦରଶନ କଲେ ଜଗନ୍ନାଥ ।

ଯାହାର ମତ ଯେମନ୍ତ ଦିଶିଲା ତାକୁ ତେମନ୍ତ

ଜଗନ୍ନାଥ ଜଗତଠାକୁର;

ଭୁଲି ସମ୍ପ୍ରଦାୟଭେଦ ପୂଜାକଲେ ପଦ୍ମପାଦ

ଜୀବନ ପିପାସା କଲେ ଦୂର ।

ସାମ୍ୟମୈତ୍ରୀ ଧର୍ମାଧାର ଦୀକ୍ଷାଗୁରୁ ଜଗତର

ବିଶ୍ଵପ୍ରେମ ମନ୍ତ୍ର ଶିକ୍ଷା ସ୍ଥଳ,

ଜୟ ଜଗବନ୍ଧୁ ଜୟ ଜୟ ପୁରୀଧାମ ଜୟ

ଜୟ ଜୟ ପ୍ରାଚୀନ ଉତ୍କଳ ।’’

 

ଜଗବନ୍ଧୁ ଥିଲେ ସ୍ୱଦେଶପ୍ରେମୀ ଏବଂ ନିଷ୍ଠାପର କଂଗ୍ରେସ ନେତା । ତାଙ୍କ ଲିଖିତ ଅନେକ କବିତାରେ ଦେଶପ୍ରୀତିର ଜୟଗାନ କରାଯାଇଛି । ଭାରତ ଚରିତାମୃତର ଉଦ୍ଧୃତ କତିପୟ ପଦରୁ ତାଙ୍କର ଜୀବନଦର୍ଶନ ବିଷୟରେ ଧାରଣା କରାଯାଇପାରେ । ଜାତିଗତ, ଗୋଷ୍ଠୀଗତ ସଂକୀର୍ଣ୍ଣତାରେ ସେ ସନ୍ତୁଳି ହେଉ ନଥିଲେ । ଭାରତୀୟ ଭାବନା ତାଙ୍କୁ ଆଜୀବନ ବିହ୍ୱଳିତ କରି ରଖିଥିଲା । ସେ ଲେଖିଥିଲେ–

 

“ପ୍ରତ୍ୟେକ ଭାରତବାସୀ ଅଟୁ ଆମ୍ଭେମାନେ

ଭାରତ ହିତ ପାଞ୍ଚବା ଶୟନେ ସ୍ୱପନେ ।

ମୁଁ ଚାହେଁ ଓଡ଼ିଆ ଜାତି ନ ହେଉ ନିଉନ

ବୃଦ୍ଧି ହେଉ ପ୍ରାଚୀନ କୀରତି ଶତଗୁଣ ।’’

(ଭାରତ ଚରିତାମୃତ- ୨ ଭାଗ)

 

ଆତ୍ମବିସୃତ ଉତ୍କଳୀୟ ଭାଇଭଉଣୀମାନଙ୍କୁ ଉନ୍ମେଷିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହେଲା ଜଗବନ୍ଧୁଙ୍କର ପ୍ରାଚୀନ ଐତିହ୍ୟ ଓ ସଂସ୍କୃତିର ଗବେଷଣା । ସେକାଳର ସାମୟିକ ସାହିତ୍ୟ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ କଲେ ଐତିହାସିକ ପ୍ରବନ୍ଧଗୁଡ଼ିକ । ଏଥିପାଇଁ ଶିଳାଲେଖ, ତାମ୍ରଲେଖ, ଇଂରେଜୀଭାଷାରେ ପ୍ରକାଶିତ ବହୁ ଗବେଷଣା ନିବନ୍ଧ ଓ ଇତିହାସ ପୁସ୍ତକ, ସରକାରୀ ରିପୋର୍ଟ ସେ ତନ୍ନ ତନ୍ନ କରି ଅଧ୍ୟୟନ କଲେ । ବିଦେଶୀ ଓ ପ୍ରବାସୀ ଐତିହାସିକଗଣ ଓଡ଼ିଶାର ଐହିତ୍ୟ ସମ୍ପର୍କରେ ଯେଉଁଠାରେ ଅନୁଦାର ସିଦ୍ଧାନ୍ତ ପ୍ରଚାର କରିଥିଲେ, ସେଗୁଡ଼ିକୁ ସେ ବଳିଷ୍ଠ ଯୁକ୍ତି ବଳରେ ଖଣ୍ଡନ କରି ଓଡ଼ିଶାର ପ୍ରାଚୀନ ଗୌରବମୟ ପରମ୍ପରାକୁ ପ୍ରତିପାଦନ କରିବାକୁ ପଶ୍ଚାତପଦ ହୋଇନଥିଲେ ।

 

‘‘ମୁକୁର’’ ସାହିତ୍ୟ ପତ୍ରିକାରେ ଜଗବନ୍ଧୁଙ୍କର ପ୍ରାଚୀନ ଉତ୍କଳ ସମ୍ପର୍କରେ ଆଲୋଚନା ପାଠ କରି ବ୍ୟାସକବି ଫକୀରମୋହନ ଲେଖିଥିଲେ ଏହି ତରୁଣ ଗବେଷକଙ୍କୁ ଆଶୀର୍ବାଦ କରି –

 

‘‘ମହାଶୟ, ଅଦ୍ୟ ମୁକୁରରେ ପ୍ରାଚୀନ ଉତ୍କଳ ପାଠକରି ଅତ୍ୟନ୍ତ ଆନନ୍ଦିତ ହେଲି । ବିନୟ ସହିତ ଆପଣଙ୍କ ଉଦ୍ଦେଶ୍ୟରେ ବାରମ୍ବାର ନମସ୍କାର କରୁଅଛି ।’’ (ଚିଠି ୧୪ । ୪ । ୧୯୧୭)

 

‘ଉତ୍କଳ ସାହିତ୍ୟ ଭଣ୍ଡାରରେ ପ୍ରବନ୍ଧଟି ଯେ ମହାର୍ଘ ହୀରକ ବିଶେଷ ।”. (ଚିଠି-୨୫ । ୫-। ୧୯୧୭)

 

‘‘ଉତ୍କଳବାସୀଙ୍କୁ ମାତୃଭୂମିର ଗୌରବମୟୀ କାହାଣୀ ଶୁଣାଇବାକୁ ଚେଷ୍ଟା କରନ୍ତୁ ? ମୋହର ପ୍ରାର୍ଥନା ।’’ (ଚିଠି-୨୮ । ୫ । ୧୯୧୭) ।

 

ଜଗବନ୍ଧୁଙ୍କ ଐତିହାସିକ ତଥ୍ୟ ଅନୁସନ୍ଧାନର ଆଭିମୁଖ୍ୟ ଥିଲା ଓଡ଼ିଆ ଜାତିର ଗୌରବ ପ୍ରଖ୍ୟାପନ ଏବଂ ଉତ୍କଳୀୟଙ୍କ ମନରୁ ହୀନମନ୍ୟତାର ଗ୍ଳାନି ନିରାକରଣ । ତେଣୁ ଗ୍ରନ୍ଥାକାରରେ ପ୍ରାଚୀନ ଉତ୍କଳ ପ୍ରକାଶ ପାଇଲା ପରେ ଭୂମିକାରେ ଲେଖକ ଲେଖିଥିଲେ ଏହିପରି- “ପ୍ରତ୍ନତତ୍ତ୍ୱ ଗବେଷଣା ଲାଗି ବିଶାଳକ୍ଷେତ୍ର ପଡ଼ିରହିଛି । କି ଧର୍ମ, କି ସାହିତ୍ୟ, କି ଶିଳ୍ପ, କି ବୀରତ୍ୱ ଇତ୍ୟାଦି ବିଷୟ ବିଭାଗରେ ପ୍ରାଚୀନ ଉତ୍କଳର ସ୍ଥାନ ଅତି ଉଚ୍ଚରେ ଅଛି । ... ଏତେବେଳେ ଉତ୍କଳ ସନ୍ତାନ ନୀରବନିଶ୍ଚଳ ହୋଇ ଶୋଇଲେ ଅନ୍ୟ ସମ୍ମକ୍ଷରେ ଅବଜ୍ଞାତ ନ ହୋଇ କଣ ହେବେ । ଉତ୍କଳ ସନ୍ତାନମାନଙ୍କ ସମକ୍ଷରେ ବିଶାଳ କାର୍ଯ୍ୟକ୍ଷେତ୍ର ଉନ୍ମୁକ୍ତ । ଅଣ୍ଟାଭିଡ଼ି ଠିଆହେବା ଆବଶ୍ୟକ ।’’

 

ଉତ୍କଳବାସୀଙ୍କର ପ୍ରାଚୀନତମ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ୧୯୧୭ ମସିହାରେ ‘‘ଐତିହାସିକ ତଥ୍ୟ ସଂଗ୍ରହ କମିଟି ଗଠନ’’ କଲେ । ସେକାଳର ବହୁ ଗଣ୍ୟମାନ୍ୟ ସାହିତ୍ୟିକ ଏହି କମିଟିର ସଭ୍ୟ ହୋଇଥିଲେ । ବିଖ୍ୟାତ ଐତିହାସିକ ଓ ଅଧ୍ୟାପକ ଯୋଗେଶଚନ୍ଦ୍ର ରାୟ ଏହି କମିଟିର ସଭାପତି ଆସନ ଅଳଙ୍କୃତ କରିଥିଲେ । ସଦସ୍ୟଭାବରେ ରହିଥିଲେ ସଦାଶିବ କାବ୍ୟକଣ୍ଠ ବିଶ୍ଵନାଥ ରଥ, ଜଗବନ୍ଧୁ ସିଂହ, ତାରିଣୀଚରଣ ରଥ, ବାଲୁଙ୍କେଶ୍ୱର ମିଶ୍ର, ରୁଦ୍ରନାରାୟଣ ଷଡ଼ଙ୍ଗୀ, ଚିନ୍ତାମଣି ଆଚାର୍ଯ୍ୟ, ଫକୀରଚରଣ ସାହାଣୀ, କୃପାସିନ୍ଧୁ ମିଶ୍ର, ଗୋପାଳଚନ୍ଦ୍ର ପ୍ରହରାଜ, ମଧୁସୂଦନ ଦାସ ଓ ମୃତ୍ୟୁଞ୍ଜୟ ରଥ । ଜଣେ ଗବେଷକ ଭାବରେ ଜଗବନ୍ଧୁଙ୍କର ସ୍ଵୀକୃତି ଏଥିରୁ ଅନୁମିତ ହୋଇଥାଏ ।

 

ଜଗବନ୍ଧୁଙ୍କ ସାହିତ୍ୟକୃତିକୁ ନିମ୍ନଲିଖିତ ମତେ ବିଭାଜନ କରିଛନ୍ତି ସୁସମାଲୋଚକ ଓ ଅଧ୍ୟାପକ ଜାନକୀବଲ୍ଲଭ ମହାନ୍ତି ( ଭରଦ୍ଵାଜ) ତାହା ହେଲା (୧) ଗବେଷଣାଧର୍ମୀ ପ୍ରବନ୍ଧ ଓ ଆଲୋଚନା (୨) ପ୍ରୌଢ଼ସାହିତ୍ୟ (୩) ଜୀବନଚରିତ (୪) ସଂକଳନ ଓ ସମ୍ପାଦନା (୫) ଅନୁବାଦ (୬) ଭକ୍ତି ସଙ୍ଗୀତ ଓ କୀର୍ତ୍ତନ (୭) ଇତିହାସ ଓ ପୁରାଣଧର୍ମୀ ରଚନା ।

 

ପ୍ରକାଶିତ ଗ୍ରନ୍ଥ ଗୁଡ଼ିକ ହେଲା- (କ) ଗୀତା (ଅନୁବାଦ) (ଖ) ଗୀତା ଯୋଗ ତତ୍ତ୍ୱ (ଗ) ଗୀତା ରହସ୍ୟ (ଘ) ଜ୍ୟୋତିଷାର୍ଣ୍ଣବ (ଡ) କର୍ମବୀର ଔାସିଂଙ୍ଗଟନ (୭) ସୁବର୍ଣ୍ଣ ଦୃଷ୍ଟାନ୍ତ (ଛି) ପ୍ରାଚୀନ ଭାରତର ସାହିତ୍ୟ (ଜ) ପ୍ରାଚୀନ ଉତ୍କଳ (ଝ) ଗୃହଲକ୍ଷ୍ମୀ (୧-୪) (ଞ) ସଙ୍କୀର୍ତ୍ତନ ରସାମୃତ (ଟ) ସଙ୍ଗୀତ ରସନିଧି (୦) କପାଚାଷ (ଡି) ଅରଟମହାତ୍ମ (ଡ) ସ୍ୱଧର୍ମ (ଣ) ସ୍ୱଧର୍ମ ଭଜନ (ତ) ପଞ୍ଚାୟତ ଦର୍ଶନ (2) ଶ୍ରୀକୃଷ୍ଣ (ଦ) ସ୍ଵାସ୍ଥ୍ୟରକ୍ଷା (ଧ) ଭୂଗୋଳ (ନ) ପଠାଣି ସାମନ୍ତ (ପ) ଭାରତ ଚରିତ (ଫ) ଭାରତୀୟ ସ୍ୱରାଜ (ବି) ପଞ୍ଚାମୃତ (ଭ) ରାଜଲକ୍ଷ୍ମୀ ।

 

ଗୀତିନାଟ୍ୟଗୁଡ଼ିକ ପୁସ୍ତକଆକାରରେ ପ୍ରକାଶିତ ହୋଇ ପାରିନାହିଁ ।

 

ପୂର୍ବରୁ ଧାରାବାହିକ ଭାବରେ ପ୍ରକାଶିତ ଐତିହାସିକ ପ୍ରବନ୍ଧଗୁଡ଼ିକ ‘‘ପ୍ରାଚୀନ ଉତ୍କଳ’’ ନାମରେ ପ୍ରକାଶିତ ହୁଏ ୧୯୨୯ ମସିହାରେ । ଓଡ଼ିଶାର ପ୍ରାଚୀନ ସାହିତ୍ୟ, ଇତିହାସ ଓ ସଂସ୍କୃତି ବିଷୟରେ ଏଥିରେ ଆଲୋକପାତ କରାଯାଇଛି । ଜଗବନ୍ଧୁଙ୍କ ପୂର୍ବରୁ ଏପରି ଗ୍ରନ୍ଥ ଓଡ଼ିଆ ଭାଷାରେ ଆଉ କେହି ରଚନା କରିନଥିଲେ ।

 

ଭାଗବତ ଗୀତା ସମ୍ପର୍କରେ ବାଳଗଙ୍ଗାଧର ତିଳକଙ୍କ ରଚିତ ‘‘ଗୀତାରହସ୍ୟ” ଏକ ଭାରତ ପ୍ରସିଦ୍ଧ ଗ୍ରନ୍ଥ । ଜଗବନ୍ଧୁଙ୍କର ଅନୁବାଦ ହେଲା ଗୀତାରହସ୍ୟ ୧ମ ଭାଗ-୧୯୩୦ ଓ ଗୀତାରହସ୍ୟ ୨ୟ ଭାଗ-୧୯୩୧ । ଶ୍ରୀମଦ୍ ଭାଗବତ ଗୀତାକୁ ସେ ଅନୁବାଦ କରିଥିଲେ ନବାକ୍ଷରୀବୃତ୍ତରେ । ଏହି ଅନୁବାଦ ଥିଲା ଅତ୍ୟନ୍ତ ସରଳ ଓ ସହଜବୋଧ ସାଧାରଣ ପାଠକମାନଙ୍କ ପାଇଁ । ଏଠାରେ ଉଦାହରଣ ଛଳରେ ଦୁଇଟି ପଦର ଉଦ୍ଧାର କରାଯାଇଛି ।

 

“ଧର୍ମକ୍ଷେତ୍ର କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ

ମାମକା ପାଣ୍ଡବାଶ୍ଚୈବ କିମ କୁର୍ବତ ସଞ୍ଜୟ ।

ମୋ ସୁତ, ପଣ୍ଡସୁତଗଣ । ରଣ କରିବେ କଲେ ପଣ

କୁରୁକ୍ଷେତ୍ରକୁ ଚଳିଗଲେ । କହି ସେଠାରେ କିସ କଲେ ।

ଧରମସ୍ଥାନେ ଧର୍ମ୍ମବୁଦ୍ଧି । ଉପୁଜେ ପରା ଅଛି ବିଧି ।

ଧରମ କ୍ଷେତ୍ର କୁରୁକ୍ଷେତ୍ର । କି ହେଲା ସେଠାରେ ବିଚିତ୍ର ।

ଫେଡ଼ ମୋ ମନରୁ ସଂଶୟ । କି ହେଲା କହ ହେ ସଞ୍ଜୟ ।"

ବାସାଂସି ଜୀର୍ଣ୍ଣାନି ଯଥାବିହାୟ ନବାନି ଗୃହ୍‍ଣାତି ନରୋପରାଣି ।

ତଥା ଶରୀରାଣି ବିହାୟ ଜୀର୍ଣ୍ଣାନ୍ୟନ୍ୟାନି ସଂଯାତି ନବାନି ଦେହୀ ।

‘‘ତେଜି ବସନ ପୂରାତନ । ନୂତନ କରି ପରିଧାନ ।

ତେସନ ଶରୀର ନୂତନ । ଧରନ୍ତି ତେଜି ପୁରାତନ

ଜନମ ମରଣ ଏପରି । ବୁଝ ଏ ତତ୍ତ୍ୱ ଭଲକରି ।’’

 

ଓଡ଼ିଶାର ପଲ୍ଲୀବାସୀଙ୍କ ମୁଖରେ ବଙ୍ଗଳା କୀର୍ତ୍ତନର ବିକୃତ ଉଚ୍ଚାରଣ ଲକ୍ଷ୍ୟ କରି ଜଗବନ୍ଧୁ ରଚନା କଲେ ଓଡ଼ିଆରେ ‘‘କୀର୍ତ୍ତନ ରସାମୃତ” ଏହାର ପ୍ରକାଶକାଳ ୧୯୨୯ । ‘ଭାରତ ଚରିତମୃତ’ - ୧୯୬୪ ଜଗବନ୍ଧୁଙ୍କର ଏକ ଅମଳିନ କୀର୍ତ୍ତି । ତାଙ୍କର ପ୍ରିୟବନ୍ଧୁ ଗୋପବନ୍ଧୁଙ୍କ ପ୍ରେରଣାରେ ସେ ଏହି ଗ୍ରନ୍ଥ ପ୍ରଣୟନ କରିଥିଲେ ଚଉଦ ଅକ୍ଷର ବୃତ୍ତରେ । ଆମର ଜନସାଧାରଣ ରାମ, କୃଷ୍ଣଙ୍କ ବିଷୟ ଯେପରି ସହଜରେ ଗ୍ରହଣ କରି ପାରୁଛନ୍ତି, ଓଡ଼ିଶାର ଐତିହାସିକ ବ୍ୟକ୍ତିତ୍ଵ, ଖାରବେଳ ଚୋଡ଼ଗଙ୍ଗଦେବ, କପିଳେନ୍ଦ୍ରଦେବ, ପୁରୁଷୋତ୍ତମ ଦେବ, ପ୍ରତାପରୁଦ୍ର ଦେବଙ୍କ ପ୍ରସଙ୍ଗ ଆଲୋଚନା କାଳରେ ସେମାନଙ୍କର ସହଜବୋଧ୍ୟ ହେଉନାହିଁ । ତେଣୁ ଆମର ଜାତୀୟ ଇତିହାସକୁ ପୁରାଣ ଆକାରରେ ଲେଖିବା ପାଇଁ ଗୋପବନ୍ଧୁ ବାରମ୍ବାର ଅନୁରୋଧ କରି ଦେହତ୍ୟାଗ କଲେ ।

 

ଉତ୍କଳମଣିଙ୍କ ଅନୁରୋଧକୁ ସ୍ମରଣକରି ଜଗବନ୍ଧୁ ଉକ୍ତ ଗ୍ରନ୍ଥରେ ମହାଭାରତ ଯୁଦ୍ଧଠାରୁ ଗାନ୍ଧିଜୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହି ଦୀର୍ଘକାଳର ରାଜନୈତିକ ଓ ଐତିହାସିକ ଘଟଣାକୁ ଜନଶିକ୍ଷା ଉଦ୍ଦେଶ୍ୟରେ ଲିପିବଦ୍ଧ କରିଯାଇଛନ୍ତି ।

 

ଜଗବନ୍ଧୁ ସତ୍ୟବାଦୀ-ସାହିତ୍ୟ ଆନ୍ଦୋଳନର ଥିଲେ ଅନ୍ୟତମ କର୍ଣ୍ଣଧାର । ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ସତ୍ୟବାଦୀ ଆନ୍ଦୋଳନର ଦାନ ଅପରିସୀମ । ଏହି ଆନ୍ଦୋଳନର ମୁଖପତ୍ର ‘ସତ୍ୟବାଦୀ’ ମାସିକ ସାହିତ୍ୟପତ୍ର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମ୍ପାଦନାରେ ପ୍ରକାଶିତ ହୁଏ ୧୯୧୫ ଖ୍ରୀଷ୍ଟାବ୍ଦରେ । ଏହି ପତ୍ରିକାରେ ଜଗବନ୍ଧୁଙ୍କର ପ୍ରତାପରୁଦ୍ର ଓ ସମର ପ୍ରସଙ୍ଗ ପ୍ରବନ୍ଧ ଦ୍ଵୟ ଧାରାବାହିକ ଭାବରେ କେତେଗୋଟି ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ଏଥିରେ ‘ଶଙ୍କରାଚାର୍ଯ୍ୟ’ ଶୀର୍ଷକରେ ଏକ ଲେଖା ମଧ୍ୟ ସ୍ଥାନ ପାଇଥିଲା । କିନ୍ତୁ ଜଗବନ୍ଧୁ ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ସାହିତ୍ୟ ପତ୍ରିକାରେ ନିରବଚ୍ଛିନ୍ନ ଭାବରେ ଅନେକ ମୂଲ୍ୟବାନ ପ୍ରବନ୍ଧ ପ୍ରକାଶ କରିଥିଲେ । ଉଦାହରଣ ସ୍ୱରୂପ ‘ପ୍ରାଚୀନ ଭାରତର ସାହିତ୍ୟ ସମ୍ପତ୍ତି ପ୍ରଥମେ ଉତ୍କଳ ସାହିତ୍ୟ ୨୧/୪ ସଂଖ୍ୟାରେ ପ୍ରକାଶିତ ହୋଇ ଧାରାବାହିକ ଭାବରେ ଅନେକଗୁଡ଼ିଏ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ସେହିପରି ‘‘କର୍ମଫଳ’’ ଶୀର୍ଷକରେ ଏକ ପ୍ରବନ୍ଧ ଉତ୍କଳ ସାହିତ୍ୟ ୧୫/୬ ସଂଖ୍ୟାରୁ ଆରମ୍ଭ ହୋଇ ପରବର୍ତ୍ତୀ ଛଅଗୋଟି ସଂଖ୍ୟାରେ ଶେଷ ହୁଏ । ଲେଖକ କହିଥିଲେ- କର୍ମ ନିଶ୍ଳେଷ୍ଟତାହିଁ ଅବନ୍ନତିର ଲକ୍ଷଣ । କର୍ମ ହିଁ ପୁରୁଷକାର ଏବଂ ପୁରୁଷକାର ହିଁ କର୍ମ ପଦବାଚ୍ୟ । ଧର୍ମବଳ ଶୀର୍ଷକରେ ଏକ ପ୍ରବନ୍ଧ ପ୍ରକାଶିତ ହୁଏ ମୁକୁର ୯/ ୩ ଓ ୯/୪, ୫ ସଂଖ୍ୟାରେ । ପାଶ୍ଚାତ୍ୟଶିକ୍ଷା ନାସ୍ତିକ ଭାବନା ପ୍ରଚାର କରୁଥିବାରୁ ଜାତୀୟ ଜୀବନରେ ଧର୍ମବଳରେ ଉପାଦେୟତା ଏହି ପ୍ରବନ୍ଧରେ ପ୍ରତିପାଦନ କରାଯାଇଛି । ସତ୍ୟବାଦୀ ପତ୍ରିକାର ୫/୮, ୯; ୬/୧; ୬/୨; ୬/୩ ସଂଖ୍ୟାରେ ପ୍ରକାଶିତ ଧାରାବାହିକ ଆଲୋଚନା ‘ଜୟଦେବ’ ଅନେକ ନୂତନ ସନ୍ଦେଶ ପରିବେଷଣ କରିଥିଲା । ‘ମୁକୁର’ ପତ୍ରିକାର ୧୦/୯ ସଂଖ୍ୟାରେ ‘ପୁରାତନ ଭାରତର ବୈଦେଶିକ ବାଣିଜ୍ୟ’ ଆଉ ଏକ ଉଲ୍ଲେଖଯୋଗ୍ୟ ପ୍ରବନ୍ଧ ଥିଲା ।

 

ଜଗବନ୍ଧୁଙ୍କ ‘ପ୍ରବନ୍ଧ ସାର’ ପୁସ୍ତକରେ ସ୍ଥାନିତ ହୋଇଥିଲା ଶିକ୍ଷା, ସ୍ତ୍ରୀଶିକ୍ଷା, ଜାତୀୟଜୀବନ, ଆୟୁର୍ବେଦ, ଶିଳ୍ପ, ବାଣିଜ୍ୟ, ପୁରାଣ, ଜ୍ୟାତିର୍ବିଦ୍ୟା, ସଙ୍ଗୀତ ଓ ଭାଗବତ ଘର । ଏହି ପ୍ରତ୍ୟେକଟି ପ୍ରବନ୍ଧ ପ୍ରଥମେ ପ୍ରକାଶିତ ହୋଇଥିଲା ‘ମୁକୁର’ ସାହିତ୍ୟ ପତ୍ରିକାର ବିଭିନ୍ନ ସଂଖ୍ୟାରେ ।

 

ଜଗବନ୍ଧୁଙ୍କ ପ୍ରତ୍ୟେକଟି ପ୍ରବନ୍ଧ ଶିକ୍ଷଣୀୟ ଓ ସତ୍ୟର ଅନୁସନ୍ଧାନରେ ଯତ୍ନଶୀଳ । ଅନେକ ପ୍ରବନ୍ଧ ଗବେଷଣାଧର୍ମୀ ଓ ଉତ୍କଳୀୟ ସଂସ୍କୃତି ପ୍ରଖ୍ୟାପକ ।

 

ଅଧ୍ୟାପକ ଜାନକୀବଲ୍ଲଭ ଯଥାର୍ଥରେ ମତବ୍ୟକ୍ତ କରିଛନ୍ତି – “ଜଗବନ୍ଧୁଙ୍କର ଅଧିକାଂଶ ପୁସ୍ତକ ଚିତ୍ତବିନୋଦକ ଓ ସୁଖପାଠ୍ୟ ନ ହେଲେ ହେଁ ତାହା ଯେ ଶିକ୍ଷାପ୍ରଦ, ଆଦର୍ଶମୂଳକ ଓ ଚିନ୍ତାଉଦ୍ରେକକାରୀ ଏ ବିଷୟରେ ସନ୍ଦେହର ଅବକାଶ ନାହିଁ । ଦୀର୍ଘକାଳ ବ୍ୟାପୀ ନିରଳସ ସାହିତ୍ୟ ସାଧନା ଫଳରେ ଜଗବନ୍ଧୁ ଏ ଦେଶବାସୀଙ୍କ ଲାଗି ସାହିତ୍ୟ ସେବାର ଯେଉଁ ଆଦର୍ଶ ରଖି ଯାଇଅଛନ୍ତି, ତାହା ପରବର୍ତ୍ତୀ ବଂଶଧରଙ୍କ ଲାଗି ନିଶ୍ଚୟ ପ୍ରେରଣାର ଉତ୍ସହୋଇ ରହିବ ।’’

(କର୍ମଯୋଗୀ ଜଗବନ୍ଧୁ ସିଂହ- ଗ୍ରନ୍ଥମନ୍ଦିର-୧୯୯୭)

 

ଓଡ଼ିଆ ଜାତିର ଉନ୍ନତି ପାଇଁ ଜଗବନ୍ଧୁ ସର୍ବଦା ବ୍ୟାକୁଳ ହେଉଥିଲେ । ସାହିତ୍ୟର ଉନ୍ନତି ନ ହେଲେ କୌଣସି ଜାତି ସମୃଦ୍ଧ ହୋଇପାରିବ ନାହିଁ ବୋଲି ସେ ବିଶ୍ୱାସ କରୁଥିଲେ । ତେଣୁ ୧୯୩୧ ମସିହାରେ ଉତ୍କଳ ସାହିତ୍ୟ ସମାଜର ପଞ୍ଚବିଂଶ ଅଧିବେଶନରେ ସଭାପତି ଆସନ ଅଳଙ୍କୃତ କରି ଜଗବନ୍ଧୁ ଆହ୍ୱାନ ଦେଇଥିଲେ ଏହିପରି- “ଉତ୍କଳ ସାହିତ୍ୟର ଉନ୍ନତି ଲାଗି ପ୍ରତ୍ୟେକ ଉତ୍କଳ ସନ୍ତାନ ବ୍ୟକ୍ତିଗତ ଭାବରେ ଓ ସଂଘବଦ୍ଧ ଭାବରେ ଦାୟୀ । ଉତ୍କଳ ଜନନୀର ଏ କାର୍ଯ୍ୟ ଯାହାର ଦେଶାତ୍ମବୋଧ ଅଛି ଯାହାର ଜନନୀ ଜନ୍ମଭୂମି ପ୍ରତି ବିନ୍ଦୁମାତ୍ର ସ୍ନେହଭକ୍ତି ଅଛି, ଯାହା ପ୍ରାଣରେ ଉତ୍କଳ ସାହିତ୍ୟର ଅପୂର୍ଣ୍ଣାଙ୍ଗ ଦେଖି ଲେଶମାତ୍ର ଆଘାତ ଲାଗୁଅଛି, ସେ ଅବଶ୍ୟ ସାହିତ୍ୟ ସେବାରେ ମନପ୍ରାଣ ଢାଳିଦେବ ।’’

 

ଏପରି ବକ୍ତବ୍ୟରୁ ଜଗବନ୍ଧୁଙ୍କ ସାହିତ୍ୟ ସାଧନାର ଆଦର୍ଶ ଓ ଆଭିମୁଖ୍ୟ ସହଜରେ ଅନୁଭବ କରାଯାଇଥାଏ । ସ୍ଵଜାତିର ଗୌରବମୟ ଇତିହାସ ଓ ସଂସ୍କୃତି ବିଷୟରେ ଦେଶବାସୀଙ୍କୁ ସଚେତନ କରାଇ ହୀନମନ୍ୟତାର ଗ୍ଳାନି ଦୂର କରିବା ପାଇଁ ସେ ଆଜୀବନ ସାହିତ୍ୟସେବାରେ ବ୍ରତୀ ହୋଇଥିଲେ ।

ଝର କଲୋନୀ, କଟକ-୮

 

ସହାୟକ ରଚନାବଳୀ

୧.

କର୍ମଯୋଗୀ ଜଗବନ୍ଧୁ ସିଂହ-ଲେ-ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)- ଗ୍ରନ୍ଥମନ୍ଦିର, କଟକ-୨, ୧୯୯୭ ।

୨.

ଜଗବନ୍ଧୁ ସିଂହ ସ୍ମରଣିକା- ଜଗବନ୍ଧୁ ସ୍ମୃତି ସଂସଦ, ହେରା ଗୋହିରୀ ସାହି, ପୁରୀ-୧, ୧୯୯୭ ।

୩.

ପ୍ରବନ୍ଧ ଓ ସମାଲୋଚନା ଅଧ୍ୟାପକ ପଠାଣି ପଟ୍ଟନାୟକ ଫ୍ରେଣ୍ଡସ୍ ପବ୍ଲିଶର୍ସ, କଟକ-୨, ୧୯୬୮

 

***

 

ଜଗବନ୍ଧୁ ସିଂହଙ୍କ ‘‘ପ୍ରାଚୀନ ଉତ୍କଳ’’ରେ ଜାତୀୟବାଦୀ ଚେତନା

ବିଷ୍ଣୁମୋହନ ଦାସ

 

ଷୋଡ଼ଶ ଶତାବ୍ଦୀର ଶେଷ ଭାଗରୁ ଆଫ୍‍ଗାନ, ମୋଗଲ, ଗୋଲକୁଣ୍ଡା ନବାବ ଓ ମରହଟ୍ଟାମାନଙ୍କର କ୍ରମାଗତ ଆକ୍ରମଣ ଫଳରେ ଓଡ଼ିଶାର କେତେକ ଅଞ୍ଚଳ ସେମାନଙ୍କ କରାଗତ ହୋଇଥିଲା । ଊନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇଂରେଜଶାସନ ଓଡ଼ିଶାରେ ପ୍ରତିଷ୍ଠିତ ହେଲାପରେ ଶାସନଗତ ସୁବିଧା ଦୃଷ୍ଟିରୁ ସେମାନେ କେତେକ ଓଡ଼ିଆ ଭାଷୀ ଅଞ୍ଚଳକୁ ପଡ଼ୋଶୀ ପ୍ରଦେଶମାନଙ୍କୁ ହସ୍ତାନ୍ତର କରିଥିଲେ, ଏହିପରି ଖଣ୍ଡବିଖଣ୍ଡିତ ଓଡ଼ିଶା କାଳକ୍ରମେ ନିଜର ସତ୍ତା ହରାଇ ଏକ କ୍ଷୁଦ୍ର ଅନୁନ୍ନତ ଅଞ୍ଚଳ ହିସାବରେ ପରିଗଣିତ ହୋଇଥିଲା । ପ୍ରାରମ୍ଭରେ ନିଜର ରାଜସ୍ୱ ବୃଦ୍ଧି ପାଇଁ କ୍ରମାଗତ ଚାଷ ଜମିର ବନ୍ଦୋବସ୍ତ କରାଇ ଇଂରେଜ ଶାସନ ଓଡ଼ିଶାର ଅଧିବାସୀଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଥିଲେ । ତତ୍‍ସହିତ ‘ସୂର୍ଯ୍ୟାସ୍ତ ଆଇନ’ ଅନୁସାରେ ଓଡ଼ିଶାର ଜନସାଧାରଣଙ୍କ କେତେକ ଜମିଦାରିକୁ କଲିକତାରେ ନିଲାମ କରି ସେଠାର ଅଧିବାସୀଙ୍କ କର୍ତ୍ତୃତ୍ୱ ଏହି ଅଞ୍ଚଳରେ ପ୍ରତିଷ୍ଠିତ କରିଥିଲେ ।

 

୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଅଧବାସୀଙ୍କ ଆର୍ଥିକ ଅବସ୍ଥାକୁ ସମ୍ପୂର୍ଣ୍ଣଭାବରେ ଧ୍ୱଂସ କରିଦେଇଥିଲା । ଏଥିରେ ଇଂରେଜ ଶାସକଙ୍କ ଅସହଯୋଗ ଓ ପ୍ରତିକାରର ଅଭାବ ହେତୁ ସମଗ୍ର ପ୍ରଦେଶରେ ସଂଗଠିତ ଜନମତ ଶାସନ ବିରୁଦ୍ଧରେ ପ୍ରକାଶିତ ହେଲା । ଏହି ସମୟରେ ପଡ଼ୋଶୀ ପ୍ରଦେଶର ଓଡ଼ିଆ ଭାଷୀ ଅଞ୍ଚଳର ଦୁର୍ଦ୍ଦଶା ବୃଦ୍ଧି ପାଇ ସେମାନେ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ବିଶେଷ ଭାବରେ ଅବହେଳିତ ହୋଇଥିଲେ । କ୍ରମଶଃ ମାନସିକସ୍ତରରେ ସମସ୍ତ ଓଡ଼ିଶା ଭାଷାଭାଷୀ ଲୋକମାନଙ୍କ ମନରେ ଏକ ଅଦ୍ଭୂତପୂର୍ବ ଜନଜାଗରଣ ସୃଷ୍ଟି ହୋଇଥିଲା । ତେଣୁ ଇଂରେଜଶାସନ ସହିତ ପଡ଼ୋଶୀ ଓଡ଼ିଆ ଅଧ୍ୟୁଷିତ ପ୍ରଦେଶମାନଙ୍କ ବିରୁଦ୍ଧରେ ଏକ ସାମୂହିକ ଜାତୀୟବାଦୀ ଚେତନା ପ୍ରକାଶିତ ହେଲା । ଏହା ପରବର୍ତ୍ତୀ ସମୟରେ ‘ଓଡ଼ିଆ ଆନ୍ଦୋଳନ’ ନାମରେ ନାମିତ ହେଲା ।

 

ଏହି ଜନ ଆନ୍ଦୋଳନରେ ତିନିଜଣ ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମଧୁସୂଦନ ଦାସଙ୍କ ନେତୃତ୍ୱରେ ‘ଉତ୍କଳ ସମ୍ମିଳନୀ’ ପ୍ରତିଷ୍ଠିତ ହୋଇ ମନପ୍ରାଣ ଦେଇ ସେ ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଜାତୀୟ କଂଗ୍ରେସ ଓ ଉତ୍କଳ ସମ୍ମିଳନୀ ସହଯୋଗରେ ସର୍ବଭାରତୀୟସ୍ତରଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ତରରେ ଓଡ଼ିଶାର ଦୁଃଖ ଦୁର୍ଦ୍ଦଶା ମୋଚନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା । ଫକୀର ମୋହନ ସେନାପତି ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରସାର ମାଧ୍ୟମରେ ଏକ ସାଂସ୍କୃତିକ ଜାଗରଣ ସୃଷ୍ଟିକରି ସମଗ୍ର ଓଡ଼ିଆ ଭାଷାଭାଷୀ ଲୋକମାନଙ୍କ ମନରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିଥିଲେ ।

 

ଜଗବନ୍ଧୁ ଏହି ତିନିଜଣ ବ୍ୟକ୍ତିଙ୍କ ଆଦର୍ଶକୁ ଗ୍ରହଣ କରି ଏକ ସାମୂହିକ ବିକାଶର ଭିତ୍ତି ଭୂମି ପ୍ରସ୍ତୁତ କରିଥିଲେ । ମଧୁବାବୁଙ୍କ ‘ଉତ୍କଳ ସମ୍ମିଳନୀ’ରେ ସକ୍ରିୟ ଅଂଶ ଗ୍ରହଣ କରି ସେ ବିଭିନ୍ନ ସ୍ତରରେ କାର୍ଯ୍ୟ କରିଥିଲେ । ଗୋପବନ୍ଧୁଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ଜାତୀୟ କଂଗ୍ରେସରେ ଯୋଗଦାନ କରି ଉଭୟ ଉତ୍କଳ ସମ୍ମିଳନୀ ଓ ଜାତୀୟ କଂଗ୍ରେସ ମାଧ୍ୟମରେ ଓଡ଼ିଶାର ଜନମତ ପ୍ରକାଶ କରିଥିଲେ । ଫକୀର ମୋହନଙ୍କ ଦ୍ଵାରା ପ୍ରଭାବିତ ହୋଇ ସେ ତତ୍କାଳୀନ ସାହିତ୍ୟ ପ୍ରତିକାଗୁଡ଼ିକରେ ଅନେକ ଜାତୀୟବାଦୀ ଲେଖା ପ୍ରକାଶ କରିବା ସଙ୍ଗେ ସଙ୍ଗେ କେତେକ ଉପାଦେୟ ପୁସ୍ତକ ଓ ଓଡ଼ିଆ ସମ୍ବନ୍ଧୀୟ ଏକ ପ୍ରାମାଣିକ ଗ୍ରନ୍ଥ ‘ପ୍ରାଚୀନ ଉତ୍କଳ’ ପ୍ରକାଶ କରିଥିଲେ-

 

ଏକ ମଧ୍ୟବିତ୍ତ ପରିବାରରେ ୧୮୭୬ ମସିହାରେ ସେ ପୁରୀ ଜିଲ୍ଲାର ଭୁବନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମଧୁବାବୁଙ୍କ ପ୍ରେରଣାରେ ଆଇନଶିକ୍ଷା ସମାପ୍ତ କରି ପୁରୀଠାରେ ଓକିଲାତି ଆରମ୍ଭ କରିଥିଲେ । ସେହିଦିନଠାରୁ ସତ୍ୟ ପ୍ରତିଷ୍ଠା କରିବା ପାଇଁ ସେ ସବୁକ୍ଷେତ୍ରରେ ଉଦ୍ୟମ । କରିଥିଲେ । ଜନ୍ମଭୂମି ଓ ଭାରତର ଗୌରବମୟ ଅଧ୍ୟାୟ ସମ୍ବନ୍ଧୀୟ ଜ୍ଞାନ ଗ୍ରହଣ କରିବା ପାଇଁ ସେ ଅନେକ ପ୍ରାଚୀନ ପୋଥ ଗ୍ରନ୍ଥ ଅଧ୍ୟୟନ କରିଥିଲେ । ଏହି ଅବସରରେ ଓଡ଼ିଶାର ଗୌରମୟ କୀର୍ତ୍ତି ସମ୍ପର୍କରେ ମଧ୍ୟ ସେ ଜାଣିବା ପାଇଁ ବିଭିନ୍ନ ସ୍ତରରେ ଅଧିକ ଅଧୟନରତ ହୋଇଥିଲେ । କ୍ରମଶଃ ଓଡ଼ିଶାର ଇତିହାସ ରଚନା ପାଇଁ ସେ ବିଶେଷ ଆଗ୍ରହୀ ହୋଇ ବିଭିନ୍ନ ପ୍ରବନ୍ଧଲେଖି ସାହିତ୍ୟ ପତ୍ରିକାରେ ପ୍ରକାଶ କରିଥିଲେ । ଫଳରେ ବହୁତ ପରିଶ୍ରମର ଫଳ ସ୍ୱରୂପ ‘ପ୍ରାଚୀନ ଉତ୍କଳ’ ପ୍ରକାଶିତ ହେଲା ।

 

ଏହି ଗ୍ରନ୍ଥ ତାଙ୍କ ଜାତୀୟବାଦୀ ଚେତନାର ପ୍ରତୀକ । ଏବେ ମଧ୍ୟ ଏହାକୁ ପ୍ରାମାଣିକ ଗ୍ରନ୍ଥ ହିସାବରେ ଗ୍ରହଣ କରାଯାଏ । ଏହାର ପ୍ରଥମ ମୁଦ୍ରଣ ପାରଳାଖେମୁଣ୍ଡି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଆର୍ଥିକ ସହାୟତାରେ ୧୯୨୯ ମସିହାରେ ପ୍ରକାଶିତ ହୋଇଥିଲା । ଏହାର ଦ୍ୱିତୀୟ ମୁଦ୍ରଣ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ୧୯୬୪ ମସିହାରେ ପ୍ରକାଶିତ ହୋଇଥିଲା । ଏହାର ତୃତୀୟ ମୁଦ୍ରଣ ୧୯୮୨ ମସିହାରେ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହି ଗ୍ରନ୍ଥ ଦୃଷ୍ଟ୍ରାପ୍ୟ ହୋଇଛି । ଏଥିରେ ଓଡ଼ିଶାର ଇତିହାସ, ସଂସ୍କୃତି, ଧର୍ମ, ଅର୍ଥ, ସାମରିକ ଜୀବନ, ଶିଳ୍ପ, ବାଣିଜ୍ୟ ଇତ୍ୟାଦିର ଏକ ସମ୍ପୂର୍ଣ୍ଣ ଚିତ୍ର ଉପସ୍ଥାପିତ ହୋଇଅଛି । ଭାରତର ଏକ ଗୌରବମୟ ଅଂଶ ହିସାବରେ ଓଡ଼ିଶାକୁ ଚିତ୍ରିତ କରି ସେ ଏକ ନୂତନ ଜାତୀୟଭାବ ଉଦ୍ରେକ କରିଛନ୍ତି ।

 

ଏହି ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ ସେ ତତ୍କାଳୀନ ସାହିତ୍ୟ ପତ୍ରିକା 'ଉତ୍କଳ ସାହିତ୍ୟ', ‘ମୁକୁର’ ଓ ‘ସତ୍ୟବାଦୀ’ରେ ଓଡ଼ିଶାର ସଂସ୍କୃତି ଓ ଇତିହାସ ସମ୍ପର୍କରେ ଅନେକ ଉପାଦେୟ ପ୍ରବନ୍ଧ ପ୍ରକାଶ କରି ଫକୀର ମୋହନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଆନନ୍ଦିତ ହୋଇ ଫକୀର ମୋହନ ଲେଖିଥିଲେ “ମହାଶୟ, ଅଦ୍ୟ ମୁକୁରରେ ପ୍ରାଚୀନ ଉତ୍କଳ ପାଠକରି ଅତ୍ୟନ୍ତ ଆନନ୍ଦିତ ହେଲି, ବିନୟର ସହିତ ଆପଣଙ୍କ ଉଦ୍ଦେଶ୍ୟରେ ବାରମ୍ବାର ନମସ୍କାର କରୁଅଛି । ଏ ପ୍ରବନ୍ଧ ପାଠକରି ଏତେଦୂର ମୋହିତ ଓ ଆନନ୍ଦିତ ହୋଇଯାଇଛି ଯେ ମନୋଭାବ ଆପଣଙ୍କୁ ନ ଲେଖି ରହିପାରୁନାହିଁ । ମାସିକ ପତ୍ରିକାରେ ଅନେକ ପ୍ରବନ୍ଧ ବାହାରୁଛି ଓ ବାହାରିବ, ପଢ଼ାପଢ଼ି ଅରୁଚି ଧରିଲାଣି, ବର୍ତ୍ତମାନ କିଛି ପଦାର୍ଥ ପ୍ରୟୋଜନ’’ । ଏହା ବ୍ୟତୀତ ସେ ସମୟର ବିଶିଷ୍ଟ ପ୍ରାବନ୍ଧିକ ଶଶିଭୂଷଣ ରାୟ, କାମପାଳ ମିଶ୍ର ଓ ନୀଳମଣି ବିଦ୍ୟାରତ୍ନ ମଧ୍ୟ ପତ୍ର ମାଧ୍ୟମରେ ତାଙ୍କୁ ପ୍ରଶଂସିତ ଓ ଉତ୍ସାହୀତ କରିଥିଲେ ।

 

ସେତେବେଳେ ଓଡ଼ିଶା ସବୁକ୍ଷେତ୍ରରେ ଅବହେଳିତ ହୋଇଥିବାରୁ ଜାତୀୟତା ବୋଧ ସହିତ ସମସ୍ତ ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ସମସ୍ତେ ଇଛୁକ ଥିଲେ । ଏହା ମହାଭାରତୀୟ ଚେତନାର ବିରୋଧ ନ ହୋଇ ତାହାର ଏକ ଅଂଶ-ବିଶେଷ ହିସାବରେ ପରିଗଣିତି ହେଉଥିଲା । ପ୍ରକାଶିତ ସାହିତ୍ୟ ରଚନା ମାଧ୍ୟମରେ ଜୀବନ ଓ ଆଦର୍ଶର ମୂଳମନ୍ତ୍ର ପ୍ରତିଫଳିତ ହୁଏ, ଏହା ମାଧ୍ୟମରେ ଜାତୀୟ ଚେତନାର ବିକାଶ ସହିତ ଏକ ନୂତନ ଦିଗନ୍ତର ସନ୍ଧାନ ଦିଏ । ସେହି ଦୃଷ୍ଟିରୁ ‘ପ୍ରାଚୀନ ଉତ୍କଳ’ ସମ୍ବନ୍ଧରେ ଆଲୋଚନା କଲେ ଏହା ଏକ ଉନ୍ନତ ଐତିହାସିକ ଦୃଷ୍ଟିଭଙ୍ଗୀରେ ରଚିତ ହୋଇଥିବାର ସୂଚନା ମିଳେ । ପାରିପାଶ୍ୱିକ ପରିବେଶ ଓ ଉପାଦାନ ମାଧ୍ୟମରେ ଇତିହାସ ପ୍ରକାଶିତ ହୁଏ । କାଳକ୍ରମେ ନୂତନ ଉପାଦାନ ସଂଗ୍ରହ ହେଲେ ନୂତନ ସତ୍ୟ ଉଦ୍‌ଘାଟିତ ହୁଏ । ତେଣୁ ଜଗବନ୍ଧୁଙ୍କ ମତରେ ଏ ପୁସ୍ତକକୁ କେବଳ ପଥ ପ୍ରଦର୍ଶକ ଶ୍ରେଣୀରେ ଗଣ୍ୟ କରିବେ ଏବଂ ଏହାକୁ ମୂଳଭିତ୍ତି କରି ତାହା ଉପରେ ଦୋ ମହଲା, ତିନିମହଲା ପ୍ରାସାଦ ଗଢ଼ିବାପାଇଁ ଉତ୍କଳପାଠକମାନଙ୍କୁ ପ୍ରାର୍ଥନା ।’’

 

ସେ ମଧ୍ୟ ଏହି ଗ୍ରନ୍ଥ ରଚନା ସମୟରେ ସୂଚାଇଥିଲେ ଯେ ଅନେକ ଉପାଦାନ ସଂଗ୍ରହ କରି ସେଥିପାଇଁ ଶ୍ରମ ଓ ଧନକୁ ନିୟୋଜନ କଲେ ପ୍ରକୃତ ରଚନାର ଉଦ୍ଦେଶ୍ୟ ସାଧନ ହେବ । ଏଣୁ ଲେଖକଙ୍କ ଦୃଷ୍ଟିର ପରିଧି ଅତି ବ୍ୟାପକ ହେବା ଉଚିତ । ପ୍ରକୃତ ସଭ୍ୟତା ବାହ୍ୟ ପ୍ରକାଶ ଦ୍ଵାରା ସୂଚିତ ନ ହୋଇ ଜ୍ଞାନ ଓ ସଭ୍ୟତାର ସ୍ତର ଅନୁସାରେ ନିଶ୍ଚିତ ହେବା ଉଚିତ । କାଳର ଗତିରେ ପ୍ରତ୍ୟେକ ଜାତିର ଉତ୍ଥାନ ଓ ପତନ ଅନିବାର୍ଯ୍ୟ । ତେଣୁ ବିପର୍ଯ୍ୟୟ ସ୍ଥିତିରେ କୌଣସି ଜାତିର ମୂଲ୍ୟାୟନ କରିବା ଉଚିତ ନୁହେଁ । ପ୍ରତ୍ୟେକ ଜାତିର ପ୍ରତିଷ୍ଠିତ ଉନ୍ନତ ଚିନ୍ତା ଓ ଜାତୀୟ ସାହିତ୍ୟରୁ ତାହାର ଉତ୍କର୍ଷତା ପ୍ରମାଣିତ ହୁଏ ।

 

ଓଡ଼ିଶାର ଗୌରବମୟ ଇତିହାସ ସମ୍ପର୍କରେ ଜ୍ଞାନ ଆହରଣ କରି ସେ ଅନେକ ଉପାଦେୟ ତାଳପତ୍ର ପୋଥି, ପ୍ରାଚୀନ ପ୍ରକାଶିତ ଗ୍ରନ୍ଥ, ଶିଳାଲେଖ ଓ ଅନ୍ୟାନ୍ୟ ଉପାଦାନ ସଂଗ୍ରହ କରିଥିଲେ । ଇତିହାସ ପ୍ରତି ତାଙ୍କର ଗଭୀର ଆଗ୍ରହଥିବାରୁ ୧୯୧୭ ମସିହାରେ ‘ଇତିହାସ ଅନୁସନ୍ଧାନ କମିଟି’ (Historical investigation Committee)ର ସଭ୍ୟ ହିସାବରେ ସେ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ । ଆମ ଦେଶର ପରମ୍ପରା ଓ ସଂସ୍କୃତି ପ୍ରତି ତାଙ୍କର ବିଶେଷ ଶ୍ରଦ୍ଧାଥିବାରୁ ସେ ଏ ସମ୍ପର୍କୀୟ କେତେକ ମୌଳିକ ଉପାଦାନ ସଂଗ୍ରହ କରିଥିଲେ । ତତ୍‍ସହିତ ପ୍ରକାଶିତ କେତେକ ଇଂରେଜୀ ଓ ବଙ୍ଗୀୟ ଲେଖକଙ୍କର ରଚନାକୁ ଅନୁଧ୍ୟାନ କରି ସେମାନଙ୍କ ପ୍ରକାଶିତ ତଥ୍ୟ ସଂଶୋଧନ କରିଥିଲେ ।

 

ତାଙ୍କ ମତରେ ଅତୀତର ଇତିହାସକୁ ଆନ୍ତରିକତା ସହିତ ଅନୁଧ୍ୟାନ କରି ସେଥିରୁ ଆଦର୍ଶଗତ ଉପାଦାନ ସଂଗ୍ରହ କରିବା ଭବିଷ୍ୟତ ପାଇଁ ଓଡ଼ିଆ ଜାତିର କର୍ତ୍ତବ୍ୟ । ତେଣୁ କେବଳ ଭାଷଣରେ ଲିପ୍ତ ନ ରହି କାର୍ଯ୍ୟ କ୍ଷେତ୍ରରେ ଗୌରବମୟ ଅତୀତକୁ ସ୍ମରଣ କରି ଆଗେଇଯିବାକୁ ହେବ । ପୂର୍ବ ପୁରୁଷଙ୍କ ଗୌରବ କାହାଣୀ ଶୁଣିଲେ ତତ୍ତୁଲ୍ୟ ଗୌରବ ଲାଭ ପାଇଁ ସଚେଷ୍ଟ ଏବଂ ଯତ୍ନଶୀଳ ହେବା ପ୍ରତ୍ୟେକ ଉତ୍ତରପୁରୁଷମାନଙ୍କ ପକ୍ଷରେ ସ୍ୱାଭାବିକ । ତେଣୁ ପୁନଶ୍ଚ ଓଡ଼ିଆ ଜାତିକୁ ସ୍ୱୀୟ କର୍ତ୍ତବ୍ୟ ସ୍ମରଣ କରାଇଦେଇ ସେ ଲେଖିଛନ୍ତି ‘‘ଆଜି ପ୍ରାଚୀନ ଉତ୍କଳର କୀର୍ତ୍ତିମାନଙ୍କୁ ଆପଣାର ବୋଲି ପ୍ରମାଣ କରି ଅନ୍ୟ ଜାତିର ଲୋକେ ନିଜ ଜାତିର ଗୌରବ ବୃଦ୍ଧି କରିବା ପାଇଁ ସିଦ୍ଧହସ୍ତ । ମାତ୍ର ଏତିକି ବେଳେ ଉତ୍କଳ ସନ୍ତାନ ନୀରବ ନିଶ୍ଚଳ ହୋଇ ଶୋଇଲେ ଅନ୍ୟ ସମକ୍ଷରେ ଅବଜ୍ଞାତ ନ ହୋଇ କ’ଣ ହେବ ? ଉତ୍କଳ ସନ୍ତାନମାନଙ୍କ ସମ୍ମୁଖରେ ବିଶାଳ କାର୍ଯ୍ୟ କ୍ଷେତ୍ର ଉନ୍ମୁକ୍ତ । ଅଣ୍ଟାଭିଡ଼ି ଠିଆ ହେବା ଆବଶ୍ୟକ ।’’ ଅତୀତ ଗୌରବରେ ଅନୁପ୍ରାଣିତ ହୋଇ ଉତ୍ସାହିତ ସହିତ କାର୍ଯ୍ୟକରିବା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ ହେଲେ ଜାତିର ଉନ୍ନତି ସମ୍ଭବ ବୋଲି ସେ ସୂଚାଇଛନ୍ତି ।

 

କେତେକ ପାଶ୍ଚାତ୍ୟ ଐତିହାସିକ ଆବଶ୍ୟକୀୟ ଉପାଦାନ ଅଭାବରୁ ଓଡ଼ିଶାର ଇତିହାସ ଓ ସଂସ୍କୃତି ସମ୍ପର୍କରେ ଭ୍ରମପୂର୍ଣ୍ଣ ବିବରଣୀ ପ୍ରଦାନ କରିବାରୁ ସେ ଦୁଃଖୀତ ହୋଇଛନ୍ତି । ଏ ସମ୍ପର୍କରେ ଷ୍ଟିର୍ଲିଙ୍କ ଲିଖିତ “An Account, Geographical, Statistical and historical of Orissa proper, Cuttack ୧୮୨୨ ମସିହାରେ ପ୍ରକାଶିତ ହୋଇଥିଲା । ସେ କେତେକ କ୍ଷେତ୍ରରେ ଜନଶ୍ରୁତି ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇଥିବାରୁ ଐତିହାସିକ ସତ୍ୟ ଉପସ୍ଥାପିତ କରିବାରେ ସକ୍ଷମ ହୋଇନଥିଲେ, ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ‘‘ଓଡ଼ିଶାର ଐତିହାସିକ ତଥ୍ୟ ଲୁକ୍କାୟିତ ହୋଇ ରହିଥାଏ, ଏହାର ଅସ୍ପଷ୍ଟତା, ଅତିରଞ୍ଜନ, ଅତିମାନସିକତା, ପରସ୍ପର ବିରୋଧିମତ ଓ ସମସାମୟିକ ଲେଖା ସହିତ ମିଶୁନଥିଲେ ମଧ୍ୟ ଏହା (କିମ୍ବଦନ୍ତୀ) ଇତିହାସର ଏକ ଅପରିହାର୍ଯ୍ୟ ଉପାଦାନ ବୋଲି ସ୍ୱୀକାର କରାଯାଏ” ଷ୍ଟଲିଂ ଅଧିକାଂଶ କ୍ଷେତ୍ରରେ ମାଦଳାପାଞ୍ଜି ଓ ଅନ୍ୟାନ୍ୟ କିମ୍ବଦନ୍ତୀକୁ ବିଶ୍ଳେଷଣ ନ କରି ତାହା ଉପରେ ନିର୍ଭରଶୀଳ ହୋଇଥିବାରୁ ଓଡ଼ିଶାର ଐତିହାସିକ ଚିତ୍ର ଠିକ୍ ଭାବରେ ଉପସ୍ଥାପିତ କରିପାରିନାହାନ୍ତି ।

 

ସେହିପରି ହଣ୍ଟର ‘Orissa’ ନାମକ ଦୁଇଟି ଗ୍ରନ୍ଥ ୧୮୭୨ ମସିହାରେ ପ୍ରକାଶିତ କରିଥିଲେ । ତାଙ୍କ ମତରେ ଓଡ଼ିଶାରେ ବିନ୍ଦୁ ମାତ୍ର ଐତିହାସିକ ଘଟଣା ନାହିଁ, ଏହା ଗୋଟିଏ ସଭ୍ୟତାହୀନ ଦେଶ । ପୁନଶ୍ଚ ଅଭିଧାନିକ ଅର୍ଥ ଭାବରେ ସେ କେତେକ ଶବ୍ଦକୁ ଭୁଲ ଅର୍ଥରେ ବିଶ୍ଳେଷଣ କରି ଗଙ୍ଗବଂଶକୁ ବଙ୍ଗବାସୀ ହିସାବରେ ଚିତ୍ରିତ କରିଛନ୍ତି । ହଣ୍ଟରଙ୍କ ସମୟରେ ଓଡ଼ିଶାରେ ୧୮୬୬ ମସିହାରେ ସଂଘଠିତ ଦୁର୍ଭିକ୍ଷର ପରବର୍ତ୍ତୀ ଅବସ୍ଥା ଭାରତ ଓ ଇଂଲଣ୍ଡରେ ଶାସନ ବିରୁଦ୍ଧରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେଣୁ ସମ୍ଭବତଃ ଇଂରେଜ ଶାସନର ଉପାଦେୟତା ପ୍ରମାଣ କରିବା ପାଇଁ ଜ୍ଞାତସାରରେ ଓଡ଼ିଶା ସଭ୍ୟତାହୀନ ଦେଶବୋଲି ଲେଖିଛନ୍ତି । କେତେକ ସ୍ଥଳରେ ସେ ସମସାମୟିକ ଈର୍ଷାନ୍ଵୀତ ବଙ୍ଗୀୟ ଲେଖକଙ୍କ ମତକୁ ଆଧାର କରି ଏପରି ଅସତ୍ୟ ବିବରଣୀ ପ୍ରଦାନ କରିଛନ୍ତି । ପରବର୍ତ୍ତୀ ସମୟରେ ବିଜୟଚନ୍ଦ୍ର ମଜୁମଦାରଙ୍କ ‘Orissa in the raking’ଏବଂ ଅନ୍ୟାନ୍ୟ ରଚନାରେ ଏହିମତ ପ୍ରକାଶିତ ହୋଇଥିବାରୁ, ହଣ୍ଟର ଏହି ଶ୍ରେଣୀର ଲେଖକମାନଙ୍କ ଦ୍ଵାରା ପ୍ରଭାବିତ ହୋଇଥିବାର ଅନୁମାନ କରାଯାଏ । ଜଗବନ୍ଧୁ ତାଙ୍କ ପୁସ୍ତକରେ ଏହି ମତକୁ ପ୍ରାଞ୍ଜଳ ଭାବରେ ବୁଝାଇ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଛନ୍ତି ।

 

ପୁନଶ୍ଚ କନିଙ୍ଗହାମଙ୍କ ଲିଖିତ ‘ପୁରାତନ ଭୌଗୋଳିକ ବୃତ୍ତାନ୍ତ’ ନାମକ ଇଂରାଜୀ ପୁସ୍ତକରେ ‘ପ୍ରାଚୀନ କଳିଙ୍ଗ’କୁ ତେଲଙ୍ଗା ନାମରେ ଚିହ୍ନିତ କରାଯାଇଥିବା ମତକୁ ‘ହୁଏନସାଂଙ୍କ ଭାରତ ବିବରଣୀ’ ଓ ‘ମହାଭାରତର ବନପର୍ବ’ରେ ବର୍ଣ୍ଣିତ ବିଷୟବସ୍ତୁ ଆଧାରରେ ଖଣ୍ଡନ କରିଛନ୍ତି-। ଜଗବନ୍ଧୁ ପ୍ରମାଣ କରିଛନ୍ତି ଯେ ଅତୀତର ପ୍ରାଚୀନ କଳିଙ୍ଗ ‘ଉତ୍କଳ’ର ଦକ୍ଷିଣ ଭାଗରେ ସ୍ଥିତ ଅଞ୍ଚଳ ଏବଂ ଏହା ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ଏଥିସହିତ ଖଣ୍ଡଗିରିରେ ଖୋଦିତ ଶିଳାଲିପି ଅନୁସାରେ ସେ ନିଜର ମତକୁ ଅଭ୍ରାନ୍ତ ବୋଲି ଉପସ୍ଥାପିତ କରିଛନ୍ତି ।

 

ବିଜୟଚନ୍ଦ୍ର ମଜୁମଦାରଙ୍କ ମତରେ ଓଡ଼ିଶାର ଅଧିବାସୀ ଅସଭ୍ୟ ଥିଲେ ଏବଂ ସେମାନଙ୍କର ନିଜସ୍ୱ ଭାଷା ନଥିଲା । ଉତ୍ତର ଭାରତର ଭାଷା ପୁରୀରେ ପ୍ରଚଳିତ ଥିଲା, ପ୍ରାଚୀନ କଳିଙ୍ଗ ସାମ୍ରାଜ୍ୟ ଉତ୍କଳ ଓ ଓଡ଼ିଶାର ବାହାରେ ଥିଲା ବୋଲି ସେ ଲେଖିଛନ୍ତି । ଜଗବନ୍ଧୁ ଏହି, ସବୁ ମତକୁ ଅସତ୍ୟ ବୋଲି ପ୍ରମାଣ କରି ବିଭିନ୍ନ ପୁରାତନ ଓ ମହାଭାରତରୁ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଛନ୍ତି । ମଜୁମଦାରଙ୍କୁ ବିଦ୍ରୁପକରି ସେ ତାଙ୍କୁ ଜଣେ ‘ତ୍ରିକାଳଦର୍ଶୀ ନ ହେଲେ ଏପରି ଅନୁମାନ କରିବା ଅସମ୍ଭବ ବୋଲି ଲେଖିଛନ୍ତି । ଏହା ବ୍ୟତୀତ ସେ ଏ ସଂକ୍ରାନ୍ତରେ ପୁରାତତ୍ତ୍ୱ ଓ ହୁଏନସାଂ ମତ ଦର୍ଶାଇଛନ୍ତି ।

 

ଏ ସମ୍ପର୍କରେ ସେ ଓଡ଼ିଆମାନଙ୍କୁ ଆହ୍ୱାନ କରି ଲେଖୁଛନ୍ତି ‘‘କୌଣସି ଉତ୍କଳୀୟ ଧାରାବାହିକ ଇତିହାସ ଲେଖି ନଥିବା ଏବଂ ବୈଦେଶିକମାନଙ୍କ ଲେଖାର ଉଚିତ ପ୍ରତିବାଦ କରିନଥିବାରୁ ସେ ସବୁକୁ ଅକାଟ୍ୟ ପ୍ରମାଣ ବୋଲି ଧରିନେଇଛନ୍ତି । ଅନେକ ସ୍ଥଳରେ ଉକ୍ତଲେଖାର ଉକ୍ତି କାଳ୍ପନିକ, ଅସାର, ଅଯୌକ୍ତିକ, ଈର୍ଷାପୂର୍ଣ୍ଣ, ପ୍ରାଚୀନ ପ୍ରମାଣ ବିରୁଦ୍ଧ ଥିବାରୁ ଲେଖକମାନଙ୍କର ଅନଭିଜ୍ଞତାର ପ୍ରମାଣ ମିଳେ ।’’

 

‘ପ୍ରାଚୀନ ଉତ୍କଳ’ ଲେଖିବା ପୂର୍ବରୁ ସେ ବିଦେଶୀକ ଲେଖକମାନଙ୍କ ଦ୍ୱାରା ଲିଖତ ଓ ସମ୍ପାଦିତ ଅନ୍ୟୁନ ପଚାଶ ଖଣ୍ଡ ଗ୍ରନ୍ଥକୁ ଭଲଭାବରେ ଅଧ୍ୟୟନ କରିଥିଲେ । ଏତଦ୍ ବ୍ୟତୀତ ମୂଳ ରାମାୟଣ, ମହାଭାରତ ଓ ଅନ୍ୟାନ୍ୟ ପୁରାଣ ସହିତ କେତେକ ଉପାଦେୟ ଧର୍ମଗ୍ରନ୍ଥକୁ ଅନୁଧ୍ୟାନ କରି ସେଥିରୁ ଆବଶ୍ୟକୀୟ ଉପାଦାନ ସଂଗ୍ରହ କରିଥିଲେ । କେତେକ କ୍ଷେତ୍ରରେ ବୈଦେଶୀମାନଙ୍କ ଦ୍ଵାରା ସମ୍ପାଦିତ ଗ୍ରନ୍ଥଗୁଡ଼ିକୁ ଅନୁଶୀଳନ କରି ସେ ବଙ୍ଗୀୟ ଲେଖକମାନଙ୍କ ଉକ୍ତିକୁ ଖଣ୍ଡନ କରିବାର ସୁଯୋଗ ପାଇଥିଲେ ।

 

‘ପ୍ରାଚୀନ ଉତ୍କଳ’ ଓଡ଼ିଶାର ଇତିହାସ ଓ ସାଂସ୍କୃତିକ ସମ୍ପର୍କର ଏକ ପ୍ରାମାଣିକ ଗ୍ରନ୍ଥ । ଓଡ଼ିଶାର ରାଜବଂଶ, ଆଫଗାନ ମୋଗଲ ଓ ମରହଟ୍ଟା ଶାସନ ସମ୍ପର୍କରେ ଆଲୋଚନା କରିବା ସମ୍ପର୍କରେ ସେ ଅନେକ ପ୍ରକାଶିତ ଓ ଅପ୍ରକାଶିତ ସଂସ୍କୃତ ଓ ପାର୍ଶୀଭାଷାରେ ଲିଖିତ ପୁସ୍ତକକୁ ଆମୂଳଚୂଳ ପାଠକରିଥିଲେ ।

 

ଚୈତନ୍ୟ ଓ ଜୟଦେବଙ୍କ ସମ୍ପର୍କରେ ଅନୁଧ୍ୟାନ କରି ପୁରାତତ୍ତ୍ୱ ଆଧାରିତ ଉପାଦାନ ମାଧ୍ୟମରେ ଚୈତନ୍ୟଙ୍କ ପୂର୍ବପୁରୁଷ ଓଡ଼ିଶାର ଅଧିବାସୀ ଏବଂ ଜୟଦେବ ଭୁବନେଶ୍ୱର ନିକଟସ୍ଥ କେନ୍ଦୁଲୀଗ୍ରାମରେ ଜନ୍ମଗ୍ରହଣ କରିଥିବା ପ୍ରମାଣ କରିଛନ୍ତି, ଓଡ଼ିଶାର ବୀରତ୍ୱ ପ୍ରସଙ୍ଗରେ ଶିଳାଲେଖ, ତାମ୍ରଲେଖ, ମାଦଳାପାଞ୍ଜୀର କିୟଦଂଶ ସାହାଯ୍ୟରେ ଓଡ଼ିଶାର ରାଜାମାନଙ୍କ ବୀରତ୍ୱ ପୂର୍ଣ୍ଣ ଅଭିଯାନ ଓ ସାମ୍ରାଜ୍ୟ ବିସ୍ତାର ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତତ୍‍ସହିତ ସେ ସମୟରେ ସାମରିକ ଜୀବନର ବିସ୍ତୃତ ବିବରଣୀ ଓ ସାମରିକ ପ୍ରତିଷ୍ଠାନ (ଗଡ଼)ର ସ୍ଥିତି ସମ୍ପର୍କରେ ସୂଚାଇଛନ୍ତି-। ଓଡ଼ିଶାର ଭାଷା ଓ ସାହିତ୍ୟର ଅତୀତ ଗୌରବ ବର୍ଣ୍ଣନା କରି ସେ ସମୟରେ ସଂସ୍କୃତଭାଷାର ପ୍ରସାର ଏବଂ ଏକତ୍ରିଶ ଜଣ ପଣ୍ଡିତଙ୍କ ଦ୍ୱାରା ଲିଖିତ ପୁସ୍ତକ ସମ୍ପର୍କରେ ଦର୍ଶାଇଛନ୍ତି । ଏହା ବ୍ୟତୀତ ଓଡ଼ିଆଭାଷାର ଉତ୍ପତ୍ତି, ପାଲିଭାଷା ଓ ସଂସ୍କୃତ ସହିତ ଏହାର ସମ୍ପର୍କ ବିଷୟରେ ସେ ଏକ ବିସ୍ତୃତ ବିବରଣୀ ଦେଇଛନ୍ତି । ଅତୀତର କେତେକ ପ୍ରଖ୍ୟାତ ଓଡ଼ିଆ କବି ଏବଂ ସେମାନଙ୍କ ଲିଖିତ ଗ୍ରନ୍ଥଗୁଡ଼ିକ ବିଷୟରେ ସେ ଯଥେଷ୍ଟ, ଉପାଦାନ ଯୋଗାଇଛନ୍ତି ।

 

ଶିଳ୍ପଚାତୁରୀ ଓ ସଙ୍ଗୀତ ସମ୍ପର୍କରେ ପ୍ରମାଣ କରିବାକୁ ଯାଇ ସେ ମନ୍ଦିର ଗାତ୍ରର ଭାସ୍କର୍ଯ୍ୟ ଓ ଏହାର ନିଜସ୍ୱ ଶୈଳୀ ଉପସ୍ଥାପନ କରିଛନ୍ତି । ପୁନଶ୍ଚ ଛାନ୍ଦ, ଚମ୍ପୁ ବିଷୟରେ ଆଲୋଚନା କରି ଚଉରାନବେଟି ରାଗି ଥିବାର ଦର୍ଶାଇଛନ୍ତି । ବିଶିଷ୍ଟ ଜର୍ମାନ ଗବେଷକ ମାକ୍ସମୁଲରଙ୍କ ଆଦର୍ଶ ଅନୁଯାୟୀ ସଂସ୍କୃତିର ଉତ୍କର୍ଷତା ପ୍ରମାଣ କରି ସେ ଜାତୀୟ ଜୀବନର ମୂଳଭିଭିକୁ ସମସ୍ତଙ୍କ ଦୃଷ୍ଟି ଗୋଚର କରିଛନ୍ତି । ଏହି ଦୃଷ୍ଟିରୁ ଓଡ଼ିଶାର ସାଂସ୍କୃତିକ ଜୀବନ ଭାରତୀୟ ସଂସ୍କୃତିର ଏକ ଗୌରବମୟ ଅଧ୍ୟାୟ ବୋଲି ସେ ପ୍ରମାଣ କରିଛନ୍ତି । ଓଡ଼ିଶାର କଳାସ୍ଥାପତ୍ୟକୁ ଗ୍ରୀକ୍ ରୋମାନ୍‍ମାନଙ୍କ ପ୍ରତିଛବି ବୋଲି ପ୍ରକାଶିତ ମତକୁ ଖଣ୍ଡନ କରି ଏହା ଭାରତୀୟ ଆର୍ଯ୍ୟସ୍ଥାପତ୍ୟର ନିଦର୍ଶନ ବୋଲି ଉପସ୍ଥାପିତ କରିଛନ୍ତି । ଏହି ମତକୁ ଫର୍ଗୁସନ, ଭିସେଣ୍ଟସ୍ମିଥ୍‍ ଓ ବଙ୍ଗୀୟ ଐତିହାସିକ ମନମୋହନ ଗାଙ୍ଗୁଲି ଗ୍ରହଣ କରିଛନ୍ତି । ଜଗବନ୍ଧୁ ମଧ୍ୟ ପ୍ରମାଣ କରିଛନ୍ତି ଯେ ସ୍ଵକୀୟ ଗୃହ ଓ ମନ୍ଦିରର ନିର୍ମାଣର ଏକ ନିର୍ଦ୍ଦିଷ୍ଟ ନିୟମ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିଲା ।

 

ପ୍ରାଚୀନ ଓ ମଧ୍ୟଯୁଗର ଉତ୍କଳ ଇତିହାସ ଅନୁଧ୍ୟାନ କରି ସେ ଅଧିକାଂଶ ବ୍ୟକ୍ତି ସରଳଭାବରେ ଜୀବନଯାପନ କରି ଆତ୍ମନିର୍ଭରଶୀଳ ହୋଇଥିଲେ ବୋଲି ପ୍ରମାଣ କରିଛନ୍ତି । ବାହ୍ୟ ଆଡ଼ମ୍ବର, ବିଳାସ-ବ୍ୟସନ ସେମାନଙ୍କ ସାଧାରଣ ଜୀବନ ପ୍ରଣାଳୀଠାରୁ ଦୂରରେ ଥିଲା । ଉତ୍କଳୀୟ ରାଜାମାନେ ରାଜ୍ୟଜୟ କରି ସେଠାରୁ ଆଣିଥିବା ବହୁମୂଲ୍ୟ ଦ୍ରବ୍ୟକୁ ଧର୍ମାନୁଷ୍ଠାନ ମାଧ୍ୟମରେ ମନ୍ଦିର ନିର୍ମାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟୟ କରୁଥିଲେ । ଶଙ୍କର, ରାମାନୁଜ, ନାନକ ଓ କବୀର ପ୍ରଭୃତି ଶ୍ରୀକ୍ଷେତ୍ର ପୁରୀ ଆସି ଶ୍ରୀମନ୍ଦିରର ଧାର୍ମିକ ଚିନ୍ତା ଦ୍ଵାରା ପ୍ରଭାବିତ ହୋଇ ସେମାନଙ୍କର ଅଂଶବିଶେଷ ଅନୁଷ୍ଠାନ ଏଠାରେ ପ୍ରତିଷ୍ଠା କରିଥିଲେ । ଶ୍ରୀ ଜଗନ୍ନାଥଙ୍କ ଉଦାର ଧାର୍ମିକ ଚେତନା ସେମାନଙ୍କୁ ଆକୃଷ୍ଟ କରିଥିବାରୁ ସର୍ବଧର୍ମର ସମନ୍ୱୟ-ପୀଠ ହିସାବରେ ଶ୍ରୀଜଗନ୍ନାଥ ମନ୍ଦିର ସେ ସମୟରେ ଭାରତୀୟ ଜନସାଧାରଣଙ୍କ ଦ୍ଵାରା ଆଦୃତ ହୋଇଥିଲା । ପୁରୀରେ ପ୍ରତିଷ୍ଠିତ ଅନ୍ୟାନ୍ୟ ମଠଗୁଡ଼ିକ ସେମାନଙ୍କ ନୀତି ଅନୁଯାୟୀ ଧାର୍ମିକ କାର୍ଯ୍ୟ ସମ୍ପାଦନ କରୁଥିଲେ ମଧ୍ୟ କାଳକ୍ରମେ ଶ୍ରୀମନ୍ଦିର ପୂଜାବିଧି ସହିତ ସେହିଦିନଠାରୁ ସଂଶ୍ଳିଷ୍ଟ ହୋଇଥିଲେ ।

 

ଜଗବନ୍ଧୁ ଇତିହାସ ଦୃଷ୍ଟିରୁ ଓଡ଼ିଶାର ଗଡ଼ଜାତମାନଙ୍କର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ଏଥିସହିତ ସେ ଅଞ୍ଚଳର ଗୌରବଗାଥା ଓ ଧାର୍ମିକ ଜୀବନ ସମ୍ପର୍କରେ ଆଲୋଚନା କରି ଓଡ଼ିଶାର କେତେକ ଅନାଲୋଚିତ ଅଞ୍ଚଳର କୀର୍ତ୍ତିସମୂହକୁ ଲୋକଲୋଚନକୁ ଆଣିଛନ୍ତି । ପ୍ରତ୍ୟେକ ବିଷୟ ଆଲୋଚନା କରିବା ସମୟରେ ଭାରତ ଇତିହାସ ମଧ୍ୟରେ ଓଡ଼ିଶାର ଗୁରୁତ୍ୱ ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି । କୌଣସିଠାରେ ଅସୂୟାବଶତଃ ସେ ଅନ୍ୟ ପ୍ରାନ୍ତୀୟ ଜନଜୀବନକୁ ନ୍ୟୁନଭାବରେ ଉପସ୍ଥାପିତ କରିବାକୁ ଉଦ୍ୟମ କରିନାହାନ୍ତି । ଇତିହାସ ସହିତ ଧର୍ମଗ୍ରନ୍ଥ, କିମ୍ବଦନ୍ତୀକୁ ତୁଳନାତ୍ମକ ଭାବରେ ଅଧ୍ୟୟନ କରି ସେ ଆବଶ୍ୟକୀୟ ସତ୍ୟ ଉଦ୍‌ଘାଟନ କରିଛନ୍ତି । ତାଙ୍କର ପ୍ରକାଶ ଭଙ୍ଗୀ ସ୍ଵକୀୟ, ମୌଳିକ, ସୂକ୍ଷ୍ମ ଚିନ୍ତାଧାରା ଉପରେ ପ୍ରସ୍ତୁତ । କେତେକ କ୍ଷେତ୍ରରେ ସ୍ୱଦେଶ ପ୍ରେମ ସହିତ ତାଙ୍କର ଜାତୀୟ ଚେତନାର ଅଦ୍ଭୁତ ମିଶ୍ରଣ ହୋଇ ପ୍ରକାଶ ଭଙ୍ଗୀରେ ଗାମ୍ଭୀର୍ଯ୍ୟ ସୂଚୀତ ହୁଏ । ତାଙ୍କ ମତରେ ଏପର୍ଯ୍ୟନ୍ତ ପାପୀ ତାପୀ ମୁକ୍ତି ପିପାସୁ ଲୋକେ ଉତ୍କଳରେ ଶାନ୍ତିଲାଭ କରିବାକୁ ଆସୁଅଛନ୍ତି । ସୁତରାଂ ଲେଖକମାନଙ୍କ ବିଦ୍ରୁପ ବ୍ୟଙ୍ଗୋକ୍ତି ପ୍ରତି ଭୁକ୍ଷେପ ନ କରି ଆମ୍ଭମାନଙ୍କୁ ପ୍ରକୃତ ପୁରାତତ୍ତ୍ୱ ଆଲୋଚନା କରିବାକୁ ହେବ ।’’

 

‘ପ୍ରାଚୀନ ଉତ୍କଳ’ ରଚନା ମାଧ୍ୟମରେ ଜଗବନ୍ଧୁ ଉତ୍କଳୀୟ ଜାତୀୟଚେତନା ଜାଗ୍ରତ କରି ତାହା ମାଧ୍ୟମରେ ଭାରତୀୟ ଜାତୀୟ ଚେତନାକୁ ସମୃଦ୍ଧ କରିଛନ୍ତି । ଏହାରି ମାଧ୍ୟମରେ ଅତୀତର ସ୍ମୃତି ଚାରଣ କରି ସେ ଓଡ଼ିଆ ପ୍ରାଣରେ ଏକ ପୁର୍ନଜାଗରଣର ସ୍ୱପ୍ନ ଦେଖୁଛନ୍ତି । ବାସ୍ତବିକ ଏହି ପୁସ୍ତକ ମାଧ୍ୟମରେ ସେ ଓଡ଼ିଆଭାଷୀମାନଙ୍କ ପାଇଁ ଏକ ନୂତନ ଯୁଗର ସନ୍ଧାନ ଦେଇଛନ୍ତି । ତତ୍କାଳୀନ ଇଂରେଜଶାସନ ଓ ପଡ଼ୋଶୀ ପ୍ରାନ୍ତୀୟ ଶାସନଦ୍ୱାରା ବିଭିନ୍ନ ସ୍ଥଳରେ ଓଡ଼ିଆଭାଷୀ ଲୋକେ ଅତ୍ୟାଚାରିତ ହୋଇ ଏକ ଉନ୍ନତ ଭାବରେ ଜୀବନଧାରଣ କରିବା ପାଇଁ ଆଶା ପୋଷଣ କରିଥିଲେ । ‘ଉତ୍କଳ ସମ୍ମିଳନୀ’ ୧୯୦୩ ମସିହାରେ ମଧୁବାବୁଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ହେବାରୁ ଜଗବନ୍ଧୁ ସେଥିରେ ପ୍ରତ୍ୟକ୍ଷ ସହଯୋଗ କରି ବିଭିନ୍ନ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ହୋଇଥିଲେ । ସେ ସମୟର ବିଖଣ୍ଡିତ ଓଡ଼ିଶା ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସେ ଲେଖିଥିଲେ ଯେ ଅଙ୍ଗହୀନ ବ୍ୟକ୍ତିର ଅବସ୍ଥାପରି ଓଡ଼ିଶା ଏକ ଅଙ୍ଗହୀନ ଅଞ୍ଚଳ । ପଡ଼ୋଶୀ ଅଞ୍ଚଳର ଓଡ଼ିଆଭାଷୀ ଲୋକଙ୍କ ଅବସ୍ଥାକୁ ପ୍ରାଚୀନ ଉତ୍କଳ ସହିତ ତୁଳନା କରି ସେ ଏହି ଦୁଇ ଅବସ୍ଥା ମଧ୍ୟରେ ଆକାଶ-ପାତାଳ ପ୍ରଭେଦ ଅଛି ବୋଲି ଲେଖିଥିଲେ । ତେଣୁ ଏହାକୁ ନିଶ୍ଚଳ ଭାବେ ସହିବା ଓଡ଼ିଆ ଜାତିର ଦୁର୍ବଳତା-। ପୁନଶ୍ଚ ଓଡ଼ିଆ ପ୍ରାଣରେ ନୂତନ ଜୀବନ ସଞ୍ଚାର କରିବାପାଇଁ ସେ ଲେଖିଥିଲେ ଯେ “ଅନ୍ୟ କୌଣସି ଅଞ୍ଚଳ ପକ୍ଷରେ ଏପରି ସହିବା ସମ୍ଭବ ହୋଇନଥାନ୍ତା । ତେଣୁ ଏହି ହୀନମନ୍ୟତା ଯୋଗୁ ପଡ଼ୋଶୀ ଅଞ୍ଚଳରେ ଓଡ଼ିଆମାନେ ଅନେକ କ୍ଷେତ୍ରରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଭୁଲିଯାଇ ସେହି ଅଞ୍ଚଳର ଭାଷା ଓ ସଂସ୍କୃତିକୁ ଗ୍ରହଣ କରିବାରୁ ଆମର ସ୍ଥିତି ଅଧିକ ଦୁର୍ବଳ ହୋଇପଡ଼ିଛି ବୋଲି ସେ ଦର୍ଶାଇଥିଲେ । ତେଣୁ ଜଗବନ୍ଧୁଙ୍କ ମତରେ ୧୯୦୩ ମସିହାରେ ଯେଉଁ ନୂତନ ଉନ୍ମାଦନା ମାଧ୍ୟମରେ ‘ଉତ୍କଳ ସମ୍ମିଳନୀ’ ସ୍ଥାପିତ ହୋଇଥିଲା, ସେହି ଉଦ୍ୟମକୁ ପ୍ରତ୍ୟେକ ଓଡ଼ିଆ ଏକ ନୂତନ ଆହ୍ଵାନରୂପେ ଗ୍ରହଣ କରି ଆଗେଇଯିବାକୁ ହେବ ।

 

ତେଣୁ ଲେଖନୀ ଚାଳନା କରି ଜଗବନ୍ଧୁ ପ୍ରତ୍ୟେକ ଓଡ଼ିଆ ଦୃଢ଼ ଭାବରେ ଉଦ୍ୟମ କରି ପୁନଶ୍ଚ ବିଚ୍ଛିନ୍ନ ଅଙ୍ଗଗୁଡ଼ିକ ଶରୀରର ମୂଳ ଅଙ୍ଗ ସହିତ ଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ଉତ୍କଳ ସମ୍ମିଳନୀରେ ଜାତୀୟତାବୀଜ ବୁଣାହୋଇଥିଲେ ମଧ୍ୟ ଉପଯୁକ୍ତ ପରିବେଶ ଓ ଉଦ୍ୟମ ଅଭାବରୁ ଅଙ୍କୁରୋଦ୍‍ଗମ ହୋଇନାହିଁ । ତେଣୁ ଆକୁଳ ହୃଦୟରେ ଅଧିକ ସକ୍ରିୟ ହୋଇ ଉନ୍ମତ୍ତଭାବରେ ଆନ୍ଦୋଳନ କରିବାକୁ ହେବ, ନିର୍ଜିବ ପରି ପଡ଼ିନରହି ଜୀବିତ ଭାବରେ ପ୍ରତ୍ୟେକ ଓଡ଼ିଆ ଏଥିରେ ସଂଶ୍ଳିଷ୍ଟ ହେବାକୁ ସେ ଉତ୍ସାହିତ କରିଥିଲେ । ଏଥିରେ ଶିକ୍ଷିତ ଓଡ଼ିଆଙ୍କର ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ବୋଲି ସୂଚାଇ କେବଳ ମୁଷ୍ଟିମେୟ ଲୋକଙ୍କ ହାତରେ ଏହି ଆନ୍ଦୋଳନକୁ ଛାଡ଼ି ନଦେଇ, ଜନସାଧାରଣଙ୍କ ମଧ୍ୟରେ ବ୍ୟାକୁଳତା ସୃଷ୍ଟିକରି ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ପାଇଁ ସାମୂହିକ ଉଦ୍ୟମ ହେବା ଆବଶ୍ୟକ ବୋଲି ସୂଚାଇଥିଲେ ।

 

ତାଙ୍କ ମତରେ ଓଡ଼ିଆ ଜାତିର ଉନ୍ନତି ପାଇଁ ଏହାର ଭୌଗୋଳିକ ସୀମାର ପୁନନିର୍ଦ୍ଧାରଣ ହେବାପାଇଁ ଦୃଢ଼ ପଦକ୍ଷେପ ନେବା ଉଚିତ । ଏଥିପାଇଁ ସମସ୍ତେ ଓଡ଼ିଶାର ହିତ ଦୃଷ୍ଟିରୁ ପରସ୍ପର ଦ୍ୱେଷ, ବିଦ୍ୱେଷ, ହିଂସା ଓ ଈର୍ଷା ପରିତ୍ୟାଗ କରି ମାନସିକ ସ୍ତରରେ ଉଚ୍ଚଭାବ ପୋଷଣ କରିବାକୁ ହେବ । ସମଗ୍ର ଓଡ଼ିଆ ଜାତିର ବିକାଶ ପାଇଁ ସେ ସର୍ବଦା ଆଗ୍ରହୀ ଥିଲେ । ପ୍ରାଚୀନ ପରମ୍ପରା ଓ ଐତିହ୍ୟର ପୁନରୁଦ୍ଧାର ପାଇଁ ଆନ୍ତରିକତାର ସହିତ କାର୍ଯ୍ୟ କରିବା ପାଇଁ ସେ ନୂତନ ଦିଗଦର୍ଶନ ଦେଇଥିଲେ ।

 

ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରି ସେ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁନ୍ନତ ଅଞ୍ଚଳରେ କାର୍ଯ୍ୟ କରି ସାଧାରଣ ଲୋକଙ୍କୁ ଓଡ଼ିଶାର ଦୁର୍ଗତି ମୋଚନ ପାଇଁ ସଚେତନ କରିଥିଲେ । ୧୯୨୦ ମସିହାରେ ଚକ୍ରଧର ପୁରଠାରେ ଆୟୋଜିତ ‘ଉତ୍କଳ ସମ୍ମିଳନୀ’ର ଅଧିବେଶନରେ ସେ ସଭାପତିତ୍ୱ କରିଥିଲେ । ଏଥିରେ ‘ସ୍ଵରାଜ୍ୟ ପ୍ରାପ୍ତି’ ମୁଖ୍ୟ ଉଦ୍ଦେଶ୍ୟ ହିସାବରେ ପ୍ରସ୍ତାବ ଗୃହୀତ ହେବାରୁ, କେତେକ ଉତ୍କଳପ୍ରେମୀ କଂଗ୍ରେସଠାରୁ ଦୂରେଇ ଯାଇ କେବଳ ଓଡ଼ିଶାପାଇଁ କାର୍ଯ୍ୟ କରିଥିଲେ । କିନ୍ତୁ ଜଗବନ୍ଧୁ ଉଭୟ ‘ଜାତୀୟ କଂଗ୍ରେସ’ ଓ ‘ଉତ୍କଳ ସମ୍ମିଳନୀ’ ମଧ୍ୟରେ ସମନ୍ୱୟ ରକ୍ଷାକରି ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଓ ଓଡ଼ିଆ ଭାଷୀଙ୍କ ଉନ୍ନତି ପାଇଁ ଚେଷ୍ଟିତ ଥିଲେ । ଜୀବନର ଶେଷ ପର୍ଯ୍ୟାୟରେ ଷଢ଼େଇକଳା ଓ ଖରସୁଆଁର ବିହାର ପ୍ରଦେଶ ସହିତ ମିଶ୍ରଣ ତାଙ୍କୁ ବ୍ୟଥିତ କରିଥିଲା । ସମ୍ଭବତଃ ଏହା କେତେକାଂଶରେ ୧୭/୫/୧୯୪୮ରେ ତାଙ୍କର ଅକାଳ ମୃତ୍ୟୁର କାରଣ ହୋଇଥିଲା ।

 

ଜଗବନ୍ଧୁ ଉତ୍କଳୀୟ ଜାତୀୟ ଚେତନାର ଏକ ମୂର୍ତ୍ତିମାନ ପ୍ରତୀକ ଏବଂ ‘ପ୍ରାଚୀନ ଉତ୍କଳ’ ତାଙ୍କ ଜୀବନାଦର୍ଶର ଏକ ପ୍ରତିଛବି । ଓଡ଼ିଶାର ଅତୀତ ଗୌରବକୁ ବିଭିନ୍ନ ଦିଗରୁ ଆବଶ୍ୟକୀୟ ଉପାଦାନ ମାଧ୍ୟମରେ ପ୍ରତିଷ୍ଠିତ କରି ସେ ଏହି ଜାତିର ସ୍ଵାଭିମାନକୁ ପ୍ରତିଷ୍ଠିତ କରିଛନ୍ତି । କେତେକ ଉତ୍କଳ ବିଦ୍ଵେଷୀ ଲେଖକଙ୍କ ମତ ଯୁକ୍ତିସମ୍ମତ ଭାବରେ ଖଣ୍ଡନ କରିଥିଲେ ମଧ୍ୟ ସଂକୀର୍ଣ୍ଣ ପ୍ରାଦେଶିକ ଚିନ୍ତାଠାରୁ ଉର୍ଦ୍ଧ୍ୱରେ ରହି ସେ ଭବିଷ୍ୟତ ପାଇଁ ଏକ ଉଚ୍ଚଆଦର୍ଶ ସମ୍ପନ୍ନ ସୁବିସ୍ତୃତ ବିବରଣୀ ଛାଡ଼ି ଯାଇଛନ୍ତି । କୌଣସିଠାରେ ଅସୂୟାଜନିତ ବା ଅଯୌକ୍ତିକ ଭାବର ଆଶ୍ରୟ ନେଇ ସେ କୌଣସି ଅଞ୍ଚଳର ଇତିହାସକୁ ବିକୃତ କରିନାହାନ୍ତି, ତାଙ୍କର ଉଦାର ଦୃଷ୍ଟିଭଙ୍ଗୀ ସମୁଦାୟ ପୁସ୍ତକରେ ପ୍ରତିଫଳିତ ।

 

ଅବସରପ୍ରାପ୍ତ ଅଧ୍ୟକ୍ଷ

ଦଇତାପଡ଼ା ସାହି, ପୁରୀ

ସହାୟକ ଗ୍ରନ୍ଥ

୧.

ପ୍ରାଚୀନ ଉତ୍କଳ- ଜଗବନ୍ଧୁ ସିଂହ

୨.

ଇତିହାସ ଓ କିମ୍ବଦନ୍ତୀ- ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

୩.

ମାଦଳାପାଞ୍ଜି- ସଂ ଆର୍ତ୍ତବଲ୍ଲଭ ମହାନ୍ତି ( ଉତ୍କଳ ବିଶ୍ଵବିଦ୍ୟାଳୟ)

 

***

 

ଜଗବନ୍ଧୁ ସିଂହ ଓ ଗୃହଲକ୍ଷ୍ମୀ

ମଧୁସ୍ମିତା ମିଶ୍ର

 

ଓଡ଼ିଆ ସାହିତ୍ୟକୁ ଅନେକ ଅମ୍ଳାନ ପ୍ରତିଭାଧର ନିଜର ଲେଖନୀଚାଳନା ଦ୍ଵାରା ଋଦ୍ଧିମନ୍ତ କରି ଗଢ଼ିତୋଳିଛନ୍ତି । ସେହିପରି ଅମ୍ଳାନ ପ୍ରତିଭାଧରମାନଙ୍କ ମଧ୍ୟରେ ଜଗବନ୍ଧୁ ସିଂହ ଅନ୍ୟତମ । ସେ ଥିଲେ ଏକାଧାରରେ ଜଣେ ସତ୍ୟପ୍ରିୟ, କୋମଳହୃଦୟ ସମ୍ପନ୍ନ, ସ୍ନେହୀ, ପରୋପକାରୀ ତଥା ସ୍ଵଦେଶବତ୍ସଳ ବ୍ୟକ୍ତି । ତାଙ୍କର ଜୀବନଶୈଳୀ ଥିଲା ଖୁବ୍ ମାଜିତ, ସଂଯତ । ସେ ସରଳ ଓ ନିରାଡ଼ମ୍ବରମୟ ଜୀବନଯାପନ କରୁଥିଲେ । ନିଜର ବହୁମୁଖୀ ପ୍ରତିଭାଦ୍ୱାରା ସେ ଜନମାନସରେ ଆଲୋଡ଼ନ ସୃଷ୍ଟି କରିବାରେ ସମର୍ଥ ହୋଇ ପାରିଥିଲେ ।

 

ଜଗବନ୍ଧୁ ସିଂହ ୧୮୭୬ ମସିହା ଫେବୃୟାରୀ ୧୫ ତାରିଖଦିନ ନିମାପଡ଼ା ନିକଟବର୍ତ୍ତୀ ଭୁବନଗ୍ରାମର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ବନମାଳୀପୁର ନିକଟବର୍ତ୍ତୀ ଯୁବଗଡ଼ର ଜମିଦାର ଗୌରଚନ୍ଦ୍ର ବିଧାର ଓ ମାତା ଚନ୍ଦ୍ରମଣି ଦେବୀ । ତାଙ୍କର ମାତାପିତା ଦୀର୍ଘଦିନ ଧରି ନିଃସନ୍ତାନ ଥିବାରୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସନ୍ତାନଟିଏ ପ୍ରାପ୍ତ ହୋଇଥିବାରୁ ଶ୍ରଦ୍ଧାରେ ସନ୍ତାନଟିର ନାମକରଣ କରିଥିଲେ ଜଗବନ୍ଧୁ’ ।

 

ଜଗବନ୍ଧୁଙ୍କର ଶିକ୍ଷାଜୀବନ ଆରମ୍ଭ ହୋଇଥିଲା ଗ୍ରାମବିଦ୍ୟାଳୟରୁ । ସେ ୧୮୯୬ ମସିହାରେ ପୁରୀଜିଲ୍ଲା ସ୍କୁଲରୁ ୨ୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାଶ୍ କରିଥିଲେ । ସେତେବେଳେ ତାଙ୍କୁ ୨୦ ବର୍ଷ ବୟସ ହୋଇଥିଲା । ସେ ୧୮୯୮ ମସିହାରେ ରେଭେନ୍ସା କଲେଜରୁ ଏଫ୍. ଏ. ଓ ୧୯୦୪ ମସିହାରେ ଓକିଲାତି ପାଶ୍ କରି କଟକରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅଧୀନରେ ଆଇନ୍ ବ୍ୟବସାୟ ସମ୍ପର୍କରେ ଶିକ୍ଷା ଗ୍ରହଣ କରିଥିଲେ ।

 

ଜଗବନ୍ଧୁ ସିଂହଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା ୧୯୦୪ ମସିହାରୁ । ମଧୁବାବୁଙ୍କ ପ୍ରେରଣାରୁ ସେ ୧୯୦୪ ମସିହାରୁ ୧୯୨୧ ମସିହା ଯାଏଁ ପୁରୀରେ ସ୍ୱାଧୀନଭାବେ ଆଇନ ବ୍ୟବସାୟ କର ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ । ଏହି ସମୟରେ ପୁରୀରେ ବହୁ ଅଣଓଡ଼ିଆ ଆଇନ୍ ବ୍ୟବସାୟ କରୁଥିବାରୁ ଜଗବନ୍ଧୁ ସିଂହ ସେମାନଙ୍କର ବିରୋଧର ସମ୍ମୁଖୀନ ହୋଇଥିଲେ । ପୁରୀଜିଲ୍ଲାର ଭୟଙ୍କର ଦୁର୍ଭିକ୍ଷସମୟରେ ଅର୍ଥାତ୍ ୧୯୧୯ ମସିହାରେ ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ସହଯୋଗୀଭାବେ କାର୍ଯ୍ୟକରିଥିଲେ । ଦୁର୍ଭିକ୍ଷ ଅନୁସନ୍ଧାନ କମିଟିର ଅଧ୍ୟକ୍ଷଭାବେ ସେ ନିଯୁକ୍ତି ପାଇଥିଲେ । ଏହି କମିଟିର ଅଧ୍ୟକ୍ଷଭାବେ ସେ ଏକ ନିରପେକ୍ଷ ରିପୋର୍ଟ ପ୍ରଦାନକରି ତନ୍ମଧ୍ୟରେ ସରକାରଙ୍କ ଅବହେଳା ଓ ଅପାରଗତାକୁ ଦେଖାଇବା ନିମନ୍ତେ ପଶ୍ଚାତ୍‌ପଦ ହୋଇନଥିଲେ । ୧୯୧୯ ମସିହାରେ ସେ କଟକର ନିଖିଳ ଉତ୍କଳ ଛାତ୍ର ସମ୍ମିଳନୀର ସଭାପତିରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ସେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପରାମର୍ଶରେ ଏବଂ ଗାନ୍ଧିଜୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନରେ ଯୋଗଦାନ କରିଥିଲେ । ଏଥିପାଇଁ ସେ ଭୋଗବିଳାସାଦି ପରିତ୍ୟାଗ କରି ଖଦୀର ପ୍ରସାର, ସୂତାକଟା ଓ ଗ୍ରାମୋଦ୍ୟୋଗ କର୍ମରେ ନିଜର ପାରଦର୍ଶିତା ପ୍ରଦର୍ଶନ ନିମନ୍ତେ ଆଗଭର ହୋଇଥିଲେ ।

 

ପୁରୀ ଜିଲ୍ଲା କଂଗ୍ରେସକମିଟିର ସଭାପତିରୂପେ ୧୯୨୧ରେ ସେ ନିର୍ବାଚିତ ହୋଇଥିଲେ-। ନାଗପୁର କଂଗ୍ରେସ ଅଧବେଶନରୁ ଫେରି କଂଗ୍ରେସ ନିୟମାନୁସାରେ ସେ ଆଇନ୍ ବ୍ୟବସାୟ ତ୍ୟାଗ କରିଥିଲେ । କିନ୍ତୁ ୧୯୨୪ ମସିହାରେ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଧାରଣ ଅନୁସାରେ ତାଙ୍କୁ ପୁନର୍ବାର ଆଇନ୍ ବ୍ୟବସାୟ ଆରମ୍ଭ କରିବାକୁ ପଡ଼ିଥିଲା । ଶ୍ରୀ ଜଗନ୍ନାଥ ମନ୍ଦିରର ତତ୍‌କାଳୀନ ମ୍ୟାନେଜର ସଖୀଚାନ୍ଦଙ୍କ ଅନୁରୋଧକ୍ରମେ ୧୯୨୧ ମସିହାରେ ସେ ଶ୍ରୀମନ୍ଦିରର ସହକାରୀ ମ୍ୟାନେଜରଭାବେ ମନୋନୀତ ହୋଇ କାର୍ଯ୍ୟଭାର ସୁଚାରୁରୂପେ ତୁଲାଇଥିଲେ । ୧୯୨୪ ମସିହାରେ ଜଗବନ୍ଧୁସିଂହ ପୁରୀ ସଦର ନିର୍ବାଚନ ମଣ୍ଡଳୀରୁ ବିହାର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶଗଠନ ପରେ ସେ ପ୍ରଥମ କଂଗ୍ରେସ୍ ମନ୍ତ୍ରୀମଣ୍ଡଳର କାର୍ଯ୍ୟଭାର ଗ୍ରହଣ କରିଥିଲେ । ପୁରୀ, କଟକ, ବାଲେଶ୍ଵର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଆଦି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା । ସେତେବେଳେ ବିଧାନସଭାର ସଭ୍ୟସଂଖ୍ୟା ୬୦ ଥିଲା । ସେଥିମଧ୍ୟରୁ ମହିଳାମାନଙ୍କ ପାଇଁ ୨ଟି, ଜମିଦାରଙ୍କ ପାଇଁ ୨ ଟି, ବାଣିଜ୍ୟବ୍ୟବସାୟୀଙ୍କ ପାଇଁ ୨ଟି, ଶ୍ରମିକ ପାଇଁ ୧ଟି, ଖ୍ରୀଷ୍ଟିଆନ୍‌ଙ୍କ ପାଇଁ ୧ଟି ଓ ମୁସଲମାନଙ୍କ ପାଇଁ ୪ଟି ଆସନ ସଂରକ୍ଷିତ କରାଯାଇଥିଲା । ବିଧାନସଭା ସଭ୍ୟମାନଙ୍କ ମଧ୍ୟରୁ ୪ ଜଣ ରାଜ୍ୟପାଳଙ୍କ ଦ୍ଵାରା ମନୋନୀତ ହେଉଥିଲେ । ଜଗବନ୍ଧୁ ୧୯୩୭ ମସିହାରେ କଂଗ୍ରେସ ପ୍ରାର୍ଥୀଭାବେ ପୁରୀ ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

 

ଜଗବନ୍ଧୁ ସିଂହ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଉତ୍କଳସମ୍ମିଳନୀଗୁଡ଼ିକରେ ମଧ୍ୟ ସଭାପତିତ୍ୱ କରି ନିଜର ଜାତୀୟଭାବ ପ୍ରଦର୍ଶନ ନିମନ୍ତେ ସୁଯୋଗ ପାଇଥିଲେ । ସେଥିମଧ୍ୟରୁ ୧୯୦୮, ୧୯୧୩, ୧୯୧୯ ମସିହାରେ ପୁରୀଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଭ୍ୟର୍ଥନା ସମିତିର ସଭାପତି ଆସନ ଅଳଙ୍କୁତ କରିଥିଲେ । ୧୯୨୦ ମସିହାରେ ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ସଭାପତିରୂପେ କାର୍ଯ୍ୟନିର୍ବାହ କରିବା ତାଙ୍କ ପାଇଁ କମ୍ ଗୌରବର ବିଷୟ ନୁହେଁ । ଉତ୍କଳ ସମ୍ମିଳନୀରେ ନାରୀଶିକ୍ଷାର ମହତ୍ଵ, ଜାତୀୟ ଭାବନାର ଜାଗରଣ, ଉତ୍କଳୀୟଙ୍କର ସ୍ୱାଭିମାନର ପୁନରୁତ୍‍ଥାନ ନିମନ୍ତେ ତାଙ୍କର ଓଜସ୍ୱିନୀ ଭାଷଣ ତଥା ପ୍ରସ୍ତାବ ବାସ୍ତବିକ ପ୍ରଶଂସନୀୟ-

 

ଏତଦ୍‍ବ୍ୟତୀତ ଅନେକ କୀର୍ତ୍ତିରାଜି ଜଗବନ୍ଧୁ ସିଂହଙ୍କୁ ଚିରସ୍ମରଣୀୟ କରି ରଖିଛି । ସେ ସତ୍ୟବାଦୀ ବନବିଦ୍ୟାଳୟର ପୃଷ୍ଠପୋଷକ ଓ କାର୍ଯ୍ୟକାରୀ ସମିତିର ସଦସ୍ୟରୂପେ ମନୋନୀତ ହୋଇଥିଲେ । ବିଭିନ୍ନ ମଠ ମନ୍ଦିରର ପରିଚାଳକରୂପେ ମଧ୍ୟ ସେ କିଛିବର୍ଷ କାର୍ଯ୍ୟରତ ଥିଲେ । ପୁରୀ ଜଗନ୍ନାଥ ବଲ୍ଲଭ ମଠର ଟ୍ରଷ୍ଟିରୂପେ ସେ ନିଜର ଦାୟିତ୍ଵ ସୁଚାରୁରୂପେ ତୁଲାଇଥିଲେ । ମଠର ଉନ୍ନତି ସହିତ ମଠର ବଗିଚା ତାଙ୍କର ଅମ୍ଳାନ କୀର୍ତ୍ତିରାଜି ମଧ୍ୟରୁ ଅନ୍ୟତମ । ଉକ୍ତ ମଠରେ ସେ ଅନେକ ସମୟରେ ସାହିତ୍ୟ ସଭା, ବସ୍ତୁତା, ସଙ୍ଗୀତ ଚର୍ଚ୍ଚା ଆଦିର ମଧ୍ୟ ଆୟୋଜନ କରିବା ସହିତ ନିଜେ ସେଥିରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ । ଝୁଲଣ ସମୟରେ ଏହି ମଠରେ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଉଥିଲା ।

 

ଏସବୁ ସତ୍ତ୍ୱେ ସାରସ୍ୱତ ସାଧନା କ୍ଷେତ୍ରରେ ମଧ୍ୟ ଜଗବନ୍ଧୁ ସିଂହଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ । ସେ ଅନେକ ପୁସ୍ତକ ରଚନା କରି ନିଜର ବହୁମୁଖୀ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି । ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରୁ ପ୍ରାଚୀନ ଉତ୍କଳ (୧୯୨୯), ଭାରତ ଚରିତାମୃତ, ଶ୍ରୀକୃଷ୍ଣ, ପ୍ରବନ୍ଧସାର (୧୯୨୦), କର୍ମ ଯୋଗ ବା ଗୀତାରହସ୍ୟ (ବାଲ ଗଙ୍ଗାଧର ତିଳକଙ୍କ ଗୀତାର ଅନୁବାଦ), ନବାକ୍ଷରୀ ସରଳଗୀତା, ଯୋଗତତ୍ତ୍ୱଗୀତା, ଗୃହଲକ୍ଷ୍ମୀ (ଚାରିଭାଗ), ଜ୍ୟୋତିଷାର୍ଣ୍ଣବ (ଚାରିଭାଗ), ସଙ୍ଗୀତର ସନିଧି, ସୁବର୍ଣ୍ଣଦୃଷ୍ଟାନ୍ତ, ପଞ୍ଚାମୃତ, ଓଡ଼ିଶୀ ସଙ୍ଗୀତ, ପଞ୍ଚାୟତ ଦର୍ଶନ (ପଞ୍ଚାୟତ ଶାସନ ବିଷୟରେ), କପାଚାଷ ଓ ଗାନ୍ଧୀ ମାହାତ୍ମ୍ୟ ଆଦି ଅନ୍ୟତମ । ତାଙ୍କର ଅପ୍ରକାଶିତ ପୁସ୍ତକ ମଧ୍ୟରେ ପ୍ରବୀର, ପାଣ୍ଡବ, କୌରବ, ଇନ୍ଦୁମତୀ, ପ୍ରଭାସଯଜ୍ଞ, ବିଲ୍ୱମଙ୍ଗଳ, କର୍ଣ୍ଣାର୍ଜୁନ, ହରିଶ୍ଚନ୍ଦ୍ର, ନନ୍ଦିକେଶରୀ ଆଦି ନଅଗୋଟି ଗୀତିନାଟ୍ୟ ଅନ୍ୟତମ । ଛାତ୍ରସଖା ମଧ୍ୟ ତାଙ୍କର ଅନ୍ୟ ଏକ ଅପ୍ରକାଶିତ ପୁସ୍ତକ ।

 

ପ୍ରବନ୍ଧାଦି ରଚନା କ୍ଷେତ୍ରରେ ମଧ୍ୟ ଜଗବନ୍ଧୁ ସିଂହ ଲେଖନୀଚାଳନା କରି ନିଜର ସାରସ୍ୱତ ପ୍ରାଣର ନମୁନା ପ୍ରଦର୍ଶନ କରିଛନ୍ତି । ତାଙ୍କର ପ୍ରକାଶିତ ପ୍ରବନ୍ଧଗୁଡ଼ିକୁ ଜୀବନ ଚରିତ, ଜାତୀୟ ଭାବୋଦ୍ଦୀପକ, ସାହିତ୍ୟିକ, ଦାର୍ଶନିକ ଆଦି ବିଷୟାନୁସାରେ ବିଭାଗ କରାଯାଇପାରେ । ତାଙ୍କର ପ୍ରକାଶିତ ପ୍ରବନ୍ଧଗୁଡ଼ିକ ମଧ୍ୟରେ ଉତ୍କଳସାହିତ୍ୟ ପତ୍ରିକାରେ ସ୍ଥାନିତ ହୋଇଥିବା କର୍ମଫଳ (୧୫/୬,୭), କର୍ମୀ ମଧୁସୂଦନ (୧୬/୯–୧୦), ପ୍ରାଚୀନ ଭାରତର ସାହିତ୍ୟ ସମ୍ପତ୍ତି (୨ ୧/୪ରୁ ଧାରାବାହିକ), ପଲ୍ଲୀ ସାହିତ୍ୟ (୪୦/୫), ଉତ୍କଳସାହିତ୍ୟ (୩୮/୭), କର୍ମବୀର ବୁକର ୱାସିଂଟନ (୧୫/୧- ୨), କର୍ମବୀର ଲାଲା ମୁନସୀରାମ (୧୭/୭-୮); ମୁକୁର ପତ୍ରିକାରେ ରମେଶଚନ୍ଦ୍ର ଦତ୍ତ (୧୦/୧୦) ମହାଦେବ ଗୋବିନ୍ଦ ରାନାଡ଼େ (୧୦|୧୧, ୧ ୨), ଧର୍ମବଳ (୯/୩, ୪-୫) ସମାଜର ବର୍ତ୍ତମାନ ଅବସ୍ଥା ଓ ସମବାୟ ଋଣସମିତି (୧୦/୬), ଘିଅ ଓ ବାଣିଜ୍ୟ (୧୧/୩), ସାକ୍ଷୀ (୧ol୭), ସ୍ତ୍ରୀଶିକ୍ଷା (୧ ୦/୩), ନିମାପଡ଼ା (୧୦/୫,୮), ପୁରାତନ ଭାରତର ବୈଦେଶିକ ବାଣିଜ୍ୟ (୧୦/୯), ଭାଗବତଘର (୧୦|୪), ସମବାୟ ପତିଅରା ସମିତି (୧୦/୧୧, ୧୨); ସତ୍ୟବାଦୀ ପତ୍ରିକାରେ ଜୟଦେବ (୨/୫-୭), ପ୍ରତାପରୁଦ୍ର ଦେବ (୪/୧୩, ୪-୫, ୬-୭, ୫/୧-୨), ସମର ପ୍ରସଙ୍ଗ (୫/୮-୯, ୬/୧, ୨,୩); ନବଭାରତରେ ଚତୁବର୍ଣ୍ଣବିଚାର (୧/୧୧, ୧୨, ୨/୧, ୨,୪,୭), ପୁଷ୍ପକଯାନ (୧/୯), ସ୍ଵାମୀ ବିବେକାନନ୍ଦ (୧/୧୦), ଆଶୀର୍ବାଦାଃସନ୍ତୁ (୧/୧), ଷୋଡ଼ଶ ଶତାବ୍ଦୀର ଉତ୍କଳ (୪/୬) ଆଦିର ନାମ ଉଲ୍ଲେଖ ଯୋଗ୍ୟ ।

 

ତାଙ୍କର ପ୍ରତ୍ୟେକ ପ୍ରବନ୍ଧର ଭାବବସ୍ତୁରେ ଭରିରହିଥିଲା ସ୍ଵଦେଶ ପ୍ରାଣର ମହନୀୟତା । ଦେଶ ଓ ଜାତିକୁ ସୁଶୃଙ୍ଖଳିତ କରି ଗଢ଼ି ତୋଳିବା ଥିଲା ତାଙ୍କ ଜୀବନର ବ୍ରତ । ସେଥିପାଇଁ ସେ ଦେଶ ଗଠନ ନିମନ୍ତେ ନିଜକୁ ଯେଭଳି ଭାବରେ ଉତ୍କଳ ସମ୍ମିଳନୀରେ ସାମିଲ କରିଥିଲେ, ସେହିଭଳି ସାରସ୍ୱତ ସାଧନାରେ ମଧ୍ୟ ମଜଗୁଲ ରଖୁଥଲେ । ଗୀତାର କର୍ମଯୋଗ ଓ ଭକ୍ତିଯୋଗଥିଲା ତାଙ୍କ ଜୀବନର ଅସରନ୍ତି ପ୍ରେରଣାର ଉତ୍ସ । ସେଥିପାଇଁ ସେ ରଚନା କରିଥିଲେ ‘‘କର୍ମଫଳ’’ ଓ ‘‘ଧର୍ମବଳ’’ ଶୀର୍ଷକ ଦୁଇଟି ପ୍ରବନ୍ଧ ।

 

ନାରୀଶିକ୍ଷା ଥିଲା ସେତେବେଳେ ଦେଶପାଇଁ ଏକାନ୍ତ ଆବଶ୍ୟକ । କାରଣ ସେ ଜାଣିଥିଲେ ସ୍ଵାଭିମାନ ଓ ଜାତୀୟଭାବର ପ୍ରଚାର ବିଶେଷ ଭାବେ ପ୍ରସାରିତ ହୋଇପାରିବ । ନାରୀଶିକ୍ଷା ଉପଯୋଗୀ କୌଣସି ପୁସ୍ତକ ନଥିବାରୁ ସେ ଉତ୍କଳ ସମ୍ମିଳନୀରେ କହିଥିଲେ, ସ୍ତ୍ରୀଶିକ୍ଷା ଉପଯୋଗୀ କୌଣସି ପୁସ୍ତକ ଉତ୍କଳ ସାହିତ୍ୟ କ୍ଷେତ୍ରରେ ଥିବାପରି ମୋର ବିଶ୍ୱାସ ହେଉନାହିଁ, ଯେଉଁ ପୁସ୍ତକ ପାଠକଲେ ସ୍ତ୍ରୀ ଜାତି ଉକୃଷ୍ଟ ଗୃହିଣୀ ହୋଇ ସଂସାରର କାର୍ଯ୍ୟ ସୁଚାରୁରୂପେ ନିର୍ବାହକରିବାରେ ସମର୍ଥ ହେବ, ଉତ୍ତମ ମାତା ହୋଇ ଶିଶୁ ସନ୍ତାନମାନଙ୍କର କୋମଳ ମତିକୁ ଉପଯୁକ୍ତ ରୀତିରେ ଗଠନକରିପାରିବ, ତାହାର ପରିବାରର ଅନ୍ୟାନ୍ୟ ଲୋକ ଯଥା:-ଶାଶୁ, ଶ୍ୱଶୁର, ଦେବର, ଝିଅ, ପୁଅ, ଝିଆରୀ, ପୁତୁରା ଓ ବୋହୂ ପ୍ରଭୃତିଙ୍କ ପ୍ରତି ଏବଂ ତାହାର ଶିଶୁ ସନ୍ତାନମାନଙ୍କର ନିଜ ମାତୃଭୂମି ପ୍ରତି ଆପଣାର କର୍ତ୍ତବ୍ୟ କଣ ତାହା ଉପଯୁକ୍ତ ଶିକ୍ଷା କରିପାରିବ, ସତୀ ସ୍ତ୍ରୀ ହୋଇ ଧର୍ମପତ୍ନୀ ନାମର ସାର୍ଥକତା କରି ପ୍ରକୃତରେ ଗୃହରେ ଲକ୍ଷ୍ମୀ ସ୍ୱରୂପା ହେବ ଏପରି ଶିକ୍ଷା ଲାଭ କରିପାରିବା ଭଳି କୌଣସି ପୁସ୍ତକ ଉତ୍କଳ ସାହିତ୍ୟରେ ଅଛି କି ?’’ ।

 

ଏହି ବକ୍ତବ୍ୟର ଅନ୍ତରାଳରେ ସ୍ତ୍ରୀ ଶିକ୍ଷା ଉପଯୋଗୀ କୌଣସି ପୁସ୍ତକ ନଥିବା କଥା ଦର୍ଶାଇ ଏଭଳି ଗ୍ରନ୍ଥରଚନା କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ । ଫଳରେ ପରବର୍ତ୍ତୀ ସମୟରେ ଗୋବିନ୍ଦ ରଥଙ୍କ ଦ୍ଵାରା ଆଚରଣ ଶିକ୍ଷା (୧୯୧୦) ଦୀନବନ୍ଧୁ ଗଡ଼ନାୟକଙ୍କ ନାରୀଶିକ୍ଷା (୧୯୧୪), ଦୈତାରୀ ପ୍ରସାଦ ଦାସଙ୍କ ସରଳ ନୀତିଶିକ୍ଷା (୧୯୧୪), ଫକୀର ଚରଣ ରାଉତଙ୍କ ସ୍ତ୍ରୀ ଶିକ୍ଷା (୧୯୧୬), ମୃତ୍ୟୁଞ୍ଜୟ ରଥଙ୍କ ନାରୀଦର୍ପଣ ( ୧୯୧୭), ଦିବ୍ୟ କିଶୋର ସାହୁଙ୍କ ହିନ୍ଦୁକୁମାରୀ (୧୯୧୮), କାଳୀକୃଷ୍ଣ ଦାସଙ୍କ ଆଦର୍ଶ ନାରୀ (୧୯୨୦), ଲକ୍ଷ୍ମୀନାରାୟଣ ସାହୁଙ୍କ ସ୍ତ୍ରୀ ଶିକ୍ଷା (୧୯୨୧) ଆଦି ପ୍ରକାଶ ପାଇଥିଲା । କେବଳ ଜଗବନ୍ଧୁ ସିଂହଙ୍କ ଆହ୍ୱାନରେ ଏମାନେ ଲେଖନୀଚାଳନା କରିଥିଲେ ତା ନୁହେଁ, ନିଜେ ଜଗବନ୍ଧୁ ସିଂହ ‘ଗୃହଲକ୍ଷ୍ମୀ’ ନାମକ ଏକ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ । ଉକ୍ତ ଗ୍ରନ୍ଥଟି ଚାରିଭାଗରେ ପ୍ରକାଶିତ ।

 

ଏହି ଗ୍ରନ୍ଥ ରଚନା ଅନ୍ତରାଳରେ ଜଗବନ୍ଧୁ ସିଂହଙ୍କର ମନୋଭାବ ଥିଲା ‘‘ଉତ୍କଳର ମା, ଭଉଣୀ, କନ୍ୟା ଓ ଗୃହଲକ୍ଷ୍ମୀମାନଙ୍କୁ କଥାଛଳରେ ଅନେକ ଜ୍ଞାତବ୍ୟ ବିଷୟ ଜଣାଇବା ।’’ ସ୍ଵାମୀ ସ୍ତ୍ରୀର କଥୋପକଥନ ମଧ୍ୟରେ ସରଳ ତଥା ମର୍ମସ୍ପର୍ଶୀ ଭାଷାରେ ମାତୃଜାତିକୁ ଯଥାର୍ଥ ଶିକ୍ଷା, ଗୃହସ୍ଥର କର୍ତ୍ତବ୍ୟ, ପ୍ରକୃତ ଧର୍ମ, ପରୋପକାର, ଦାନ, ସେବା, ସରଳତା, ସ୍ନେହଶ୍ରଦ୍ଧା, ସହାନୁଭୂତି ଆଦି ବିଷୟରେ ବର୍ଣ୍ଣନା କରିବା ପରେ ତୃତୀୟଭାଗରେ ମଧୁବାବୁ, ଗୋପବନ୍ଧୁ, ଶ୍ରମଯଜ୍ଞ, ସଭ୍ୟତା, ଦେବଦର୍ଶନ, ଅନୁଭୂତି, ଧନୀଦରିଦ୍ର, ଗଡ଼ଜାତ, ଶିକ୍ଷକ ଓ ଶିକ୍ଷାପ୍ରଣାଳୀ, ଆଲୋସଖୀ ଆପଣା ମହତ ଆପେ ରଖି, ଘରକରଣା, ଗୁରୁଭକ୍ତି, ଧର୍ମାଚରଣ, ଭୂମିକମ୍ପ, ଜାପାନୀବାଣ, ଧର୍ମ ଓ ଈଶ୍ଵର, ସ୍ୱାସ୍ଥ୍ୟବିଧାନ, ଭୋଟ ତତ୍ତ୍ୱ, କଂଗ୍ରେସ, ଗୋମାହାତ୍ମ୍ୟ, ଉତ୍କଳ ସମ୍ମିଳନୀ, ସର୍ବେହ୍ୟର୍ଥବ ଶାୟିନୋ ନରପତେ କାକସ୍ୟ କୋବଲ୍ଲଭଃ, କୋଣାର୍କ, ବିଧବା ବିବାହ, ପାଠପଢ଼ା, ପଲ୍ଲିଦଶା ଆଦି ପ୍ରସଙ୍ଗ ଆଲୋଚନାବେଳେ ଜଗବନ୍ଧୁସିଂହ ଗଦ୍ୟ ଓ ପଦ୍ୟର ସାହାଯ୍ୟ ନେବାକୁ ଭୁଲିନାହାନ୍ତି ।

 

ପରିବାରର ଗୃହିଣୀମାନଙ୍କୁ ଗୃହଲକ୍ଷ୍ମୀଭାବରେ ସେ ଗ୍ରହଣ କରିଛନ୍ତି । ପ୍ରସଙ୍ଗାନୁରୋଧରେ ମଝିରେ ମଝିରେ ଉକ୍ତ ଗ୍ରନ୍ଥରେ ମହାଲକ୍ଷ୍ମୀଙ୍କର ଉଦାହରଣ ପ୍ରଦାନକରି ଏହି ଗୃହଲକ୍ଷ୍ମୀମାନଙ୍କୁ ସର୍ବଗୁଣ ସମ୍ପନ୍ନା ହେବାକୁ ପରାମର୍ଶ ଦେବାକୁ ସେ ଆଗେଇ ଆସିଛନ୍ତି । ପ୍ରଥମଭାଗର ମୁଖବନ୍ଧରେ ସେ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଲକ୍ଷ୍ମୀଙ୍କର ପୂଜା କରନ୍ତି, ସେ ରମଣୀମାନେ ଯେତେ ବଡ଼ଘରର ଝିଅବୋହୁ ହୁଅନ୍ତୁ ନା କାହିଁକି ମନରେ ‘‘ମୁଁ ବଡ଼’’ ଗର୍ବ ନ କରି ଦୀନଦୁଃଖୀ ଆତ୍ମୀୟସ୍ୱଜନ ଗର୍ବ ସାଇପଡ଼ିଶା, ଗ୍ରାମବାସୀ, ଦେଶବାସୀ, ଯେକୌଣସି ଲୋକର ଦୂରବସ୍ଥା ଦେଖିଲେ ଆପଣା ସାଧ୍ୟାନୁସାରେ ଯତ୍ କିଞ୍ଚତ୍ ଦେଇ ତାର କଷ୍ଟ ଅପନୋଦନ କରିବା ପ୍ରଧାନ କର୍ତ୍ତବ୍ୟ ବୋଲି ମନେ କରିବା ଉଚିତ୍ ।’’ କେବଳ ଏତିକି କହି ଲେଖକ ସନ୍ତୁଷ୍ଟ ହୋଇ ନାହାନ୍ତି । ସେ ପୁନର୍ବାର ସୂଚାଇଛନ୍ତି, ଯେଉଁ ସ୍ତ୍ରୀଟି ଆପଣା ପେଟ ମୁଣ୍ଡମାରି ଭୋକୀ ଶୋଷୀଙ୍କ କଥା ବୁଝେ ସେ ସାକ୍ଷାତ ଲକ୍ଷ୍ମୀ, ମହାଲକ୍ଷ୍ମୀ ତାଙ୍କ ପ୍ରତି ବରଦାୟିନୀ ହୁଅନ୍ତି ଏବଂ ଏହିପରି ନାରୀଗଣ ପ୍ରକୃତ ଗୃହଲକ୍ଷ୍ମୀ ।
 

ଜଗବନ୍ଧୁ ସିଂହ ଗୃହଲକ୍ଷ୍ମୀର ମୁଖବନ୍ଧରେ ଏଭଳି ମନ୍ତବ୍ୟ ଦେବା ସହିତ ଗୃହିଣୀର ପବିତ୍ର କର୍ତ୍ତବ୍ୟ ରୂପେ ପ୍ରାତଃ ସମୟରୁ ଶଯ୍ୟାତ୍ୟାଗ, ନିଜର ନିତ୍ୟକର୍ମ ସମାପନା, ଗୃହକୁ ପରିଷ୍କାର ପରିଚ୍ଛନ୍ନ କରିବା, ଆଦିକୁ ସୂଚାଇଛନ୍ତି । ଏଭଳି କରିବାଦ୍ୱାରା ସେମାନେ ନିଜକୁ ଗୃହଲକ୍ଷ୍ମୀ ରୂପେ ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବା ପାଇଁ ସମର୍ଥ ହେବେ । ଶ୍ରୀୟା ଚାଣ୍ଡାଳୁଣୀ କଥାକୁ ପ୍ରସଙ୍ଗକ୍ରମେ କହି ମହାଲକ୍ଷ୍ମୀଙ୍କର ସାମ୍ୟ ମୈତ୍ରୀ ଭାବର କଥା ଦର୍ଶାଇଛନ୍ତି ।

 

ସ୍ୱାମୀର ଅନୁପସ୍ଥିତିରେ ସ୍ତ୍ରୀର କର୍ତ୍ତବ୍ୟ, ବେଶଭୂଷା, ବିଳାସବ୍ୟସନ, ଖାଦ୍ୟପାନୀୟ, ପତିବ୍ରତା ଓ ପତ୍ନୀବ୍ରତର କଥା ମଧ୍ୟ ସୂଚାଇଛନ୍ତି ଓ ଶ୍ରୀଗୁଣ୍ଡିଚା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡ଼ିଯାଇଥିବା ବେଳେ ଲକ୍ଷ୍ମୀ କିପରି ‘‘ଡାଳୁଅ ଚାଉଳ ଓ କଳମ୍ବ ଶାଗ’’ ଧରି ବସନ୍ତି ସେକଥା ମଧ୍ୟ ଉଦାହରଣ ଛଳରେ ବୁଝାଇଛନ୍ତି ।

 

ବିଭିନ୍ନ ବ୍ରତପାଳନ ଅନ୍ତରାଳରେ କିପରି ନାରୀକୁ ସଶିକ୍ଷା ଦିଆଯିବାର ବିଧାନ ରହିଛି, ତାହାକୁ ‘‘ସୁଦଶାବ୍ରତ’’ ସମୟରେ ବ୍ରତସୂତାରେ ପଡ଼ୁଥିବା ୧୦ଟି ଗଣ୍ଡିର ମହତ୍ଵରୁ ବୁଝାଇ ଦେଇଛନ୍ତି ।

 

ନାରୀ କିପରି ପବିତ୍ରପାବନୀ ଗଙ୍ଗା, ସର୍ବସଂହା ଧରିତ୍ରୀ, ଆଦର୍ଶଗୁରୁ ତଥା ଗୃହଲକ୍ଷ୍ମୀ ହୋଇପାରିବ ତାହାକୁ ଲେଖକ ଏହି ଗ୍ରନ୍ଥରେ ବିଭିନ୍ନ କଥାଛଳରେ ବୁଝାଇ କହିଛନ୍ତି ।

 

"ଗୃହଲକ୍ଷ୍ମୀ" ଏକ ଆଦର୍ଶ ରୁଚିପୂର୍ଣ ଗ୍ରନ୍ଥ ହୋଇଥିବାରୁ ବିଶେଷ ଆଦର ଲାଭ କରିଥିଲା-। ତେଣୁ ଲେଖକ ଉକ୍ତ ଗ୍ରନ୍ଥର ତୃତୀୟ ଭାଗରେ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି, ‘‘ଗୃହଲକ୍ଷ୍ମୀ ତା’ର କର୍ତ୍ତବ୍ୟକାର୍ଯ୍ୟ କେତେଦୂର କରିପାରିଛି ତାହା ସେମାନଙ୍କୁ ଜଣା । ମାତ୍ର ଯେଉଁମାନଙ୍କ ଉଦ୍ଦେଶ୍ୟରେ ‘‘ଗୃହଲକ୍ଷ୍ମୀ’’ ପ୍ରକାଶିତ ହୋଇଥିଲା ସେମାନେ ତାକୁ ସାଦରେ ଗ୍ରହଣ କରିଥିବାର ପ୍ରମାଣ ମିଳିଛି । ଅନେକେ କନ୍ୟାମାନଙ୍କୁ ଏ ପୁସ୍ତକ ଉପହାର ଓ ଯୌତୁକ ଦେଉଥିବାର ପ୍ରମାଣ ମିଳିଛି । ଯେଉଁ ସ୍ତ୍ରୀଲୋକମାନେ ଏ ପୁସ୍ତକ ପଢ଼ୁଛନ୍ତି ସେମାନଙ୍କ ଅଭିଜ୍ଞତା କ୍ରମେ ବୃଦ୍ଧିପାଉଛି ।’’

 

ଜଗବନ୍ଧୁ ସିଂହ ଥିଲେ ସତ୍ୟନିଷ୍ଠ, ସ୍ୱଦେଶବତ୍ସଳ ତଥା ପୁରୀସିଂହ ତଥା ବ୍ୟବସ୍ଥାପକ । ୧୯୪୮ ମସିହା ମେ ମାସ ୧୭ ତାରିଖ ନୀଳାଦ୍ରି ମହୋଦୟ ଦିନ ଜଗନ୍ନାଥବଲ୍ଲଭ ମଠରେ ସେ ଇହଲୀଳା ସମ୍ବରଣ କରିବା ଦ୍ଵାରା ଉତ୍କଳଜନନୀ ତାର ଗୋଟିଏ କୃତୀ ସନ୍ତାନକୁ ହରାଇଥିଲେ ମଧ୍ୟ ଜଗବନ୍ଧୁ ସିଂହଙ୍କର ‘‘ଗୃହଲକ୍ଷ୍ମୀ’’ର ପଦାର୍ପଣ ଆଜି ପାଠକ ପ୍ରାଣରେ ସୃନ୍ଦନ ତୋଳୁଛି,

 

“ଯାଅ ଗୃହଲକ୍ଷ୍ମୀ ଘରେ ଘରେ ପଶ

ଶୁଣାଅ ନାରୀଙ୍କୁ ତବ ସୁସନ୍ଦେଶ ।

ଗୁରୁ ହୋଇ ଶିକ୍ଷା ମନ୍ତ୍ର ଦିଅବାରେ

ଜାଣନ୍ତୁ ଭାରତରମଣୀ ସଧୀରେ ।

ଜ୍ଞାନଦୀପ ଘେନି ଯାଇ ଅନ୍ତଃପୁରେ

ଜ୍ଞାନଦୀକ୍ଷା ଦିଅ ନାରୀଙ୍କ କର୍ଣ୍ଣରେ ।

ଘୁଞ୍ଚଯାଉ ଘୋର ତମ ଅନ୍ଧକାର

ଜ୍ଞାନାଲୋକ ପୂରିଉଠୁ ସବୁଘର ।

ଶିଶୁକାଳୁ ଶିକ୍ଷା ଦିଅ ଗୋ ଜନନୀ

ହୁଅନ୍ତୁ ସନ୍ତାନ ବୀର ଶିରୋମଣି ।

ପ୍ରାଣପଣେ ଦେଶସେବା କରି ବ୍ରତ

ଲାଗନ୍ତୁ ଜନନୀ ସେବାରେ ନିରତ ।

ଉଠୁ ଏ ଭାରତ ପୁଣି ପୂର୍ବପରି |

ସଦୟ ହୁଅନ୍ତୁ ଦେବ ନରହରି ।

 

ଚନ୍ଦ୍ରପ୍ରଭା ସାହି-୨

ବ୍ରହ୍ମପୁର-୭୬୦୦୦୧

ଗଞ୍ଜାମ

 

***

 

Unknown

ଜ୍ୟୋତିଷାର୍ଣ୍ଣବ ପୁସ୍ତକ ଜ୍ୟୋତିଷ ଶାସ୍ତ୍ର କ୍ଷେତ୍ରରେ ଧ୍ରୁବ

ଅନାମ ଚନ୍ଦ୍ର ସାହୁ

 

ଜଗବନ୍ଧୁ ସିଂହ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଜଣେ କର୍ମଯୋଗୀ ଅଟନ୍ତି । ଉତ୍କଳ ସଂସ୍କୃତିର ପୂଜାରୀ, ପ୍ରାଚୀନ ଉତ୍କଳ, ଗୀତାସାର, ଜ୍ୟୋତିଷାର୍ଣ୍ଣବ ଆଦି ପୁସ୍ତକ ରଚନାକରି ସାରସ୍ୱତ ସାଧନା କ୍ଷେତ୍ରରେ ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ଜଣେ ଆଇନଜୀବୀ ଭାବରେ ଉଦାର, କର୍ମଠ, ଜ୍ଞାନୀ, ଗୁଣୀ, ନୀତିସମ୍ପର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି ।

 

ଓଡ଼ିଶା ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ସର୍ବଭାରତୀୟ ସ୍ତରରେ ସ୍ଵାକ୍ଷରତା ଦୃଷ୍ଟିରୁ ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିଥିଲା । ଏହା କେବଳ ଓଡ଼ିଆ ଭାଗବତ ପ୍ରତି ଶ୍ରଦ୍ଧାରୁ ସମ୍ଭବ ହୋଇଥିଲା-। ଜଗବନ୍ଧୁ ସିଂହ ନିଜ ଜୀବିକା ଓ ଜୀବନକୁ ଏକାକାର କରି ବହୁ ସମାଜ ସେବା ସହ ସାରସ୍ୱତ ସାଧନରେ ବ୍ରତୀ ହୋଇଥିଲେ । ଜ୍ୟୋତିଷ ଶାସ୍ତ୍ର ଭଳି ଏକ ପ୍ରାଚୀନ ସଂସ୍କୃତ ଗ୍ରନ୍ଥକୁ ଅଧ୍ୟୟନ କରି ଦୁର୍ଲଭ ଜ୍ୟୋତିଷାର୍ଣ୍ଣବ ଭଳି ଗ୍ରନ୍ଥ ରଚନା କରିଥିଲେ । ଏହା କେବଳ କୌଳିକ ବୃଦ୍ଧି ଆନୁଗତ୍ୟ ଥିଲା । ତେଣୁ ଜ୍ଞାନର ଅଭିବୃଦ୍ଧି ଘଟି ପାରୁନଥିଲା । କଠିନ ସଂସ୍କୃତ ଶ୍ଳୋକକୁ ବୁଝି ଅର୍ଥ କରିବା ନାହାକ ଗୋଷ୍ଠୀଙ୍କ ପକ୍ଷରେ କଷ୍ଟକର ଥିଲା । ତେଣୁ ଫଳାଦେଶରେ ତ୍ରୁଟି ବିଚ୍ୟୁତି ଘଟୁଥିଲା । ଏହି ଅସୁବିଧାକୁ ଦୂର କରିବା ପାଇଁ ଜ୍ୟୋତିଷାର୍ଣ୍ଣବ ରଚନା ପାଇଁ କଲମ ଚାଳନା କରିଥିଲେ । ଜଗବନ୍ଧୁ ସିଂହ ସଂସ୍କୃତ ଶାସ୍ତ୍ରରେ ପାଣ୍ଡିତ୍ୟ ଲାଭ ପରେ ନିଶ୍ଚିତ ଭାବରେ ଏହି ଗ୍ରନ୍ଥ ରଚନା କରିଥିବେ, ତାହା ଏହି ଗ୍ରନ୍ଥ ପାଠ କରିବା ଦ୍ଵାରା ଆମ୍ଭମାନଙ୍କର ହୃଦୟଙ୍ଗମ ହେଉଅଛି ।

 

ସିଂହ ମହାଶୟ ଏକାଧାରରେ ଜଣେ କବି ଅଟନ୍ତି । ଗଦ୍ୟ ଆକାରରେ ଉପସ୍ଥାପନା କରିଲେ, ତାହାକୁ ଉଦ୍ଧୃତ କରିବା କଷ୍ଟକର । ତେଣୁ କରି ସେ ସମୟରେ ସଂସ୍କୃତ କାବ୍ୟର ଆଦର ଅଧିକ ଥିଲା । ସେହି ପରିପ୍ରେକ୍ଷୀରେ, ସେ ସଂସ୍କୃତ ଶ୍ଳୋକ ସମୂହକୁ ଓଡ଼ିଆ ପଦ୍ୟ ଆକାରରେ ପ୍ରକାଶ କରିଅଛନ୍ତି ।

 

୧୧ ଅକ୍ଷର ବିଶିଷ୍ଟ କବିତା ରଚନାର ଉଦାହରଣ: (ଦଶାଫଳ),       

ସ୍ୱସ୍ଥସ୍ୟ ଖେଟସ୍ୟ ଦଶାବିପାକେ ସ୍ଵସ୍ଥୋ ନୃପୋ ଲବ୍‍ଧନାଦି ସୌଖ୍ୟଂ

ବିଦ୍ୟା-ଯଶଃ ପ୍ରୀତି ମହନ୍‍ମୁଚୈର୍ଦାରାର୍ଥ ଭୁମ୍ୟାଦିକର୍ଧର୍ମ୍ମମେତି ।

ସୁସ୍ଥ ଗ୍ରହର ଦଶା ଭୋଗକାଳେ

ନୃପତିଠାରୁ ବହୁଧନ ମିଳେ ।

ବିଦ୍ୟା ଯଶକୁ ବଢ଼ାଏ ନିରତ

ଦାରା ଅଥ ଭୂମି ଧର୍ମ ପ୍ରାପତ ।

୧୪ ଅକ୍ଷର ବିଶିଷ୍ଟ କବିତା ରଚନାର ଉଦାହରଣ :-

ମୁଦାନ୍ୱିତସ୍ୟାପି ଦଶାବିପାକେ ବସ୍ତାଦିକଂ ଗନ୍ଧ- ସୁତୀର୍ଥଂ ଧୈର୍ଯ୍ୟଂ

ପୁରାଣଂ ଧର୍ମ ଶ୍ରବଣାଦି ଲାଭଂ ହୟାଦି ଯାନାମ୍ଭର ଭୂଷଣାପ୍ରିଂ ।

ମୁଦିତ ଗ୍ରହର ଦଶା ଯେବେ ଭୋଗହୁଏ

ଅଶ୍ଵ ଆଦି ଯାନାମ୍ବରେ ଭୂଷଣ କରାଏ ।

ପୁରାଣ ଶ୍ରବଣ ପୁଣି ଧର୍ମଶାସ୍ତ୍ର ଜାଣ ।

ପ୍ରାପତ ହୁଅଇ ପୁଣି ନାନାଦି ବସନ ।।

 

ଗୋଚରେ ବୁଧଫଳ

ବୁଧଃ ପ୍ରଥମଧାମଗୋ ଦିଶତି ବନ୍ଧମର୍ଥେଧନଂ

ବଧଂ ରିପୁଭୟାନ୍ୱିତଂ ସହଜଗଶ୍ଚତୁର୍ଥେଽର୍ଥଃ ।

ଆନିର୍ବିତି କରୋଭବେତ୍ ତନୟଗୋଽରିଗଃ ସ୍ଥାନଦଃ

କରୋତି ମଦନେ ସ୍ଥିତୋ ବହୁବିଧାଂ ଶରୀରାପଦଂ ।

ଅଷ୍ଟମେ ଶଶିସୁତେ ଧନଲବ୍‍ଧିର୍ମଗୋଽପି ମହତୀ ତନୁପୀଡ଼ା ।।

କର୍ମଗଃ ଶୁଭମଥାୟ ଗତତାଽଥଂ ଦ୍ଵାଦଶେ ଭବତି ବିଭବିନାଶଃ ।।

ଜନ୍ମରାଶି ଶଶିସୁତ । ବନ୍ଧନ କରାଏ ନିୟତ ।।

ଦ୍ୱିତୀୟ ସ୍ଥାନେ ଧନପ୍ରାପ୍ତି । ତୃତୀୟ ରିପୁଭୟ ଅତିଃ ।।

ଚତୁର୍ଥେ ଅର୍ଥଲାଭ ଦିଏ । ପଞ୍ଚମେ ଅସୁଖ ଜନ୍ମାଏ ।।

ଷଷ୍ଠରେ ବହୁସ୍ଥାନ ପ୍ରାପ୍ତି । ସପ୍ତମେ ଦେହପୀଡ଼ା ଅଛି ।।

ଅଷ୍ଟମେ ଧନଧାନ୍ୟ ଦିଏ । ନବମେ ପୀଡ଼ା ଉପୁଜାଏ ।।

ସମସ୍ତ ମଙ୍ଗଳ ଦଶାରେ । ଧନଲାଭ ଏକାଦଶରେ ।।

ଦ୍ଵାଦଶେ କରେ ବିତ୍ତନାଶ । ଗୋଚରେ ଏ ଫଳ ଅବଶ୍ୟ ।।

 

ସଂସ୍କୃତ ଶ୍ଳୋକକୁ ପାଠ କରି ପାଠକ ବୁଝିପାରିବା ତଥା ସହଜରେ ମନେ ରଖିପାରିବା ପରି ଓଡ଼ିଆ ଭାଗବତ ଶୈଳୀରେ ପଦ୍ୟାନୁବାଦ କରିଯାଇଅଛନ୍ତି । ଏହା ତାଙ୍କର ଯୁଗପୋଯୋଗୀ ସଫଳ ପ୍ରଚେଷ୍ଟା, ଏହି ଶୈଳୀରେ ଊନବିଂଶ ଶତାବ୍ଦୀର ପଞ୍ଚଦଶକରେ ନାହାକଗଣ ଯଜମାନଙ୍କୁ ଶୁଣାଇ ଖୁସି କରାଇ ପାରୁଥିଲେ । ମୂଳ ସଂସ୍କୃତ ଶ୍ଳୋକରେ ଲିଖିତ ଜ୍ଞାନବର୍ଦ୍ଧକ ସୂଚନାର ଅନ୍ୟ ଅର୍ଥ କରିଯାଇ ନାହାନ୍ତି । ତେଣୁ ପଦ୍ୟାନୁବାଦ ସମୟରେ ସେ କେତେ କଷ୍ଟ ସ୍ୱୀକାର କରି ଶବ୍ଦ ସଂଯୋଜନା କରିଥିବେ, ତାହାର ପଟାନ୍ତର ନାହିଁ ।

 

ପ୍ରାକ୍ ସ୍ୱାଧୀନତା କାଳରେ ଯେତେବେଳେ ଭାରତବର୍ଷରେ ସାମାଜିକ, ସାଂସ୍କୃତିକ କ୍ଷେତ୍ରରେ ଗୁରୁତର ବୈପ୍ଳବିକ ଉନ୍ନତିର ସୂତ୍ରପାତ ହେଉଥିଲା ସିଂହ ମହୋଦୟ, ନିଜ ଆଇନ ବ୍ୟବସାୟ ସହିତ ଉତ୍କଳ ସମ୍ମିଳନୀ ଆଦି ସାଂଗଠନିକ ଦାୟିତ୍ୱ ସୂଚାରୁ ରୂପେ ସମ୍ପୂର୍ଣ୍ଣ କରୁଥିଲେ । ସଂଗଠନର ସଫଳତା ପାଇଁ ଯେଉଁ ୪ଟି ଦିଗ ଯଥା- ଧନ, ସମୟ, ଜ୍ଞାନ ଓ ଅଭିମାନ ଶୂନ୍ୟତାର ଆବଶ୍ୟକତା ଥାଏ ସେ ଥିଲେ ସେହି ବିରଳ (ଗୁଣାତ୍ମକ) ବ୍ୟକ୍ତିତ୍ୱର ଅଧିକାରୀ । ସେତେବେଳେ ସେ ଶିକ୍ଷିତ ସମାଜକୁ କର୍ମଠ ହେବା ପାଇଁ ପ୍ରେରଣାର ଉତ୍ସ ହୋଇଥିଲେ । ସାଧାରଣରେ ବିଶ୍ୱାସ କରାଯାଏ, ଜ୍ୟୋତିଷ ଶାସ୍ତ୍ର (ଭାଗ୍ୟବାଦୀ) କରାଇ ମନୁଷ୍ୟକୁ ଆଳସ୍ୟ ପରାୟଣ କରିଥାଏ । ମାତ୍ର ଜ୍ୟୋତିଷ ଶାସ୍ତ୍ରରେ ନିହୀତ ସମୟଜ୍ଞାନ ଓ ବିଜ୍ଞାନ ସମ୍ମତ ଚିନ୍ତାଧାରାକୁ ମନୁଷ୍ୟ ସମାଜରେ ପ୍ରତିଷ୍ଠା କରିବା ପାଇଁ ଜ୍ୟୋତିଷାର୍ଣ୍ଣବ ରଚନା କରାଯାଇ ଅଛନ୍ତି । ଜ୍ୟୋତିଷ ଶାସ୍ତ୍ର, ଉଭୟ ଗଣିତ ଓ ଫଳିତ ଦୁଇଭାଗରେ ବିଭକ୍ତ । ସେ ମୁଖ୍ୟତଃ ଜ୍ୟୋତିଷାର୍ଣ୍ଣବରେ ଫଳିତ ଜ୍ୟୋତିଷ ଶାସ୍ତ୍ରର ପ୍ରାଥମିକ ସ୍ତରରୁ ଉଚ୍ଚସ୍ତରୀୟ ଜ୍ଞାନର ସମସ୍ତ ଦିଗ ପ୍ରତି ଆଲୋଚନା କରି ଯାଇଅଛନ୍ତି । ଏହି ପୁସ୍ତକ ପାଠ ଦ୍ଵାରା କୌଣସି ଶିକ୍ଷିତ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧରେ ଜ୍ଞାନ ଲାଭ କରିପାରିବ । ଆମ୍ଭେମାନେ ଜ୍ୟୋତିଷ ଶାସ୍ତ୍ର ପଢ଼ିବା ଆରମ୍ଭ କରିବା ସମୟରେ ଜ୍ୟୋତିଷାର୍ଣ୍ଣବର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ରହିଥିଲା । ଏହିଭଳି ଏକ ବିରାଟ ଗ୍ରନ୍ଥ ରଚନା କରିବା ପାଇଁ ସେ ସମୟରେ ଜଗବନ୍ଧୁ ଯେଉଁ ପ୍ରୟାସ କରିଛନ୍ତି, ତାହା ଆମ୍ଭମାନଙ୍କୁ ବିସ୍ମିତ କରୁଅଛି । ବହୁ କୌଳିକ ବୃତ୍ତିଗତ ବ୍ୟକ୍ତି (ବା) ametuer (ଅଭ୍ୟାସଗତ) ବ୍ୟକ୍ତି ବିଶେଷ ଜ୍ୟୋତିଷାର୍ଣ୍ଣବର ପାଠ ଦ୍ଵାରା ଉପକୃତ ହୋଇ ଅଛନ୍ତି । ଆଜି ମଧ୍ୟ ବୟସ୍କ ଜ୍ୟୋତିଷଗଣ ଜ୍ୟୋତିଷାର୍ଣ୍ଣବ ପୁସ୍ତକ ପାଖରେ ରଖି ଆତ୍ମଗୌରବ ପ୍ରାପ୍ତି କରିଥାଆନ୍ତି ଏବଂ ସେଥିରୁ ଜ୍ଞାନ ଆହାରଣ କରିଥାଆନ୍ତି ।

 

ସିଂହ ମହୋଦୟ ଗ୍ରନ୍ଥଟିର ନାମ ଜ୍ୟୋତିଷାର୍ଣ୍ଣବ ଦେବା ଯୁକ୍ତିଯୁକ୍ତ । ଜ୍ୟୋତିଷରେ ସମୁଦ୍ର-। ଏହି ଗ୍ରନ୍ଥ ସମୁଦ୍ରର ବିଶାଳତା ତଥା ଶାନ୍ତ ସ୍ୱଭାବ ସହ ନୀଳ ବର୍ଣ୍ଣର ଗୌରବ ବହନ କରିଅଛି । ସମୁଦ୍ରର ଗଭୀରତା ଅନୁଭବ କରିବା ଆମ୍ଭମାନଙ୍କ ପକ୍ଷରେ କଷ୍ଟକର । ସେହିଭଳି ଜ୍ୟୋତିଷାର୍ଣ୍ଣବରେ ସେ କୌଣସି ବିଭାଗକୁ ଛାଡ଼ିଯାଇ ନାହାନ୍ତି । ରତ୍ନଗର୍ଭା ସାଗର ଅଟେ । ଜ୍ୟୋତିଷାର୍ଣ୍ଣବରେ ବର୍ଣ୍ଣିତ ସମସ୍ତ ବିଭାଗ ଗୋଟିଏ ଗୋଟିଏ ରତ୍ନ ଅଟେ । ସେ ଏଭଳି କୌଣସି ବିଭାଗକୁ ଛାଡ଼ି ଯାଇ ନାହାନ୍ତି ଯାହାଦ୍ଵାରା କି, କୌଣସି ଜ୍ୟୋତିଷ ଶାସ୍ତ୍ର ପାଠକର ମୌଳିକ ଜ୍ଞାନ ଅପୂର୍ଣ୍ଣ ରହିଯିବ ।

 

ସ୍ଵର୍ଗୀୟ ପଠାଣି ସାମନ୍ତଙ୍କ ସମ୍ବନ୍ଧରେ ମତାମତ ଦେବାକୁ ଯାଇ ଜଗବନ୍ଧୁ କହିଅଛନ୍ତି ପଠାଣି ସାମନ୍ତ ଭାରତର ବର୍ତ୍ତମାନ ଯୁଗର ଭାସ୍କରାଚାର୍ଯ୍ୟ ଅଟନ୍ତି । ସିଦ୍ଧାନ୍ତ ଦର୍ପଣର ଆଜି ସୁଦ୍ଧା ଟୀକା ହୋଇ ନ ପାରି ଥିବାରୁ ସେ କ୍ଷୁବ୍‍ଧ ହୋଇଥିଲେ ।

 

ଜ୍ୟୋତିଷାର୍ଣ୍ଣବ ୪ର୍ଥ ଭାଗରେ ସମୃଦ୍ଧ । ପ୍ରଥମ ଭାଗରେ ସଂଜ୍ଞା ବିଷୟ ଆଲୋଚିତ । ଦ୍ୱିତୀୟ ଭାଗରେ ଗ୍ରହବଳ ବିଚାର । ତୃତୀୟ ଭାଗରେ ଗ୍ରହସ୍ଫୁଟ ସାଧନ ବିଚାରଭାବ ଆଦି ସ୍ଥାନୀତ ହୋଇଅଛି । ଜ୍ୟୋତିଷ ଶାସ୍ତ୍ର ଏକ ସାଗର ଭଳି ବିଶାଳ ଶାସ୍ତ୍ର ଅଟେ । ତାହା ମଧ୍ୟରୁ ସେ କିଛି ରତ୍ନ ସଂଗ୍ରହ କରି ଏକତ୍ର କରିଅଛନ୍ତି । ଏବେ ଆମ୍ଭମାନଙ୍କ ଭଳି ପାଠକ ଏହା ପାଠ କଲେ ନିଶ୍ଚିନ୍ତ ଭାବରେ ବିସ୍ମିତ ହେବେ ଯେ, ସିଂହ ମହାଶୟ ଜ୍ୟୋତିଷ ଶାସ୍ତ୍ରକୁ କିଭଳି ଏକ ବିଜ୍ଞାନ ସମ୍ମତ୍ ଶାସ୍ତ୍ର ଭାବରେ ଗ୍ରହଣ କରିବା ସହ ତାହା ବିଭିନ୍ନ ଯୁକ୍ତି ଦ୍ଵାରା ପୁସ୍ତକରେ ଦୃଢ଼ତାର ସହିତ ଦର୍ଶାଇ ଅଛନ୍ତି-

 

ଓଡ଼ିଆ ଭାଗବତ ନଅ ଅକ୍ଷର ବିଶିଷ୍ଟ । ସିଂହଙ୍କ କବିତା ଗୁଡ଼ିକ ୯, ୧୧ ଓ ୧୪ ଅକ୍ଷର ବିଶିଷ୍ଟ ଅଟେ । ଏହା ସୁନ୍ଦର ଭାବେ ବୋଧଗମ୍ୟ ହେବା ସହ ସହଜରେ ମନେ ରହିପାରିବା ଶୈଳୀରେ ରଚିତ । ଜ୍ୟୋତିଷାର୍ଣ୍ଣବ ଲେଖାହେବା ସମୟକୁ ଭାଗବତର ଆଦର ଓଡ଼ିଆ ସମାଜରେ ବହୁତ ଗଭୀର ଥିଲା । ଏଥିରୁ ପ୍ରେରଣା ଲାଭ କରି ସେ ଏହି ଜ୍ଞାନ ସମୂହକୁ ସରଳ ଓଡ଼ିଆ ଭାଷାରେ ଗଦ୍ୟ ଆକାରରେ ରଚନା କରିଯାଇ ଅଛନ୍ତି । ଯାହାକୁ ସହଜରେ ସ୍ମରଣ କରାଯାଇ ଉଦ୍ଧୃତ କରାଯାଇ ପାରିବ । ସାଧାରଣ ପାଠକର ବିଦ୍ୟା ଅଧ୍ୟୟନ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ସହଜ ସରଳ ବୋଧଗମ୍ୟ ହେବାଭଳି ଭାଷାର ସାହାଯ୍ୟ ନେବା ସହିତ ଚିତ୍ର ଏବଂ ଉଦାହରଣ ମାନ ଦେଇ ବୁଝାଇ ଅଛନ୍ତି ।

 

ଏଥିରେ ବିଭିନ୍ନ ଯୋଗ ସମୂହ ସମ୍ବନ୍ଧରେ ଆଲୋଚନା କରିଯାଇ ଅଛି ।

 

ଶଙ୍ଖ ଯୋଗ

ଶ୍ଳୋକ-ଅନ୍ୟୋନ୍ୟ କେନ୍ଦ୍ର ଗୃହ ଗୌ ସୁତ ଶତ୍ରୁନାଥୌ ଲଗ୍ନାଧିପେ ବଳଯୁତେ ଯଦି ଶଙ୍ଖଯୋଗଃ ଲଗ୍ନାଧିପେ ଗମନାଧି ପତୌ ତତସ୍ଥେ ଭାଗ୍ୟାଧିପେ ବଳଯୁତେ ତୁ ତଥା ବଦନ୍ତି ।

 

ଶଙ୍ଖେ ଜଣେ ଭୋଗଶୀଳୋ ଦୟାଳୁଃ ସ୍ତ୍ରୀ ପୁତ୍ରାର୍ଥ କ୍ଷେତ୍ରବାନ୍ ପୁଣ୍ୟକର୍ମା ଶାସ୍ତ୍ରୀଜ୍ଞାନାଚାରସାଧୁକ୍ରାୟାବାନ ଜୀବେଦ୍ଦିର୍ଷି ବତ୍ ସରାଣା ମଶୀତଃ ।

 

ଜଗବନ୍ଧୁ ସିଂହଙ୍କ ଦ୍ୱାରା ଉପରୋକ୍ତ ଶ୍ଳୋକର ଓଡ଼ିଆ ପଦ୍ୟାନୁବାଦ:-

 

ସୂତନାଥ କେନ୍ଦ୍ରେ ଶତ୍ରୁନାଥ ବସିଥିବ |

ଶତ୍ରୁନାଥ କେନ୍ଦ୍ରେ ସୂତନାଥ ବିହରିବ ।

ଲଗ୍ନ ଅଧିପତି ହୋଇଥିଲେ ବଳଯୁକ୍ତ ।

ଶଙ୍ଖ ବୋଲି ଏହି ଯୋଗ ନାମ ଅଟେ ଖ୍ୟାତ ।

ଲଗ୍ନ ନାୟକ ଗମନାଧିପ ଚରେ ଥାନ୍ତି ।

ଭାଗ୍ୟପତି ବଳୀ ହେଲେ ଶଙ୍ଖ ଯୋଗ ହୋନ୍ତି ।

ଏ ଯୋଗେ ଜାତ ହୋଇଲେ ଭୋଗଶୀଳ ହୁଏ

ପୂଣ୍ୟକର୍ମା ଶାସ୍ତ୍ରଜ୍ଞ ସେ ଦୟାଳୁ ବୋଲାଏ ।

ଭୂମି, ଅର୍ଥ-ପୁତ୍ର-ନାରୀମାନଙ୍କର ଯୁକ୍ତ ଅଶିତ ବର୍ଷି ଆୟୁ ତାହାର ନିଶ୍ଚିତ ।

 

ବିଭିନ୍ନ ରାଜଯୋଗ ସମ୍ବନ୍ଧରେ ଆଲୋଚନା ଓ ପର୍ଯ୍ୟାଲୋଚନା ଅତ୍ୟନ୍ତ ଜ୍ଞାନଯୁକ୍ତ ହୋଇ ସାଧାରଣ ପାଠକଙ୍କ ବୋଧଗମ୍ୟ ହେବାପାଇଁ ବିଶେଷ ଚେଷ୍ଟା କରିଅଛନ୍ତି । ରାଜ ଯୋଗର ସୂତ୍ର ତଥା ଫଳାଦେଶକୁ ସୁନ୍ଦରଭାବେ ପଦ୍ୟ ଆକାରରେ ଦର୍ଶାଇଛନ୍ତି ।

 

ଶ୍ଲୋକ- ଯଦି କେନ୍ଦ୍ରେ ତ୍ରିକୋଣେ ବା ନବସେତାଂ ତମୋଗ୍ରହୌ

ନାଥେନାନୀତରେତାପି ସମ୍ବନ୍ଧାତ୍ ଯୋଗ କାରକୌ ।

ନିଜସ୍ଵ ପଦ୍ୟ ଦ୍ୱାରା ଲିଖିତ-

ରାହୁ କେତୁ କେନ୍ଦ୍ରେ ଅବା ତ୍ରିକୋଣରେ ଥିବେ ।

କେନ୍ଦ୍ର କୋଣପତି ସଙ୍ଗେ ସମ୍ବନ୍ଧ କରିବ ।

ଏମନ୍ତ ଯୋଗରେ ରାହୁକେତୁ ହେଲେ ସ୍ଥିତ

ଯୋଗ କାରକ ହୁଅନ୍ତି ଜାଣିବା ନିଶ୍ଚିତ ।

 

ଜଗବନ୍ଧୁ ସିଂହ, ପଦ୍ୟାନୁବାଦ ସହ ଗଦ୍ୟ ଆକାରରେ ଏହାକୁ ଅତ୍ୟନ୍ତ ଜ୍ଞାନଗର୍ଭ ଭାବରେ ବୁଝାଇ ଅଛନ୍ତି ।

 

ରାହୁ କେତୁଙ୍କର କୌଣସି କ୍ଷେତ୍ର ନାହିଁ । ରାହୁ କେତୁ କେନ୍ଦ୍ରରେ କିମ୍ବା କୋଣରେ ଥାଇ କେନ୍ଦ୍ର କିମ୍ବା କୋଣପତି ସଙ୍ଗେ ସମ୍ବନ୍ଧ କଲେ ଯୋଗ କାରକ ହୁଅନ୍ତି । ଏଠାରେ ରାହୁକେତୁଙ୍କ ସମ୍ବନ୍ଧ ବିଷୟରେ କିଛି ବିଶେଷତ୍ୱ ଅଛି ।

 

ରାହୁ କେତୁ କେବଳ ଦୁଇପ୍ରକାରର ସମ୍ବନ୍ଧରେ ଆବଦ୍ଧ ହୋଇଛନ୍ତି । ଯଥା-ଅନ୍ୟୋନ୍ୟ ଦୃଷ୍ଟି ସମ୍ବନ୍ଧ ଏବଂ ସହସ୍ଥାନ ସମ୍ବନ୍ଧ ରାହୁ କେତୁ ପକ୍ଷରେ ଅସମ୍ଭବ କାରଣ ସେମାନଙ୍କର କ୍ଷେତ୍ରାଧିପତିତ୍ୱ ନାହିଁ । ଅନ୍ୟ ଦୁଇ ସମ୍ବନ୍ଧ ଅର୍ଥାତ୍ କ୍ଷେତ୍ର ବିନିମୟ ଏବଂ ଏକେତର ଦୃଷ୍ଟି ହେବା ଅସମ୍ଭବ କାରଣ ରାହୁ ଯେଉଁଠାରେ ରହିବ, କେତୁ ବରାବର ତାଠାରୁ ସପ୍ତମ ସ୍ଥାନରେ ଥାଏ ।

 

ଜ୍ୟୋତିଷାର୍ଣ୍ଣବ ୪ଟି ଭାଗରେ ପ୍ରକାଶିତ ହୋଇଥିଲା । ବର୍ତ୍ତମାନ ତାହା ଏକତ୍ର ଗୋଟିଏ ପୁସ୍ତକ ଭାବରେ ପ୍ରକାଶିତ । ଏହି ପୁସ୍ତକ ଧର୍ମଗ୍ରନ୍ଥ ଷ୍ଟୋର ଦ୍ଵାରା ପ୍ରକାଶିତ । ଜଗବନ୍ଧୁ ସିଂହ ମହାଶୟ ପ୍ରଥମ, ଦ୍ୱିତୀୟ ତୃତୀୟ ଓ ଚତୁର୍ଥ ଭାଗକୁ କ୍ରମଶଃ ପ୍ରକାଶିତ କରାଇଥିଲେ । ଏହି ପୁସ୍ତକର ଲୋକପ୍ରିୟତା ଅନ୍ୟ ଭାଗଗୁଡ଼ିକର ପ୍ରକାଶ କରିବା ପାଇଁ ପ୍ରେରଣା ଯୋଗାଇ ଥିଲା । ସେ ସମୟରେ ସେହି ପୁସ୍ତକଗୁଡ଼ିକର ଅନେକ ସଂସ୍କରଣ ହୋଇପାରିଥିଲା । ଯାହାକି ସେତେବେଳର ସମାଜରେ ଓଡ଼ିଆ ଭାଷା କ୍ଷେତ୍ରରେ ପୁସ୍ତକ ପାଠ କରିବାର ଆଦର ସୃଷ୍ଟି କରିଥିଲା-

 

ପ୍ରଥମ ଭାଗ (ଜ୍ୟୋତିଷାର୍ଣ୍ଣବ)ରେ ପ୍ରାଥମିକ ଜ୍ୟୋତିଷ ଶାସ୍ତ୍ରର ସମସ୍ତ ଦିଗକୁ ଦର୍ଶାଇବା ସହ ସହଜ ଭାବରେ ମନେ ରଖି ପାରିବା ଭଳି ଗଦ୍ୟ ଓ ପଦ୍ୟରେ ଲେଖିଯାଇ ଅଛନ୍ତି । ଜ୍ୟୋତିଷ ଶାସ୍ତ୍ରର ବିଭିନ୍ନ ବିଭାଗର ଜ୍ଞାନ ବୃଦ୍ଧି ଓ ଫଳାପଳ ନିରୂପଣ ପାଇଁ ପ୍ରଶ୍ନ ଜାତକ, ଜାତକ ଆଲୋଚନା, ରାଷ୍ଟ୍ରଫଳ, ରାଶିଫଳ ଆଦିର ବିସ୍ତୃତ ବର୍ଣ୍ଣନା କରିଅଛନ୍ତି ।

 

ଦ୍ୱିତୀୟ ଭାଗରେ ଅଧିକ ଭାବେ ଫଳିତ ଜ୍ୟୋତିଷ କ୍ଷେତ୍ରରେ ଜ୍ଞାନବୃଦ୍ଧି ପାଇଁ ସଂଜ୍ଞା, ଗ୍ରହବଳ ବିଷୟ ଓ ରିଷ୍ଟ ବିଚାର ସମ୍ବନ୍ଧରେ ବର୍ଣ୍ଣନା କରିଅଛନ୍ତି । ସେତେବେଳେ ଜ୍ୟୋତିଷମାନେ ଜାତକ ତିଆରି ସମୟରେ ସମୟ ନିରୂପଣ ପାଇଁ ମୋଟା ମୋଟି ଭାବେ ସାମାଜିକ ସ୍ଥିତିର କେତେଗୋଟି ଦିଗ ପ୍ରତି ଧ୍ୟାନ ଦେଉଥିଲେ । ଯଥା-ମାଇପି ଗାଦୁଆବେଳ, କଅଁଳ ଗାଦୁଆ ବେଳ, ଗୋଧୂଳି ସମୟ, ମୂଲିଆ ଉଠିବା ବେଳ, ମଧାହ୍ନ, ଛାଇ ଲେଉଟିଥିଲା, କୁଆଁତାରା ଉଦୟ ଆଦି । ଏହା ଦ୍ୱାରା ପ୍ରାୟ ୨ ଘଣ୍ଟା ପାଇଁ ରହୁଥିବା ଲଗ୍ନ ମାନ ନିରୂପଣ କରିବାରେ ବ୍ୟତିକ୍ରମ ଘଟୁଥିଲା । ଯାହାଦ୍ୱାରା ଜାତକରେ ଫଳାଦେଶ ନିର୍ଭୁଲ ହୋଇପାରୁନଥିଲା । ତେଣୁ ସେ ଲଗ୍ନ ପରୀକ୍ଷାର ବିଭିନ୍ନ ଦିଗ ସମ୍ବନ୍ଧରେ ଏହି ଭାଗରେ ଆଲୋଚନା କରିଅଛନ୍ତି ।

 

ତୃତୀୟ ଅଧ୍ୟାୟ (ଭାଗ)ରେ ଗ୍ରହସ୍ଫୁଟ ତଥା ରାଜଯୋଗ ବର୍ଣ୍ଣନା ସହ ଗ୍ରହବଳର ସମସ୍ତ ଦିଗ ଉପରେ ଆଲୋଚନା କରିଅଛନ୍ତି । ଏଥିରେ ଜ୍ୟୋତିଷଶାସ୍ତ୍ର ସମ୍ବନ୍ଧୀୟ ସମସ୍ତ ନିୟମ ଆଦିର ବର୍ଣ୍ଣନା ହୋଇଅଛି । ସୁଯୋଗ ଓ ଦୁର୍ଯୋଗ ଆଦିର ବିଚାର କରାଯାଇଅଛି । ବିଭିନ୍ନ ବିଭାଗର ଦକ୍ଷତା ପାରିବାରିକ ସ୍ଥିତିର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋଚନା ହୋଇଅଛି ।

 

୪ର୍ଥ ଅଧ୍ୟାୟ (ଭାଗ)ରେ ଅଷ୍ଟକବର୍ଗ ସାଧନ, ବିବାହ ମେଳକ, ଭାବ ସ୍ଥିତି, ଦଶାଭୁକ୍ତି, ଗ୍ରହ ଯୁକ୍ତି ଆଦି ସମ୍ବନ୍ଧରେ ବର୍ଣ୍ଣନା କରିଅଛନ୍ତି ।

 

ଏହି ୪ ଭାଗ ବିଶିଷ୍ଟ ଜ୍ୟୋତିଷାର୍ଣ୍ଣବକୁ ପାଠ କରିବା ପରେ ଜଣେ ବ୍ୟକ୍ତି ନିଶ୍ଚିନ୍ତ ଭାବରେ ଜଣେ ଉପଯୁକ୍ତ ଜ୍ଞାନ ସମ୍ପର୍ଣ୍ଣ ଜ୍ୟୋତିର୍ବିଦ ହେବା ସହ ଫଳିତ ଜ୍ୟୋତିଷ ଓ ଗଣିତ ଜ୍ୟୋତିଷ ସମ୍ବନ୍ଧରେ ସମ୍ୟକ୍ ଜ୍ଞାନ ଆହରଣ କରିପାରିବ । ଜ୍ୟୋତିଷ ଶାସ୍ତ୍ର ଯେ ଏକ ବିଜ୍ଞାନ ସମ୍ମତ ଶାସ୍ତ୍ର ଏହା ପାଠକର ହୃଦବୋଧ ହେବ ।

 

ଯେତେବେଳେ ସମାଜରେ ଜ୍ୟୋତିଷ ଶାସ୍ତ୍ରକୁ କୁସଂସ୍କାର ବୋଲି ଗ୍ରହଣ କରାଯାଇଥିଲା ସେତେବେଳେ ସେ ସମାଜରେ ସୁଶିକ୍ଷିତ ନେତୃବର୍ଗଙ୍କର ସହକର୍ମୀ ହୋଇ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ଏକ ବିଜ୍ଞାନ ସମ୍ମତ ଶାସ୍ତ୍ର ଭାବରେ ଜ୍ୟୋତିଷାର୍ଣ୍ଣବରେ ପ୍ରତିପାଦିତ କରିଅଛନ୍ତି । ଏହା ତାଙ୍କୁ ଅମର କରି ଚିରକାଳକୁ ରଖିପାରିବ ।

 

ସହ-ସମ୍ପାଦକ, ଜଗବନ୍ଧୁ ସିଂ ସ୍ମୃତି ସଂସଦ

ଚିତ୍ରକାର ସାହି, ପୁରୀ-୭୫ ୨୦୦୧

 

***

 

ବାଳଗଙ୍ଗାଧର ତିଳକଙ୍କ ଗୀତା ରହସ୍ୟର ଓଡ଼ିଆ ଅନୁବାଦକ

ଜଗବନ୍ଧୁ ସିଂହ

ଉପେନ୍ଦ୍ର ମିଶ୍ର

 

କଥାରେ ଅଛି ‘‘ଗୀତା ସୁଗୀତା କର୍ତ୍ତବ୍ୟା କିମନ୍ୟତ୍ ଶାସ୍ତ୍ରବିସ୍ତରୈଃ ।’’ ଯଦି ଗୀତାକୁ ଉତ୍ତମ ଭାବରେ ଅଧ୍ୟୟନ କରାଯାଏ ଅନ୍ୟଶାସ୍ତ୍ର ପାଠକରିବା ଅନାବଶ୍ୟକ । ବହୁ ଶାସ୍ତ୍ରପାରଦର୍ଶୀ, ଅସାମାନ୍ୟ ପ୍ରତିଭାଶାଳୀ ଲୋକମାନ୍ୟ ବାଳଗଙ୍ଗାଧର ତିଳକ ଶ୍ରୀମଦ୍‌ଭଗବଦ୍ ଗୀତାକୁ ତନ୍ନ ତନ୍ନ କରି ଅଧ୍ୟୟନ କରି ଗୀତାର ରହସ୍ୟ ଉଦ୍‌ଘାଟନ କରିଛନ୍ତି । ତିଳକଙ୍କ ପୂର୍ବରୁ ବହୁ ବିଦ୍ୱାନଙ୍କ ଦ୍ଵାରା ଗୀତାର ବିଭିନ୍ନ ଟୀକା, ଭାଷ୍ୟ ଓ ଅନୁବାଦ ହୋଇଥିଲା । ତିଳକ ସେ ସମସ୍ତ ପାଠକରି ସନ୍ତୁଷ୍ଟ ହୋଇନଥିଲେ । ସେଥିପାଇଁ ସେ ସବୁରେ ସେ ଅପୂର୍ଣ୍ଣତା ଅନୁଭବ କଲେ । ଅନ୍ୟ ଧର୍ମମାନଙ୍କ ସହିତ ଗୀତାର ତୁଳନା କରିବା ପାଇଁ ସେ ଉଦ୍ୟମ କରିଥିଲେ । ଗୀତାର ଅର୍ଥପ୍ରତିପାଦନ କରିବା ବାଳଗଙ୍ଗାଧର ତିଳକଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଗୀତାର ସିଦ୍ଧାନ୍ତ ସଙ୍ଗରେ ପାଶ୍ଚାତ୍ୟ ସିଦ୍ଧାନ୍ତର ସାମ୍ୟ ଦେଖାଇବା ପାଇଁ ସେ ଗୀତା ରହସ୍ୟର ବିଭିନ୍ନ ସ୍ଥାନରେ କେତେକ ପାଶ୍ଚାତ୍ୟ ମତର ଉଲ୍ଲେଖ କରିଛନ୍ତି । ଉଭୟ ସିଦ୍ଧାନ୍ତ ମଧ୍ୟରେ ଯେଉଁ ସୂକ୍ଷ୍ମ ଭେଦ ଅଛି ତାହା ଜାଣିବା ଉଦ୍ଦେଶ୍ୟରେ ସେ ପାଶ୍ଚାତ୍ୟ ଗ୍ରନ୍ଥମାନ ଅଧ୍ୟୟନ କରିଥିଲେ । ୧୯୦୮ ମସିହାରେ ସେ ବର୍ମାର ମାଣ୍ଡାଲେ ଜେଲରେ ୬ବର୍ଷକାଳ ବନ୍ଦୀ ଜୀବନ ଅତିବାହିତ କରିଥିଲେ । ସରକାର ତାଙ୍କୁ ଜେଲରେ ଗୀତା ରହସ୍ୟ ଲେଖିବା ପାଇଁ ଅନୁମତି ଦେବା ସହିତ ପୁନାରୁ ସମସ୍ତ ପ୍ରୟୋଜନୀୟ ପୁସ୍ତକ ଯୋଗାଇ ଦେଇଥିଲେ । ଉକ୍ତ ଜେଲରୁ ଖଲାସ ହେବା ସମୟରେ ତାଙ୍କ ନିକଟରେ ୪୦୦ ପୁସ୍ତକ ଥିଲା । ପୁନା ଫେରିବା ପରେ ସେ ଆଉ କେତେକ ପୁସ୍ତକ ଅଧ୍ୟୟନ କରି ସ୍ଵକୀୟ ଲେଖାକୁ ପରିମାର୍ଜିତ କରି ପ୍ରକାଶ କରାଇଥିଲେ । ଏହି ଅମୂଲ୍ୟ ଗୀତା-ରହସ୍ୟ ଇଂରେଜୀ, ବଙ୍ଗଳା, ହିନ୍ଦୀ ପ୍ରଭୃତି ନାନା ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଥିଲା । ଓଡ଼ିଆ ଭାଷାରେ ତାର ଅନୁବାଦ ହୋଇନଥିବାରୁ ଉତ୍କଳରେ ଏହାର ଅଭାବ ଅନୁଭୂତ ହେବା ସ୍ୱାଭାବିକ ।

 

ପ୍ରତିଭାଶାଳୀ ବିଜ୍ଞ ଜଗବନ୍ଧୁ ସିଂହ ସିଂହ ବିକ୍ରମରେ ଏପରି ଏକ ଉଦ୍ୟମରେ ବ୍ରତୀ ହେଲେ । ଗ୍ରନ୍ଥର ବିଶାଳତା ବା ତାଙ୍କ ବନ୍ଧୁମାନଙ୍କ ଆଶଙ୍କା “ତାଙ୍କ ଜୀବନକାଳ ମଧ୍ୟରେ ଏପରି ଏକ ଗ୍ରନ୍ଥର ଅନୁବାଦ କାର୍ଯ୍ୟ ସମାପନ ଅସମ୍ଭବ'' ତାଙ୍କୁ ବିଚଳିତ କରିପାରିନଥିଲା । ଜଗବନ୍ଧୁ ଧୀର ଚିତ୍ତ ଓ ସ୍ଥିର ବୁଦ୍ଧିରେ ଅଗ୍ରସର ହୋଇ ସମସ୍ତ କାର୍ଯ୍ୟ ଶେଷକଲେ । ବିରାଟ ଗ୍ରନ୍ଥର ମୁଦ୍ରଣ ଆଉ ଏକ ସମସ୍ୟା । ତାଙ୍କର ଜଣେ ବନ୍ଧୁ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏହି ଗ୍ରନ୍ଥକୁ ସାହିତ୍ୟ ପ୍ରଚାର ସଂଘ ପକ୍ଷରୁ ବାଲ୍ଲୀ ବିଶ୍ଵନାଥ କରଙ୍କ ଉତ୍କଳ ସାହିତ୍ୟ ପ୍ରେସରେ ମୁଦ୍ରିତ କରାଇ ଦେଲେ । ୬୮୦ ପୃଷ୍ଠାର ଏକ ବିରାଟ ପୁସ୍ତକ ଲୋକଲୋଚନର ଗୋଚରୀଭୂତ ହେଲା । ସର୍ବଜନ ବନ୍ଧୁ ଜଗବନ୍ଧୁ ଆମ ଆଗରେ ଜ୍ଞାନର ଯେଉଁ ରତ୍ନଭଣ୍ଡାର ଖୋଲି ଦେଲେ ସେଥିପାଇଁ ସେ ଆମ୍ଭମାନଙ୍କର ଚିର ନମସ୍ୟ । ବିଶେଷତଃ ଧର୍ମତତ୍ତ୍ଵ ସମ୍ବନ୍ଧୀୟ ପ୍ରାବନ୍ଧିକ ଭାଷା କଠିନ ହେବା ସ୍ୱାଭାବିକ କିନ୍ତୁ ପ୍ରାବନ୍ଧିକ ଜଗବନ୍ଧୁ ସର୍ବଜନବୋଧ୍ୟ ହେବାପାଇଁ ଭାଷାକୁ ଯଥାସାଧ୍ୟ ସରଳ କରିଛନ୍ତି-। ବିଶେଷତଃ ପ୍ରଶ୍ନୋତ୍ତର ଛଳରେ ଗୁରୁତର ବିଷୟମାନ ସେ ଯେପରି ଉପସ୍ଥାପନ କରିଛନ୍ତି ତାହା ହୃଦୟଗ୍ରାହୀ ହୋଇଛି ।

 

ଗ୍ରୀକତତ୍ତ୍ୱବେତ୍ତା ଆରିଷ୍ଟଟଲ ସର୍ବ ପ୍ରଥମେ ନୀତିଶାସ୍ତ୍ର ବିଷୟକ ଗ୍ରନ୍ଥ ଲେଖିଥିଲେ । ତିଳକଙ୍କ ମତରେ ସେ ସମସ୍ତ ପ୍ରଶ୍ନର ବିଚାର ଗୀତାରେ ହୋଇଥିଲା । ମନୁଷ୍ୟ ଅଜ୍ଞାନତା ହେତୁରୁ ପାପକାର୍ଯ୍ୟ କରିବା କଥା ସକ୍ରେଟିସ୍ କହିଛନ୍ତି; ଏହି ମତ ଗୀତାରେ ଦେଖାଯାଏ । ‘‘ଉତିଷ୍ଠତ । ଜାଗ୍ରତ ! ପ୍ରାପ୍ୟ ବରାନ ନିବୋଧତ’' (କଠୋପନିଷଦ ୩-୧୪) । “ଉଠ, ଜାଗ ଏବଂ ଭଗବତ୍ ପ୍ରଦତ୍ତ ବର ବୁଝିନିଅ’’- କଠୋପନିଷଦର ଏହି ମନ୍ତ୍ର ଗୀତାର ପ୍ରତିପାଦ୍ୟ ବିଷୟ ରୂପେ ତିଳକ ଉତ୍ଥାପନ କରିଛନ୍ତି ।

 

ଭଗବଦ୍ ଗୀତାର ବହୁ ଭାଷ୍ୟ ଓ ଟୀକା ଅଛି । ସେଥିମଧ୍ୟରୁ ଶଙ୍କରଙ୍କର ଗୀତାଭାଷ୍ୟ ସମସ୍ତଙ୍କ ମଧ୍ୟରେ ଶ୍ରେଷ୍ଠ । ଉପନିଷଦ, ବେଦାନ୍ତସୂତ୍ର ଓ ଭଗବଦଗୀତା ବୈଦିକ ଧର୍ମର ତିନିଗୋଟି ମୁଖ୍ୟ ଗ୍ରନ୍ଥ । ଶଙ୍କରାଚାର୍ଯ୍ୟ (୭୧୦-୭୪୨ ଖ୍ରୀଷ୍ଟାବ୍ଦ) ଜଣେ ଅସାମାନ୍ୟ ଜ୍ଞାନୀ ବ୍ୟକ୍ତି ଥିଲେ । ତାଙ୍କ ସମୟରେ ବୌଦ୍ଧ ଓ ଜୈନ ଧର୍ମ ଭାରତର ସର୍ବତ୍ର ପରିବ୍ୟାପ୍ତ ଥିଲା । ଶଙ୍କର ଏହି ବୌଦ୍ଧ ଓ ଜୈନ ମତକୁ ଖଣ୍ଡନ କରି ନିଜର ଅଦ୍ୱୈତ ମତ ପ୍ରଚାର କରିଥିଲେ । ତାଙ୍କର ଉପଦେଶ ହେଲା ଅଦ୍ୱୈତ ଜ୍ଞାନ ଓ ସନ୍ୟାସ । ତାଙ୍କ ମତର ପ୍ରମାଣ ଗୀତାର ଦୁଇଟି ଶ୍ଳୋକ ଉପରେ ପର୍ଯ୍ୟବସିତ । ଯଥା-‘ଜ୍ଞାନାଗ୍ନିଃ ସର୍ବକମାଣି ଭସ୍ମସାତ୍ କୁରୁତେଽର୍ଦବ”- ଜ୍ଞାନରୂପ ଅଗ୍ନିରେ ସକଳକର୍ମ ଭସ୍ମସାତ୍ ହୋଇଯାଏ । (ଗୀତା, ୪-୩୭) ଏବଂ ‘ସର୍ବକର୍ମାଖିଳଂ ପାର୍ଥ ଜ୍ଞାନେ ପରିସମାପ୍ୟତେ ।”- ସକଳ କର୍ମ ଜ୍ଞାନରେ ପରିସମାପ୍ତ ହୁଏ ।

 

ଯାଜ୍ଞ ବକ୍କ୍ୟ, ମନୁ ପ୍ରଭୃତି ସ୍ମୃତିଶାସ୍ତ୍ର- କର୍ତ୍ତାମାନେ ସଂସାରରେ ଚଳିବା ପାଇଁ ବହୁନିୟମ କରିଯାଇଛନ୍ତି । ମନୁ ଚତୁର୍ବର୍ଣ୍ଣ ପାଇଁ ଯେଉଁ ସାଧାରଣ ନିୟମ କରିଛନ୍ତି (ମନୁ ୧୦-୬୩) ‘‘ଅହିଂସା ସତ୍ୟମସ୍ତେୟଂ ଶୌଚମିନ୍ଦ୍ରିୟନିଗ୍ରହଃ’’ - ଅହିଂସା, ସତ୍ୟ, ଚୋରି ନ କରିବା, ଇନ୍ଦ୍ରିୟଦମନ ସାଧାରଣ ନିୟମ । “ଅହିଂସା ପରମୋ ଧର୍ମଃ'' (ମ. ଭାରତ ଆଦି ୧୧-୧୩) । ଏ ତତ୍ତ୍ୱଟି କେବଳ ହିନ୍ଦୁ ଧର୍ମରେ ନୁହେଁ ବୌଦ୍ଧ ଜୈନ ଖ୍ରୀଷ୍ଟିୟାନ ଧର୍ମଗ୍ରନ୍ଥରେ ପ୍ରଥମ ଉପଦେଶ । କେବଳ ଜୀବହିଂସା କଲେ ହିଂସା ହୁଏ ତାହା ନୁହେଁ, କୌଣସି ଜୀବର ମନରେ ବା ଶରୀରରେ କଷ୍ଟଦେବା ମଧ୍ୟ ହିଂସା । କୌଣସି ସଚେତନ ପ୍ରାଣୀକୁ କାୟିକ, ବାଚିକ ବା ମାନସିକ କୌଣସି ପ୍ରକାର ଦୁଃଖ ନ ଦେବା ହେଉଛି ଅହିଂସା । ପିତୃହତ୍ୟା, ମାତୃହତ୍ୟା, ଗୁରୁହତ୍ୟା, ଗୋହତ୍ୟା ପ୍ରଭୃତି ପ୍ରଧାନ ହତ୍ୟା ଏବଂ ଏହା ବଡ଼ ଆକାରର ହିଂସା । ସମସ୍ତ ଧର୍ମ ଏହାକୁ ଗୁରୁତର ମହାପାତକ ବୋଲି ମାନେ ।

 

ଜଣେ ଯଦି ଅସ୍ତ୍ରଶସ୍ତ୍ର ନେଇ ମୋତେ ମାରିବାକୁ ଆସେ ବା ମୋ ଘରେ ନିଆଁ ଲଗାଇ ଦିଏ । ଏବଂ ମୋତେ ସାହାଯ୍ୟ କରିବାକୁ କେହି ନାହିଁ ସେତେବେଳେ ମୋତେ ତୁନି ହୋଇ ବସିବାକୁ ହେବ ନାହିଁ ।

 

ଗୁରୁଂ ବା ବାଳବୃଦ୍ଧୌ ବା ବ୍ରାହ୍ମଣଂ ବା ବହୁଶ୍ରୁତଂ ।

ଆତତାୟିନମାୟାନ୍ତଂ ହନ୍ୟା ଦେବା ବିଚାରୟନ୍ ।

 

‘‘ଏପରି ଆତତାୟୀ ବା ଦୁଷ୍ଟଲୋକକୁ- ସେ ଗୁରୁହେଉ, ‘ବୃଦ୍ଧ ହେଉ, ବାଳକ ହେଉ ବା ବିଦ୍ୱାନ ହେଉ ବା ବ୍ରାହ୍ମଣ ହେଉ, ସେଥିପ୍ରତି ଦୃଷ୍ଟି ନ ଦେଇ ନିଶ୍ଚୟ ବଧ କରିବ ।’’ (ମନୁ, ୮-୩୫୦) ଏପରି ସ୍ଥଳରେ ହତ୍ୟାଜନିତ ପାପ ହତ୍ୟାକାରୀକୁ ସ୍ପର୍ଶକରେ ନାହିଁ । (୮-୩୫୦) । ଦୁଷ୍ଟଲୋକ ନିଜେ ଅଧର୍ମାଚରଣ କରି ମରେ । ବର୍ତ୍ତମାନ ଯୁଗର ଆଇନ ମଧ୍ୟ ଏପରି ଅଧିକାରକୁ ସ୍ୱୀକାର କରିଛି ।

 

ମହାଭାରତର ବନ ପର୍ବରେ ଗୋଟିଏ କାହାଣୀ ଅଛି । ଜଣେ ବ୍ରାହ୍ମଣ ଗୋଟିଏ ପତିବ୍ରତା ରମଣୀକୁ ଭସ୍ମ କରିବାକୁ ଉଦ୍ୟମ କରି ବିଫଳ ହେବାରୁ ସେହି ରମଣୀଠାରୁ ଧର୍ମତତ୍ତ୍ୱ ବୁଝିବାକୁ ତାର ଶରଣାପନ୍ନ ହେଲେ । ରମଣୀ ବ୍ରାହ୍ମଣକୁ ଜଣେ ବ୍ୟାଧ ନିକଟକୁ ପଠାଇଲେ । ବ୍ୟାଧ ଜୀବବଧ କରି ମାଂସ ବିକ୍ରୟ କଲେ ମଧ୍ୟ ନିଜେ ମାଂସ ଖାଏ ନାହିଁ । ମାଂସବିକ୍ରୟ ତାର କୌଳିକ ଧର୍ମ । କିନ୍ତୁ ସେ ଜଣେ ପ୍ରଧାନ ପିତୃମାତୃଭକ୍ତ । ବ୍ରାହ୍ମଣ ବ୍ୟାଧଠାରୁ ଅହିଂସାର ପ୍ରକୃତ ତତ୍ତ୍ୱବୁଝି ବିଶେଷ ଆନନ୍ଦିତ ହେଲେ ।

 

ବର୍ତ୍ତମାନ ସତ୍ୟର ମହତ୍ୱ ବିଚାର କରାଯାଉ । ସମସ୍ତ ସୃଷ୍ଟିର ଉତ୍ପତ୍ତି ପୂର୍ବରୁ ସତ୍ୟର ଉତ୍ପତ୍ତି । ଆକାଶ, ବାୟୁ, ପୃଥିବୀ, ଜଳ ଓ ଅଗ୍ନି ଏହି ପଞ୍ଚମହାଭୂତ ସତ୍ୟଦ୍ଵାରା ଆବୃତ ଓ ଧୃତ । ସତ୍ୟର ମହାତ୍ମ୍ୟ ନାନା ଶାସ୍ତ୍ରରେ କଥିତ । ନାସ୍ତି ସତ୍ୟାତ୍ ପରୋ ଧର୍ମଃ’ । ମହାଭାରତରେ ଅଛି

 

ଅଶ୍ଵମେଧ ସହସ୍ରଂଚ ସତ୍ୟଂଚ ତୁଳୟା ଧୃତମ୍

ଅଶ୍ଵମେଧ ସହସ୍ରାଦ୍ଧ ସତ୍ୟମେବ ବିଶିଷ୍ୟତେ ।

 

ସହସ୍ର ଅଶ୍ୱମେଧ ଓ ସତ୍ୟ, ଏହି ଉଭୟକୁ ଓଜନ କଲେ ସତ୍ୟର ଗୁରୁତ୍ୱ ଉପଲବ୍ଧି ହେବ (ଆଦିପର୍ବ, ୭୪-୧୦୨) ଉପନିଷଦରେ ଅଛି, “ସତ୍ୟଂବଦ । ଧର୍ମଂ ଚର ।’’ (ତୈତରୀୟ, ୧-୧୧-୧) । ବୌଦ୍ଧ ଓ ଖ୍ରୀଷ୍ଟିୟାନ ଧର୍ମଶାସ୍ତ୍ରରେ ଅନୁରୂପ ତଥ୍ୟ ମିଳେ ।

 

ଜଗତରେ ସମସ୍ତେ ସାଧୁ ନୁହନ୍ତି । ମନେକର ଜଣେ ଲୋକ ଚୋର ହାତରୁ ରକ୍ଷା ପାଇବା ପାଇଁ ତମ ସମ୍ମୁଖରେ ଏକ ସ୍ଥାନରେ ଲୁଚିଗଲା । ଚୋରଟି ତରବାରୀ ଧରି ତୁମ ପାଖରେ ପହଞ୍ଚି ପଚାରିଲା ‘‘ସେ ଲୋକ କୁଆଡ଼େ ଗଲା ?’’ ଏ କ୍ଷେତ୍ରରେ ତୁମେ କଅଣ କରିବ ? ସତ୍ୟ କହିବା ବା ସେ ଲୋକର ପ୍ରାଣରକ୍ଷା କରିବ । ନିରପରାଧ ପ୍ରାଣୀର ହିଂସା ନିବାରଣ କରିବା ସତ୍ୟପରି ପ୍ରଧାନ ଧର୍ମ । ଡକାୟତ ଯଦି ତୁନି ହେବା ଦେଖି କହେ, “ଠିକ୍ କହ, ନୋହିଲେ ତୋତେ ହାଣି ଦେବି ।’’ ସେତେବେଳେ ସତ କହିବ । “ଆତ୍ମାନଂ ସତତଂ ରକ୍ଷେତ୍ ଦାବୈରପି ଧନୈରପି ।’’ ଧନ ଓ ନିଜର ସ୍ତ୍ରୀ ବିନିମୟରେ ନିଜକୁ ସର୍ବଦା ରକ୍ଷା କରିବା ଉଚିତ ।

 

ଭଗବାନ ଶ୍ରୀକୃଷ୍ଣଙ୍କୁ ସବୁଧର୍ମର ରହସ୍ୟ ଜଣା । ଏହି ଚୋରର ଉଦାହରଣ ଦେଇ ସେ ଅର୍ଜୁନଙ୍କୁ କର୍ଣ୍ଣପର୍ବରେ (କର୍ଣ୍ଣ ୬୯-୭୧) ଓ ଭୀଷ୍ମ ଯୁଧିଷ୍ଠିରଙ୍କୁ ଶାନ୍ତି ପର୍ବରେ କହିଛନ୍ତି,

 

‘‘ଅକୂଜନେନ ଚେନ୍ମୋକ୍ଷ ନାବକୂଦେତ କଥଞ୍ଚନ ।

ଅବଶ୍ୟ କୂଜିତବ୍ୟେ ବା ଶଙ୍କେର ନ୍ୱ୍ୟାପ୍ୟକୂଜନାତ୍‍ ।

ଶ୍ରେୟସ୍ତ୍ର୍ରତାନୃତଂ ବକ୍ରୁଂ ସତ୍ୟାଦିତି ବିଚାରିତଂ ।’’

 

ଏହାର ଅର୍ଥ ହେଲା- ଯଦି କଥା କହିଲେ ମୁକ୍ତି ପାଇବାର ସମ୍ଭାବନା ଥାଏ, ତେବେ କିଛି କହିବ ନାହିଁ । ଯଦି କହିବାର ନିତାନ୍ତ ଆବଶ୍ୟକ ହୁଏ ବା ନ କହିଲେ ବିପଦର ଆଶଙ୍କା ଥାଏ, ତେବେ ସେ ସମୟରେ ମିଥ୍ୟା କହିବା ଏକାନ୍ତ ଆବଶ୍ୟକ । ଯାହାଦ୍ୱାରା ସମସ୍ତଙ୍କର କ୍ଷତି ହୁଏ ତାହା ସତ୍ୟ ନୁହେଁ କି ଅହିଂସା ନୁହେଁ ।

 

ଅହିଂସା ସତ୍ୟବଚନଂ ସର୍ବଭୂତହିତଂ ପରଂ । (ମ: ବନପର୍ବ ୨୦୬-୭୩)

ଯଦ୍ଭୁତହିତମତ୍ୟନ୍ତଂ ତତ୍ ସତ୍ୟମିତି ଧାରଣା । (ମ: ବନପର୍ବ ୨୦୮-୪)

 

ପ୍ରାଣୀମାନଙ୍କର ଯେଉଁ କଥାଦ୍ଵାରା ଅଧିକ ମଙ୍ଗଳ ହେବ, ତାହା ପ୍ରକୃତ ସତ୍ୟ । ମିଥ୍ୟା କଥା ଦ୍ଵାରା ଯଦି ମଙ୍ଗଳ ହୁଏ ତାହା ମିଥ୍ୟା ନୁହେଁ-ସତ୍ୟ ।

 

ସିଜବିକ ଓ ମିଲ ପ୍ରଭୃତି ଇଂରେଜ ନୀତିଶାସ୍ତ୍ରକାରମାନେ ଏହି ସିଦ୍ଧାନ୍ତର ପକ୍ଷପାତୀ ଯେ, ଯାହାଦ୍ୱାରା ବହୁଲୋକଙ୍କର ମଙ୍ଗଳ ହେବ ତାହା ପ୍ରକୃତ କର୍ମ । ତାଙ୍କ ମତରେ ଛୋଟ ବାଳକ ପାଗଳ, ରୋଗୀ, ନିଜର ଶତ୍ରୁ ଚୋର-ଏମାନଙ୍କୁ ମିଥ୍ୟା କହିବା ଅନ୍ୟାୟ ନୁହେଁ । ନୀତିଶାସ୍ତ୍ର ବେତ୍ତା ବେନ୍ ହେବେଲ ମଧ୍ୟ ଏହି ମତର ପକ୍ଷପାତୀ ।

 

ମହାଭାରତରେ ଅଛି

ନ ନର୍ମଯୁକ୍ତଂ ବଚନ ହିନସ୍ତି ନ ସ୍ତ୍ରୀଷୁ ରାଜନ୍ନ ବିବାହକାଳେ ।

ପ୍ରାଣାତ୍ୟୟେ ସର୍ବଧନାପହାରେ ପଞ୍ଚାନୃତାନ୍ୟାହୁର ପାତକାନି ।

 

ସ୍ତ୍ରୀଲୋକମାନଙ୍କ ଆଗରେ, ବିବାହ କାଳରେ, ପ୍ରାଣସଙ୍କଟ ସମୟରେ, ସଞ୍ଚିତଧନ ରକ୍ଷା କରିବା ଉଦ୍ଦେଶ୍ୟରେ ଏବଂ ଥଟା କରି-କେବଳ ଏହି ପାଞ୍ଚଟି ସ୍ଥାନରେ ମିଛ କହିଲେ ପାତକ ହେବ ନାହିଁ ।

 

ଗୀତା ରହସ୍ୟର ତୃତୀୟ ପ୍ରକରଣରେ କର୍ମଯୋଗ ବିଷୟରେ ଉଲ୍ଲେଖ ଅଛି । ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ପହଞ୍ଚି ଦେଖିଲେ- ଆତ୍ମୀୟମାନଙ୍କୁ ମାରିଲେ ହିଁ ରାଜ୍ୟଲାଭ ହେବ । ସେ ବିଶେଷ ଦୁଃଖିତ ହେଲେ । ଯୁଦ୍ଧ ନ କରିବା ପାଇଁ ମନସ୍ଥପୂର୍ବକ ସନ୍ନ୍ୟାସୀ ହେବାକୁ ବସିଲେ । ଶ୍ରୀକୃଷ୍ଣ ଅର୍ଜୁନଙ୍କର ଏହି ଅଦ୍ଭୁତ ଆଚରଣ ଦେଖି କହିଲେ, “ତୁମେ ଯୁଦ୍ଧରୁ ନିବୃତ୍ତ ହେଲେ ଲୋକେ ତୁମକୁ ଦୁର୍ବଳ ବୋଲି ଉପହାସ କରିବେ । ତୁମେ ଜନସମାଜରେ ନିନ୍ଦିତ ହେବ । “ଏଥିରେ ଅର୍ଜୁନଙ୍କର ମନ ପରିବର୍ତ୍ତନ ହେବା ଦେଖି ଶ୍ରୀକୃଷ୍ଣ ପୁଣି କହିଲେ, “ଯେଉଁମାନେ ଶୋକର ଅଯୋଗ୍ୟ ସେମାନଙ୍କ ପାଇଁ ତୁମେ ଶୋକ କରୁଛ ଏବଂ ବଡ଼ ବଡ଼ ବ୍ରହ୍ମଜ୍ଞାନ କଥା କହୁଛ । ଏହିପରି ଉପହାସ କରି ଶ୍ରୀକୃଷ୍ଣ କର୍ମଯୋଗର ଅବତାରଣା କଲେ । ଅର୍ଜୁନ ଯେଉଁ ସଙ୍କଟରେ ପଡ଼ିଥିଲେ ସେହିପରି ସାନ ବଡ଼ ସଙ୍କଟ ଅନେକଙ୍କ ଆଗରେ ଦେଖାଦେଇଥାଏ । ତେଣୁ ଗୀତାର କର୍ମଯୋଗ ସମସ୍ତଙ୍କର ଧ୍ୟେୟ ହେବା ଆବଶ୍ୟକ ।

 

କର୍ମର ବହୁତ ବିଭାଗ ଅଛି- ଯାଗଯଜ୍ଞାଦି ଶୌତ୍ର କର୍ମ, ବ୍ରାହ୍ମଣର ପୂଜାପାଠ କ୍ଷତ୍ରିୟର ଯୁଦ୍ଧ ବୈଶ୍ୟର ବାଣିଜ୍ୟ ସ୍ନାତକର୍ମ । ବ୍ରତ ଉପବାସାଦି ପୌରାଣିକ କର୍ମ । ଏହି ସମସ୍ତ କର୍ମ ପୁଣି ତିନି ଶ୍ରେଣୀରେ ବିଭକ୍ତ । ନିତ୍ୟ, ନୈମିତ୍ତିକ ଓ କାମ୍ୟ ଶାନ୍ତସନ୍ଧ୍ୟା ପ୍ରଭୃତି ନିତ୍ୟକର୍ମ; ଗ୍ରହଶାନ୍ତି, ପ୍ରାୟଶ୍ଚିତ୍ତ ପ୍ରଭୃତି ନୈମିତ୍ତିକ କର୍ମ; କୌଣସି ବିଶିଷ୍ଟ ଫଳପ୍ରାପ୍ତି ଉଦ୍ଦେଶ୍ୟରେ ଶାସ୍ତ୍ରାନୁସାରେ ଯେଉଁ କର୍ମ କରାଯାଏ ଯଥା- ଦୃଷ୍ଟି ବା ପୁତ୍ରପ୍ରାପ୍ତି ଉଦ୍ଦେଶ୍ୟରେ ଯେଉଁ କର୍ମ କରାଯାଏ ତାହା କାମ୍ୟକର୍ମ । ଏ ସମସ୍ତ ବ୍ୟତୀତ କେତେକ ନିଷିଦ୍ଧ କର୍ମ ଅଛି । ଯଥା- ମଦ୍ୟପାନ, ପରଦାରାଗମନ ପ୍ରଭୃତି । ବର୍ତ୍ତମାନ ଯୋଗର କଥା ବିଚାର୍ଯ୍ୟ । ଯୋଗଶବ୍ଦ ଗୀତା ଓ ମହାଭାରତରେ ବହୁସୁଳରେ ବ୍ୟବହୃତ । ଯାଗଯଜ୍ଞାଦି କାମ୍ୟକର୍ମରେ ବ୍ୟସ୍ତ ବ୍ୟକ୍ତିଙ୍କ ବୁଦ୍ଧି ଫଳପାଇବା ଆଶାରେ ବ୍ୟଗ୍ର ହୋଇଥାଏ । ଭଗବାନ ସେମାନଙ୍କୁ କହିଛନ୍ତି, ‘‘ଆସକ୍ତି ଛାଡ଼, କିନ୍ତୁ କର୍ମ ଛାଡ଼ିବାକୁ ବ୍ୟଗ୍ର ହୁଅ ନାହିଁ । ଯୋଗସ୍ଥ ହୋଇ କର୍ମ କର ।’’ ଏଠାରେ ଯୋଗ ଶବ୍ଦର ଅର୍ଥ ସିଦ୍ଧି ବା ଅସିଦ୍ଧିରେ ସମବୁଦ୍ଧି । କର୍ମର ପାପ ପୁଣ୍ୟରେ ଲିପ୍ତ ନ ରହି ସମତ୍ୱ ବୁଦ୍ଧିରେ କାର୍ଯ୍ୟ କରିବାର ନାମ ହେଉଛି କୌଶଳ । ଏହି କୌଶଳଦ୍ଵାରା କର୍ମ କରିବାକୁ ଗୀତାରେ ଯୋଗ କୁହାଯାଇଛି । ମହାଭାରତରେ ସ୍ପଷ୍ଟ ଲେଖାଅଛି ‘‘ପ୍ରବୃତ୍ତିଲକ୍ଷଣୋ ଯୋଗଃ ଜ୍ଞାନଂ ସନ୍ନ୍ୟାସଲକ୍ଷଣଂ ।” ଯୋଗ ପ୍ରବୃତ୍ତିର ଲକ୍ଷଣ ଜ୍ଞାନ ସନ୍ନ୍ୟାସ ବା ନିବୃଭିର ଲକ୍ଷଣ । ତେଣୁ ଭଗବଦ୍ ଗୀତାରେ ଥିବା ଯୋଗ ଶବ୍ଦ ପ୍ରବୃତ୍ତିମାର୍ଗ ଅର୍ଥାତ୍ କର୍ମଯୋଗ ଅର୍ଥରେ ବ୍ୟବହୃତ ହୋଇଅଛି ।

 

ସନ୍ୟାସଃ କର୍ମଯୋଗଶ୍ଚ ନିଃଶ୍ରେୟସକରାବୁଭୌ ।

ତୟୋସ୍ତୁ କର୍ମ ସନ୍ୟାସାତ୍ କର୍ମଯୋଗ ବିଶିଷ୍ୟତେ ।

 

ସର୍ବଭୂତରେ ପରମେଶ୍ଵର ଅଛନ୍ତି ବ୍ୟକ୍ତିର ଏହି ଜ୍ଞାନ ହେଲେ ଜନ୍ମମରଣରୁ ଅବ୍ୟାହତି ମିଳିବ ଏବଂ ସେ କର୍ମବନ୍ଧନରୁ ମୁକ୍ତି ପାଇବ । ସମସ୍ତ କର୍ମ ତ୍ୟାଗ କରିବା କିମ୍ବା ନିଷ୍କାମବୁଦ୍ଧିରେ କର୍ମକରିବା ( କର୍ମଯୋଗ) ଏହି ଦୁଇଟି ବିଷୟପ୍ରତି ଦୃଷ୍ଟିଦେବାକୁ ହେବ । ପୂର୍ଣ୍ଣ ବ୍ରହ୍ମଜ୍ଞାନ ପାଇ ପାରିଲେ କର୍ମ ନ କରିବା ବା କରିବା ସହିତ ସମାନ । ଗୀତାରେ ଅର୍ଜୁନଙ୍କୁ ଯୁଦ୍ଧ କରିବା ପାଇଁ କୁହାଗଲା । କୌଣସି କର୍ମର ଭୟଙ୍କର ପରିଣାମ ଉପଲବ୍ଧ ହେଲେ ହେଁ ବୁଦ୍ଧିମାନ ବ୍ୟକ୍ତି କାହିଁକି ତାହା କରିବ ଏହା କହିବା ପାଇଁ ଭଗବଦ୍‍ଗୀତାର ସୃଷ୍ଟି । ୟୁରୋପରେ ଆରିସଷ୍ଟଟଲଙ୍କ ଠାରୁ ଏପର୍ଯ୍ୟନ୍ତ ଦୁଇଟି ମତ ଅଛି । ବୈଦିକ ଧର୍ମରେ ଦୁଇଟି ମତ ପ୍ରାଚୀନ କାଳରୁ ଚଳିଆସୁଛି । (ମହା ଶାନ୍ତି ୩୪୯.୭) ଗୋଟିଏ ସନ୍ୟାସ ମାର୍ଗ ଅନ୍ୟଟି କର୍ମଯୋଗ । ଶ୍ରୀକୃଷ୍ଣଙ୍କର ଅର୍ଜୁନଙ୍କୁ ଉପଦେଶ ହେଲା ଇନ୍ଦ୍ରିୟମାନଙ୍କୁ ମନ ଦ୍ଵାରା ନିୟନ୍ତ୍ରଣ କରି ଅନାସକ୍ତ ଭାବରେ କର୍ମକର । ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ । ସନ୍ନ୍ୟାସୀ ଅପେକ୍ଷା କର୍ମଯୋଗୀର ଯୋଗ୍ୟତା ଅଧିକ । ମୋତେ ସ୍ମରଣ କରି ଯୁଦ୍ଧକର । ଏଥିରୁ ସ୍ପଷ୍ଟ ଅନୁଭୂତ ହୁଏ ଯେ ସନ୍ୟାସମାର୍ଗ ଅପେକ୍ଷା କର୍ମଯୋଗ ହିଁ ଶ୍ରେଷ୍ଠ ବୋଲି ବିବେଚିତ ହୋଇଛି ।

 

ଶୁକ, ଯଜ୍ଞବଳ୍ପ୍ୟ ପ୍ରଭୃତି ସନ୍ନ୍ୟାସ ମାର୍ଗ ଏବଂ ଜନକ ଶ୍ରୀକୃଷ୍ଣ ଜୈଗୀଷବ୍ୟ ପ୍ରଭୃତି ଜ୍ଞାନୀ ପୁରୁଷ କର୍ମଯୋଗ ଅବଲମ୍ବନ କରିଥିଲେ । ପୂର୍ଣ୍ଣ ବ୍ରହ୍ମଜ୍ଞାନୀ ସମସ୍ତ କର୍ମ କରିସୁଦ୍ଧା ଅଲିପ୍ତ ଓ ମୁକ୍ତ ଥାନ୍ତି । ଯୋଗାବଶିଷ୍ଟରେ ସ୍ପଷ୍ଟଭାବେ କୁହାଯାଇଛି ଯେ ଏମାନେ ଜୀବନ୍ମୁକ୍ତ । ମହାଭାରତରେ ବ୍ୟାସଦେବ ନିଜପୁତ୍ର ଶୁକଙ୍କୁ ମୋକ୍ଷଧର୍ମର ପୂର୍ଣ୍ଣଜ୍ଞାନ ଲାଭ ପାଇଁ ଜନକଙ୍କ ପାଖକୁ ପଠାଇଥିଲେ । ଜ୍ଞାନଲାଭ ପରେ ଜ୍ଞାନୀପୁରୁଷର ନିଜର କୌଣସି କର୍ମ ନଥାଏ । ଏହାଗୀତା ସ୍ୱୀକାର କରେ । ଗୀତାର ଅଭିମତ କର୍ମ ବନ୍ଧନରୁ କେହି ମୁକ୍ତ ହୁଏ ନାହିଁ । ଏହି ଦୁଇକଥାକୁ କେହି କେହି ପରସ୍ପର ବିରୋଧୀ ବୋଲି କହନ୍ତି, ମାତ୍ର ଗୀତା ସେ ଦୁଇଟିକୁ ମେଳ କରି କହେ ଯେ କର୍ମ ଅପରିହାର୍ଯ୍ୟ ହୋଇଥିବାରୁ ଜ୍ଞାନୀ ଜ୍ଞାନଲାଭ ପରେ ମଧ୍ୟ ଅବଶ୍ୟ କର୍ମ କରିବ; କିନ୍ତୁ ସମସ୍ତ କର୍ମ ନିଷ୍କାମ ଭାବରେ କରିବ ।

 

ଗୀତା ଜ୍ଞାନବର୍ଜିତ କର୍ମମାର୍ଗ ସ୍ୱୀକାର କରେ ନାହିଁ । ଏହିପରି କର୍ମ କରିବାରେ ଦୁଇପ୍ରକାର ଭେଦ । ଆସୁରୀ ବୁଦ୍ଧିସହିତ କର୍ମକରିବା ଏବଂ ଶ୍ରଦ୍ଧାସହିତ କର୍ମକରିବା । ଋଗ ବେଦରେ ଶ୍ରଦ୍ଧାର ମହାତ୍ମ୍ୟ ବର୍ଣ୍ଣିତ ହୋଇଅଛି । (ଋକ ୧୦-୧୫୧; ୯–୧୧୩,୨) । ଜ୍ଞାନ ବ୍ୟତୀତ ଶାସ୍ତ୍ରଉପରେ ଶ୍ରଦ୍ଧା ରଖି କର୍ମ କରିବାର ମାର୍ଗ ସମ୍ବନ୍ଧରେ ମୀମାଂସକମାନେ କହନ୍ତି ପରମେଶ୍ୱରଙ୍କର ସ୍ଵରୁପର ଯଥାର୍ଥ ଜ୍ଞାନ ନ ହେଲେ ହେଁ ଶାସ୍ତ୍ର ଉପରେ ବିଶ୍ୱାସ ରଖି କେବଳ ଶ୍ରଦ୍ଧାରହିତ ଯାଗଯଜ୍ଞାଦି କର୍ମ କଲେ ଶେଷରେ ମୋକ୍ଷ ଲାଭ ହୁଏ । ବେଦ ସଂହିତା ଓ ବ୍ରାହ୍ମଣସମୂହରେ ସନ୍ନ୍ୟାସ ଧର୍ମ ଅବଶ୍ୟ କର୍ତ୍ତବ୍ୟ ବୋଲି କେଉଁଠାରେ କୁହାଯାଇ ନାହିଁ । ଜ୍ଞାନକାଣ୍ଡ ଓ କର୍ମକାଣ୍ଡ ମଧ୍ୟରେ କାହାକୁ ଗୁରୁତ୍ୱ ନ ଦେଇ ଭକ୍ତିସହିତ ଏ ଦୁଇଟିର ସମୟ କରିବା ଗୀତାର ହେଲା କାର୍ଯ୍ୟ । ଜ୍ଞାନୀ ପୁରୁଷଙ୍କ ଆଚରଣକୁ ଅନ୍ୟ ସମସ୍ତେ ଅନୁକରଣ କରନ୍ତି । ଜ୍ଞାନୀ ପୁରୁଷ ଶେଷ ବେଳରେ ସନ୍ନ୍ୟାସୀ ହେବ ବୋଲି କୁହାଯାଇଛି । ଯାଜ୍ଞବଳ୍କ୍ୟ ଜନକଙ୍କୁ ବ୍ରହ୍ମଜ୍ଞାନ ସମ୍ପର୍କରେ ଉପଦେଶ ଦେଇଛନ୍ତି, କିନ୍ତୁ ସେ ତାଙ୍କୁ ରାଜ୍ୟ ପରିତ୍ୟାଗ କରି ସନ୍ନ୍ୟାସୀ ହେବାକୁ କହିନାହାନ୍ତି ।

 

ଉପନିଷଦରେ ଜ୍ଞାନମାର୍ଗକୁ ସ୍ୱୀକାର କରାଯାଇ ସନ୍ୟାସମାର୍ଗକୁ ପ୍ରାଧାନ୍ୟ ଦିଆଯାଇଛି । ଗୀତାରେ ଜ୍ଞାନକର୍ମମାର୍ଗ ଅବଲମ୍ବନରେ ଭକ୍ତିଯୁକ୍ତ କର୍ମଯୋଗ ବିଷୟ ସମର୍ଥିତ ହୋଇଅଛି । ମନୁମଧ୍ୟ ବୁଝିଥିଲେ ଯେ ସନ୍ନ୍ୟାସ ଆଶ୍ରମ ପାଇଁ ଅତିରିକ୍ତ ପ୍ରବୃତ୍ତି ହେଲେ ସଂସାରର କର୍ତ୍ତୃତ୍ୱ ନଷ୍ଟହେବ ଓ ସମାଜ ପଙ୍ଗୁ ହୋଇଯିବ ।

 

ଗୃହସ୍ଥସ୍ତୁ ଯଦା ପଶ୍ୟେତ ବଳୀଫଳିତମାତ୍ମନଃ ।

ଅପତ୍ୟସ୍ୟୈବ ଚାପତ୍ୟଂ ତଦାରଣ୍ୟ ସମାଶ୍ରୟେତ୍ ।

 

ଶରୀରର ଚର୍ମ ଲୋଳିତ ହୋଇଗଲେ, ପୌତ୍ରମୁଖ ଦେଖିବାକୁ ମିଳିଲେ ଗୃହସ୍ଥ ବାନପ୍ରସ୍ଥୀ ହୋଇ ସନ୍ନ୍ୟାସ ଗ୍ରହଣ କରିବ ।

 

ମନୁଷ୍ୟ ଜନ୍ମ ହେବା ସଙ୍ଗେ ସଙ୍ଗେ ନିଜ ପିଠି ଉପରେ ଋଷିରଣ, ପିତୃଋଣ ଓ ଦେବଋଣ ଏହି ତିନି ପ୍ରକାର ଋଣଭାର ବହନ କରି ଆସିଥାଏ । ଶାସ୍ତ୍ର ଅଧ୍ୟୟନ ଦ୍ଵାରା ଋଷିରଣ, ପୁତ୍ରୋତ୍ପାଦନଦ୍ଵାରା ପିତୃରଣ ଏବଂ ଯଜ୍ଞକର୍ମାଦିଦ୍ୱାରା ଦେବଋଣ ପରିଶୋଧ ନ କରି ସଂସାର ତ୍ୟାଗପୂର୍ବକ ସନ୍ୟାସଗ୍ରହଣ କରିବା ଅସଙ୍ଗତ ।

 

ଭକ୍ତିମାର୍ଗ- କଠିନ ବ୍ରହ୍ମଜ୍ଞାନ ସ୍ୱଳ୍ପବୁଦ୍ଧିସମ୍ପନ୍ନ ମନୁଷ୍ୟ ବୁଝିବା କଷ୍ଟକର । ଏପରିକି ବ୍ରହ୍ମଜ୍ଞାନ କାହାରି ହୁଏ ନାହିଁ ବୋଲି ଗୀତା ଓ କଠୋପନିଷଦରେ କୁହାଯାଇଛି । ଶୃତିଗ୍ରନ୍ଥରେ ଅଛି ଯେ ଯେତେବେଳେ ବାଷ୍ପଳି ବାହ୍ୱଙ୍କୁ କହିଲେ, “ଭଗବାନ୍ ବ୍ରହ୍ମ କଅଣ ? ମୋତେ କୃପାକରି କହନ୍ତୁ,’’ ସେତେବେଳେ ବାହ୍ୱ କିଛି କହିଲେ ନାହିଁ । ବାଷ୍ପଳି ତାଙ୍କୁ ପୁନର୍ବାର ପ୍ରଶ୍ନ କଲେ, ତଥାପି ସେ ନୀରବ । ଏହିପରି ୪/୫ ଥର ହେବା ପରେ ବାହ୍ୱ କହିଲେ “ତୁମ ପ୍ରଶ୍ନର ଉତ୍ତର ମୁଁ ସେହି ସମୟରେ ଦେଇ ଆସୁଛି; ତୁମେ ତାହା ବୁଝି ପାରୁନାହିଁ । ମୁଁ କଅଣ କରିବି ? ବ୍ରହ୍ମସ୍ଵରୂପ କୌଣସି ପ୍ରକାରେ କୁହାଯାଇ ପାରିବ ନାହିଁ । ଅତଏବ ଶାନ୍ତ ଭାବରେ ଅର୍ଥାତ୍ ଚୁପ୍ ହୋଇ ରହିବା ପ୍ରକୃତ ବ୍ରହ୍ମଲକ୍ଷଣ (ବେଦାନ୍ତ ସୂତ୍ର ଶାଙ୍କର ଭାଷ୍ୟ) । ସାରକଥା- ମୁଖ ବନ୍ଦ କରିଥିଲେ ମଧ୍ୟ ଯାହାଙ୍କ ବିଷୟରେ କୁହାଯାଏ, ଚକ୍ଷୁର ପ୍ରତ୍ୟକ୍ଷୀଭୂତ ନ ହେଲେ ହେଁ ଯାହାଙ୍କୁ ଦେଖିହୁଏ ଏବଂ ଜ୍ଞାନଗମ୍ୟ ନ ହେଲେ ହେଁ ଯାହାଙ୍କୁ ଜାଣିହୁଏ (କେନ ୨, ୧୧) । ଏହିପରି ଏହି ପରିଦୃଶ୍ୟମାନ ଜଗତରୁ ଭିନ୍ନ ଅନିର୍ବଚନୀୟ ଏବଂ ଅଚିନ୍ତନୀୟ ପରଂବ୍ରହ୍ମଙ୍କର ବର୍ଣ୍ଣନା ଅଛି, ତାହାଙ୍କୁ ସାଧାରଣ ବୁଦ୍ଧିର ମନୁଷ୍ୟ ଉପଲବ୍ଧ କରିବା ଅସମ୍ଭବ ।

 

ପରମେଶ୍ଵରଙ୍କ ସ୍ୱରୂପକୁ ପ୍ରୀତିପୂର୍ବକ ଚିନ୍ତାକରି ମନକୁ ସେହି ଆକାରରେ ପରିଣତ କରିବାହିଁ ସୁଲଭ ମାର୍ଗ । ଈଶ୍ଵରଙ୍କ ପ୍ରତି ନିରତିଶୟ ପ୍ରୀତିକୁ ଭକ୍ତି କୁହାଯାଏ । ଭାଗବତ ପୁରାଣରେ ବର୍ଣ୍ଣିତ ଅଛି ଯେ ଏହି ଭକ୍ତି ଅହେତୁକ, କାମନାଶୂନ୍ୟ ଓ ସର୍ବଦା ହେବା ଆବଶ୍ୟକ । ଯେତେବେଳେ ଭଗବାନଙ୍କୁ କିଛି ମଗାଯାଏ ସେତେବେଳେ ତାକୁ ସହେତୁକ ଭକ୍ତି କୁହାଯାଏ । ଏହା ରାଜସିକ ଭକ୍ତି । କୌଣସି କାରଣ ଥାଇ ଯେଉଁଭକ୍ତ ଭଗବାନଙ୍କୁ ଭକ୍ତି କରେ ସେ ନିମ୍ନଶ୍ରେଣୀର । ନାରଦ, ପ୍ରହଲାଦଙ୍କ ପରି ଯେଉଁ ଭକ୍ତ ଭଗବାନଙ୍କୁ କିଛି ନମାଗି ଭଗବାନଙ୍କୁ ଭକ୍ତି କରିବା କର୍ତ୍ତବ୍ୟ ବୋଲି ମନେକରେ ସେ ହେଉଛି ଭକ୍ତ ଶ୍ରେଷ୍ଠ । (ଗୀତା ୭.୧୬-୧୮) ଭାଗବତ ପୁରାଣ ଅନୁସାରେ ଭକ୍ତି ନଅ ପ୍ରକାର ।

 

ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ ସ୍ମରଣଂ ପାଦସେବନଂ ।

ଅର୍ଚ୍ଚନଂ ବନ୍ଦନଂ ଦାସ୍ୟଂ ସଖ୍ୟମାତ୍ମନି ବେଦନଂ । (ଭାଗବତ ୭.୫, ୨୩)

 

ଭଗବାନଙ୍କ ଗୁଣ ଶୁଣିବା, କୀର୍ତ୍ତନ କରିବା, ତାଙ୍କୁ ସ୍ମରଣ କରିବା, ତାଙ୍କ ପାଦସେବା କରିବା, ପୂଜା କରିବା ବନ୍ଧୁ ଭାବରେ ତାଙ୍କୁ ଦେଖିବା, ନିଜକୁ ତାଙ୍କ ପାଖରେ ସମର୍ପଣ କରିବା । ନାରଦ ଭକ୍ତିସୂତ୍ରରେ ଏହାକୁ ଏଗାର ପ୍ରକାରରେ ବର୍ଣ୍ଣନା କରାଯାଇଛି । ପରମେଶ୍ୱରଙ୍କୁ ବିନାକାରଣରେ ଅତିଶୟ ଭକ୍ତିକରିବା ପ୍ରତ୍ୟେକ ମନୁଷ୍ୟର ନିଜ ମନଦ୍ୱାରା ସମ୍ଭବ ।

 

ଉପନିଷଦର ଯେଉଁ ଯେଉଁ ସ୍ଥାନରେ ବ୍ରହ୍ମୋପାସନା କଥା କୁହାଯାଇଛି ସେ ସ୍ଥାନରେ ଉପାସ୍ୟବ୍ରହ୍ମ ଅବ୍ୟକ୍ତ ଓ ନିର୍ଗୁଣ ହେଲେ ମଧ୍ୟ ସଗୁଣ ରୂପରେ ବର୍ଣ୍ଣିତ ହୋଇଛନ୍ତି । ମାତ୍ର ଛାନ୍ଦୋଗ୍ୟ ଉପନିଷଦ କହେ (ଛା ୩.୧୪) ବ୍ରହ୍ମ ପ୍ରାଣଶରୀର, ସର୍ବଗନ୍ଧ, ସର୍ବରସ, ସର୍ବକର୍ମ, ସମସ୍ତ ଗୁଣଦ୍ଵାରା ଯୁକ୍ତ ଓ ମନର ଗୋଚର ।

 

ବାଳ ଗଙ୍ଗାଧର ତିଳକ ଗୀତା ଓ ଉପନିଷଦ ମଧ୍ୟରେ ସମ୍ବନ୍ଧ ଦେଖାଇଛନ୍ତି । ଗୀତାର ଅଧ୍ୟାତ୍ମଜ୍ଞାନ ଉପନିଷଦକୁ ଅବଲମ୍ବନ କରି ହୋଇଛି । ଭଗବାନ ଗୀତାର ଦ୍ଵିତୀୟ ଅଧ୍ୟାୟରେ ବର୍ଣ୍ଣିତ ଆତ୍ମାର ଅଶୋଚ୍ୟୁତ୍ୱ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣିତ ଅକ୍ଷର ବ୍ରହ୍ମସ୍ଵରୂପ- ଏହି ସମସ୍ତ ବିଷୟ ଗୀତାରେ ଅକ୍ଷରଶଃ ଉପନିଷଦଭିତ୍ତିରେ ବର୍ଣ୍ଣିତ । ଉପନିଷଦ ଗଦ୍ୟରେ ଓ ପଦ୍ୟରେ ରଚିତ । ଗଦ୍ୟାତ୍ମକ ଗ୍ରନ୍ଥର ବାକ୍ୟ ପଦ୍ୟମୟ ଗୀତାରେ ଅପରିବର୍ତ୍ତନୀୟ ଭାବରେ ଉଦ୍ଧତ ହେବା ଅସମ୍ଭବ । ତଥାପି ଛନ୍ଦୋଗ୍ୟ ଉପନିଷଦର ଯଂ ଯଂ ବ୍ୟାପୀସ୍ମରନ୍ ଭାଗ ଗୀତାର ଅଷ୍ଟମ ଅଧ୍ୟାୟର ୬ଷ୍ଠ ଶ୍ଳୋକରେ; କ୍ଷୀଣେ ପୁଣ୍ୟେ ଗୀତାର ନବମ ଅଧ୍ୟାୟ ୨୧; ଜ୍ୟୋତିଷାଂ ଜ୍ୟୋତି ଗୀତାର ୧୩ ଅଧ୍ୟାୟ ୧୭ ଶ୍ଳୋକରେ ଇତ୍ୟାଦି ବିଚାର ଓ ବାକ୍ୟ ବୃହଦାରଣ୍ୟ ଉପନିଷଦରୁ ଗୃହୀତ । ପଦ୍ୟାତ୍ମକ ଉପନିଷଦର ବିଚାର କଲେ ଏହି ସାମ୍ୟ ସୃଷ୍ଟଭାବରେ ପରିସ୍ଫୁଟ ହୁଏ । ପଦ୍ୟାତ୍ମକ ଉପନିଷଦର କୌଣସି କୌଣସି ଶ୍ଳୋକ ଅବିକୃତ ଭାବରେ ଗୀତାରେ ଗୃହୀତ ହୋଇଅଛି । ଯଥା- କଠୋପନିଷଦର ଛଅ ବା ସାତଟି ଶ୍ଳୋକ ଅକ୍ଷର ସହିତ ବା ଅନ୍ଧ ଶବ୍ଦ ଭେଦରେ ଗୀତାରେ ସନ୍ନିବିଷ୍ଟ । ଗୀତାର ଦ୍ୱିତୀୟ ଅଧ୍ୟାୟର ଆଶ୍ଚର୍ଯ୍ୟବତ୍‍ ପଶ୍ୟତି (୨, ୨୯) ଶ୍ଳୋକ କଠୋପନିଷଦର ଦ୍ୱିତୀୟ ବଲ୍ଲରୀର ଆଶ୍ଚର୍ଯ୍ୟୋବକ୍ତା (କଠ ୨.୭) ଶ୍ଳୋକ ତୁଲ୍ୟ ଏବଂ ନ ଯାୟତେ ମିୟନ୍ତେ ବା କଦାଚିତ (ଗୀତା ୨.୨୦) ଶ୍ଳୋକ ଓ ଯଦିଛନ୍ତୋ ବ୍ରହ୍ମଚର୍ଯ୍ୟଂ ଚରନ୍ତି (ଗୀତା ୮.୧୧) ଏହି ଶ୍ଳୋକାର୍ଦ୍ଦ ଗୀତା ଓ କଠୋପନିଷଦରେ ଅକ୍ଷର ସହିତ ସମାନ । ଗୀତାର ପଞ୍ଚଦଶ ଅଧ୍ୟାୟସ୍ଥ ଅଶ୍ୱବୃକ୍ଷର ରୂପକଟି କଠୋପନିଷଦରୁ ଏବଂ ନ ତଦ୍ଭାସୟତେ ସୂର୍ଯ୍ୟା (ଗୀତା ୧୫.୬) ଶ୍ଳୋକ କଠ ଓ ଶ୍ଵେତାଶ୍ଵେତ ଉପନିଷଦରୁ ଅଳ୍ପ ଶବ୍ଦଭେଦରେ ଆସିଛି । ଅଣୋରଣୀୟାଂସଂ ସ ଆଦିତ୍ୟ ବର୍ଣ୍ଣଂ ତମସଃ ପୁରସ୍ତାତ ପଦ (ଗୀତାରେ ୮.୯) ଓ ଶ୍ଵେତା ଶ୍ୱେତରରେ (୩.୯.୨୦) ସମାନ ।

 

ଗୀତା ଓ ଉପନିଷଦମାନଙ୍କରେ ପ୍ରତିପାଦ୍ୟ ବିଷୟମାନଙ୍କରେ ସାଦୃଶ୍ୟ ଦେଖିବାକୁ ହେଲେ ବ୍ରହ୍ମସୂତ୍ରରେ ଉଲ୍ଲିଖିତ ଉପନିଷଦମାନଙ୍କୁ ତୁଳନା ପାଇଁ ମୁଖ୍ୟ ରୂପେ ଗ୍ରହଣ କରିବାକୁ ହେବ । ନିର୍ଗୁଣ ପରଂବ୍ରହ୍ମଙ୍କ ସ୍ୱରୂପ ଗୀତା ଓ ଉପନିଷଦରେ ଏକ ହେଲେ ହେଁ ନିର୍ଗୁଣରୁ ସଗୁଣର ଉତ୍ପତ୍ତି ସମୟରେ ଅବିଦ୍ୟା ଶବ୍ଦ ପରିବର୍ତ୍ତେ ମାୟା ବା ଅଜ୍ଞାନ ଶବ୍ଦ ହିଁ ଗୀତାରେ ପ୍ରଯୁକ୍ତ ହୋଇଅଛି-

 

ଉପନିଷଦ ଓ ଗୀତା ମଧ୍ୟରେ ପାର୍ଥକ୍ୟ ବିଚାରରେ ଜଣାଯାଏ ଯେ ଗୀତାରେ କପିଳ ମହର୍ଷିଙ୍କ ସାଂଖ୍ୟଶାସ୍ତ୍ରକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ବୂହଦାରଣ୍ୟକ ଓ ଛନ୍ଦୋଗ୍ୟଉପନିଷଦ ଜ୍ଞାନପ୍ରଧାନ କିନ୍ତୁ ଏମାନଙ୍କରେ ସାଂଖ୍ୟାବାଚକ ଶବ୍ଦ ମିଳେ ନାହିଁ । ଉପନିଷଦ ଅପେକ୍ଷା ଗୀତା ଉପାଦାନରେ ଆଉ ଗୋଟିଏ ବୈଶିଷ୍ଟ୍ୟ ଅଛି ତାହା ଭକ୍ତିମାର୍ଗ । ଗୀତାପରି ଉପନିଷଦରେ ଯାଗଯଜ୍ଞାଦି କର୍ମ ଜ୍ଞାନ ଦୃଷ୍ଟିରୁ ଗୌଣବୋଲି ସ୍ୱୀକାର କରାଯାଇଛି । ଅବ୍ୟକ୍ତ ଓ ନିର୍ଗୁଣ ପରଂବ୍ରହ୍ମଙ୍କ ଧାରଣା କରିବା କଠିନ ହୋଇଥିବାରୁ ମନ, ଆକାଶ, ସୂର୍ଯ୍ୟ, ଅଗ୍ନି ଯଜ୍ଞ ପ୍ରଭୃତି ସଗୁଣ ପ୍ରତୀକର ଉପାସନା କରିବା ଆବଶ୍ୟକ ।

 

ଭଗବଦ୍‍ଗୀତାର କାଳନିରୂପଣ ବିଷୟରେ ବାଳ ଗଙ୍ଗାଧର ତିଳକ ବହୁଯୁକ୍ତି ଉତ୍ଥାପନ କରିଛନ୍ତି । ଜଗବନ୍ଧୁ ସିଂହ ତାଙ୍କ ଶ୍ରୀମଦ ଭଗବଦ୍ ଗୀତାର ରହସ୍ୟରେ ତାହା ନିଖୁଣଭାବେ ଚିତ୍ରଣ କରିଅଛନ୍ତି । କେତେକ ପାଶ୍ଚାତ୍ୟ ତାର୍କିକ ଯୁକ୍ତି କରନ୍ତି ଯେ ଶ୍ରୀକୃଷ୍ଣ, ଯାଦବ, ପାଣ୍ଡବ ଓ ଭାରତୀୟ ଯୁଦ୍ଧ ପ୍ରଭୃତି ଐତିହାସିକ ଘଟଣା ନୁହେଁ ଏହା କଳ୍ପିତ କଥା । କାହାରି କାହାରି ମତରେ ମହାଭାରତ ଅଧ୍ୟାତ୍ମମୂଳକ ଗୋଟିଏ ମହତ୍ ଓ ବୃହତ୍ ରୂପକ । କିନ୍ତୁ ପ୍ରାଚୀନ ଗ୍ରନ୍ଥମାନଙ୍କରୁ ପ୍ରମାଣ ମିଳେ ଯେ ଏହି ସନ୍ଦେହ ଭିତ୍ତିହୀନ । ଚିନ୍ତାମଣି ରାଓ ବୈଦ୍ୟ ପ୍ରତିପାଦନ କରିଛନ୍ତି ଯେ ଶ୍ରୀକୃଷ୍ଣ, ପାଣ୍ଡବ, କୌରବ, ଯାଦବ ଭାରତୀୟ ଯୁଦ୍ଧ ଏମାନଙ୍କ କାଳ ଏକ- କଳିଯୁଗର ଆରମ୍ଭ । ପୁରାଣ ଗଣନା ଅନୁସାରେ ତାହା ଆଜିଠାରୁ ପାଞ୍ଚହଜାର ବର୍ଷ ପୂର୍ବରୁ ଅଧିକ । ଜୈନ ଓ ବୌଦ୍ଧ ଗ୍ରନ୍ଥସମୂହରେ ଭାଗବତଧର୍ମର ଯେଉଁ ଉଲ୍ଲେଖ ଅଛି ସେଥିରୁ ଜଣାଯାଏ ଯେ ଋଗବେଦ ପରେ ବ୍ରାହ୍ମଣାଦି ଗ୍ରନ୍ଥରେ କୁତ୍ତିକାଦିନକ୍ଷତ୍ରର ଗଣନାଥିବାରୁ ସେମାନଙ୍କ କାଳ ୨୫୦୦ ଅବ୍ଦ ଧରିବାକୁ ହେବ । ବିଭିନ୍ନ ଉପନିଷଦର ଭାଷା, ଶବ୍ଦ ପ୍ରୟୋଗ ଓ ଜ୍ୟୋତିଷ ଶାସ୍ତ୍ରମାନଙ୍କରେ ଗ୍ରହନକ୍ଷତ୍ରମାନଙ୍କର ସ୍ଥିତିଦୃଷ୍ଟିରୁ ବିଭିନ୍ନ ଗ୍ରନ୍ଥର କାଳ ନିର୍ଣ୍ଣୟର ସୀମା ହେଉଛି- ଋଗବେଦ ଖ୍ରୀଷ୍ଟଙ୍କର ପ୍ରାୟ ୪୫୦୦ ବର୍ଷ ପୂର୍ବବର୍ତ୍ତୀ । ବ୍ରାହ୍ମଣ ଗ୍ରନ୍ଥ ୨୫୦୦ ଏବଂ ଛନ୍ଦୋଗ୍ୟୋପନିଷଦ୍ ଆଦି ଜ୍ଞାନପ୍ରଧାନ ଉପନିଷଦ ପ୍ରାୟ ୧୬୦୦ ବର୍ଷ ପୂର୍ବବର୍ତ୍ତୀ ।

 

କାଳିଦାସ ଓ ବାଣଭଟ୍ଟ ଗୀତା ଜାଣିଥିଲେ । କାଳିଦାସଙ୍କ ପୂର୍ବବର୍ତ୍ତୀ ଭାସକବିଙ୍କ ରଚିତ ଗ୍ରନ୍ଥମାନ ମୁଦ୍ରିତ ହୋଇଅଛି । ତାହା ମଧ୍ୟରୁ କର୍ଣ୍ଣଭାର ନାମକ ନାଟକର ଦ୍ୱାଦଶ ଶ୍ଳୋକ

 

ହତୋଽପି ଲଭତେ ସ୍ୱର୍ଗଦୀତ୍ୱାତୁ ଲଭତେ ଯଶଃ ।

ଉଭେ ବହୁମତେ ଲୋକେ ନାସ୍ତି ନିଷ୍ଫଳତା ରଣେ ।

 

ଏହି ଶ୍ଳୋକ ଗୀତାର ‘ହତୋ ବା ପ୍ରାପ୍ୟସି ସ୍ଵର୍ଗଂ ( ଗୀତା ୨.୩୭) ଶ୍ଳୋକ ସହିତ ସମାନାର୍ଥକ । କବିଙ୍କ ରଚିତ ଅନ୍ୟ ନାଟକମାନଙ୍କରୁ ଜଣାଯାଏ ଯେ ସେ ମହାଭାରତ ସହିତ ସମ୍ପୂର୍ଣ୍ଣ ପରିଚିତ ଥିଲେ ।

 

ମହାଭାରତର ଗୋଟିଏ ଶ୍ଳୋକ ବୌଧାୟନ ସୂତ୍ରରେ ଦେଖାଯାଏ । ବୁହ୍ଲାର ସାହେବ ସ୍ଥିର କରିଛନ୍ତି ଯେ ବୌଧାୟନର କାଳ ଆପସ୍ତମ୍ବର ପ୍ରାୟ ଦୁଇଶ ବର୍ଷ ପୂର୍ବବର୍ତ୍ତୀ ହେବ ଏବଂ ଆପସ୍ତମ୍ବର କାଳ ଖ୍ରୀଷ୍ଟପୂର୍ବ ତିନିଶତ ବର୍ଷରୁ କମ ହେବ ନାହିଁ । ମହାଭାରତ ବୋଧୟନର ପୂର୍ବବର୍ତ୍ତୀ । ଶକପୂର୍ବ ୪୦୦ ବର୍ଷ ବୌଧାୟନର ସମୟ ଏବଂ ଶକାରମ୍ଭର ୫୦୦ ବର୍ଷ ପୂର୍ବେ ମହାଭାରତ ଓ ଗୀତାର ଅସ୍ତିତ୍ୱ ଥିଲା ।

 

ପ୍ରାଚୀନ ବୌଦ୍ଧଗ୍ରନ୍ଥରେ ସ୍ପଷ୍ଟରୂପେ ଲିଖିତ ହୋଇଅଛି ଯେ ବୁଦ୍ଧଙ୍କ ସମୟରେ ଚାରିବେଦ, ବେଦାଙ୍ଗ ବ୍ୟାକରଣ, ଜ୍ୟୋତିଷ, ଇତିହାସ ନିର୍ଘଣ୍ଟୁ ପ୍ରଭୃତି ବୈଦିକ ଧର୍ମଗ୍ରନ୍ଥ ପ୍ରଚଳିତ ହୋଇସାରିଥିଲା । ତେଣୁ ବୈଦିକ ଧର୍ମ ବୁଦ୍ଧଙ୍କ ପୂର୍ବରୁ ପୂର୍ଣ୍ଣତା ଲାଭ କରିଥିଲା । ବୁଦ୍ଧ ଯେଉଁ ନୂତନ ପନ୍ଥା ଚଳାଇଥିଲେ ତାହା ଅଧ୍ୟାତ୍ମା ଦୃଷ୍ଟିରୁ ଅନାତ୍ମବାଦୀ ଥିଲା, କିନ୍ତୁ ତହିଁରେ ଆଚରଣ ଦୃଷ୍ଟିରୁ ସନ୍ୟାସମାର୍ଗ ହିଁ ଅନୁକୃତ ହୋଇଥିଲା । ବୈଦିକ ଧର୍ମ ବୁଦ୍ଧଙ୍କର ପୂର୍ବବର୍ତ୍ତୀ ହୋଇଥିବାରୁ ବୌଦ୍ଧସିଦ୍ଧାନ୍ତ ବୈଦିକ ଧର୍ମରୁ ନିଆଯିବା ସ୍ୱତଃସିଦ୍ଧ । ବୈଦିକ ଧର୍ମର ଯେଉଁ ଭାବ ଓ ଶ୍ଳୋକ ବୌଦ୍ଧ ଧର୍ମରେ ମିଳେ ତାହାର ଉଦାହରଣ ଜୟଦ୍ୱାରା ବୈରତା ବୃଦ୍ଧିପାଏ ଏବଂ ବୈରତା ଦ୍ଵାରା ବୈରତାର ଉପଶମ ହୁଏ ନାହିଁ । (ମହାଭାରତ ଉ-୩୮.୩୯ । ମହାଭାରତର ଅନେକ ଶ୍ଳୋକ ବୌଦ୍ଧ ଗ୍ରନ୍ଥରେ ଦିଆଯାଇଛି । (ଧମ୍ମପଦ ୫ ଓ । ୨୨୩) ମି: ପ ୭, ୩,୫) । ନାଗସେନ ମିଳିନ୍ଦଙ୍କୁ କହିଛନ୍ତି, ‘‘ଗୃହସ୍ଥାଶ୍ରମ ନିର୍ବାହ କରି ନିର୍ବାଣପଦ ଲାଭକରିବା ଏକାବେଳକେ ଅସମ୍ଭବ ନୁହେଁ । (ମି, ପ୍ର. ୬.୨.୪) ଅନେକ ବୌଦ୍ଧଧର୍ମୀ ଏ ବିଚାରକୁ ବୌଦ୍ଧ ଧର୍ମ ବିରୋଧୀ ବୋଲି ମନେ କରିଥିଲେ, କିନ୍ତୁ ଏହି ନୂତନ ମତ କ୍ରମେ ଅଧିକ ଲୋକପ୍ରିୟ ହେଲା । ବୁଦ୍ଧଙ୍କ ମୂଳ ଉପଦେଶ ଅନୁସାରେ ଯେଉଁମାନେ ଚଳିଲେ ସେମାନଙ୍କ ନାମ ହେଲା ‘ହୀନଯାନ’ (ହାଲୁକାମାର୍ଗ)-। ଏହି ନୂତନ ପନ୍ଥାର ନାମ ହେଲା ‘ମହାଯାନ (ବଡ଼ମାର୍ଗ) ଚୀନ, ତିବ୍ଦତ୍ତ୍‍ ଓ ଜାପାନରେ ପ୍ରଚଳିତ ବୌଦ୍ଧଧର୍ମ ମହାଯାନପନ୍ଥୀ ।

 

ଅଶ୍ୱଘୋଷ ମହାଯାନ ପନ୍ଥାବଲମ୍ବୀ ଥିଲେ ଏବଂ ବୌଦ୍ଧ ଯତିମାନେ ପରୋପକାର କାର୍ଯ୍ୟ କରିବେ ଏ ମତ ସେ ସ୍ୱୀକାର କରୁଥିଲେ । ସୌନ୍ଦରାନନ୍ଦ କାବ୍ୟର (୧୮-୪୪) ଶେଷରେ ନନ୍ଦ ଅର୍ହତ ଅବସ୍ଥାରେ ଉପନୀତ ହେବାପରେ ବୁଦ୍ଧ ତାଙ୍କୁ ଯେଉଁ ଉପଦେଶ ପ୍ରଦାନ କରିଥିଲେ ତାହାର ପ୍ରଥମରେ ଉକ୍ତ ଅଛି ।

 

ଅବାପ୍ତକାର୍ଯ୍ୟେଽସି ପରା ଗତିଂ ଗତଃ

ନ ତଽସ୍ତି କିଞ୍ଚିତ କରଣୀୟଶ୍ୱପି ।

 

ଏହାର ଅର୍ଥ ହେଉଛି ‘‘ତୁମର କାର୍ଯ୍ୟ ଶେଷ ହୋଇଛି । ତୁମେ ଉତ୍ତମ ପତି ଲାଭ କରିଛ ବର୍ତ୍ତମାନ ତୁମର (ନିଜର) ତିଳେ ମାତ୍ର କର୍ତ୍ତବ୍ୟ ବାକି ନାହିଁ । ଅତଏବ ତୁମେ ନିଜ କାର୍ଯ୍ୟ ପରିତ୍ୟାଗ କରି ପରକାର୍ଯ୍ୟ କର । (ସୌ ୧୮.୫୭) ବୁଦ୍ଧଙ୍କ କର୍ମତ୍ୟାଗ ମୂଳକ ଉପଦେଶ- ଯାହା ପ୍ରାଚୀନ ଧର୍ମଗ୍ରନ୍ଥରେ ମିଳେ ଏବଂ ସୌନ୍ଦରାନନ୍ଦ କାବ୍ୟରେ ଅଘୋଷ ବୁଦ୍ଧଙ୍କ ମୁଖରୁ ଯେଉଁ ଉପଦେଶ ବାହାର କରାଇଛନ୍ତି ଏହି ଉଭୟ ମଧ୍ୟରେ ଯଥେଷ୍ଟ ସାମ୍ୟ ଅଛି । ଗୀତାର ତୃତୀୟ ଅଧ୍ୟାୟରେ ଯେଉଁ ଯୁକ୍ତିର ପ୍ରୟୋଗ କରାଯାଇଛି ତାହାର ‘ତସ୍ୟ କାର୍ଯ୍ୟ ନ ବିଦ୍ୟତେ’ ‘‘ତସ୍ମାଦସକ୍ତଃ ସତତଂ କାର୍ଯ୍ୟ କର୍ମଂ ସମାଚର । (ଗୀତା ୩, ୧୭, ୧୯) । ଏହି ବାକ୍ୟମାନଙ୍କ ସହିତ ଅଶ୍ୱଘୋଷଙ୍କ ଉକ୍ତିମାନ ଅର୍ଥ ଓ ଶବ୍ଦରେ ସମାନ । ଏଥିରୁ ଅନୁମିତ ହୁଏ ଅଘୋଷ ଏହି ଯୁକ୍ତି ଗୀତାରୁ ଗ୍ରହଣ କରିଥିବେ । କାରଣ ମହାଭାରତ ଅଶ୍ୱଘୋଷଙ୍କ ପୂର୍ବର ରଚିତ ।

 

ବୌଦ୍ଧ ଧର୍ମାବଲମ୍ବୀ ତାରାନାଥ ବୌଦ୍ଧଧର୍ମର ଇତିହାସ ସମ୍ପର୍କରେ ତିବ୍ଦତୀ ଭାଷାରେ ଖଣ୍ଡିଏ ଗ୍ରନ୍ଥ ଲେଖିଛନ୍ତି । ସେଥିରେ ଲେଖାଅଛି ଯେ ବୌଦ୍ଧମାନଙ୍କର ପ୍ରାଚୀନ ସନ୍ୟାସ ମାର୍ଗରେ ମହାଯାନପନ୍ଥୀ ଯେଉଁ କର୍ମଯୋଗ ମୂଳକ ସଂସ୍କାର କରିଥିଲେ ତାହା ସେହି ପନ୍ଥାର ପ୍ରଧାନ ପ୍ରବର୍ତ୍ତକ ନାଗାର୍ଜୁନଙ୍କ ଗୁରୁ ରାହୁଲଭଦ୍ର ଜ୍ଞାନୀ ଶ୍ରୀକୃଷ୍ଣ ଓ ଗଣେଶଙ୍କଠାରୁ ଶିଖିଥିଲେ । ଏହି ଗ୍ରନ୍ଥ ଋଷୀୟ ଓ ଜର୍ମାନ ଭାଷାରେ ଅନୁଦିତ ହୋଇଅଛି କିନ୍ତୁ ଇଂରେଜୀରେ ହୋଇନାହିଁ । ମହାଯାନ ପନ୍ଥାର ଉତ୍ପତ୍ତି ଅଶୋକଙ୍କ ପୂର୍ବରୁ । ଅର୍ଥାତ୍ ଖ୍ରୀ:ପୂ ୩୦୦ ବର୍ଷ ପୂର୍ବେ ଭଗବଦ୍‍ଗୀତାର ଅସ୍ତିତ୍ଵଥିଲା ।

 

 

ଅବସରପ୍ରାପ୍ତ ଅଧ୍ୟାପକ

ହେରାଗୋହିରୀସାହି, ପୋଜି-ପୁରୀ

 

***

 

ପ୍ରାବନ୍ଧିକ ଜଗବନ୍ଧୁ ସିଂହ ଓ ‘ପ୍ରବନ୍ଧ ସାର’ର ଅନ୍ତର୍ଲୋକ

ନିରଞ୍ଜନ ସାହୁ

 

ଜଗବନ୍ଧୁ ସିଂହ (୧୮୭୬-୧୯୪୮) ଜଣେ ଇତିହାସ ଲେଖକ ଓ ସଂସ୍କୃତି ସ୍ଵାଭିମାନୀ ସତ୍ୟଦୃଷ୍ଟିର ବିମଳ ପ୍ରାବନ୍ଧିକ ଭାବରେ ପରିଚିତ । ପ୍ରାଚୀନ ଉତ୍କଳର ଭାଷା ଓ ସାହିତ୍ୟ ସମ୍ପର୍କରେ ସେ ଇତିହାସ ସମ୍ମତ ଦୃଷ୍ଟିଭଙ୍ଗୀର ବସ୍ତୁନିଷ୍ଠ ଆଲୋଚନା କରି ସ୍ଵପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି । ‘ପ୍ରାଚୀନ ଉତ୍କଳ’ ତାଙ୍କର ସର୍ବଶ୍ରେଷ୍ଠ କୃତି ।

 

ପ୍ରାବନ୍ଧିକ ଜଗବନ୍ଧୁ ସିଂହ ପ୍ରୋକ୍ତ ଗ୍ରନ୍ଥରେ ଉତ୍କଳର ପ୍ରାଚୀନତା, ଉତ୍କଳର ସଂସ୍କୃତି, ଉତ୍କଳର ଭାଷା ଓ ସାହିତ୍ୟ, ଉତ୍କଳର ବୀରତ୍ୱ, ଅର୍ଥନୀତି, ଶିଳ୍ପ, ବାଣିଜ୍ୟ ଓ ଧର୍ମ ପ୍ରସଙ୍ଗରେ ଯଥାଯଥ ଆଲୋକପାତ କରିଛନ୍ତି । ତାଙ୍କର ଆଲୋଚନା ତଥ୍ୟନୁସନ୍ଧାନ ମୂଳକ ଓ ବିଶ୍ଳେଷଣାତ୍ମକ-। ‘ପ୍ରାଚୀନ ଉତ୍କଳ’ ଗ୍ରନ୍ଥ ବ୍ୟତୀତ ‘ପ୍ରବନ୍ଧସାର’ ଓ ‘ ଗୃହଲକ୍ଷ୍ମୀ’ ତାଙ୍କର ଅନ୍ୟଦୁଇଟି ସୁବୃହତ ସାରସ୍ୱତ ସୃଷ୍ଟି ।

 

ଜଗବନ୍ଧୁ ସିଂହ ଥିଲେ ଜଣେ ସଂସ୍କୃତି ସଚେତନ ସ୍ୱଦେଶାନୁରାଗୀ ପ୍ରାବନ୍ଧିକ । ସେ ଥିଲେ ସତ୍ୟବାଦୀ ଚେତନାର ଅନ୍ୟତମ ପରିପୂର୍ଣ୍ଣ ମାନସ ଓ କୀର୍ତ୍ତିମାନ ତଥାତ୍ମକ ଗଦ୍ୟ ଲେଖକ । ପ୍ରାଚୀନ ଉତ୍କଳର ଇତିହାସ, ଆର୍ଯ୍ୟ ସଂସ୍କୃତି, ପ୍ରାଚ୍ୟ ବିଦ୍ୟା, ଜାତୀୟ ଜୀବନ, ଇତିହାସ ଚେତନା, ଦେଶାନୁରାଗ, ପ୍ରତିଭା ପୂଜା, ଆଦର୍ଶ ପ୍ରତିଷ୍ଠା, ସାହିତ୍ୟ ଦୃଷ୍ଟି, ତଥ୍ୟନୁସନ୍ଧାନ, କବି ଓ କବିକୃତିର ମୂଲ୍ୟାୟନ ଓ ଉତ୍କଳୀୟ ବୀରତ୍ୱ-ପାଣ୍ଡିତ୍ୟ-ଆଧ୍ୟାତ୍ମିକତା ଆଦି ତାଙ୍କ ପ୍ରବନ୍ଧର ଥିଲା ମନୋଭୂମି । ସେ ଥିଲେ ନୀତିନିଷ୍ଠ, ଜ୍ଞାନଗର୍ଭକ ଓ ବସ୍ତୁନିଷ୍ଠ ପ୍ରବନ୍ଧର କୁଶଳୀ ପ୍ରାବନ୍ଧିକ । ବିଶ୍ଳେଷଣ ପାଟବତା, ବିଷୟ ବିନ୍ୟାସର କ୍ରମିକତା, ଭାଷା ପ୍ରୟୋଗରେ ସରଳତା, ବାକ୍ୟ ସଂଯୋଜନାରେ ସରସତା ଥିଲା ତାଙ୍କ ଗଦ୍ୟରୀତିର ବୈଶିଷ୍ଟ୍ୟ । ଶିଳ୍ପ ସୌନ୍ଦର୍ଯ୍ୟ ଅପେକ୍ଷା ବକ୍ତବ୍ୟର ଲକ୍ଷ୍ୟମୁଖୀଭାବନା, ପ୍ରାଞ୍ଜଳତା, ଅନୁରାଗ ପ୍ରଭୃତି ତାଙ୍କ ପ୍ରବନ୍ଧରେ ଅଧକ ସ୍ପଷ୍ଟ । ଉତ୍କଳ ସାହିତ୍ୟ, ମୁକୁର ଓ ସତ୍ୟବାଦୀ ପତ୍ରିକାରେ ତାଙ୍କ ପ୍ରବନ୍ଧଗୁଡ଼ିକ ଆତ୍ମପ୍ରକାଶ କରିଥିଲା । ତାଙ୍କ ସାହିତ୍ୟ ସାଧନାର ସମୟ ସତ୍ୟବାଦୀ-ଚେତନାଶିବିରର ସମକାଳୀନ ଥିଲା । ‘ପ୍ରାଚୀନ ଉତ୍କଳ’ ଓ ‘ପ୍ରବନ୍ଧ ସାର’ ୧୯୨୯ ମସିହାରେ ଆତ୍ମପ୍ରକାଶ କରିଥିଲା ।

 

ଆଧୁନିକ ଓଡ଼ିଆ ସାହିତ୍ୟରେ ପ୍ରବନ୍ଧ ଏକ ବଳିଷ୍ଠ ବିଭାଗ । ପ୍ରାଚୀନ କାଳରେ ଏହା ‘ଛନ୍ଦୋବଦ୍ଧ ଶବ୍ଦ ସଙ୍ଗୀତ’ ଭାବରେ ଅଭିହିତ ଥିଲା । ତେବେ ଆଧୁନିକ କାଳରେ ଏହାର ଅର୍ଥ ବ୍ୟାପକ ଓ ସମୁଜ୍ଜ୍ୱଳ । ସେହି ଦୃଷ୍ଟିରୁ ପ୍ରାବନ୍ଧିକ ହେଉଛି ଜୀବନର ସଫଳ ଭାଷ୍ୟକାର । ଜୀବନର ବାସ୍ତବ ସତ୍ୟ ଉଦ୍‌ଘାଟନ ବ୍ୟତୀତ ସମାଜର ବିବିଧ ଜ୍ଞାନ-ବିଜ୍ଞାନର ସରଳ ସାବଲୀଳ ପରିପ୍ରକାଶ ହେଉଛି ପ୍ରବନ୍ଧ । ଏହି ଦୃଷ୍ଟିରୁ ଜଗବନ୍ଧୁ ସିଂହ ପ୍ରବନ୍ଧ ସାହିତ୍ୟର ମଧ୍ୟ ପର୍ବରେ ଜଣେ ବଳିଷ୍ଠ ପ୍ରତିଭା । ଗଭୀର ସଂସ୍କୃତି ପ୍ରାଣତା, ଇତିହାସ ପ୍ରୀତି ଓ ଦେଶାତ୍ମବୋଧ ହିଁ ତାଙ୍କୁ ପ୍ରବନ୍ଧ ରଚନା ପାଇଁ ଅନୁପ୍ରାଣିତ କରିଥିଲା । ପ୍ରାବନ୍ଧିକଙ୍କ ଭାଷାରେ- “ଉତ୍କଳର ପ୍ରତି ଧୂଳିକଣା ଭିତରେ ପ୍ରାଚୀନ କୀର୍ତ୍ତି ନିହିତ ଅଛି । ନଗର, ବନ, ପ୍ରାନ୍ତର, ଦେବାଳୟ, ଭୂଗର୍ଭ ଏସବୁ କୀର୍ତ୍ତି କାହାଣୀ ସାଇତି ରଖିଛି । ଅଦ୍ୟାବଧି ତାର ବିନାଶ ହୋଇନାହିଁ । କେବଳ ଖୋଜି ସଂଗ୍ରହ କରିବା ଆବଶ୍ୟକ । (ପ୍ରାଚୀନ ଉତ୍କଳ)

 

ଜଗବନ୍ଧୁ ସିଂହ ଜଣେ ନିରୁତା ପ୍ରାବନ୍ଧିକ । ପ୍ରବନ୍ଧ ରଚନା ତାଙ୍କର ସାରସ୍ୱତ କୀର୍ତ୍ତି । ପ୍ରାବନ୍ଧିକଙ୍କ ମନୋଭାବ ଓ ସାରଗର୍ଭକ ପ୍ରବନ୍ଧ କୃତୀକୁ ପ୍ରଶଂସାକରି ଫକୀରମୋହନ ଏକ ଚିଠି ଲେଖିଥିଲେ-

 

“ମହାଶୟ, ଅଦ୍ୟ ମୁକୁରରେ ପ୍ରାଚୀନ ଉତ୍କଳ ପାଠକରି ଅତ୍ୟନ୍ତ ଆନନ୍ଦିତ ହେଲି । ବିନୟ ସହିତ ଆପଣଙ୍କ ଉଦ୍ଦେଶ୍ୟରେ ବାରମ୍ବାର ନମସ୍କାର କରୁଛି । x xxx ଉତ୍କଳର ସାହିତ୍ୟ ଭଣ୍ଡାରରେ ପ୍ରବନ୍ଧ ମହାର୍ଘ ହାରକ ବିଶେଷ । xxx x ସାହିତ୍ୟରେ ଅନେକ ଲୋକର ଲେଖା ବାହାରେ । ମୁଁ ତ କାହାରିକୁ ଚିଠି ଲେଖେଁ ନାହିଁ । ଆପଣଙ୍କୁ ବାରମ୍ବାର ଲେଖୁଛି କି ସକାଶେ ? ପ୍ରାଚୀନ ଉତ୍କଳ ପ୍ରବନ୍ଧ ପାଠକରି ଏତେଦୂର ଆନନ୍ଦିତ, ମୋହିତ ହୋଇଯାଇଛି ଯେ, ମନୋଭାବ ଆପଣଙ୍କୁ ନ ଲେଖି ରହିପାରୁନାହିଁ । ମାସିକ ପତ୍ରିକାରେ ଅନେକ ପ୍ରବନ୍ଧ, କବିତା ବାହାରୁଛି, ବାହାରିବ । ପଢ଼ି ପଢ଼ି ଅରୁଚି ଧରିଗଲାଣି । ବର୍ତ୍ତମାନ କିଛି ପଦାର୍ଥ ପ୍ରୟୋଜନ । ଉତ୍କଳ ପ୍ରାଚୀନତ୍ୱରେ, ପବିତ୍ରତାରେ, ବିଜ୍ଞାନ ଗୌରବରେ ମହିମାନ୍ୱିତ ହେଲେ ମଧ୍ୟ ବର୍ତ୍ତମାନ ଭାରତର ଅନ୍ୟ ଦେଶମାନଙ୍କ ସମ୍ମୁଖରେ ଅବଜ୍ଞାତ । ଉତ୍କଳର ସେହି ପ୍ରାଚୀନ ଚିତ୍ର ଲୋକନେତ୍ର ସମ୍ମୁଖରେ ଉପସ୍ଥାପିତ କରାଇବା ପ୍ରତ୍ୟେକ ଯୋଗ୍ୟ ସନ୍ତାନ ପକ୍ଷରେ ନିତାନ୍ତ କର୍ତ୍ତବ୍ୟ । ମୋହର ପ୍ରକୃତ ବିଶ୍ୱାସ ଜନନୀ ଜନ୍ମଭୂମିର ଗୌରବ ସାଧାରଣରେ ପରିଚିତ କରାଇବା ସକାଶେ ଆପଣ ଗୋଟିଏ ଯୋଗ୍ୟ ସନ୍ତାନ । ଆପଣ ଅନ୍ୟଆଡ଼େ ମନ ନଦେଇ ଏହି ବିଷୟରେ ଲାଗିପଡ଼ନ୍ତୁ । ଖୋଜିଲେ ମିଳେ, ଆପଣଙ୍କ ତୀକ୍ଷ୍ମ ଦୃଷ୍ଟିରେ ଅନେକ ବିଷୟ ପଡ଼ିଯିବ । ନିଶ୍ଚୟ ଜାଣିବେ, ଆପଣଙ୍କର ମନୋରଞ୍ଜନ ପାଇଁ ଏକଥା ଲେଖୁନାହିଁ, ଏହା ମୋର ପ୍ରକୃତ ମନୋଭାବ । ପୂର୍ବ ପୁରୁଷଙ୍କ ଗୌରବ କାହାଣୀ ଶୁଣିଲେ ତତୁଲ୍ୟ ଗୌରବ ଲାଭ ପାଇଁ ସଚେଷ୍ଟ ଏବଂ ଯତ୍ନଶୀଳ ହେବା ପ୍ରତ୍ୟେକ ଉତ୍ତର ପୁରୁଷମାନଙ୍କ ପକ୍ଷରେ ସ୍ୱାଭାବିକ । ଉତ୍କଳବାସୀଙ୍କୁ ମାତୃଭୂମିର ଗୌରବମୟୀ କାହାଣୀ ଶୁଣାଇବାକୁ ଚେଷ୍ଟା କରନ୍ତୁ, ମୋହର ପ୍ରାର୍ଥନା ।

 

 

ଆପଣଙ୍କର

ଫକୀର ମୋହନ ସେନାପତି

(ପ୍ରାଚୀନ ଉତ୍କଳ-ଭୂମିକା)

 

କେବଳ ବ୍ୟାସକବି ଫକୀର ମୋହନ ନୁହନ୍ତି, ନୀଳମଣି ବିଦ୍ୟାରତ୍ନ, ଶଶି ଭୂଷଣ ରାୟ ପ୍ରଭୃତି ଜଗବନ୍ଧୁ ସିଂହଙ୍କୁ ପ୍ରବନ୍ଧ ରଚନା ପାଇଁ ପ୍ରଶଂସା କରିବା ସହିତ ଉତ୍ସାହ ପ୍ରଦାନ କରିଥିଲେ ।

 

‘ପ୍ରବନ୍ଧ ସାର’ ପ୍ରାବନ୍ଧିକ ଜଗବନ୍ଧୁ ସିଂହଙ୍କର ଅପୂର୍ବ ସାରସ୍ୱତ କୀର୍ତ୍ତି । ଏହାର ପ୍ରଥମ ସଂସ୍କରଣ ୧୯୨୯ ମସିହାରେ ଆତ୍ମପ୍ରକାଶ କରିଥିଲା । ସେହିକାଳରେ ଏହାର ମୂଲ୍ୟ ଥିଲା ଏକ ଟଙ୍କା । ବିଶ୍ଵନାଥ କରଙ୍କ ଉତ୍କଳ ସାହିତ୍ୟ ପ୍ରେସରେ ମୁଦ୍ରିତ ଓ ଦି ଷ୍ଟୁଡେଣ୍ଟ ଷ୍ଟୋର, ବ୍ରହ୍ମପୁର (ଗଞ୍ଜାମ)ଙ୍କ ଦ୍ୱାରା ପ୍ରକାଶିତ । ଏହି ଗ୍ରନ୍ଥରେ ଅଠରଟି ବିଭିନ୍ନ ବିଷୟକ ପ୍ରବନ୍ଧ ସ୍ଥାନିତ ହୋଇଛି । ଯଥା : ପ୍ରତାପରୁଦ୍ରଦେବ, ଧର୍ମ ଜୀବନ, ଧର୍ମବଳ, ଜାତୀୟ ଜୀବନ, ଶିକ୍ଷା, ଶିକ୍ଷିତ କୁଳଚନ୍ଦ୍ରମା, ସ୍ତ୍ରୀଶିକ୍ଷା, ପୁରାତନ ଭାରତରେ ବୈଦେଶିକ ବାଣିଜ୍ୟ, କର୍ମବୀର ରମେଶ ଚନ୍ଦ୍ର, ଆୟୁର୍ବେଦ, ଶିଳ୍ପ ଓ ବାଣିଜ୍ୟ, ପୁରାଣ, ଜ୍ୟୋତିର୍ବିଦ୍ୟା, ହାତପାଇଟି (୧), ହାତ ପାଇଟି (୨), ସଙ୍ଗୀତ, କର୍ମବଳ, ଭାଗବତ ଘର ।

 

ପ୍ରବନ୍ଧଗୁଡ଼ିକ ବସ୍ତୁନିଷ୍ଠ ଓ ବିଶ୍ଳେଷଣାତ୍ମକ । ସରଳ ସାବଲୀଳ ଭାଷା ପ୍ରୟୋଗ ରୀତିରେ ପ୍ରବନ୍ଧଗୁଡ଼ିକ ସାରଗର୍ଭକ । ପ୍ରବନ୍ଧଗୁଡ଼ିକ ଯେପରି ଜ୍ଞାନଗର୍ଭକ, ସେହିପରି ଭାବଶକ୍ତି ଉଦବୋଧକ । ପ୍ରତ୍ୟେକଟି ପ୍ରବନ୍ଧରେ ପ୍ରାବନ୍ଧିକଙ୍କର ଅନୁରାଗ ମାନସିକତା ସହିତ ସଂସ୍କୃତି ଚେତନା ସମଭାବେ ପ୍ରକାଶିତ । ସର୍ବତ୍ର ବ୍ୟାପକ ଅନୁସନ୍ଧାନ, ପାଣ୍ଡିତ୍ୟ, ବହୁପାଠିତା, ପୁରାତନ ଶାସ୍ତ୍ର ପୁରାଣର ତାର୍ତ୍ତିକ ବିଚାର, ବହୁବିଧ ପ୍ରାଚ୍ୟବିଦ୍ୟା ପ୍ରତିଥିବା ଅନୁରାଗର ସୂଚନା ସୁସ୍ପଷ୍ଟ ।

 

‘ପ୍ରବନ୍ଧ ସାର ପ୍ରବନ୍ଧ ସଂକଳନରେ ପ୍ରଥମ ପ୍ରବନ୍ଧ ଭାବେ ‘ପ୍ରତାପରୁଦ୍ରଦେବ’ ସଂକଳିତ । ଆଲୋଚ୍ୟ ପ୍ରବନ୍ଧଟି ଏକ ଇତିହାସ ଭିଭିକ ପ୍ରବନ୍ଧ । ଏହି ପ୍ରବନ୍ଧରେ ପ୍ରତାପରୁଦ୍ର ଦେବଙ୍କ ବୀରତ୍ୱ, ରାଜ୍ୟବିସ୍ତାର, ଧର୍ମବିଶ୍ୱାସ, ଅଧ୍ୟାତ୍ମିକତା ଓ ସମକାଳୀନ ସମୟର କରୁଣଚିତ୍ର ବର୍ଣ୍ଣିତ । କିଛି ଇତିହାସ ଗ୍ରନ୍ଥ ଓ ଚୈତନ୍ୟ ଭାଗବତ ପରି କିଛି ଶାସ୍ତ୍ର ଗ୍ରନ୍ଥକୁ ଆଧାରକରି ତଥ୍ୟ ଓ ତତ୍ତ୍ୱାତ୍ମକ ଆଲୋଚନା ପ୍ରାବନ୍ଧିକ ଜଗବନ୍ଧୁ ସିଂହ ପ୍ରଦାନ କରିଛନ୍ତି । ବିଶେଷକରି ପ୍ରତାପରୁଦ୍ର ଦେବଙ୍କୁ ଜଣେ ସରଳସଦ୍‍ଗୁଣବାନ ରାଜା ଭାବେ ଜଗବନ୍ଧୁ ସିଂହ ବର୍ଣ୍ଣନା କରିଛନ୍ତି । ଶାସ୍ତ୍ର କହେ-

 

ଦାକ୍ଷିଣ୍ୟଂ ସ୍ୱଜନେ ଦୟା ପରିଜନେ ଶାଠ୍ୟଂ ସଦାକୁର୍ଜ୍ଜନେ

ପ୍ରୀତଃ ସାଧୁଜନେ ନୟୋ ନୃପଜନେ ବିଦ୍ୱଜ୍ଜନେଚାର୍ଜବମ୍

ଶୌର୍ଯ୍ୟଂ ଶତ୍ରୁଜନେ କ୍ଷମା ଗୁରୁଜନେ କାନ୍ତାଜନେ ଧୃଷ୍ଟାତା

ଯେ ଚୈବଂ ପୁରୁଷୀଂ କଳାସୁ କୁଶଳା ସ୍ତେଷ୍ୱେକଲୋକ ସ୍ଥିତଃ

 

ଅର୍ଥାତ- ଦାକ୍ଷିଣ୍ୟ, ସୃଜନେ ଦୟା, କପଟତାହୀନ, ସାଧୁଜନଙ୍କ ପ୍ରତିଦୟା, ବିଦ୍ୱାନଙ୍କୁ ମାନ୍ୟ, ଶୌର୍ଯ୍ୟ, ଶତୃପ୍ରତି କ୍ଷମାଚାରଣ, ଗୁରୁଜନଙ୍କ ପ୍ରତି ପ୍ରଗଳଭତା ଆଦି ଥିବା ନୃପଜନ ଲୋକମାନ୍ୟ ହୁଏ । ଆଦର୍ଶବାନର ଏ ସମସ୍ତଗୁଣ ଥାଏ । ସରଳ ସଗୁଣାବଳୀ ରାଜାଠାରେ ଥିବାରୁ ନରାଧିପ ଅର୍ଥାତ୍‍ ରାଜା ଲୋକମାନଙ୍କ ମଧ୍ୟରେ ଶ୍ରେଷ୍ଠ । ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣ ସେଥିପାଇଁ କହିଛନ୍ତି-ମନୁଷ୍ୟ ମଧ୍ୟରେ ମୁଁ ରାଜା ।

 

ପ୍ରତାପରୁଦ୍ର ଦେବ ଉତ୍କଳର ରାଜାଥିବା ସମୟରେ ଭାରତର ସିଂହାସନ ମୁସଲମାନମାନଙ୍କର କରଗତ ଥିଲା । ସେତେବେଳେ ମୁସଲମାନମାନଙ୍କର ଅତ୍ୟାଚାର ଓ ପ୍ରତାପରେ ଭାରତ ଭୀତତ୍ରସ୍ତ ଓ ଲାଞ୍ଚିତ ଥିଲା । କେତେ ରାଜ୍ୟ ଛାରଖାର ହୋଇଥିଲା, କେତେ ସତୀଙ୍କର ସତୀତ୍ୱ ନଷ୍ଟ ହୋଇଥିଲା । କେତେ ରମଣୀ ଆତ୍ମରକ୍ଷା ପାଇଁ ପ୍ରାଣତ୍ୟାଗ କରିଥିଲେ । କେତେ ହିନ୍ଦୁ ମୁସଲମାନ ଧର୍ମ ମଧ୍ୟ ଗ୍ରହଣ କରିଥିଲେ । ମାତ୍ର ସେତେବେଳେ ଉତ୍କଳରେ ଶାନ୍ତି ବିରାଜମାନ କରୁଥିଲା । ମହାରାଜା କପିଳେନ୍ଦ୍ର ଦେବ, ପୁରୁଷୋତ୍ତମଦେବ ଓ ଆଲୋଚ୍ୟ ପ୍ରତାପରୁଦ୍ର ଦେବଙ୍କ ବାହୁଛାୟା ତଳେ ରହି ଉତ୍କଳବାସୀ ଆନନ୍ଦରେ କାଳକାଟୁଥିଲେ । ଉତ୍କଳୀୟଙ୍କ ପାଇଁ ଏହାଥିଲା ସବୁଠାରୁ ଗୌରବର ବିଷୟ ।

 

ପ୍ରାବନ୍ଧିକ ଜଗବନ୍ଧୁ ସିଂହ ଲେଖିଛନ୍ତି- “ମହାରାଜା ପ୍ରତାପରୁଦ୍ର ଓଡ଼ିଆ କ୍ଷତ୍ରିୟ ଥିଲେ । ସେ ଗଙ୍ଗବଂଶର ଜନୈକ ନରପତି ଥିଲେ । ତାଙ୍କ ପିତାଙ୍କ ନାମ ପୁରୁଷୋତ୍ତମ ଦେବ । ମାତାଙ୍କ ନାମ । ପଦ୍ମାବତୀ । ସେ ବାଲ୍ୟକାଳରୁ ବିଦ୍ୟାଭ୍ୟାସରେ ରତଥିଲେ, ନାନାଶାସ୍ତ୍ରରେ ତାଙ୍କର ପ୍ରଭୂତ ବ୍ୟୁତ୍ପତ୍ତି ଥିଲା । ସେ ନିଶ୍ଚିୟ ସଂଗ୍ରହ ଓ ସରସ୍ୱତୀ ବିଳାସ ପ୍ରଭୃତି ଗ୍ରନ୍ଥ ଲେଖିଥିଲେ । ସେ ଧର୍ମବୀର ଓ କର୍ମବୀର ଥିଲେ । ଶସ୍ତ୍ର ଓ ଶାସ୍ତ୍ର ଉଭୟ ବିଦ୍ୟାରେ ସେ ନିପୁଣ ଥିଲେ । ସେ ପ୍ରଜାମାନଙ୍କୁ ପୁତ୍ରତୁଲ୍ୟ ପାଳନ କରୁଥିଲେ । ସେ ପ୍ରଧାନ ରାଜନୀତିଜ୍ଞ ଥିଲେ । ପାଣ୍ଡିତ୍ୟ, ଧାର୍ମିକତା, ଓ ବୀରତ୍ୱର ଏକତ୍ର ସମାବେଶ ବଡ଼ ଦୁର୍ଲଭ । ମାତ୍ର ପ୍ରତାପରୁଦ୍ରଙ୍କ ଠାରେ ଏ ତିନିଗୁଣ ଏକତ୍ର ଏକାଧାରରେ ବାସ କରୁଥିଲା । ସେ ଯେପରି ପଣ୍ଡିତ ସେହିପରି ବାରିଥିଲେ ।’’ (ପ୍ରବନ୍ଧସାର)

 

ପ୍ରତାପରୁଦ୍ର ଦକ୍ଷିଣ ଭାରତରେ ଶୌର୍ଯ୍ୟ ବୀର୍ଯ୍ୟ ପ୍ରଦର୍ଶନ କରିଥିଲେ । ବାହୁବଳରେ ରାମେଶ୍ଵର ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିଲେ । ଆଣ୍ତୁଷ୍ଟର୍ଲିଙ୍କ ମତ ଉଦ୍ଧାର କରି ପ୍ରାବନ୍ଧିକ ଲେଖୁଛନ୍ତି- ‘‘He subjected to his domain whole country as far as Rameswar (A.S.J.-Sept.1837) । ପ୍ରାଚୀନ ବିଦ୍ୟାନଗର ବା ବିଜୟନଗର ଉତ୍କଳ ରାଜ୍ୟଭୁକ୍ତ ଥିଲା । ଗୌଡ଼ ରାଜ୍ୟର ଦକ୍ଷିଣ ସୀମା ଛତ୍ରଭୋଗ, ଗଙ୍ଗାସାଗର, ପ୍ରୟାଗ ଘାଟ ଆଦି ଉତ୍କଳର ସୀମା ମଧ୍ୟରେ ଥିଲା ।

 

ପ୍ରତାପରୁଦ୍ର ଥିଲେ ବୀର । ତାଙ୍କ ବୀରତ୍ୱ ଓ ରାଜନୀତି ନିପୁଣତା ଦେଖି ଶତ୍ରୁ ସୁମ୍ମୁଖ ସଂଗ୍ରାମ କରିବାକୁ ଭୟ କରୁଥିଲା । ତେବେ ପ୍ରତାପରୁଦ୍ର ଅଧିକାଂଶ ସମୟ ଦକ୍ଷିଣ ଭାରତରେ ଅତିବାହିତ କରୁଥିଲେ । ଏଥିପାଇଁ ମୁସଲମାନମାନେ ସୁଯୋଗ ଅନୁସନ୍ଧାନ କରୁଥିଲେ । ଅନନ୍ତ ସାମନ୍ତ ସିଂହାରଙ୍କ ଉପରେ ରାଜ୍ୟଭାର ଅର୍ପଣ କରି । ଦାକ୍ଷିଣାତ୍ୟରେ ଥିବା ଅବକାଶରେ ମୁସଲମାନମାନେ ଓଡ଼ିଶା ଆକ୍ରମଣ କଲେ । ଅନନ୍ତ ସାମନ୍ତ ସିଂହାର ଅଳ୍ପ କେତେକ ସୈନ୍ୟ ନେଇ ସମ୍ମୁଖ ସମର କରି ପଳାୟନ କଲେ ଓ ଶାରଙ୍ଗଗଡ଼ରେ ଆତ୍ମଗୋପନ କଲେ । ମୁସଲମାନମାନେ ଉନ୍ମତ୍ତ ହୋଇ ପୁରୀ ଆକ୍ରମଣ କଲେ । ସେବକମାନେ ଜଗନ୍ନାଥଙ୍କୁ ନେଇ ଚିଲିକା ହ୍ରଦରେ ଲୁଚାଇ ଦେଇଥିଲେ ।

 

ଜଗନ୍ନାଥ ହିନ୍ଦୁମାନଙ୍କର ସର୍ବସ୍ୱ । ଧର୍ମପ୍ରାଣ ହିନ୍ଦୁ ଧର୍ମଲାଗି ସବୁ ତ୍ୟାଗକରିପାରେ । ମୁସଲମାନମାନେ ଧନଲାଳସୀ ଥିଲେ ଓ ହିନ୍ଦୁ ଧର୍ମ ଉପରେ କୁଠାରଘାତକୁ ସୁଖ ମଣୁଥିଲେ । ପ୍ରତାପରୁଦ୍ର ଖବର ପାଇ ଉତ୍କଳ ଫେରିଆସିଲେ ଓ ଗୃହଯୁଦ୍ଧରେ ପ୍ରାଣକ୍ଷୟ ଦେଖି ସନ୍ଧିସ୍ଥାପନ କଲେ । ସନ୍ଧିପରେ ମୁସଲମାନମାନେ ଓଡ଼ିଶା ତ୍ୟାଗ କରି ଗୌଡ଼ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ ।

 

ପ୍ରତାପରୁଦ୍ର ଥିଲେ ପ୍ରଜାପାଳକ ଗୁଣୀରାଜା । ସେ ମଧ୍ୟ ଥିଲେ ଧାର୍ମିକ ଓ ଭକ୍ତପ୍ରାଣ । ରାଜ୍ୟର ସୀମାବିସ୍ତାର ସହିତ ଧନଧାନ୍ୟରେ ରାଜ୍ୟକୁ ପରିପୂର୍ଣ୍ଣ କରିଥିଲେ । ଗଙ୍ଗାଠାରୁ ରାମେଶ୍ଵର ପର୍ଯ୍ୟନ୍ତ ରାଜ୍ୟର ସୀମା ସ୍ଥାପିତ କରିଥିଲେ । ଏହି ପ୍ରବନ୍ଧରେ ଜଗବନ୍ଧୁ ସିଂହ ମଧ୍ୟ ମୋଗଲ ଆକ୍ରମଣର ଚିତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ଜଗନ୍ନାଥଙ୍କୁ ଭକ୍ତମାନେ ଚଡ଼େଇଗୁହା ପର୍ବତରେ ଲୁଚାଇଥିବା କଥା ଉଲ୍ଲେଖ କରାଯାଇଛି । ଏହି ଯୁଦ୍ଧରେ ପ୍ରତାପରୁଦ୍ର ଦେବ ମୋଗଲମାନଙ୍କୁ ମନ୍ଦାରୁଣି ଗଡ଼ ପର୍ଯ୍ୟନ୍ତ ଅନୁଧାବନ କରିଥିଲେ । ରାଜାଙ୍କ ୩୨ ଅଙ୍କ ପର୍ଯ୍ୟନ୍ତ ପଠାଣମାନେ ଉତ୍କଳ ଆଶା ମନରୁ ପରିତ୍ୟାଗ କରିଦେଇଥିଲେ ।

 

'ପ୍ରବନ୍ଧସାର’ ପ୍ରବନ୍ଧ ସଂକଳନର ଦ୍ୱିତୀୟ ପ୍ରବନ୍ଧଟି ‘ଧର୍ମ ଜୀବନ’ । ଏଥିରେ ପ୍ରତାପରୁଦ୍ର ଦେବଙ୍କ ଧର୍ମଜୀବନର ଝଲକ ଦେଖବାକୁ ମିଳେ । କୀର୍ତ୍ତି ଓ ଦୀକ୍ଷା ଗ୍ରହଣ ଏହି ପ୍ରବନ୍ଧର ସାରାଂସ-। ଧବଳେଶ୍ୱର ମନ୍ଦିର ନିର୍ମାଣ, ଯାଜପୁରରେ ବରାହନାଥ ଦେଉଳ ନିର୍ମାଣ ତାଙ୍କର ଥିଲା ଅକ୍ଷୟ କୀର୍ତ୍ତି । ପ୍ରାଥମିକ ଅବସ୍ଥାରେ ପ୍ରତାପରୁଦ୍ର ବୌଦ୍ଧଧର୍ମ ପ୍ରତି ମନ ବଳାଇଥିଲେ । ମାତ୍ର ରାଣୀଙ୍କ ଅନୁରୋଧକ୍ରମେ ସେ ବ୍ରାହ୍ମଣ୍ୟ ଧର୍ମର ପ୍ରାଧାନ୍ୟ ସ୍ୱୀକାର କରିଥିଲେ । ଅମରସିଂହ ଓ ବୀରସିଂହ ନାମକ ଦୁଇଗ୍ରନ୍ଥ ବ୍ୟତୀତ ସମସ୍ତ ବୌଦ୍ଧଧର୍ମଗ୍ରନ୍ଥ ନଷ୍ଟ କରାଯାଇଥିଲା । ସେତେବେଳେ ଶ୍ରୀ ଚୈତନ୍ୟ ସନ୍ନ୍ୟାସଧର୍ମ ଗ୍ରହଣ କରି ତୀର୍ଥ ଭ୍ରମଣ ଲାଗି ନୀଳାଚଳକୁ ଆସି ଦାକ୍ଷିଣାତ୍ୟ ଯାଇଥିଲେ-। ପ୍ରତାପରୁଦ୍ର ଶ୍ରୀଚୈତନ୍ୟଙ୍କ ମାହାତ୍ମ୍ୟ ଓ ଐଶ୍ୱର୍ଯ୍ୟ ବିଷୟ ଶୁଣି ସାକ୍ଷାତପାଇଁ ବ୍ୟାକୁଳ ହୋଇ ଉଠିଥିଲେ । ଏଥିପାଇଁ ବାସୁଦେବ ସାର୍ବଭୌମ ଓ ରାୟ ରାମାନନ୍ଦଙ୍କ ମାଧ୍ୟମରେ ଉଦ୍ଦେଶ୍ୟ ସାଧିତ ହୋଇଥିଲା । କାରଣ ଶ୍ରୀଚୈତନ୍ୟ ରାଜା ପ୍ରତାପରୁଦ୍ରଙ୍କୁ ଦର୍ଶନ ଦେବାକୁ ଚାହୁଁ ନଥିଲେ । ରାଜାଙ୍କ ଗୁରୁ ଥିଲେ କାଶୀମିଶ୍ର । ସେ ରାଧାକାନ୍ତମଠରେ ରହଣିର ବ୍ୟବସ୍ଥା କରାଇଥିଲେ । ରାଜାଙ୍କୁ ଦର୍ଶନ ମିଳିଥିଲା ଓ ରାଜା ଶ୍ରୀଚୈତନ୍ୟଙ୍କ ଭକ୍ତ ହୋଇଥିଲେ । ଯୁଦ୍ଧ ଅଭୀପ୍‍ସା ତାଙ୍କର ତିରୋହିତ ହୋଇଥିଲା ।

 

ପରିଶେଷରେ ଜଗବନ୍ଧୁ ସିଂହ ଲେଖୁଛନ୍ତି- “ଏହାଙ୍କ ରାଜତ୍ଵ ସମୟରେ ଓଡ଼ିଆ ଭାଷା ବହୁତ ଉନ୍ନତି କରିଥିଲା । ଜଗନ୍ନାଥ, ବଳରାମ, ଅଚ୍ୟୁତ, ଅନନ୍ତ ପ୍ରଭୃତି ଲେଖକମାନେ ଏହି ସମୟରେ ବହୁତ ଓଡ଼ିଆ ପୁସ୍ତକ ଲେଖିଥିଲେ । ପ୍ରତାପରୁଦ୍ରଙ୍କ ରାଜତ୍ୱକାଳ ମଧ୍ୟରେ ଉତ୍କଳ ଗୌରବ ରବି ଉଚ୍ଚସ୍ଥାନ ଅଧିକାର କରିଥିଲେ ମାତ୍ର ଦୁଃଖର ବିଷୟ, ସେହି ରାଜତ୍ୱକାଳ ଶେଷ ମଧ୍ୟରେ ସେ ରବି ସୁନୀଚ ସ୍ଥାନ ଅଧିକାର କଲେ ।”

 

(ପ୍ରବନ୍ଧସାର-ଧର୍ମଜୀବନ-ପୂ-୧୬)

 

ଆଲୋଚ୍ୟ ଦୁଇଟି ପ୍ରବନ୍ଧ ‘ପ୍ରତାପରୁଦ୍ର ଦେବ’ ଓ ‘ଧର୍ମଜୀବନ’ ପ୍ରତାପରୁଦ୍ର ଦେବଙ୍କ ସମ୍ପର୍କରେ ରଚିତ ଦୁଇଟି ପ୍ରବନ୍ଧ । ତେଣୁ ‘ଧର୍ମବଳ’ ‘ପ୍ରବନ୍ଧସାର’ ସଂକଳନର ତୃତୀୟ ପ୍ରବନ୍ଧ । ଏହା ଏକ ମୌଳିକ ପ୍ରବନ୍ଧ । ଧର୍ମ ଓ ହିନ୍ଦୁ ଜାତି ସମ୍ପର୍କରେ ତତ୍ତ୍ୱନିଷ୍ଠ ବିଚାର କରାଯାଇଛି । ଆଶ୍ୱିନ ମାସ କୃଷ୍ଣପକ୍ଷକୁ ପିତୃପକ୍ଷ କୁହାଯାଏ । ଏହାକୁ ମଧ୍ୟ ଅପରପକ୍ଷ କହନ୍ତି । ଏହି ପନ୍ଦର ଦିନ ପୂର୍ବପୁରୁଷଙ୍କୁ ତର୍ପଣ କରାଯାଏ । ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟମାନଙ୍କର ତର୍ପଣ କରିବାର ଅଧିକାର ରହିଛି । ଶାସ୍ତ୍ରରେ ଅଛି-

 

ଆବ୍ରହ୍ମସ୍ତମ୍ଭ ପର୍ଯ୍ୟନ୍ତଂ ଜଗଦେତ ଚରାଚରଂ

ମୟାଦତ୍ତେନ ତୋୟନ ପ୍ରୀଣାତୁ ଭୁବନତ୍ରୟଂ

ଅଖିଳାଖିଳକୋଟୀନାଂ ସପ୍ତଦ୍ୱୀପ ନିବାସିନୀଂ ।

 

ସେହିପରି ଶଙ୍କର ଦିଗ୍‍ବିଜୟ ଗ୍ରନ୍ଥରେ କୁହାଯାଇଛି- ‘‘ଜନ୍ମନାଜାୟତେ ଶୂଦ୍ରଃ ସଂସ୍କାରଦ୍ୱିଜ ଉଚ୍ୟତେ ।” ଅର୍ଥାତ ଜନ୍ମପରେ ପ୍ରତ୍ୟେକ ଲୋକ ଶୂଦ୍ର । ଉପନୟନ ସଂସ୍କାର ଦ୍ୱାରା ଲୋକ ଦ୍ୱିଜ ହୁଏ । ବେଦପାଠ କଲେ ବିପ୍ର ଏବଂ ବ୍ରହ୍ମଜ୍ଞାନୀ ହେଲେ ଲୋକ ବ୍ରାହ୍ମଣ ହୁଏ । ବ୍ରହ୍ମଜ୍ଞାନ ବ୍ରାହ୍ମଣର ନିଦର୍ଶନ । ବ୍ରହ୍ମଜ୍ଞାନ ବିହୀନ ଲୋକ ଅବ୍ରାହ୍ମଣ । ବ୍ରାହ୍ମଣର ବ୍ରହ୍ମଜ୍ଞାନ ନଥିଲେ ସେ ବ୍ରାହ୍ମଣ ପଦବାଚ୍ୟ ନୁହେଁ । କେବଳ ସଂସ୍କାରପରେ ଦ୍ୱିଜ ଆଖ୍ୟାଧାରଣର ସେ ଯୋଗ୍ୟ ।

 

ପୁରାଣ ଅନୁସାରେ ବ୍ରହ୍ମାଙ୍କ ମୁଖରୁ ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ଉରୁରୁ ବୈଶ୍ୟ ଓ ପାଦରୁ ଶୁଦ୍ରର ଜନ୍ମ । ମନୁସ୍ମୃତି ଅନୁସାରେ ବ୍ରାହ୍ମଣ ଅନ୍ୟତିନି ଜାତିରୁ କନ୍ୟା ଗ୍ରହଣ କରିପାରେ । ପୁରାକାଳରେ ଏହାର କେତେକ ବ୍ୟତୀକ୍ରମର ପ୍ରମାଣ ମଧ୍ୟ ରହିଛି । ସେହିପରି ନୀଚ ଶ୍ରେଣୀର ଲୋକ ଗୁଣକର୍ମରେ ସର୍ବଶ୍ରେଷ୍ଠତ୍ୱ ଲାଭ କରିପାରେ । ଏହାର ମଧ୍ୟ ପ୍ରମାଣ ରହିଛି । ଯଥା- ବଶିଷ୍ଠ ଥିଲେ ମହର୍ଷି, ସେ ବ୍ରାହ୍ମଣ ବର୍ଣ୍ଣର ଗୁରୁ ଅଥଚ ସେ ଥିଲେ ଦାସୀପୁତ୍ର । ବ୍ୟାସ ଥିଲେ କୈବର୍ତ୍ତ ପୁତ୍ର-। ଫଳରେ ଗୁଣ